Site icon Odisha.com

ପୂର୍ବତନ କେନ୍ଦ୍ରାପଡା ଏସପି ସତିଶ ଗଜଭିଏ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୧୩ ଅଗଷ୍ଟ (ଓଡିଶା ଡଟ୍ କମ୍): ସାରଥି ବାବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ମାତ୍ରାଧିକ ବଳ ପ୍ରୟୋଗ ଅଭିଯୋଗ ପରେ ବିବାଦ ଘେରକୁ ଆସିଥିବା ପୂର୍ବତନ କେନ୍ଦ୍ରାପଡା ଏସପି ସତିଶ ଗଜଭିଏଙ୍କୁ ରାଜ୍ୟ ସରକାର ଗୁରୁବାର ନିଲମ୍ବିତ କରିଛନ୍ତି ।

କେନ୍ଦ୍ରାଞ୍ଚଳ ଆଇଜି ଆର.ପି କୋଚ୍ଚେ ଘଟଣାର ତଦନ୍ତ କରି ସରକାରଙ୍କୁ ଦେଇଥିବା ରିପୋର୍ଟ ଆଧାରରେ ତାଙ୍କୁ ସରକାର ନିଲମ୍ବିତ କରିଥିବା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କେନ୍ଦ୍ରାପଡାରେ ସାରଥି ବାବାଙ୍କୁ ବିରୋଧ କରି ସ୍ଥାନୀୟ ଲୋକମାନେ ଚଳିତ ମାସ ସାତ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ବାହାନାରେ ପୋଲିସ ସେମାନଙ୍କ ଉପରକୁ ଲାଠିମାଡ କରିବା ସହ କେତେକ ପ୍ରଦର୍ଶନକାରୀଙ୍କୁ ଆଣ୍ଠେଇବା, ଜଣେ ଓକିଲ ତଥା ବିଜେପି ନେତାଙ୍କୁ କାନ ଧରି ବସଉଠ କରାଇବା କେତେକ ଟିଭି ଚ୍ୟାନେଲ ପ୍ରସାରିତ କରିଥିଲେ ।

ଏହାପରେ ସରକାର ଗଜଭିଏଙ୍କୁ ବଦଳି କରି ନୀତିନଜିତଙ୍କୁ କେନ୍ଦ୍ରାପଡା ଏସପି ଦାୟିତ୍ଵ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version