Site icon Odisha.com

ଜନଜାତି ଛାତ୍ରୀନିବାସରେ ୧୧୫ ଏଏନ୍ଏମ ନିଯୁକ୍ତି ପାଇଁ ନିର୍ଦ୍ଦେଶ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୩୧ ଜୁଲାଇ (ଓଡିଶା ଡଟ୍ କମ୍): ଜନଜାତି ଛାତ୍ରୀନିବାସ ଗୁଡ଼ିକରେ ରହୁଥିବା ଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୨୨୧ ଜଣ ଏଏନ୍ଏମ୍ କୁ ନିୟୋଜିତ କରାଯାଇଥିବା ବେଳେ ଆଉ ୧୧୫ଜଣଙ୍କୁ ତୁରନ୍ତ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ଓ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପିଇବା ପାଣି ଓ ପରିମଳ ଆଦି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରୁ ଜଣାଯାଇଛି, ରାଜ୍ୟରେ ପାଞ୍ଚ ହଜାର ଛାତ୍ରୀ ନିବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ହଜାର ୩ଶହ ୯୩ଟି ହଷ୍ଟେଲ ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଛି ଏବଂ ସେଥିରୁ ବର୍ତ୍ତମାନ ସୁଦ୍ଧା ୨ହଜାର ୧୮୪ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ଅବଶିଷ୍ଠ ୧୨୦୯ ଟି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ଡିସେମ୍ୱର ୨୦୧୫ ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଜିଲ୍ଲା ଦାୟିତ୍ଵରେ ଥିବା ସଚିବ, ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରମାନେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଛାତ୍ରୀ ନିବାସ ଗୁଡିକ ପରିଦର୍ଶନ କରି ସେମାନଙ୍କ ଅସୁବିଧା ବୁଝିବା ପାଇଁ ପଦକ୍ଷେପ ନେବା ସହ ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ, ଓ ଉନ୍ନୟନ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

Exit mobile version