• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ପରିସ୍ଥିତି (ତୃତୀୟ ନୟନ)

August 23, 2015 by ନିଉଜ ଡେସ୍କ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଜନସାଧାରଣଙ୍କର ସର୍ବନିମ୍ନ ଆବଶ୍ୟକତା ମଧ୍ୟରେ ରୁଟି, କପଡ଼ା ଆଉ ମକାନ୍‍କୁ ଛାଡ଼ିଦେଲେ ଯେଉଁସବୁ ବିଷୟଗୁଡ଼ିକ ସର୍ବନିମ୍ନ ଆବଶ୍ୟକତା ମଧ୍ୟରେ ଅନ୍ତର୍ଭୁକ୍ତ ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଅଗ୍ରାଧିକାର ପାଇବା ଲାଗି ହକ୍‍ଦାର ।

କିନ୍ତୁ ଦେଖାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ ଓ ପ୍ରଚେଷ୍ଟା ସତ୍ତ୍ୱେ ଆମ ରାଜ୍ୟର ସ୍ୱାସ୍ଥ୍ୟସେବା ବହୁ ପରିମାଣରେ ଅବହେଳିତ ହୋଇ ରହିଛି । ରାଜନୈତିକ ଓ ପ୍ରଶାସନିକ ଉଦାସୀନତା ଏଥିପାଇଁ ଯେତିକି ପରିମାଣରେ ଦାୟୀ, ଜନସଚେତନାର ଅଭାବ ମଧ୍ୟ ଅନୁରୂପ ପରିମାଣରେ ଦାୟୀ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ନିମ୍ନରେ ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ।

ସ୍ୱାସ୍ଥ୍ୟ ବିଭାଗରେ ୩୫୦୦ରୁ ଅଧିକ ଡାକ୍ତର ସମେତ ୧୭ ହଜାର ପଦବୀ ଖାଲି । ତିନୋଟି ଯାକ ସରକାରୀ ମେଡ଼ିକାଲ କଲେଜରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁ ସରକାରୀ ଚିକିତ୍ସାକେନ୍ଦ୍ରରେ ପ୍ରାୟ ସାଢ଼େ ୩୫୦୦ ଡାକ୍ତର ପଦବୀ ଖାଲିପଡ଼ିଛି ।

ଏଥିପାଇଁ ସାଧାରଣ ଲୋକେ ସରକାରୀ ସ୍ୱାସ୍ଥ୍ୟସେବାରୁ ବହୁ କ୍ଷେତ୍ରରେ ବଞ୍ଚିତ ହେଉଥିବା ବେଳେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଡାକ୍ତରୀ ପାଠପଢ଼ା ବି ବ୍ୟାହତ ହେଉଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଦୁଇଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ସେଥିରୁ ଏହା ଜଣାପଡ଼ିଛି ।

ଏହାଛଡ଼ା ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଛେଦ ହୋଇଥିବା ପଦବୀକୁ ମିଶାଇ ପ୍ରାୟ ୧୭ ହଜାର ପଦବୀ ଖାଲିଥିବା କଥା ପୂର୍ବରୁ ଅର୍ଥମନ୍ତ୍ରୀ ସ୍ୱୀକାର କରିଛନ୍ତି । କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ଗୋଟିଏ ନୋଡାଲ କଲେଜରେ ୩୭୫ ଶିକ୍ଷକ ପଦବୀ ଖାଲିପଡ଼ିଛି ।

ମେଡ଼ିକାଲ କଲେଜଗୁଡ଼ିକରେ ୨୦ଟି ପ୍ରଫେସର, ୪୪ଟି ସହଯୋଗୀ ପ୍ରଫେସର ଓ ୨୯୭ଟି ସହକାରୀ ପ୍ରଫେସର ପଦବୀ ଖାଲିପଡ଼ିଛି । ଏହାଛଡ଼ା ନୋଡାଲ କଲେଜରେ ୧୪ଟି ଶିକ୍ଷକ ପଦବୀ ଖାଲି ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୮ଟି ପ୍ରଫେସର, ୨୦ଟି ସହଯୋଗୀ ପ୍ରଫେସର ଓ ୧୨୭ଟି ସହକାରୀ ପ୍ରଫେସର ପଦବୀ ଖାଲିଥିବା ବେଳେ ବ୍ରହ୍ମପୁରର ଏମ୍କେସିଜି ମେଡ଼ିକାଲ କଲେଜରେ ୪ଟି ପ୍ରଫେସର, ୧୧ଟି ସହଯୋଗୀ ପ୍ରଫେସର ଓ ୮୭ଟି ସହକାରୀ ପ୍ରଫେସର ପଦବୀ ଖାଲି ।

ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ୮ଟି ପ୍ରଫେସର, ୧୩ଟି ସହଯୋଗୀ ପ୍ରଫେସର ଓ ୮୩ଟି ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତରୁ ଜଣାପଡ଼ିଛି । ଏହାଛଡ଼ା ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ସହସ୍ରାଧିକ ଅନ୍ୟାନ୍ୟ ପଦବୀ ଫାଙ୍କା ରହିଛି ।

ଗାଁ ଗହଳିରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ଓ ରାଜ୍ୟ ମହକୁମାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ଲାଗି ୪୮୬୪ଟି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ଏବେ ସରକାରୀ ଖାତାରେ ଅଛନ୍ତି ମାତ୍ର ୨୨୯୩ ଜଣ ଡାକ୍ତର ।

ଅର୍ଥାତ୍ ୨୫୭୧ଟି ଡାକ୍ତର ପଦବୀ କ୍ଷେତ୍ରୀୟ କ୍ୟାଡର୍ରେ ଖାଲିପଡ଼ିଛି । ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ସଂଖ୍ୟା ଯୋଡ଼ିଲେ ଖାଲି ଡାକ୍ତର ପଦବୀ ସଂଖ୍ୟା ଢେର୍ ଅଧିକ ହୋଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ମୁତାବକ ରାଜ୍ୟରେ ଥିବା ହୋମିଓପାଥିକ ଡାକ୍ତରଖାନାଗୁଡ଼ିକ ପାଇଁ ୫୬୧ଟି ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୨୭୨ଟି ଖାଲିପଡ଼ିଛି ।

ସେହିପରି ଆୟୁର୍ବେଦିକ ଓ ୟୁନାନି ଡାକ୍ତରଖାନାଗୁଡ଼ିକ ଲାଗି ୬୨୦ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ଏବେ ୨୧୪ଟି ଡାକ୍ତର ପଦବୀ ଖାଲି । ରାଜ୍ୟର ହୋମିଓପାଥିକ ମେଡ଼ିକାଲ କଲେଜଗୁଡ଼ିକରେ ପ୍ରଫେସର, ପ୍ରଧ୍ୟାପକ ଓ ଅଧ୍ୟାପକ ପାହ୍ୟାରେ ୧୨୨ଟି ପଦବୀ ଖାଲିପଡ଼ିଛି ।

ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରରେ ଥିବା ୪ଟି ଯାକ ସରକାରୀ ହୋମିଓପାଥିକ ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ୨୪ଟି ମଂଜୁରୀ ପ୍ରାପ୍ତ ପ୍ରଫେସର ପଦବୀ ଥିବା ବେଳେ ଏ ସମସ୍ତ ପଦବୀ ଖାଲି । ସେହିଭଳି ପ୍ରଧ୍ୟାପକ ପାହ୍ୟାରେ ୪୬ଟି ଓ ଅଧ୍ୟାପକ ପାହ୍ୟାରେ ୫୨ଟି ପଦବୀ ଖାଲିପଡ଼ିଛି । ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଥିବା ସରକାରୀ ହୋମିଓପାଥିକ ମେଡ଼ିକାଲ କଲେଜରେ ସମସ୍ତ ପ୍ରଧ୍ୟାପକ ପଦବୀରେ କେହି ନାହାନ୍ତି ।

