Site icon Odisha.com

ସାରଥି ବାବାଙ୍କ ଜେରା ଜାରି, ରିମାଣ୍ଡ ଅବିଧି ବୃଦ୍ଧି ଆବେଦନ ସମ୍ଭାବନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୧୧ ଅଗଷ୍ଟ (ଓଡିଶା ଡଟ୍ କମ୍) ବିବାଦୀୟ ସାରଥୀବାବାଙ୍କ ଜେରା ମଙ୍ଗଳବାର ଜାରି ରହିଥିବା ବେଳେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଥିବାରୁ ରିମାଣ୍ଡ ଅବଧି ବୃଦ୍ଧିକରିବାକୁ କ୍ରାଇମ ବ୍ରାଞ୍ଚ ଆବେଦନ କରିବ ବୋଲି ଅତିରିକ୍ତ ପୁଲିସ ମହା ନିର୍ଦ୍ଦେଶକ ବିଜଯ କୁମାର ସୂଚନା ଦେଇଛନ୍ତି ।

କ୍ରାଇମ ବ୍ରାଞ୍ଚ ସାରଥି ବାବାଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ଅବଧି ମଙ୍ଗଳବାର ସରୁଥିବାରୁ କୋର୍ଟରେ ହାଜର କରି ତାଙ୍କୁ ଆଉ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସେ କହିଛନ୍ତି ।

କ୍ରାଇମବ୍ରାଞ୍ଚ ବାବାଙ୍କୁ ତାଙ୍କର ସହଯୋଗୀ, ଆଶ୍ରମର କର୍ମଚାରୀ, ଟ୍ରେଜରର ଓ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ଜେରା କରି ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଛି ।

ଅର୍ଥନୈତିକ କାରବାର ସମ୍ପର୍କରେ ତାଙ୍କୁ ଜେରା କରାଯାଉଥିବା ଓ ସେ ନିଜ ବୟାନ ପରିବର୍ତ୍ତନ କରୁଥିବାରୁ ଉକ୍ତ ବୟାନ ଗୁଡିକର ଭିଡିଓ ରେକର୍ଡିଂ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଏହି ଘଟଣାରେ ବିବାଦ ଘେରକୁ ଆସିଥିବା ଏସସିବି ମେଡିକାଲ କଲେଜର ଛାତ୍ରୀଙ୍କୁ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟ।ଳୟକୁ ଅଣାଯାଇ ତାଙ୍କ ଉପସ୍ଥିତିରେ ସାରଥୀଙ୍କୁ ଜେରା କରାଯିବ ।

ଅନ୍ୟପକ୍ଷରେ ଗତକାଲିର ସାରଥୀଙ୍କ ବୟାନକୁ ଭିତ୍ତି କରି କ୍ରାଇମବ୍ରାଞ୍ଚର ଏକ ଛଅ ଜଣିଆ ଟିମ କେନ୍ଦ୍ରାପଡାର ସବ-ରେଜିଷ୍ଟର ଅଫିସରେ ତାଙ୍କ ଜମିବାଡି କିଣାକିଣି ବାବାଦରେ ଯାଞ୍ଚ କରୁଛି ।

ଜବତ ହୋଇଥିବା ବାବାଙ୍କ ୧୦ଟି ଆକାଉଣ୍ଟ ମଧ୍ୟରୁ ଚାରୋଟିର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାଳକା ଆକାଉଣ୍ଟର କ୍ରାଇମବ୍ରାଞ୍ଚ ଯାଞ୍ଚ ଜାରି ରଖିଛି ।

ସେହିପରି କଟକ ଆୟକର ବିଭାଗକୁ କ୍ରାଇମବ୍ରାଞ୍ଚର ସାଇବର ସେଲ ଟିମ ଯାଇ ବାବାଙ୍କ ଆୟକର ତଥ୍ୟକୁ ଯାଞ୍ଚ କରୁଥିବା ସୂଚନା ମିଳିଛି ।

ସାରଥୀ ଟ୍ରଷ୍ଟ ନାଁରେ ଭକ୍ତ ମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିବା ବେଳେ ବାବା ଟେଣ୍ଡର ଫିକ୍ସଙ୍ଗ ଓ ସିନେମା ଶିଳ୍ପ ସହ ଜଡିତ ଥିବା ସନ୍ଦେହ କରାଯାଉଛି ।

ସେ ତାଙ୍କ ଆଶ୍ରମର କର୍ମଚାରୀ କୈଳାସଙ୍କ ବାପାଙ୍କ ନାମରେ ପ୍ରାୟ ୨୦ ଏକର ଜମି କିଣିଥିଲେ । ଏ ବିଷୟରେ ପଚରା ଯିବା ପରେ ସେ ମେଡିକାଲ କଲେଜ ପାଇଁ ଏହି ଜାଗା କିଣିଥିବା ପ୍ରକାଶ କରିଥିବା କ୍ରାଇମ ବ୍ରାଞ୍ଚ ସୂଚନା ଦେଇଛି ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସାରଥୀଙ୍କ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ କୋର୍ଟରେ ଏ ସମ୍ପର୍କିତ ରିପୋର୍ଟ ପ୍ରମାଣ ସ୍ୱରୂପ ଦାଖଲ କରାଯିବ ବୋଲି କ୍ରାଇମ ବ୍ରାଞ୍ଚ କହିଛି ।

ଓଡିଶା ଡଟ୍ କମ୍

Exit mobile version