ମନୋରଞ୍ଜନ

ଗୁଞ୍ଜନ ସନ୍ଧ୍ୟା : ଜୀବନ ସଂଗୀତ ଓ ନୃତ୍ୟର ନବଛନ୍ଦ

କେଦାର ମିଶ୍ର

ମାନସ ହଂସ ମୁଁ ମାନସେ ଯିବି ଉଡ଼ି … ସଂଗୀତରେ ଏହାର ବର୍ଣ୍ଣନାକୁ ନୃତ୍ୟରେ ରୂପାନ୍ତରିତ କରାଯାଇପାରିବ କେମିତି ? ମାନସ ହଂସ ଏକ ବିଶାଳ ଆକାଶ ଆଡ଼କୁ ଉଡ଼ିଯିବା ପାଇଁ ବ୍ୟାକୁଳ  । ସେ ମାନସ ହଂସ ସାଧାରଣରୁ ଅସାଧାରଣର ତଲାସରେ ତା’ର ଉଡାଣ ଆରମ୍ଭ କରିଛି  ।

ଏପରି ଏକ ଜଟିଳ, ମନସ୍ତାତ୍ତ୍ୱିକ ଉତ୍ତରଣକୁ ନୃତ୍ୟରେ ରୂପାନ୍ତରିତ କଲାବେଳେ ଜଣେ ନୃତ୍ୟଶିଳ୍ପୀର ପ୍ରତିଭା ପାଇଁ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି ହୁଏ  । ଓଡ଼ିଶୀ ନୃତ୍ୟର ଗତି ଓ ଭଙ୍ଗୀରେ ଏହାକୁ କେତେ ସହଜରେ ବର୍ଣ୍ଣନା କରିହେବ  ତାହା ହୁଏତ ଚିନ୍ତାର ବିଷୟ  । ତେବେ ଏମିତି ଏକ ଦାର୍ଶନିକ ବିଷୟବସ୍ତୁରେ ଲାଳିତ୍ୟପୂର୍ଣ୍ଣ ଭଙ୍ଗୀରେ ଉପସ୍ଥାପନା କରନ୍ତି ଆମ ସମୟର ଅନ୍ୟତମ ସାର୍ଥକ ଓଡ଼ିଶୀ ଶିଳ୍ପୀ ମୀରା ଦାସ  ।

କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ପ୍ରସିଦ୍ଧ କବିତା ‘ଜୀବନ ସଂଗୀତ’ ଆଧାରରେ ତାଙ୍କର ନୂଆ ନୃତ୍ୟ ସଂଯୋଜନା ଜୀବନ ସଂଗୀତ ଅନେକ ଦୃଷ୍ଟିରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂତ୍ରପାତ କରିଛି  । ବୈକୁଣ୍ଠନାଥଙ୍କର ଏହି ପ୍ରସିଦ୍ଧ କବିତା ଯାହାକି ପ୍ରତ୍ୟେକ ଓଡ଼ିଆର ପ୍ରାଣରେ ଗୁଞ୍ଜରିତ  ।

ବୈକୁଣ୍ଠନାଥଙ୍କର କନ୍ୟା ତଥା ହିନ୍ଦୁସ୍ତାନୀ ସଂଗୀତର ମହାନାୟିକା ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ନଦେଲ ବୋଲି କିଛି କହିବି କି ହେ ଆଉ….’ କୁ ଆମେ ଶୁଣିଛୁ ଓ ମୁଗ୍ଧ ହୋଇଛୁ  ।

ଏହି ସଂଗୀତ ଭିତରେ ଗୋଟେ ନୃତ୍ୟର କାହାଣୀ ବୁଣିଛନ୍ତି ମୀରା ଦାସ  । ଦ୍ରୌପଦୀ, ରାଧା ଓ ବୁଦ୍ଧଙ୍କ ଜୀବନ କାହାଣୀ ସହିତ ଜୀବନ ପାତ୍ରକୁ ଯୋଡ଼ା ଯାଇଛି  । ପାଖାପାଖି ଅଧଘଣ୍ଟାର ଏହି ନୃତ୍ୟ ସଂରଚନାରେ ଯେତିକି ନାଟକୀୟତା ରହିଛି, ସେତିକି ଦାର୍ଶନିକତା ମଧ୍ୟ ରହିଛି  । କେବଳ ଘଟଣାର ବର୍ଣ୍ଣନା ନୁହଁ, ବରଂ ଏକ ଦାର୍ଶନିକ ଅବବୋଧର ନୃତ୍ୟରୂପକ ପ୍ରସ୍ତୁତ କରିବା ଲାଗି ମୀରା ଦାସ ଉଦ୍ୟମ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି  ।

