ପ୍ରବାସୀ ଓଡିଆ

ବେଙ୍ଗାଲୁରୁରେ ନମନ ଉତ୍ସବ : ଶ୍ରଦ୍ଧା, ବିଶ୍ୱାସ ଓ ସମର୍ପଣର ନୃତ୍ୟାୟନ

କେଦାର ମିଶ୍ର

ଓଡ଼ିଶୀ ନୃତ୍ୟ ପୃଥିବୀର ଦୁଇଶହରୁ ଅଧିକ ଦେଶରେ ନିଜର ପ୍ରତିଷ୍ଠା ଜାହିର୍ କରିଥିଲେ ମଧ୍ୟ ଭାରତର ଦକ୍ଷିଣ ପ୍ରାନ୍ତରେ ଏହାର ପ୍ରଚାର ସେତେ ପ୍ରଭାବଶାଳୀ ନୁହେଁ  । ତେବେ ଗତ କିଛି ବର୍ଷ ଧରି ବେଙ୍ଗାଲୁରୁରେ ଓଡ଼ିଶୀ ନୃତ୍ୟର ପ୍ରଭାବ ବେଶ୍ ବଳଶାଳୀ ହୋଇଛି  ।

ଅଶୀ ଦଶକରେ ପ୍ରତିମାଦେବୀ ବେଙ୍ଗାଲୁରୁ ଉପକଣ୍ଠରେ ନୃତ୍ୟଗ୍ରାମ ପ୍ରତିଷ୍ଠା କଲାପରେ ଏହି ମହାନଗରରେ ଓଡ଼ିଶୀ ନିଜର ଏକ ସ୍ୱତନ୍ତ୍ର ସ୍ୱରୂପ ପ୍ରଦର୍ଶନ କରି ଆସୁଛି  । ବେଙ୍ଗାଲୁରୁର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁଙ୍କ ମଧ୍ୟରେ ଅଛନ୍ତି ଉଦୟ ସେଟ୍ଟି, ଶର୍ମିଲା ମୁଖାର୍ଜୀ, ସୁରୁପା ସେନ୍, ବିଜୟିନୀ ଶତପଥୀ ଓ ଆଉ କିଛି ଶିଳ୍ପୀ  ।

unnamed (6) Odissi by Shrinika ଏମାନଙ୍କ ମଧ୍ୟରେ ସବୁଠୁ କନିଷ୍ଠ କିନ୍ତୁ ନିଜ ନିଷ୍ଠା ଯୋଗୁଁ ଅଳ୍ପ ସମୟ ଭିତରେ ଏକ ନିଜସ୍ୱ ଧାରା ପ୍ରସ୍ତୁତ କରିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର  ।

ପ୍ରାୟ ଦଶବର୍ଷ ତଳେ ମଧୁଲିତା ବେଙ୍ଗାଲୁରୁରେ ନିଜର ନୃତ୍ୟ ଅନୁଷ୍ଠାନ “ନୃତ୍ୟାନ୍ତର”ର ଆରମ୍ଭ କରିଥିଲେ  । ଏହି ସମୟ ଖଣ୍ଡରେ ତାଙ୍କ ଅନୁଷ୍ଠାନର ବ୍ୟାପକ ବିକାଶ ଘଟିଛି  ।

ଓଡ଼ିଶୀ ନୃତ୍ୟ ପାଇଁ ଏକ ବିରାଟ ଦର୍ଶକ ଗୋଷ୍ଠୀ ସୃଷ୍ଟି କରିବା ସହ ଏକ ବିଶାଳ ଛାତ୍ରଛାତ୍ରୀ ବାହିନୀ ମଧ୍ୟ ମଧୁଲିତା ସୃଷ୍ଟି କରିଛନ୍ତି । ୫ ବର୍ଷ ତଳେ ନମନ୍ ନାମରେ ଏକ ବାର୍ଷିକ ଓଡ଼ିଶୀ ନୃତ୍ୟର ଉତ୍ସବ ମଧୁଲିତା ଆରମ୍ଭ କରିଥିଲେ  । ଏହାକୁ ଉଦ୍ଘାଟନ କରିଥିଲେ ସ୍ୱର୍ଗତଃ ଗୁରୁ ଗଙ୍ଗାଧର ପ୍ରଧାନ  ।

