Site icon Odisha.com

କଂଗ୍ରେସ ବିବାଦ ପ୍ରଚାର ପରିପ୍ରେକ୍ଷୀରେ ପାର୍ଟି ବିଧାୟକଙ୍କ ବୈଠକ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର ,୩୦ ଜୁଲାଇ (ଓଡିଶା ଡଟ୍ କମ୍) ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ହଟାଇବା ପାଇଁ କିଛି କଂଗ୍ରେସ ବିଧାୟକ ଦିଲ୍ଲୀରେ ଯାଇ ପାର୍ଟି ହାଇକମାଣ୍ଡଙ୍କୁ ସାକ୍ଷାତ କରିଥିବା ପ୍ରଚାର ପରେ ଜଣ ସାଧାରଣଙ୍କ ସାମ୍ନାରେ ନିଜର ଭାବମୂର୍ତି ସୁଧାରିବା ପାଇଁ ପାର୍ଟି ନେତା ମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ପ୍ରଥମେ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଓ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଏହି ପରି ଅନୁଷ୍ଠିତ ଦୁଇଟି ବୈଠକରୁ ଏହା ସ୍ପଷ୍ଟ ହୋଇଛି । ବିରୋଧୀ ଦଳ ନେତାଙ୍କ ଘରେ ପ୍ରାୟ ଏକ ଘଣ୍ଟାର ଆଲୋଚନା ପରେ ବୈଠକ ଶେଷ ହୋଇଥିଲା। ବୈଠକ ଶେଷ ପରେ ବିଧାୟକମାନେ ଗଣମାଧ୍ୟମକୁ ଆଲୋଚନା ସମ୍ପର୍କିତ କୌଣସି ସୂଚନା ଦେଇନଥିଲେ ।

ପରବର୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ସୌଜନ୍ୟମୂଳକ ଥିବା କହିଥିଲେ । ବିଧାୟକମାନେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ କିଛି ସାଙ୍ଗଠନିକ ପ୍ରସ୍ତାବ ଦେବା ସହ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିବ ସେ ପ୍ରକାଶ କରିଥିଲେ ।

ସେମାନେ ଦେଇଥିବା ପ୍ରସ୍ତାବ ବିଷୟରେ ହାଇକମାଣ୍ଡ ମୋ ସହ ସହିତ ଆଲୋଚନା କରିବା ପାଇଁ କହିଥିବାରୁ ଆଜି ଏହି ଆଲୋଚନା କରାଯାଇଥିବା’ ହରିଚନ୍ଦନ କହିଥିଲେ ।

କଂଗ୍ରେସ ଭବନ ଓ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ ଦିଲ୍ଲୀ ଯାଇଥିବା ୧୨ଜଣ ବିଧାୟକ ଉପସ୍ଥିତ ଥିବାବେଳେ ବାହିନୀପତି ଆସି ନ ଥିଲେ ।

ଓଡିଶା ଡଟ୍ କମ୍

Exit mobile version