ଜୀବନର ବିଷାଦ ଓ ଆହ୍ଲାଦ ଭିତରେ ରହିଥିବା ସୂକ୍ଷ୍ମ ବିଭାଜନ ରେଖାକୁ ଅତି ସହଜ ଓ ସାବଲୀଳ ଢଙ୍ଗରେ ତାଙ୍କର ଶିଳ୍ପୀମାନେ ଆଙ୍କିଛନ୍ତି  । ଗୋଟିଏ ଚରିତ୍ରରୁ ଆଉ ଗୋଟିଏ ଚରିତ୍ର ଭିତରେ ଜୀବନକୁ ଭୋଗିବାର ତୃପ୍ତିକୁ ଅତି ସହଜ ଭାବରେ ଉପସ୍ଥାପନ କରାଯାଇପାରିଛି  ।

ସୁନନ୍ଦା ପଟ୍ଟନାୟକଙ୍କର ମୂଳ ସଂଗୀତକୁ ନୂଆ ରୂପରେ ଉପସ୍ଥାପନ କରିଛନ୍ତି ସମକାଳର ବିଶିଷ୍ଟ ବଂଶୀବାଦକ ତଥା ସଂଗୀତ ନିଦେ୍ର୍ଧଶକ ଶ୍ରୀନିବାସ ଶତପଥୀ । ଶ୍ରୀନିବାସଙ୍କ ସଂଗୀତରେ କଳ୍ପନା ରହିଛି  । ନୂଆ କରି ଗୋଟେ ପୁରୁଣା ସ୍ୱରକୁ ଆବିଷ୍କାର କରିବା ଶକ୍ତି ତାଙ୍କ ପାଖରେ ରହିଛି  ।

ସେହି ଦୃଷ୍ଟିରୁ ଜୀବନ ସଂଗୀତ ଓଡ଼ିଶୀର ଇତିହାସରେ ଏକ ସାର୍ଥକ ସୃଷ୍ଟି  । ଗତ ଅଗଷ୍ଟ ୨୨ ତାରିଖ ଦିନ ଆନ୍ତର୍ଜାତିକ ସାଂସ୍କୃତିକ ସମ୍ବନ୍ଧ ପରିଷଦ ବା ଆଇସିସିଆର୍‍ର ଆୟୋଜନରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ କଟକର ଶିଳ୍ପୀମାନେ ଜୀବନ ସଂଗୀତ ପରିବେଷଣ କରିଥିଲେ  ।

ଖ୍ୟାତନାମା ନୃତ୍ୟଶିଳ୍ପୀ ମୀରା ଦାସଙ୍କ ମୌଳିକ ନୃତ୍ୟ ସଂରଚନାଗୁଡ଼ିକ ଏହି ଅବସରରେ ପରିବେଷଣ କରାଯାଇଥିଲା  ।  ପ୍ରାରମ୍ଭରେ ‘ଜଗନ୍ନାଥ ମଙ୍ଗଳ’, ଯେଉଁଥିରେ ଜଗନ୍ନାଥଙ୍କ ବନ୍ଦନା ଅପେକ୍ଷା ଜଗନ୍ନାଥଙ୍କ ପହଣ୍ଡି ବିଜେକୁ ମଙ୍ଗଳା ଚରଣ ଭାବେ ଉପସ୍ଥାପନ କରାଯାଇଥିଲା  । ସମକାଳର ଓଡ଼ିଶୀ ଶିଳ୍ପୀମାନେ ପାରମ୍ପରିକ ଓଡ଼ିଶୀର ନବ ନିର୍ମାଣ କରୁଛନ୍ତି  । ଏହାର ତତ୍ତ୍ୱ ଓ ଦର୍ଶନକୁ ନିଜସ୍ୱ ବ୍ୟାକରଣରେ ପରିଧି ଭିତରେ ସେମାନେ ନୂଆ କରି ଦେଖିବାର ପ୍ରୟାସ କରୁଛନ୍ତି  ।

ଜୀବନ ସଂଗୀତ ବ୍ୟତୀତ ମେଳ ନୃତ୍ୟକ୍ରମରେ ଦେଶପଲ୍ଲବୀ ଓ ଏକକ ଅଭିନୟରେ ଦ୍ୱିଜ ରାଜଙ୍କ ଲାଜରେ ସରିଗଲି ଆଜ… ପରିବେଷଣ କରାଯାଇଥିଲା  । ଦେଶପଲ୍ଲବୀରେ ମାତ୍ରା, ଛନ୍ଦ ଓ ନୃତ୍ୟର ଜଟିଳତା ରହିଥିବାବେଳେ ଏହାର ପରିବେଷଣ ସମୟରେ ଆଉ ଟିକେ ଅଧିକ ଶୃଙ୍ଖଳାର ଆବଶ୍ୟକତା ରହିଥିଲା  । ଗୁଞ୍ଜନର ନୃତ୍ୟଶିଳ୍ପୀମାନେ ଦେଖିବାକୁ ସୁଠାମ ଓ ସୁନ୍ଦର  ।

