Site icon Odisha.com

ସାରଥି ବାବାଙ୍କୁ ପୁଣି ତିନିଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ୧୨ ଅଗଷ୍ଟ (ଓଡିଶା ଡଟ୍ କମ୍) ସାରଥି ବାବା ଙ୍କୁ ଆଉ ତିନି ପାଇଁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ବିଚାରକରି କଟକ ଏସଡ଼ିଜେଏମ କୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି ।

କୋର୍ଟରୁ ସାରଥିଙ୍କୁ ସିଧାସଳଖ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳାୟ ନିଆଯାଇଛି ଏବଂ ସେଠାରେ ତାଙ୍କୁ ତାଙ୍କର ଅର୍ଥ କାରବାର ସମ୍ପର୍କରେ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦିଆଯାଇଛି ।

ଗତକାଲି ସାରଥିବାବାଙ୍କ ରିମାଣ୍ଡର ଶେଷ ଦିନ ଥିବା ବେଳେ ତାଙ୍କ ଆଶ୍ରମରୁ ତାଙ୍କର ୧୩ ଜଣ ସହଯୋଗୀଙ୍କୁ ଅଣାଯାଇ ପ୍ରଥମେ ଜଣ ଜଣ କରି ସମସ୍ତଙ୍କୁ ଜେରା କରାଯାଇ ଓ ପରେ ସାରଥିଙ୍କ ସହ ସାମ୍ନାସମ୍ନୀ ବସାଇ ଜେରା କରଯାଇଥିଲା।

ସାରଥିଙ୍କ ଏହି ସହଯୋଗୀ ମାନଙ୍କ ମଧ୍ୟରେ ଥିଲେ ତାଙ୍କର କେୟାର ଟେକର, ଡ୍ରାଇଭର, ରୋଷେୟା ଓ ଅନ୍ୟାନ୍ୟ କର୍ମଚାରୀ ।

ସେହିପରି ବିବାଦୀୟ ଯୁବତୀଙ୍କ ବୟାନ ଅନୁଯାୟୀ ଜିଲ୍ଲା ପୋଲିସ ସହାୟତାରେ କେନ୍ଦ୍ରାପଡାରୁ କୈଳାସ ମଲ୍ଲିକ, କିଶୋର ମଲ୍ଲିକ ଓ ଖଗେଶ୍ଵରକୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳାୟ ଅଣାଯାଇ ଜେରା କରଯାଇଥିଲା।

ଜେରା ସମୟରେ କୈଳାସ ମଲ୍ଲିକ ଓ କିଶୋର ମଲ୍ଲିକ ଦୁଇଭାଇ ହୋଇଥିବା ଏବଂ ସାରଥି କୈଳାସଙ୍କୁ ମାରିଦେବାକୁ ଧମକ ଦେଇଥିବା ଆଦି ଅନେକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା।

ଏତଦବ୍ୟତୀତ, ବିବାଦୀୟ ଯୁବତୀଙ୍କ ସମେତ ତାଙ୍କ ସହପାଠିନୀ ଓ ତାଙ୍କ ହଷ୍ଟେଲରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରଯାଇଥିଲା ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଜେରା ସମୟରେ ସାରଥିଙ୍କ ଆକାଉଣ୍ଟରେ ୮ ରୁ ୧୦ କୋଟି ଟଙ୍କା ଥିବା, ପଟିଆ ସ୍ଥିତ ଘର ପାଇଁ ୧ ଲକ୍ଷ ୭୬ ହଜାର ଦିଆଯାଇଥିବା ବେଳେ କାଗଜ ପତ୍ରରେ ୫୫ଲକ୍ଷ ଦର୍ଶାଯିବା, ଘର କିଣାରେ ପ୍ରାୟ ୧କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଏବଂ ରାଜ୍ୟରେ ପ୍ରାୟ ୨୭ରୁ ଅଧିକ ସାରଥି ସମିତି ଜରିଆରେ ସାରଥି ଆଶ୍ରମକୁ ଲକ୍ଷାଧିକ ଟଙ୍କା ଆସୁଥିବା ଆଦି ତଥ୍ୟ ସାମ୍ନାକୁ ଆସିଥିଲା।

ତେବେ ସାରଥିଙ୍କ ଅର୍ଥ କାରବାର ଜନିତ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଅଧିକ ଜେରା କରିବ ।

ଓଡିଶା ଡଟ କମ

Exit mobile version