ଭୁବନେଶ୍ୱରର ଡ. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡ଼ିକାଲ କଲେଜର ୧୫ଟି ଅଧ୍ୟାପକ ପଦବୀରୁ ୧୨ଟି, ରାଉରକେଲାର ୧୫ଟିରୁ ୧୦ଟି, ବ୍ରହ୍ମପୁର ଓ ସମ୍ବଲପୁରର ୧୫ଟିରୁ ୯ଟି କରି ଓ ବାରିପଦାର ୧୨ଟିରୁ ୧୦ଟି କରି ହୋମିଓପାଥିକ ଅଧ୍ୟାପକ ପଦବୀ ଖାଲି । ମାତ୍ର ୩ ଜଣ ଅଧ୍ୟାପକଙ୍କୁ ନେଇ ରାଜ୍ୟର ସର୍ବପ୍ରଥମ ଓ ଅଗ୍ରଣୀ ହୋମିଓପାଥିକ ମେଡ଼ିକାଲ କଲେଜ ଏବେ ଭୁବନେଶ୍ୱରରେ •ଲିଛି । ଏହି କଲେଜରେ ଡାକ୍ତରୀ ଶିକ୍ଷକ ଅଭାବରୁ ତିନି ବର୍ଷ ଧରି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ହେଉନାହିଁ ।

ରାଜ୍ୟର ଆୟୁର୍ବେଦିକ ମେଡ଼ିକାଲ କଲେଜଗୁଡ଼ିକର ଅବସ୍ଥା ତଦୃପ । ପୁରୀ, ବଲାଙ୍ଗୀର, ଅଙ୍କୁଶପୁର, ପାଇକମାଳ, ଭୁବନେଶ୍ୱର ଓ ବାରିପଦାରେ ଥିବା ଆୟୁର୍ବେଦିକ କଲେଜଗୁଡ଼ିକରେ ୧୦୦ଟି ଅଧ୍ୟାପକ ପଦବୀ ଖାଲିପଡ଼ିଛି ।

ଏଥିମଧ୍ୟରୁ ୧୦ଟି ପ୍ରଫେସର, ୪୬ଟି ପ୍ରଧ୍ୟାପକ ଓ ୪୪ଟି ଅଧ୍ୟାପକ ପଦବୀ ଅନ୍ତର୍ଭୁକ୍ତ । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ସରକାରୀ ମେଡ଼ିକାଲ କଲେଜ ଏବଂ ହୋମିଓପାଥିକ ଓ ଆୟୁର୍ବେଦିକ କଲେଜଗୁଡ଼ିକର ସ୍ୱୀକୃତି ପ୍ରତ୍ୟାହାର ପାଇଁ ବହୁ ସମୟରେ ଏମ୍ସିଆଇ ଓ ସିସିଆଇଏମ୍ ଧମକ ଦେଉଛନ୍ତି ।

କେବଳ ଏହି ସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକରେ ଡାକ୍ତରୀ ଅଧ୍ୟାପକ ଓ ଡାକ୍ତର ପଦବୀ ଖାଲିପଡ଼ିନାହିଁ, ହଜାର ହଜାର ସଂଖ୍ୟାରେ ଅନ୍ୟାନ୍ୟ ପଦବୀ ଖାଲିପଡ଼ିଛି । ସରକାରୀ ଡାକ୍ତରଖାନା ଗୁଡ଼ିକରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଟେକ୍ନିସିଆନ୍, ରେଡ଼ିଓଗ୍ରାଫର ଆଦି ୪୧୯୩ଟି ପାରାମେଡ଼ିକ୍ସ ପଦବୀ ଖାଲି ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ ୧୬୭ଟି ଡାକ୍ତର ପଦବୀ ଖାଲିପଡ଼ିଥିବା ବେଳେ କେନ୍ଦୁଝର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ୧୦୦ରୁ ଅଧିକ କରି ଡାକ୍ତରୀ ପଦବୀ ଖାଲି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦ୍ରାପଡ଼ରେ ୮୭ଟି ଡାକ୍ତର ପଦବୀ ଖାଲିପଡ଼ିଥିବା ଶ୍ରୀ ନାୟକଙ୍କ ଉତ୍ତରରୁ ଜଣାପଡ଼ିଛି । ଆଦିବାସୀ ଅଧ୍ୟୁଷିତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସଂଖ୍ୟାଧିକ ଡାକ୍ତରୀ ପଦବୀ ଖାଲି । ଏହାଛଡ଼ା ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ ସବୁ ସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକରେ ହଜାର ହଜାର ପଦବୀ ଖାଲିପଡ଼ିଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟଭିତ୍ତିକ ଉତ୍ତର ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦିଲିପ ରାୟ ଗଭୀର ଉଦ୍ବେଗ ପ୍ରକାଶ କରି ସରକାର ଉଭୟ ଡାକ୍ତର, ଡାକ୍ତରୀ ଶିକ୍ଷକ, ପାରାମେଡ଼ିକ୍ସ ଓ ଅନ୍ୟାନ୍ୟ ପଦବୀ ଅଗ୍ରାଧିକାର ଭତ୍ତିରେ ପୂରଣ କରୁନଥିବାରୁ ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହେବା ସହିତ ଉଭୟ ଡାକ୍ତରୀ ଶିକ୍ଷା ଓ ଚିକିତ୍ସାର ମାନ ହ୍ରାସ ପାଉଛି ବୋଲି ଅଭିଯୋଗ କରିଛନ୍ତି ।

