Site icon Odisha.com

କଞ୍ଚାମାଲ ଅଭାବରୁ ଲାଞ୍ଜିଗଡ କାରଖାନା ବନ୍ଦ କରିବ ବେଦାନ୍ତ

ଓଡିଶା ଡଟ କମ ସଂବାଦ ଦାତା

ଲାଞ୍ଜିଗଡ, ଅଗଷ୍ଟ ୨୬ (ଓଡିଶା ଡଟ କମ ) ଅନ୍ତର୍ଜାତୀୟ ବଜାରରେ ଆଲୁମିନିଅମର ମାନ୍ଦାବସ୍ଥା ଓ ଦଶ ବର୍ଷରୁ ଊର୍ଦ୍ଧ୍ଵ ଅପେକ୍ଷା ପରେ ମଧ୍ୟ ସ୍ଥାନୀୟ ବକସାଇଟ ନ ମିଳିବା ଯୋଗୁଁ ବ୍ୟତିବସ୍ତ ହୋଇ ଶେଷରେ ବେଦାନ୍ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ଥିବା ନିଜର ଆଲୁମିନା ରିଫାନେରୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଉଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ।

ରାଜ୍ୟସରକାର କଞ୍ଚାମାଲ ଯୋଗାଇ ଦେଉ ନ ଥିବାରୁ ବାର୍ଷିକ ଏକ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନାକୁ କମ୍ପାନୀ ବାହାରୁ ବକସାଇଟ ଆମଦାନୀ କରି ଚଲାଇ ଆସିଛି ।

କମ୍ପାନୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ବହୁବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ସତ୍ଵେ କୌଣସି ସୁଫଳ ମିଳି ନଥିବାରୁ କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି ।

ସ୍ଥାନୀୟ କଞ୍ଚାମାଲ ନ ମିଳିବାରୁ କମ୍ପାନୀକୁ ଦୈନିକ ତିନି କୋଟିରୁ ଊର୍ଦ୍ଧ୍ଵ ଟଙ୍କା କ୍ଷତି ହେଉଥିବା ସେ କହିଛନ୍ତି ।

କାରଖାନା ବନ୍ଦ ସମ୍ପର୍କରେ କତୃପକ୍ଷ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ମୌଖିକ ଭାବେ ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଥିବା ସେ କହିଛନ୍ତି। କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଏହା ଦ୍ଵାରା ପ୍ରଭାବିତ ହେବେ।

ଓଡିଶା ଡଟ କମ

Exit mobile version