Site icon Odisha.com

ମୋଟର ଯାନ ଟିକସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ, ଗାଡି ମହଙ୍ଗା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୯ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟର ଯାନ ଟିକସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବାରୁ ରାଜ୍ୟରେ କାର୍‌, ଜିପ୍‌ ସମେତ ସାଧାରଣ ଲୋକ ବ୍ୟବହାର କରୁଥିବା କେତେକ ମୋଟର ଯାନ ମହଙ୍ଗା ହେବ ।

ମୋଟର ଯାନ ଟିକସ ନିୟମ -୧୯୭୫ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଦେଇଥିବା ମଞ୍ଜୁରୀ ଅନୁସାରେ ରାଜ୍ୟରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମୋଟର ଯାନ ଉପରେ ଏଣିକି ଗାଡି ମୂଲ୍ୟର ଏକ କାଳୀନ ଛଅ ପ୍ରତିଶତ ଟିକସ ଆଦାୟ ହେବ ।

ଠିକ ସେହି ପରି ପାଞ୍ଚ ଲକ୍ଷ ରୁ ଦଶ ଲକ୍ଷ ଟଙ୍କା ମୂଲ୍ୟର ଗାଡି ଉପରେ ଆଠ ପ୍ରତିଶତ ଟିକସ ଦେବାକୁ ପଡିବ ।

ଦଶରୁ କୋଡିଏ ଲକ୍ଷ, କୋଡିଏ ରୁ ଚାଳିଶ ଲକ୍ଷ ଏବଂ ଚାଳିଶ ଲକ୍ଷ ଟଙ୍କା ମୂଲ୍ୟରୁ ଅଧିକ ଟଙ୍କାର ଗାଡି କିଣିଲେ ଗାଡି ମୂଲ୍ୟର ଯଥାକ୍ରମେ ଦଶ, ବାର ଓ କୋଡିଏ ପ୍ରତିଶତ ଟିକସ ପଇଠ କରିବାକୁ ପଡିବ ।

ଠିକ ସେହି ପରି ଟ୍ରାକ୍ଟର, ଟ୍ରେଲର ବ ଉଭୟ ଟ୍ରାକ୍ଟର ଟ୍ରେଲର ଯାହାର ଭାର ନଅ ହଜାର ପାଞ୍ଚ ଶହ କିଲୋଗ୍ରାମ ସେମାନେ ଗାଡି ମୂଲ୍ୟର ତିନି ପ୍ରତିଶତ ହିସାବରେ ଏକ କାଳୀନ ଟିକସ ଦେବେ ।

ପଞ୍ଜୀକରଣ ସମୟରେ ଗାଡି ମାଲିକ ମାନେ ଦେଉଥିବା ବାର୍ଷିକ ଟିକସ ବ୍ୟତୀତ ପରବର୍ତ୍ତୀ ସମୟରେ ଆଉ ଟିକସ ଦେଉନଥିବାରୁ ଏହି ଏକ କାଳୀନ ଟିକସ ଆଦାୟ ବ୍ୟବସ୍ଥାକୁ ସରକାର ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଠିକ ସେହି ପରି ଯେଉଁ ଯାନ ପନ୍ଦର ବର୍ଷରୁ ଅଧିକ ଚାଲିଲାଣି ଫିଟନେସ ଲାଇସେନସ ନବୀକରଣ ସମୟରେ ଏକ ହଜାର ରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ସବୁଜ କର ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଏହି ମୋଟର ଯାନ ଟିକସ ବୃଦ୍ଧିରୁ ରାଜ୍ୟ ସରକାର ବର୍ଷକ ପ୍ରାୟ ୬୬ କୋଟି ଟଙ୍କା ଅଧିକ ରାଜସ୍ଵ ପାଇବାର ଆଶା ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ସୁଦ୍ଧା ରାଜ୍ୟରେ ପ୍ରାୟ ପଚାଶ ଲକ୍ଷ ମୋଟର ଯାନ ପଞ୍ଜୀକୃତ ହୋଇଥିଲା ଓ ରାଜ୍ୟ ସରକାର ପ୍ରାୟ ୯୧୦ କୋଟି ଟଙ୍କା ଟିକସ ବାବଦକୁ ପାଇଥିଲେ ।

ଓଡିଶା ଡଟ କମ

Exit mobile version