ପୋଲିସ ଆଇନରେ ପରିବର୍ତ୍ତନ କାହିଁକି ଓ କାହା ପାଇଁ (ରୋକ୍ ଠୋକ୍)

କେଦାର ମିଶ୍ର

୧୮୬୧ରୁ ଆଜି ଭିତରେ କେତେ ବଡ଼ ପରିବର୍ତ୍ତନ ଘଟି ସାରିଛି । ୧୮୬୧ର ଭାରତ ପରାଧୀନ ଭାରତ । ସେହି ସମୟରେ ବି୍ରଟିଶ୍‍ ସରକାର ଭାରତୀୟମାନଙ୍କୁ ଦମନ କରିବା ଲାଗି ପୋଲିସ ବାହିନୀର ଗଠନ କରିଥିଲେ ଓ ସେହି ମୁତାବକ ଭାରତୀୟ ପୋଲିସ୍‍ ଆଇନ୍‍ ୧୮୬୧ ପ୍ରଣୟନ କରାଯାଇଥିଲା।

ଦୁର୍ଭାଗ୍ୟର କଥା ହେଉଛି  । ୧୮୬୧ ପରେ ଭାରତବାସୀ ଦୀର୍ଘକାଳ ଧରି ନିଜର ମୁକ୍ତିଲାଗି ସଂଗ୍ରାମ କରିଛନ୍ତି  । ମୁକ୍ତି ସଂଗ୍ରାମରେ ପୋଲିସ୍‍ର ଲାଠି ଓ ଗୁଳି ଖାଇ ବହୁ ଭାରତୀୟ ଶହୀଦ୍‍ ହୋଇଛନ୍ତି    ତା’ର ପରିଣତି ସ୍ୱରୂପ ୧୯୪୭ ଅଗଷ୍ଟ ୧୫ରେ ଆମେ ଏକ ସ୍ୱାଧୀନ ଦେଶ ଭାବରେ ମୁଣ୍ଡ ଟେକି ଠିଆ ହୋଇଛୁ  ।

ଆଜି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଓ ସବୁଠୁ ଅଧିକ ସମ୍ବେଦନଶୀଳ ନାଗରିକ ସମାଜ ଭାବରେ ଆମର ପତିଆରା ବଢିଛି  । ହେଲେ ୧୮୬୧ର ସ୍ଥିତି ଓ ପରିସ୍ଥିତି ବଦଳି ନାହିଁ  । ସେହି ବର୍ଷ ଯେଉଁ ପୋଲିସ୍‍ ଆଇନ୍‍ ବ୍ରିଟିଶ୍‍ ସରକାର ପ୍ରଣୟନ କରିଥିଲେ, ତା’କୁ ବିନା ପରିବର୍ତ୍ତନରେ ଭାରତ ସରକାର ଗ୍ରହଣ କରିଛନ୍ତି  ।

ଆମ ପୋଲିସ୍‍ ଆଜି ମଧ୍ୟ ୧୮୬୧ର ଆଇନ୍‍ ଅନୁସାରେ ପରିଚାଳିତ  । ପୋଲିସ୍‍ର ଚେହେରା, ଚରିତ୍ର, ଆଚରଣ ଓ ଉଚ୍ଚାରଣ ସେଇ ବ୍ରିଟିଶ ଅମଳର ଆଇନ୍‍ ଭିତରେ ସୀମିତ ରହିଛି  । ସେଥିପାଇଁ ୧୯୭୭ ମସିହାରେ ଯେତେବେଳେ ଜାତୀୟ ପୋଲିସ୍‍ କମିଶନ ଗଠନ କରାଗଲା, ଏହି କମିଶନ ନିଜ ସୁପାରିଶରେ କହିଥିଲେ ଯେ, ସମୟର ପରିବର୍ତ୍ତନ ସହିତ ପୋଲିସ୍‍ ଆଇନ୍‍ର ପରିବର୍ତ୍ତନ ନ ହେବା ଦୁର୍ଭାଗ୍ୟଜନକ  ।

ଇତିମଧ୍ୟରେ ଦେଶର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପରିବେଶ ବଦଳିଛି  । ଏହି ପରିବର୍ତ୍ତନ ସହିତ ତାଳ ଦେଇ ଆମର ପୋଲିସ୍‍ ବଦଳିନାହିଁ  । ବିଭିନ୍ନ ସମୟରେ ବିଭିନ୍ନ  କମିଟି, କମିଶନ ଗଠିତ ହୋଇଛି  । ସେମାନଙ୍କର ସୁପାରିଶ୍‍ ପୁରୁଣା ଫାଇଲ୍‍ ରେ ଧୂଳି ଖାଉଛି  । ରିବେରୋ କମିଶନ୍‍, ସୋଲି ସରାବ୍‍ଜୀ ଭଳି କମିଶନଙ୍କ ରିପୋର୍ଟ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ  । ତେବେ କୌଣସି କମିଶନର ରିପୋର୍ଟ ଆଜି ପର୍ଯ୍ୟନ୍ତ ସଠିକ୍‍ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ  ।

ପୋଲିସ୍‍ ପ୍ରଶାସନରେ ସଂସ୍କାର ଆଣିବା ପାଇଁ ଓ ବ୍ରିଟିଶ୍‍ ଢାଞ୍ଚାର ପରିବର୍ତ୍ତନ ସକାଶେ ମାନ୍ୟବର ସୁପ୍ରିମ୍‍କୋର୍ଟ ୨୦୦୬ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ  । ପୋଲିସ୍‍ ବ୍ୟବସ୍ଥା ଆମ ସମ୍ବିଧାନ ଅନୁସାରେ ରାଜ୍ୟର ବିଷୟବସ୍ତୁ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟ ନିଜ ନିଜର ପୋଲିସ୍‍ ଆଇନ୍‍ ପ୍ରଣୟନ କରିବା ଦରକାର ଓ ସେଥିପାଇଁ ଏକ ନିର୍ଦ୍ଧିଷ୍ଟ ଗାଇଡ୍‍ ଲାଇନ୍‍ ସୁପ୍ରିମ କୋର୍ଟ ପ୍ରଣୟନ କଲେ  ।

ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶରେ ଗୋଟିଏ କଥା ସ୍ପଷ୍ଟ ଥିଲା ଯେ, ପୋଲିସ୍‍ର ଉପନିବେଶବାଦୀ ମନୋବୃତ୍ତି ପରିବର୍ତ୍ତନ ହେବା ଦରକାର  । ତଦନୁଯାୟୀ ରାଜ୍ୟସରକାର ଗୁଡ଼ିକ ନିଜ ନିଜର ପୋଲିସ୍‍ ଆଇନ୍‍ ପ୍ରଣୟନ କରିବା ଜରୁରୀ ହୋଇପଡ଼ିଲା  ।

ସେହି କ୍ରମରେ ଓଡ଼ିଶା ସରକାର ୨୦୧୩ରେ ଓଡ଼ିଶା ପୋଲିସ୍‍ ଆଇନ୍‍ ପ୍ରଣୟନ କରିବାକୁ ଚାହିଁଲେ  । ବିଭିନ୍ନ କାରଣରୁ ତା’ ସେତେବେଳେ ସଫଳ ହେଲା ନାହିଁ  । ଚଳିତ ବିଧାନସଭା ଅଧିବେଶନରେ ଓଡ଼ିଶା ପୋଲିସ୍‍ ବିଧେୟକ -୨୦୧୫ ଗୃହୀତ ହେବାର ସମ୍ଭାବନା ରହିଛି  । ବର୍ତ୍ତମାନ ବିଧାନସଭାର ପରିସ୍ଥିତି ଯାହା ସେଥିରେ ପୋଲିସ୍‍ ଆଇନ୍‍ ଭଳି ଏକ ସମ୍ବେଦନଶୀଳ ବିଧେୟକର ସଠିକ୍‍ ଆଲୋଚନା ହୋଇପାରିବ, ଏ ବିଶ୍ୱାସ ନାହିଁ  ।

ଆମର ଆଇନ ପ୍ରଣୟନକାରୀ ବିଧେୟକମାନେ ନିଷ୍ଠାର ସହିତ ବସି ଏହି ବିଧେୟକର ତର୍ଜମା କରିବା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ  । ତେଣୁ ତରବରିଆ ଭାବରେ ଏହି ବିଲ୍‍କୁ ଗୃହୀତ କରାଇବା ଅପେକ୍ଷା ଏହାକୁ ସିଲେକ୍ଟ କମିଟିକୁ ପଠାଇ ଅଧିକ ତର୍ଜମାର ଆବଶ୍ୟକତା ରହିଛି  । ପୁନଶ୍ଚ ପୋଲିସ୍‍ ବିଲ୍‍ ସମ୍ପର୍କରେ ସାଧାରଣ ଜନତା, ନାଗରିକ ସମାଜ, ରାଜ୍ୟର ବାର୍‍ କାଉନ୍‍ସିଲ୍‍ ତଥା ଅନ୍ୟାନ୍ୟ ନାଗରିକ ସଂଗଠନ ସହ ବ୍ୟାପକ ଆଲୋଚନା ହେବାର ଆବଶ୍ୟକତା ରହିଛି  । ପୋଲିସ୍‍ ବିଲ୍‍ ସହିତ ସାଧାରଣ ଜନତାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି  ।

ପୋଲିସ୍‍ର ଆଚରଣ ଓ ଉଚ୍ଚାରଣ ଆମ ଜନଜୀବନକୁ ସବୁବେଳେ ପ୍ରଭାବିତ କରେ  । ସେହି ଦୃଷ୍ଟିରୁ ଲୋକଙ୍କର ଆଶା ଓ ଅଭୀପ୍ସାକୁ ଏହି ବିଲ୍‍ ପୂରଣ କରୁଛି କି ନାହିଁ, ତାହା ଦେଖିବା ବିଧାନସଭାର ଦାୟିତ୍ୱ  । ତରବରିଆ ଭାବରେ ଏହି ବିଲ୍‍କୁ ଯଦି ଗୃହୀତ କରାଇ ଦିଆଯାଏ, ଏଥିରେ ରହିଥିବା ଅନେକ ଗଳାବାଟ ପୋଲିସ୍‍କୁ ପୁଣି ଏକଛତ୍ରବାଦୀ ଓ ଅହଙ୍କାରୀ କରିବ  ।

ପୋଲିସ୍‍ ପ୍ରଶାସନର ବଡ଼ ସମସ୍ୟା ହେଉଛି ଏହା ହାତରେ ରହିଥିବା ପ୍ରଭୁତ୍ୱ କ୍ଷମତା  । ପୋଲିସ୍‍କୁ ପ୍ରଚୁର କ୍ଷମତା ଦିଆଯାଇଥିବାବେଳେ ଏହା ଉପରେ ବିଶେଷ ନିୟନ୍ତ୍ରଣ ନାହିଁ  । ସେଥିପାଇଁ ସୁପ୍ରିମ୍‍କୋର୍ଟ ବିଭିନ୍ନ ପରାମର୍ଶ ଦେଇଛନ୍ତି  । ସୁପ୍ରିମ୍‍କୋର୍ଟଙ୍କ ପରାମର୍ଶ ଅନୁସାରେ ରାଜ୍ୟ ଓ ଜିଲ୍ଲାସ୍ତରରେ ପୋଲିସ୍‍ ସୁରକ୍ଷା କମିଶନ ରହିବା ଆବଶ୍ୟକ  ।

ଯେଉଁମାନେ କି ପୋଲିସ୍‍ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ବିଭିନ୍ନ ସମୟରେ ଏହାର ପରିଚାଳନା ପାଇଁ ମାର୍ଗଦର୍ଶନ ଦେବେ  । ଓଡ଼ିଶା ସରକାରଙ୍କ ପୋଲିସ୍‍ ଆଇନ୍‍ରେ ରାଜ୍ୟ ସୁରକ୍ଷା କମିଶନ ବ୍ୟବସ୍ଥା ରହିଥିବାବେଳେ ଜିଲ୍ଲାସ୍ତରରେ କୌଣସି ବ୍ୟବସ୍ଥା ନାହିଁ  । ରାଜ୍ୟ ସୁରକ୍ଷା କମିଶନକୁ ଆପାତତଃ ଏକ ସରକାରୀ ନିୟନ୍ତ୍ରିତ ସଂସ୍ଥା ଭାବରେ ଗଠନ କରାଯିବାର ପ୍ରସ୍ତାବ ରହିଛି  ।

ଏହି କମିଶନରେ ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ୍‍ ମହାନିଦେ୍ର୍ଧଶକଙ୍କ ସମେତ ଦୁଇଜଣ ଅଣ ରାଜନୈତିକ ନାଗରିକଙ୍କୁ ସାମିଲ୍‍ କରାଯିବାର ବ୍ୟବସ୍ଥା ରହିଛି  । ତେବେ ଗଣତନ୍ତ୍ରରେ ପୋଲିସ୍‍ ବ୍ୟବସ୍ଥାର ସମୀକ୍ଷା ଲାଗି ବିରୋଧୀ ଦଳ ନେତାଙ୍କୁ ଏହି କମିଶନରେ ସାମିଲ୍‍ କରିବା ନିତାନ୍ତ ଉପଯୋଗୀ ହେବ  । ସେହିପରି ସବୁ ସଦସ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବାରୁ ଏହା ମୂଳତଃ ସରକାରଙ୍କ ଉଦେ୍ଧଶ୍ୟକୁ ହିଁ ପ୍ରମାଣିତ କରିବ  ।

ସେହିପରି ଉଚ୍ଚ ପଦ ପଦବୀର ପୋଲିସ୍‍ ଅଧିକାରୀ ନିଯୁକ୍ତି, ବଦଳି ଇତ୍ୟାଦିର ଦେଖରେଖ କରିବା ଲାଗି ପୋଲିସ୍‍ ପ୍ରତିଷ୍ଠାନ ବୋର୍ଡର ପରିକଳ୍ପନା କରାଯାଇଛି  । ଏହି ବୋର୍ଡର କାର୍ଯ୍ୟକଳାପକୁ ବିଭିନ୍ନ ଥାକରେ ବଣ୍ଟାଯାଇ ପାରିବ  । କେବଳ ରାଜ୍ୟସ୍ତରରେ ଏହାକୁ ସୀମିତ ନ ରଖି ରେଞ୍ଚ୍‍ ଓ ଜିଲ୍ଲାସ୍ତରକୁ ମଧ୍ୟ ଏହା ସମ୍ପ୍ରସାରିତ କରାଯାଇପାରିବ  ।

ପୋଲିସ୍‍ ମହାନିଦେ୍ର୍ଧଶକ ଭଳି ପଦବୀକୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ଦେବା ଓ ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରିବା କଥା କୁହାଯାଉଛି  । ଅନେକ ସମୟରେ ରାଜନୈତିକ ନେତୃତ୍ୱ ପୋଲିସ୍‍କୁ  ନିଜ ସ୍ୱାର୍ଥଲାଗି ବ୍ୟବହାର କରୁଛନ୍ତି  । ଯାହାର ପ୍ରମାଣ ପ୍ରକାଶ ମିଶ୍ର ବନାମ ଓଡ଼ିଶା ସରକାରଙ୍କ କେସ୍‍ରେ ଆମେ ଦେଖିବାକୁ ପାଇଲୁ  । ଜୁନ୍‍ ୨୦୧୫ରେ ଓଡ଼ିଶାର ମାନ୍ୟବର ଉଚ୍ଚ  ନ୍ୟାୟାଳୟ ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି  ।

ଓଡ଼ିଶା ସରକାର ଏ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟରେ ଅପିଲ୍‍ କରିଥିଲେ ମଧ୍ୟ ସୁପ୍ରିମ୍‍କୋର୍ଟ ସରକାରଙ୍କ ଯୁକ୍ତିକୁ ଖାରଜ କରିଛନ୍ତି  । ସୁତରାଂ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ପୋଲିସ୍‍ ମହାନିଦେ୍ର୍ଧଶକଙ୍କୁ ରାଜନୈତିକ ନେତୃତ୍ୱ ନିଜର ପିଆଦା ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି  । ଯିଏ ସରକାରଙ୍କ ହାତବାରିସି ନ ହେଲା, ତାକୁ ହଇରାଣ କରିବା ରାଜନୀତି ନେତୃତ୍ୱର ପ୍ରକୃତି ପାଲଟିଛି  ।

ଏହି ସମସ୍ୟାକୁ କେମିତି ବଦଳାଯାଇପାରିବ, ସେ ସମ୍ପର୍କରେ ପୋଲିସ୍‍ ଆଇନ୍‍ରେ ବିଶେଷ ବ୍ୟବସ୍ଥା ନାହିଁ  । ଯେଉଁ ପୋଲିସ୍‍ ପ୍ରତିଷ୍ଠାନର କଥା କୁହାଯାଉଛି, ତାହା ମୋଟାମୋଟି ସରକାରଙ୍କ ନିୟନ୍ତ୍ରଣରେ ରହିବ ଓ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବ  । ପୋଲିସ୍‍ ମହାନିଦେ୍ର୍ଧଶକ ତଥା ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ବ୍ୟବସ୍ଥା ହେବା ଜରୁରୀ  ।

ଓଡ଼ିଶା ପୋଲିସ୍‍ ବିଧେୟକର ଉଦେ୍ଧଶ୍ୟ ବୁଝାଇବାକୁ ଯାଇ କୁହାଯାଇଛି ଯେ ‘ସାଧାରଣ ଜନତାର ମାନବିକ ଅଧିକାର ସମୂହର ବିକାଶକୁ ସମ୍ମାନ ଏବଂ ସେମାନଙ୍କର ନାଗରିକ, ରାଜନୀତିକ,ସାମାଜିକ, ଅର୍ଥନୀତିକ ତଥା ସାଂସ୍କୃତିକ ଅଧିକାର ଗୁଡ଼ିକର ସୁରକ୍ଷା ଆଇନ୍‍ ଶାସନର ମୌଳିକ ଉଦେ୍ଧଶ୍ୟ  ।’ତେବେ ଏହି ସବୁ ଅଧିକାରଗୁଡ଼ିକର ସୁରକ୍ଷା ଲାଗି ପୋଲିସ୍‍ ସହିତ ଏହି ସବୁ ଗୋଷ୍ଠୀର ଭାଗିଦାରୀତା ରହିନାହିଁ  ।

ମାନବ ଅଧିକାରର ଉଲ୍ଲଂଘନ କ୍ଷେତ୍ରରେ ସବୁଠୁ ଅଧିକ ପୀଡ଼ିତ ଜନତା ହେଉଛନ୍ତି ରାଜ୍ୟର ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳା  । ପୋଲିସ୍‍ ସୁରକ୍ଷା କମିଶନ ତଥା ପ୍ରତିଷ୍ଠାନରେ ଏମାନଙ୍କର ଭାଗିଦାରିତା ଲାଗି କୌଣସି ବ୍ୟବସ୍ଥା ନାହିଁ  । ସେହିପରି ପୋଲିସ୍‍ର ଜନସମ୍ପର୍କ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଓଡ଼ିଶା ପୋଲିସ୍‍ ଆଇନ୍‍ ଏକପ୍ରକାର ନିରବ  । ମାନବ ଅଧିକାରର ଉଲ୍ଲଂଘନ କରୁଥିବା ପୋଲିସ୍‍ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ପାଇଁ ବିଧେୟକର ଯେଉଁ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଯଥେଷ୍ଟ ନୁହେଁ  । ଅନେକାଂଶରେ ଏହା କେବଳ ଧର୍ମକୁ ଆଖିଠାର ମାତ୍ର  ।

ପୋଲିସ୍‍ ପ୍ରସଙ୍ଗ ହେଉଛି ନାଗରିକ ଜୀବନରେ ସବୁଠୁ ସମ୍ବେଦନଶୀଳ ଓ ଆମର ଗଣତାନ୍ତ୍ରିକ ଭବିଷ୍ୟତ ପାଇଁ ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ବିତର୍କ  । ଏହାକୁ ବିନା ବିତର୍କରେ ଯଦି ବିଧାନସଭା ପରିଗୃହୀତ କରନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ  ।

ପୋଲିସ୍‍ ବିଧେୟକ ସମ୍ପର୍କରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକମାନେ ତର୍ଜମା କରି ବିତର୍କ ମାଧ୍ୟମରେ ଏଥିରେ ଆବଶ୍ୟକୀୟ ସଂଶୋଧନ ଆଣିବା ଜରୁରୀ  । ଓଡ଼ିଶା ପୋଲିସ୍‍ ବିଧେୟକରେ ଏମିତି କିଛି ବ୍ୟବସ୍ଥା ରହିଛି, ଯାହାକି ନାଗରିକ ବିରୋଧୀ ଓ ମାନବ ଅଧିକାର ବିରୋଧୀ ହେବାର ସମ୍ଭାବନା ଅଧିକ  । ତେଣୁ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉ ବୋଲି ରାଜ୍ୟବାସୀ ଚାହାଁନ୍ତି  ।

ଫୋନ୍‍ : ୯୪୩୭୧୫୪୪୪୫