ସେହି ଦିନଠୁ ଓଡ଼ିଶାର ଖ୍ୟାତନାମା ପ୍ରତିଷ୍ଠିତ ସମ୍ପନ୍ନ ଶିଳ୍ପୀମାନେ ନମନ୍ରେ ନିଜର ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି  । ଗତ ଅଗଷ୍ଟ ୨ତାରିଖ ଦିନ ପଞ୍ଚମ ନମନ୍ ଓଡ଼ିଶୀ ନୃତ୍ୟୋତ୍ସବ ଆୟୋଜିତ ହୋଇଥିଲା  । ବେଙ୍ଗାଲୁରୁର ଏ ଡ଼ି ରଙ୍ଗାଳୟଠାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ନୃତ୍ୟାନୁଷ୍ଠାନ ‘ସୃଜନ’ ଓ ‘ସୁରଭି’ ନିଜର ମେଳ ନୃତ୍ୟ ପରିବେଷଣ କରିଥିବାବେଳେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ମାଧ୍ବୀ ମୁଦ୍ଗଲ୍ ଏକକ ନୃତ୍ୟ ପରିବେଷଣ କରିଥିଲେ  ।

unnamed (5) unnamed (4) unnamed (3) Odissi unnamed (1)ମଧୁଲିତା ଜଣେ ଉଦୀୟମାନ ନୃତ୍ୟ ସଂରଚିକା ଭାବରେ ତାଙ୍କର ପ୍ରଥମ ‘ଜନସମ୍ମୋହିନୀ ପଲ୍ଲବୀ’ ଏହି ଅବସରରେ ପରିବେଷଣ କରିଥିଲେ  । ମାଧ୍ବୀ ମୁଦ୍ଗଲ୍ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନ୍ୟତମ ସାର୍ଥକ ସୃଷ୍ଟି  । ଗତ ଚାଳିଶ ବର୍ଷ ଧରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମାଧ୍ବୀ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଆସିଛନ୍ତି  । ପଦ ଚାଳନା, ଗତି, ଭଙ୍ଗୀ ଓ ଲାସ୍ୟର ପରିବେଷଣରେ ମାଧ୍ବୀଙ୍କ ନିଜସ୍ୱ ଶୈଳୀ ରହିଛି  ।

ଗୁରୁଜୀଙ୍କ ଶୈଳୀ ସହ ସେ ତାଙ୍କ ସୃଜନଶୀଳ ଅଭିବ୍ୟକ୍ତିକୁ ମିଶାଇ ନୂଆ ଏକ ଧାରା ପ୍ରସ୍ତୁତ କରିଛନ୍ତି  । ଚାରୋଟି ଛୋଟ ଛୋଟ ବିଷୟକୁ ନେଇ ମାଧ୍ବୀ ତାଙ୍କର ପ୍ରସ୍ତୁତି ରଖିଥିଲେ  । ମଙ୍ଗଳାଚରଣ କ୍ରମରେ କବି ମାୟାଧର ମାନସିଂହଙ୍କ ‘ନଟରାଜ ବନ୍ଦନା’, ଅଭିନୟରେ ‘ଜୟଦେବଙ୍କ ଅଷ୍ଟପଦୀ’, ‘ବେଣୁଧରଙ୍କ କହିବାକୁ ଲାଜ’ ଓ ‘ଝିଂଝୋଟି ପଲ୍ଲବୀ’ ସେ ପରିବେଷଣ କରିଥିଲେ  ।

‘ନଟରାଜ ବନ୍ଦନା’ରେ ପରିସମାପ୍ତି ବେଳେ ଜଟିଳ ପଦପାତ ଓ ଅର୍ଦ୍ଧବୃତ୍ତରେ ଏକ ନୂଆ ପ୍ରକାରର ସଂରଚନା ମାଧ୍ବୀଙ୍କ ସୃଜନଶୀଳତାକୁ ପ୍ରକଟିତ କରିଥିଲା  । ଅଭିନୟରେ ଆକ୍ଷରିକ ଅର୍ଥ ଓ ମୁଖାଭିନୟର ଚମକ୍ରାର ସମନ୍ୱୟ ଦେଖିବାକୁ ମିଳିଥିଲା  । ମାଧ୍ବୀ ମୁଦଗଲ୍ ହେଉଛନ୍ତି ଏକମାତ୍ର ଓଡ଼ିଶୀର ବରିଷ୍ଠ ଶିଳ୍ପୀ, ଯିଏ ଆଜି ମଧ୍ୟ ପଲ୍ଲବୀ ପରିବେଷଣରେ ନୂଆ ଏକ ଗୀତିକବିତାର ଲାଳିତ୍ୟ ସୃଷ୍ଟି କରିପାରନ୍ତି  ।

