Site icon Odisha.com

ଓଡିଶା ଘୋଷଣା କଲା ନୂତନ ମତ୍ସ୍ୟ ନୀତି, ଦେଶରେ ପ୍ରଥମ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଅଗଷ୍ଟ ୧୪ (ଓଡିଶା ଡଟ କମ) ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ତଥା ଏହି କ୍ଷେତ୍ରର ସାମଗ୍ରିକ ବିକାଶର ଲକ୍ଷ୍ୟ ରଖି ଓଡିଶା ସରକାର ଗୁରୁବାର ଏକ ନୂତନ ମତ୍ସ୍ୟ ନୀତି ଘୋଷଣା କରିଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଜଣେ ମତ୍ସ୍ୟଜୀବୀ ମାଛ ମାରୁଥିବାର ଦୃଶ୍ୟ

ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ଏକ ସ୍ଵତନ୍ତ୍ର ନୀତି ପ୍ରଣୟନ କରିବାରେ ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ।ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ଏହି ନୀତିକୁ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ଦେଇଛନ୍ତି ।

ଓଡିଶା ମତ୍ସ୍ୟନୀତି-୨୦୧୫ ଅନୁସାରେ ସରକାର ୨୦୨୦ ବର୍ଷ ସୁଦ୍ଧା ବାର୍ଷିକ ୭.୧୫ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ ଲକ୍ଷ୍ୟ ରଖିଥିବା ବେଳେ ଏହି କ୍ଷେତ୍ରରେ ଅଧିକ ଦୁଇ ଲକ୍ଷ୍ୟ ଲୋକଙ୍କ ପାଇଁ ଅବସର ସୃଷ୍ଟି ହେବ ବୋଲି ଦର୍ଶାଇଛନ୍ତି ।

ବିଷ୍ଣୁପଦ ସେଠୀ , ବିଭାଗୀୟ ସଚିବ

ରାଜ୍ୟର ମାଛ ଉତ୍ପାଦନ ହେଉଥିବା ନଦୀ, ନାଳ, ପୋଖରୀ ଓ ସମୁଦ୍ରରେ କେତେ ମାଛ ଅଛନ୍ତି ଓ ସେଠାରୁ କିପରି ଅଧିକ ମାଛ ଉତ୍ପାଦନ ହୋଇପାରିବ ସେ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେବେ ବୋଲି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଯେଉଁ ସ୍ଥାନରେ ମାଛ ଉତ୍ପାଦନ ହେଉନାହିଁ ସେହି ଜଳ ଉତ୍ସ ଗୁଡିକର ବିକାଶ ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

ବର୍ତମାନ ରାଜ୍ୟରେ ବାର୍ଷିକ ହାରାହାରି ୪.୧୩ ଲକ୍ଷ ଟନ ମାଛ ଉତ୍ପାଦନ ହେଉଛି । କେବଳ ସମୁଦ୍ରରୁ ଉତ୍ପାଦିତ ମାଛର ପରିମାଣ ହେଉଛି ୧.୨୦ ରୁ ୧.୩୦ ଲକ୍ଷ ଟନ । ସାମୁଦ୍ରିକ ଭିତ୍ତିଭୂମିର ବିକାଶ ସହ ମତ୍ସ୍ୟଜୀବୀଙ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହାର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବା ବୋଲି ସେ କହିଛନ୍ତି ।

ରାଜ୍ୟରେ ରହିଥିବା ୧୧ ଲକ୍ଷ୍ୟ ମତ୍ସ୍ୟଜୀବୀଙ୍କୁ ବୀମା ଭୁକ୍ତ କରିବା, ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ତାଲିମ ଦେବା ଓ ବନ୍ୟା, ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପତ୍ତି ସମୟରେ ସେମାନେ ଯେପରି ସୁରକ୍ଷିତ ରହନ୍ତି ସେ ସମ୍ପର୍କିତ ସୂଚନା ତାଙ୍କୁ ପ୍ରଦାନ କରିବା ଆଦି ପଦକ୍ଷେପ ଦ୍ଵାରା ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ବାର୍ଷିକ ୩.୩୫ ଲକ୍ଷ ଟନ ମାଛ ଆବଶ୍ୟକ ଥିବା ବେଳେ ଉତ୍ପାଦନ ହେଉଛି ୪.୬୭ ଲକ୍ଷ ଟନ ।ଏହି ବଳକା ୧.୧୦ ଲକ୍ଷ ମେଟ୍ରିକ ଟନ ମାଛ ଆଫଗାନିସ୍ତାନ, ଜାପାନ, ଇଣ୍ଡୋନେସିଆ ଆଦି ଦେଶକୁ ରତ୍ପାନୀ କରାଯାଉଛି ।

ରାଜ୍ୟରେ ଜଣ ପିଛା ମାଛ ଖାଇବା ପରିମାଣ ୨୦୧୩ – ୧୪ ଓ ୨୦୧୨-୧୩ରେ ହାରାହାରି ୯.୧୩ କେଜି ରହିଥିବା ବେଳେ ୨୦୧୪-୧୫ରେ ଏହା ୯.୪୦ କେଜିକୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ମୁଣ୍ଡ ପିଛା ବାର୍ଷିକ ମାଛ ଖାଇବା ପରିମାଣ ହେଉଛି ୯.୮ କିଲୋଗ୍ରାମ ।

ଓଡିଶା ଡଟ କମ

Exit mobile version