Site icon Odisha.com

ଚାହିଦା ଅନୁଯାୟୀ ରାଜ୍ୟରେ ସାର ନିଅଣ୍ଟ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୩୧ ଜୁଲାଇ (ଓଡିଶା ଡଟ୍ କମ୍): କେନ୍ଦ୍ର ସରକାର ଚଳିତ ଖରିଫ ଋତୁରେ ଆବଶ୍ୟକ ପରିମାଣର ୟୁରିଆ ସାର ଯୋଗାଇ ନଥିବାରୁ ରାଜ୍ୟରେ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିବା ସରକାର ଶୁକ୍ରବାର କହିଛନ୍ତି ।

ରାଜ୍ୟରେ ଅଗଷ୍ଟ ସୁଦ୍ଧା ୧ଲକ୍ଷ ୭୫ହଜାର ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୧୪ହଜାର ମେଟ୍ରିକ ଟନ ୟୁରିଆ ଯୋଗାଇ ଦିଆଯାଇଛି ।

ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସାରର ଅଭାବକୁ ଦୃଷ୍ଟିରେ ରଖି ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାରଙ୍କୁ ଅଧିକ ସାର ଦେବାପାଇଁ ପାତ୍ର ଲେଖିଥିଲେ ।

ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ମତାମତ ଆସିନଥିବାରୁ ପୁନଶ୍ଚ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଚାଷୀମାନଙ୍କୁ ରାଜ୍ୟରେ ମହଜୁଦ ଥିବା ସାରକୁ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଯେପରି ଠିକ ସମୟରେ ଯୋଗାଇ ଦିଅନ୍ତି, ସେ ସବୁ କାର୍ଯ୍ୟକୁ କଡାକଡି ଭାବେ ତଦାରଖ କରିବା ପାଇଁ ସମବାୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ସଚିବ, ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ସାରା କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

Exit mobile version