ଏହି ପଦବୀଗୁଡ଼ିକ ରାଜ୍ୟ ସରକାର ଜାଣିଶୁଣି ବର୍ଷ ବର୍ଷ ଧରି ପୂରଣ ନ କରି ବ୍ୟୟ ସଙ୍କୋଚନ ଆଳରେ ଅର୍ଥ ସଞ୍ଚୟ କରୁଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବା ସହ ସାଧାରଣ ଲୋକଙ୍କ ଜୀବନ ଜଡ଼ିତ ଥିବାରୁ ସରକାର ଏ ଦିଗରେ ତୀକ୍ଷ୍ଣ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି । ତା’ହେଲେ ଜନସାଧାରଣଙ୍କ ଜୀବନ ସହ ଏପରି ବିପଦଜ୍ଜନକ ଖେଳ ଖେଳିବାର ସବୁ ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇପାରିବ ।

ପୂର୍ବରୁ ଅର୍ଥମନ୍ତ୍ରୀ ଦେଇଥିବା ଅନ୍ୟ ଏକ ଉତ୍ତରକୁ ଭିତ୍ତି କରି ଶ୍ରୀ ରାୟ କହିଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗରେ ୩୮୯୦ ପଦବୀ ଉଚ୍ଛେଦ କରାଯାଇଥିବା ବେଳେ ସରକାରଙ୍କ ପ୍ରଦତ୍ତ ସର୍ବଶେଷ ହିସାବ ଅନୁଯାୟୀ ୧୩,୪୫୮ ପଦବୀ ଖାଲିପଡ଼ିଛି । ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଯଦି ସରକାରଙ୍କ ସାମାନ୍ୟ ଚିନ୍ତାଥାଏ ତେବେ ଅଗ୍ରାଧିକାର ଭିତ୍ତିରେ ୨ ମାସ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗରେ ଖାଲିପଡ଼ିଥିବା ଓ ଉଚ୍ଛେଦ ହୋଇ ଯାଇଥିବା ପ୍ରାୟ ୧୭ହଜାର ପଦବୀ ତୁରନ୍ତ ପୂରଣ କରିବା ଏକାନ୍ତ ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେବଳ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି, କାର୍ଯ୍ୟରତ ମଧ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ରାଜ୍ୟର ସ୍ୱାସ୍ଥ୍ୟ ସେବାର ବାସ୍ତବତା ବିଷୟରେ ଅଜ୍ଞ ନୁହନ୍ତି । ରାଜ୍ୟର ସବୁ ଅଞ୍ଚଳରେ ଓ ସବୁ ସ୍ତରରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସଫଳ ଉଦ୍ୟମ କରିପାରିଲେ ରାଜ୍ୟବାସୀ ଉଚିତ ସ୍ୱାସ୍ଥ୍ୟ ସେବା ପାଇପାରନ୍ତେ ।

ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

Filed Under: ତୃତୀୟ ନୟନ, ସ୍ୱାସ୍ଥ୍ୟ Tagged With: ଡାକ୍ତର ପଦବୀ ଖାଲି, ସ୍ୱାସ୍ଥ୍ୟ ବିଭାଗ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା