Site icon Odisha.com

ପୁଲିସ ବିଲରେ ସଂଶୋଧନ କରିବାକୁ ସ୍ଵେଚ୍ଛାସେବୀଙ୍କ ଦାବି

ଓଡିଶା ଡଟକମ ସଂବାଦଦାତା

ଭୁବନେଶ୍ଵର, ଅଗଷ୍ଟ ୨୨ (ଓଡିଶା ଡଟ କମ) ପ୍ରସ୍ତାବିତ ଓଡିଶା ପୁଲିସ୍ ବିଲ୍ – ୨୦୧୫ର ଅନେକ ଧାରା ଓ ଉପଧାରାରେ ଅନେକ ତ୍ରୁଟି ଥିବା ଦର୍ଶାଇ ସ୍ଵେଚ୍ଛାସେବୀ ଓ ବିଭିନ୍ନ ରାଜନୈତିକ ନେତା ସେଥିରେ ସଂଶୋଧନ ଦାବିକରିଛନ୍ତି ।

‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁମାନ ରାଇଟ୍ସ’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବର୍ତମାନ ସ୍ଥିତିରେ ଏହି ବିଲ୍ ପାରିତ ହେଲେ ପୁଲିସ୍ ନିରପେକ୍ଷ ଭାବରେ କାମ କରିପାରିବ ନାହିଁ ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା, ମାନବାଧିକାର କର୍ମୀ ବିଶ୍ୱପ୍ରୀୟ କାନୁନଗୋ, ସମାଜକର୍ମୀ ଧିରେନ୍ଦ୍ର ପଣ୍ଡା ପ୍ରମୁଖ ବିଲ୍ ରେ  କେଉଁ ଧାରା ଉପଧାରାଗୁଡିକରେ ସଂଶୋଧନର ଆବଶ୍ୟକତା ରହିଛି ତାହା କହିଥିଲେ ।

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ରାଜ୍ୟରେ ପୁଲିସ୍ ଆଇନ କରାଯାଉଥିବା ବେଳେ ଅନେକ ସ୍ଥାନରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ସରକାର ପାଳନ କରିନାହାନ୍ତି । ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ମନୋନୀତ ତିନି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ୍ ଡି.ଜି. ମନୋନୀତ ହେବା ଉଚିତ୍ ।

କିନ୍ତୁ ଓଡିଶା ପୁଲିସ୍ ବିଲ୍ ରେ ଏହି ବ୍ୟବସ୍ଥା ନରଖି ରାଜ୍ୟ ସରକାର ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତି କରିବେ ବୋଲି କୁହାଯାଇଛି ।ସେହିପରି ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ ଭାବେ ପାଳନ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଏହି  କମିସନର ମୁଖ୍ୟ ହେବେ ।

ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅପିସିଓ ସଚିବ ଭାବେ ରହିବେ । କିନ୍ତୁ ଓଡିଶା ପୁଲିସ୍ ବିଲ୍ ରେ  କମିସନର ସଦସ୍ୟ ଭାବେ ବିରୋଧୀ ଦଳ  ନେତାଙ୍କୁ ରଖାଯାଇନାହିଁ ।

ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ ହେବା କଥା । କିନ୍ତୁ ଏହି ବିଲ ରେ କେବଳ ଦୁଇଜଣ ସ୍ୱାଧୀନ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି ।

ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୁଣି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁଯାୟୀ “ପୋଲିସ୍ କମ୍ପ୍ଲେଂଟ୍ଅଥରିଟି” ରାଜ୍ୟ ସ୍ତରରେ ଓ ପ୍ରତ୍ୟେକ ଜିଲ୍ଲାସ୍ତରରେ ଗଠନ ହେବା କଥା । କିନ୍ତୁ କେବଳ ରାଜ୍ୟ ସ୍ତରରେ “ପୋଲିସ୍ କମ୍ପ୍ଲେଂଟ୍ଅଥରିଟି” ବ୍ୟବସ୍ଥା ବିଲ ରେ ରଖାଯାଇଛି । ଜିଲ୍ଲା ସ୍ତରରେ ରଖାଯାଇନାହିଁ । ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ଘୋର ଅସୁବିଧା ଭୋଗିବେ ।

ପୁଣି ରାଜ୍ୟ ସ୍ତରରେ ଅଥରିଟିର ଅଧ୍ୟକ୍ଷ ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ଜଜ୍ ରହିବେ ବୋଲି ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ଏହି ବିଲ୍ ରେ ଅଧ୍ୟକ୍ଷ କିଏ ହେବ କିଛି ଲେଖାଯାଇନାହିଁ । ଏହି ବିଲ୍ରେ  ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି । ଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥା ଅତି ସାଂଘାତିକ । କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା ।

ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ । ଏହିଲ ଧାରା ଗୁଡିକୁ ବିଲ୍ର ରେ ବାଦ୍ ଦିଆଯିବା ଆବଶ୍ୟକ । ଏମିତି ଆଉ କିଛି ଧାରାରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଏସ୍ଏଫ୍ଏଚ୍ଆର୍ର ଚନ୍ଦ୍ରନାଥ ଦାନୀ ଓ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Exit mobile version