Site icon Odisha.com

ଅନଲାଇନ ଅର୍ଡର କରି ଘରେ ପାଆନ୍ତୁ ଓପୋଲଫେଡର ଚିକେନ, ଅଣ୍ଡା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଅଗଷ୍ଟ ୩, (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ଖାଉଟି ଅନଲାଇନରେ ଅର୍ଡର ଦେଇ ଓପୋଲଫେଡର ଚିକେନ ଓ ଅଣ୍ଡା ଘରେ ବସି ପାଇପାରିବେ ।

କୁକ୍କୁଟ ଉତ୍ପାଦନପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା ଓଡିଶା ରାଜ୍ୟ କୁକ୍କୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ (ଓପୋଲଫେଡ୍) ଏହି ଅନ୍-ଲାଇନ୍ ବିକ୍ରିବଟା ବ୍ୟବସ୍ଥାର ସୋମବାର ଶୁଭାରମ୍ଭ କରିଛି ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହାକୁ ସଚିବାଳୟରେ ଉଦଘାଟନ କରିଥିଲେ ।

ରାଜ୍ୟରେ ପ୍ରଥମ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆର୍ଥିକ ସହାୟତାରେ “ଓପୋଲଫେଡ୍ ଚିକେନ୍ ଫ୍ରେସ୍” ନାମରେ ଏକ ଅତ୍ୟାଧୁନିକ କୁକୁଡା ମାଂସ ପ୍ରକ୍ରିୟାକରଣ ତଥା ବିକ୍ରିୟ କେନ୍ଦ୍ର ୨୪ମଇ ୨୦୧୫ ରେ ଓପୋଲଫେଡ ସହିଦନଗର, ଭୁବନେଶ୍ଵରଠାରେ ଖୋଲିଛି ।

ଏହିପରି ଆଉ ଦୁଇଟି “ଓପୋଲଫେଡ୍ ଚିକେନ୍ ଫ୍ରେସ୍” ବିକ୍ରୟ କେନ୍ଦ୍ର ଆଇଆରସି ଭିଲେଜ ଓ ଓୟୁଏଟି କ୍ୟାମ୍ପସରେ ଓପୋଲଫେଡ୍ ଦ୍ଵାରା ନିର୍ମାଣ କରାଯାଉଛି, ଯାହାକି ଏକ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ।

ଏହି ବିକ୍ରୟ କେନ୍ଦ୍ର ଗୁଡିକରୁ ଅନ୍-ଲଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ଖାଉଟିମାନେ ଅନ୍ୟୁନ୍ୟ ପାଞ୍ଚ ସହ ଟଙ୍କାର କୁକୁଡା ମାଂସ ଓ ଅଣ୍ଡା କିଣିବା ପାଇଁ ବରାଦ କଲେ, ସେମାନଙ୍କ ଘରେ ଏକ ଘଣ୍ଟା ଭିତରେ ଓପୋଲଫେଡ ପହଞ୍ଚାଇବ ବୋଲି ବିଭାଗର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଅନ୍-ଲଇନ୍ ବୁକିଂ ପାଇଁ ଉପଭୋକ୍ତା/ଖାଉଟି ମାନଙ୍କୁ (www.chickenfresh.in) ରେ କ୍ଲିକ୍ କରିବାକୁ ପଡିବ ।

ସେହିପରି ସବୁଠାରୁ ବହୁଳ ଭାବରେ ଆଦୃତ ସୋସିଆଲ ମିଡିଆ ଫେସ୍ ବୁକ୍ ରେ ଆରମ୍ଭ କରାଯାଇଥିବା ଓପୋଲଫେଡର ଏକ ସ୍ଵତନ୍ତ୍ର ବ୍ୟବସାୟିକ ପୃଷ୍ଠାର ମଧ୍ୟ ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

www.facebook.com/opolfed ରେ କ୍ଲିକ୍ କରି ଯେ କେହି ଏହି ପୃଷ୍ଠା ଦେଖି ପାରିବେ । ଏଥିରେ ପ୍ରତ୍ୟେକ ଦିନ ଅଣ୍ଡା ଓ କୁକୁଡା ମାଂସ ଉପରେ ଆଧାରିତ ବୈଷୟିକ ତଥ୍ୟ ଚିତ୍ର ସହ ପରିବେଷଣ କରାଯାଉଛି ।

ଓପୋଲଫେଡ୨୯ ମାର୍ଚ୍ଚ ୧୯୭୬ ରେ ସ୍ଥାପିତ ହୋଇଥିଲା ।

ପ୍ରାଥମିକ କୁକ୍କୁଟ ସମବାୟ ସମିତି ଗଠନ କରିବା, କୁକୁଡାଚାଷୀମାନଙ୍କୁ କୁକୁଡା ପାଳନ ଉପରେ ପ୍ରଶିକ୍ଷଣ ଦେବା, କୁକୁଡା ଚାଷ ମାଧ୍ୟମରେ ସେମାନଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବା, ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ଅଣ୍ଡା ଓ କୁକୁଡାକୁ ଉଚିତ୍ ମୂଲ୍ୟରେ କ୍ରୟ କରି ଖାଉଟିମାନଙ୍କୁ ଅଣ୍ଡା, କୁକୁଡା ମାଂସ ଆବଶ୍ୟକୀୟ ଗ୍ରେଡିଂ ଓ ପ୍ରକ୍ରିୟାକରଣ ପରେ ସୁଲଭମୂଲ୍ୟରେ ଓପୋଲଫେଡ୍ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇଦେବା, ନିଜସ୍ୱ ଦାନା ମିଶ୍ରଣ କେନ୍ଦ୍ରରେ ପ୍ରସ୍ତୁତ କରାଯାଉଥିବା ସୁଷମ କୁକୁଡା ଖାଦ୍ୟ କୁକୁଡା ଚାଷୀମାନଙ୍କୁ ଯୋଗାଇଦେବା ଇତ୍ୟାଦି ଓପୋଲଫେଡ୍ ର ମୁଖ୍ୟ ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ଅଟେ ।

ଓଡିଶା ଡଟ୍ କମ୍

Exit mobile version