ସେମାନଙ୍କ ପଦଚାଳନା, ଗତି, ଭଙ୍ଗୀ, ମୁଦ୍ରା ଓ ଚଳନରେ ଲାଳିତ୍ୟ ରହିଛି  । ତେବେ ଏହି ଲାଳିତ୍ୟକୁ ଆଉ ଟିକେ ଶୃଙ୍ଖଳିତ କରିବାର ଆବଶ୍ୟକତା ରହିଛି  । ଆଉ ଟିକେ ମାଜି ହେଲେ ଦେଶପଲ୍ଲବ ଆହୁରି ଅଧିକ ସୁନ୍ଦର ଲାଗିବ  । ଆଶା, ଗୁରୁ ଭାବରେ ମୀରା ଦାସ ଏଥିପାଇଁ ଅଧିକ ଉଦ୍ୟମ କରିବେ  ।

ମୀରାଙ୍କ ଏକକ ଅଭିନୟରେ ଲାଜରେ ସରିଗଲି ଆଜ… ତାଙ୍କର ନୂଆ ସଂରଚନା  । ତାଙ୍କ ସଂରଚନାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରଭାବ ସ୍ପଷ୍ଟ  । ଗୁରୁଙ୍କର ଶିଷ୍ୟା ଭାବରେ ଗୁରୁଙ୍କର ପରମ୍ପରାକୁ ସେ ଅଗ୍ରସର କରାଉଛନ୍ତି  । ତେବେ ଲାଜରେ ସରିଗଲି ଆଜ… କବିତା ଭିତରେ ଏମିତି କିଛି ସୂକ୍ଷ୍ମ ଶୃଙ୍ଗାରୀ ଚେତନା ରହିଛି, ଯାହାକୁ ଅଧିକ ନୃତ୍ତ ମାଧ୍ୟମରେ ଉପସ୍ଥାପନା କରିବା ସମ୍ଭବ ନୁହେଁ  ।

ସଂଚାରୀକୁ ନୃତ୍ତରେ ଓ ସ୍ଥାୟୀ ଭାବକୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିବା ହୁଏତ ବେଶୀ ପ୍ରଭାବଶାଳୀ ହେବ  । ମୀରାଙ୍କ ଅଭିନୟରେ ସାବଲୀଳତା ରହିଛି  । ସେ ଚରିତ୍ର ସହ ଏକାତ୍ମ ହୋଇପାରନ୍ତି ଓ ତାଙ୍କର ଗତି ଅନେକାଂଶରେ କାବି୍ୟକ  । ତେଣୁ ଅଭିନୟକୁ ଖୁଣିବାର କିଛି ନାହିଁ  । ଏଥିରେ ଅଧିକ କିଛି ଆଶା କରିବା କଥା କେବଳ  ।

ସବୁ ଭଲ ନୃତ୍ୟଶିଳ୍ପୀଙ୍କଠୁ ଦର୍ଶକ ସବୁବେଳେ ଅଧିକ ଆଶା କରେ  । ସେହି ନ୍ୟାୟରେ ଏ କ୍ଷେତ୍ରରେ ମୀରା ଦାସଙ୍କଠୁ ଆମେ ଆହୁରି ଅଧିକ ଆଶା କରୁଛୁ  । ମୋଟାମୋଟି କହିବାକୁ ଗଲେ ‘ଗୁଞ୍ଜନ ସନ୍ଧ୍ୟା’ ଏକ ଚମକ୍ରାର ପରିକଳ୍ପନା  ।

ଆଇସିସିଆର୍‍ର ଆୟୋଜନ ଗୁଡ଼ିକ ଭୁବନେଶ୍ୱରରେ ସେତେ ଆକର୍ଷଣୀୟ ହୁଏ ନାହିଁ  । ଅନେକ ସମୟରେ ଖାଲି ଅଡ଼ିଟୋରିୟମ୍‍ରେ ଶିଳ୍ପୀମାନେ ନିଜ ପରିବେଷଣ କରିବାର ଇତିହାସ ରହିଛି  । ସେହି ଦୃଷ୍ଟିରୁ ଗୁଞ୍ଜନ ସନ୍ଧ୍ୟା ଆଇସିସିଆର୍‍ର ଏକ ସଫଳ ଆୟୋଜନ  ।

1 Comment

Leave a Reply

This site uses Akismet to reduce spam. Learn how your comment data is processed.