Site icon Odisha.com

ଉତ୍ତର-ପଶ୍ଚିମ, ଉପକୂଳ ଓଡ଼ିଶାରେ ବନ୍ୟା, ଶତାଧିକ ସ୍ଥାନାନ୍ତର

ଉତ୍ତର-ପଶ୍ଚିମ, ଉପକୂଳ ଓଡ଼ିଶାରେ ବନ୍ୟା, ଶତାଧିକ ସ୍ଥାନାନ୍ତର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର ,୨୯ ଜୁଲାଇ (ଓଡିଶା ଡଟ୍ କମ୍): ଉପରମୁଣ୍ଡରେ ଲଗାଣ ବର୍ଷାଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉତ୍ତର-ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବନ୍ୟା ହୋଇଛି ଫଳରେ ଶତାଧିକ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ।

ମିଳିଥିବା ସୂଚନା ମୁତାବକ ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳ ଏବେ ବନ୍ୟାଜଳ ଘେରରେ ।

ବୁଧବାର ସକାଳ ସୁଦ୍ଧା ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ହେତୁ ଯାଜପୁର ଜିଲ୍ଲାର ଗଣେଷପୁରଠାରେ ଘାଇ ସୃଷ୍ଟି ହୋଇଛି ।

ଏହି ଘାଇ ଯୋଗୁଁ ଯେପରି ଯାଜପୁର ସହରରେ ପାଣି ନ ପଶେ ସେଥିପାଇଁ ଯୁଦ୍ଧକାଳୀନ ଭିତିରେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ସୂଚନା ଦିଆଯାଇଛି।

ସେହିପରି ବୁଢାବଳଙ୍ଗ ନଦୀରେ ବନ୍ୟା ଯୋଗୁଁ ବାରିପଦା ସହର ଓ ସାରକଣା ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଥିବାରୁ ସେହି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ରିଲିଫ ଯୋଗାଇ ଦିଆଯାଉଥିବା ବୈଠକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ୍କର ଦହମୁଣ୍ଡାଠାରେ ଘାଇ ସୃଷ୍ଟି ହୋଇ ମନନଗର ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି।

ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତିକୁ ସାମ୍ନାରେ ରଖି ମୁଖ୍ୟମନ୍ତ୍ରୀ ଘାଇଟିର ମରାମତି କରିବା, ବାଲିଆପାଳ, ଭୋଗରାଇ ଓ ବସ୍ତା ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ସହ ବାଲେଶ୍ଵର ଜିଲ୍ଲାକୁ ଏକ ଓଡ୍ରାଫ ଟିମ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହେବା ଯୋଗୁଁ ବୁଧବାର ରେଙ୍ଗାଲି ଡ୍ୟାମରୁ ଯେଉଁ ବନ୍ୟାଜଳ ଛଡ଼ା ଯିବାର ନିଷ୍ପତିକୁ ଗୋଟେ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଏହା ଗଭୀର ଲଘୁଚାପରେ ପରିଣତ ହେବାରୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର କେତକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୁଚନା ମିଳିଛି।

ଓଡିଶା ଡଟ୍ କମ୍

Exit mobile version