ତାଙ୍କର ପଲ୍ଲବୀଗୁଡ଼ିକ କେବଳ ପଦ ଓ ଛନ୍ଦର ଯାନ୍ତ୍ରିକ ପରିବେଷଣ ନୁହେଁ  । ସେଠି ଭାବ, ଛନ୍ଦରେ କବିତାୟିତ ହୁଏ  । ଗୁରୁ ରତିକାନ୍ତ ମହାପାତ୍ର ଓ ତାଙ୍କ ଅନୁଷ୍ଠାନ “ସୃଜନ”ର ଛାତ୍ରଛାତ୍ରୀମାନେ ନମନ୍ ଉତ୍ସବରେ ଓଡ଼ିଶୀ ମେଳ ନୃତ୍ୟର ପ୍ରଭାବ ଓ ପ୍ରତିଷ୍ଠାକୁ ଏକ ଅତୁଳନୀୟ ଉଚ୍ଚତା ପ୍ରଦାନ କରିଥିଲେ  । ଶାସ୍ତ୍ରୀୟ ନୃତ୍ୟରେ ଯେଉଁ ତାଲିମ୍ ଓ ତୟାରୀର କଥା କୁହାଯାଏ, ତା’ର ନିଦର୍ଶନ ହେଉଛି ସୃଜନ  ।

ଶୃଙ୍ଖଳା, ସମନ୍ୱୟ ଓ ଚିତ୍ର ନିର୍ମାଣର ଅଦ୍ଭୁତ କୌଶଳ ଶିଖାଇବାରେ ରତିକାନ୍ତ ବେଶ୍ ସମର୍ଥ । ସେଦିନ ସୃଜନର ନୃତ୍ୟଶିଳ୍ପୀମାନେ ପାଖାପାଖି ଘଣ୍ଟାଏ ଧରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ  । ତାଙ୍କର ଚାରୋଟି ପରିବେଷଣ ଥିଲା – ଭକ୍ତଜନ ବତ୍ସଳେ, ସିନ୍ଥେସିସ୍, ବିଶ୍ୱାସ ଓ ଅର୍ଦ୍ଧନାରୀଶ୍ୱର  । ରତିକାନ୍ତ ତାଙ୍କର ପରିବେଷଣରେ ମହାଭାରତୀୟ ଆଦର୍ଶକୁ ଗ୍ରହଣ କରିବାର ଚେଷ୍ଟା କରିଛନ୍ତି  । ମରାଠୀର ଅଭଙ୍ଗ, କବୀର୍ ଓ ଗୁରୁବାଣୀର କବିତା ତଥା ଶଙ୍କରାଚାର୍ଯ୍ୟଙ୍କ ଅର୍ଦ୍ଧନାରୀଶ୍ୱରକୁ ଓଡ଼ିଶୀ ଶୈଳୀରେ ପରିବେଷଣ କଲାବେଳେ ତାଙ୍କର ପେଶାଦାର ଆଭିମୁଖ୍ୟ ବାରି ହୋଇ ପଡ଼େ  ।

ଆଲୋକ ସମ୍ପାତ୍, ଧ୍ୱନୀ ଓ ମଞ୍ଚ ପରିଚାଳନାରେ ତାଙ୍କର ଦକ୍ଷତା ଅନନ୍ୟ  । ବିଶେଷକରି ‘ବିଶ୍ୱାସ’ ସଂରଚନାରେ ରତିକାନ୍ତ ନିଜର ଅନନ୍ୟ ମୌଳିକତା ପ୍ରଦର୍ଶନ କରିଛନ୍ତି  । ସର୍ବଧର୍ମ ସମନ୍ୱୟର ବାର୍ତ୍ତା ବହନ କରୁଥିବା ବାର୍ତ୍ତା ଏହି ନୃତ୍ୟ ସଂରଚନାଟିରେ ଏମିତି କିଛି ଦୃଶ୍ୟ ରହିଛି, ଯାହାକି ଦର୍ଶକଙ୍କୁ ଅଭିଭୂତ କରିବ  । ଆଶାନୁରୂପ ରତିକାନ୍ତଙ୍କ ଦଳ ଦର୍ଶକଙ୍କଠାରୁ ବିପୁଳ କରତାଳି ଓ ସମ୍ବର୍ଦ୍ଧନା ପାଇଥିଲେ  ।

