Site icon Odisha.com

ବରିଷ୍ଠ ସାହିତ୍ୟିକ ଗଣେଶ୍ଵର ମିଶ୍ରଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୧୦ ଅଗଷ୍ଟ (ଓଡିଶା ଡଟ୍ କମ୍): ଗତ ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିବା ୭୨ ବର୍ଷୀୟ ସାହିତ୍ୟିକ ତଥା ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ଗଣେଶ୍ଵର ମିଶ୍ରଙ୍କର ସୋମବାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି ।

ସେ ଏକାଧାରରେ ଜଣେ ସୁନାମଧନ୍ୟ ସାହିତ୍ୟିକ, ଔପନ୍ୟାସିକ, ଗାଳ୍ପିକ, ଶିକ୍ଷାବିତ୍ ଓ ପ୍ରମେୟ ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ଥିଲେ।

ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ପିଏଚଡ଼ି ଲାଭ କରିଥିବା ମିଶ୍ରଙ୍କ ଓଡିଆ ସାହିତ୍ୟ ପ୍ରତି ବହୁତ ଶ୍ରଦ୍ଧା ରହିଥିଲା । ଓଡିଆ ଓ ଇଂରାଜୀରେ ସେ ବହୁ ପୁସ୍ତକ ରଚନା କରିଛନ୍ତି ।

ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନ ମିଳିଛି । ସେ ଲେଖିଥିବା ‘ବିଲାତର ବାବୁ ଓ ପପୁ ‘ ନାମକ ପୁସ୍ତକ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଛି ।

ସେ ପଛରେ ପତ୍ନୀ ସୁରଙ୍ଗିଣୀ, ତିନି ପୁତ୍ର ସୁବ୍ରତ, ସୁନନ୍ଦ ଓ ସନ୍ଦୀପଙ୍କୁ ଛାଡି ଯାଇଛନ୍ତି । ତାଙ୍କ ତୃତୀୟ ପୁତ୍ର ସିଦ୍ଧାର୍ଥଙ୍କ ୨୦୧୨ ରେ ଅକାଳ ବିୟୋଗ ଘଟିଥିଲା । ସିଦ୍ଧାର୍ଥ ଇଂରାଜୀ ଦୈନିକ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ର ଖେଳ ସମ୍ପାଦକ ଥିଲେ ।

୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଓଡିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ମୃତ୍ୟୁ ଓଡିଶା ସାହିତ୍ୟ ଜଗତର ଏକ ଅପୂରଣୀୟ କ୍ଷତି, ଲେଖକ ସୌରିବନ୍ଧୁ କର କହିଛନ୍ତି।

ତାଙ୍କ ମୃତ୍ୟୁରେ ସ୍ତୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ପୂରଣ ହୋଇପାରିବ ନାହିଁ, ସୂଚନା ଓ ଲୋକ ସମ୍ପର୍କ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ଶୋକ ବାର୍ତ୍ତା ରେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍

Exit mobile version