ମଧୁଲିତା ମହାପାତ୍ରଙ୍କ ନୃତ୍ୟାନ୍ତରର ଛାତ୍ରଚାତ୍ରୀମାନେ ପରିବେଷଣ କରିଥିଲେ ‘ଜନସମ୍ମୋହିନୀ ପଲ୍ଲବୀ’ । ବିଜୟ ଜେନାଙ୍କ ସଙ୍ଗୀତ ଓ ବିଜୟ ବାରିକ୍ଙ୍କ ତାଳ ସଂଯୋଜନାରେ ‘ଜନ ସମ୍ମୋହିନୀ ପଲ୍ଲବୀ’ରେ ଛନ୍ଦ ତାଳର ବିବିଧତା ରହିଛି  । ନୃତ୍ୟଶିଳ୍ପୀମାନେ ଏହାର ଭାବକୁ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ  । ଆଗାମୀ ଦିନରେ “ନୃତ୍ୟାନ୍ତର’ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ବଡ଼ ପ୍ରତିଶ୍ରୁତି ଭାବରେ ପ୍ରତିଷ୍ଠା ପାଇବାକୁ ଯାଉଛି  ।

ଦେବପ୍ରସାଦ ଶୈଳୀର ନୃତ୍ୟଗୁରୁ ପିତାମ୍ବର ବିଶ୍ୱାଳଙ୍କ ଅନୁଷ୍ଠାନ ‘ସୁରଭି’ର ଶିଳ୍ପୀମାନେ ‘କଲ୍ୟାଣ ପଲ୍ଲବୀ’, ଅଭିନୟ ‘ଆଗୋ ଦୂତି ଆଜ ରାତି’ ଓ ‘ସୂର୍ଯ୍ୟାଷ୍ଟକମ୍’ ପରିବେଷଣ କରିଥିଲେ  । ଗୋଟେ ପେଶାଦାର ଦଳ ଭାବରେ ସୁରଭିର ପରିବେଷଣ ଆଶାଜନକ ନଥିଲା  । ନମନ୍ ଉତ୍ସବର ପୂର୍ବ ସନ୍ଧ୍ୟାରେ ନୃତ୍ୟାନ୍ତର ଛାତ୍ରଛାତ୍ରୀମାନେ ତାଙ୍କର ବାର୍ଷିକ ଉତ୍ସବ ଆୟୋଜନ କରିଥିଲେ  ।

ଶତାଧିକ ଛାତ୍ରଛାତ୍ରୀଙ୍କ ଭିଡ଼ ଭିତରେ ବେଙ୍ଗାଲୁରରେ ଓଡ଼ିଶୀର ଉତ୍ସାହ ଓ ଓଡ଼ିଶାର ବାସ୍ନା ବାରି ହୋଇ ପଡୁଥିଲା  । ଏହି ନୂଆ ଶିଳ୍ପୀଙ୍କ ଭିତରେ ବାରି ହୋଇପଡୁଥିଲା ଗୋଟେ ଛ’ବର୍ଷର ଝିଅ ଶ୍ରୀନିକା ପୁରୋହିତ । ଚାରିବର୍ଷ ବୟସରୁ ଶ୍ରୀନିକାଙ୍କର ପ୍ରତିଭା ସମସ୍ତଙ୍କୁ ମୁଗ୍ଧ କରି ଆସୁଛି  । ତାଙ୍କର ଛୋଟିଆ ଅଙ୍ଗରେ ‘କେଡ଼େ ଛନ୍ଦ ଜାଣେ ଲୋ ସହୀ…’ ଏତେ କମନୀୟ ଲାଗୁଥିଲା ଯେ ଦର୍ଶକଙ୍କ ଆଖିରେ ପଲକ ପଡୁନଥିଲା  ।

ଭାବ ଓ ଭଙ୍ଗୀର ଶୁଦ୍ଧତା ଶ୍ରୀନିକାଙ୍କ ଅଙ୍ଗରେ ସ୍ୱତସ୍ଫୂର୍ତ୍ତ ଭାବେ ରହିଛି  । ଏହି ଅବସରରେ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ରାହୁଲ୍ ଆଚାର୍ଯ୍ୟଙ୍କ ସଂଯୋଜନାରେ ଏକ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା  । ଏଥିରେ ବିଶିଷ୍ଟ କଳାବିତ୍ ସୁନୀଲ୍ କୋଠାରୀ, ଭରତନାଟ୍ୟମ୍ ନୃତ୍ୟାଙ୍ଗନା ଲଳିତା ଶ୍ରୀନିବାସନ୍, ଆଶିଷ୍ ଖୋକର୍ ଓ ରତିକାନ୍ତ ମହାପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ  ।

Leave a Reply

This site uses Akismet to reduce spam. Learn how your comment data is processed.