Site icon Odisha.com

ସ୍ୟାଟ୍‌ ଉଚ୍ଛେଦ ଉଦ୍ୟମର ବିରୋଧ ଜାରି

ସ୍ୟାଟ୍‌ ଉଚ୍ଛେଦ ଉଦ୍ୟମ ବିରୋଧରେ ପ୍ରତିବାଦ ଜାରି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୧ (ଓଡିଶା ଡଟ କମ) ସ୍ୟାଟ୍‌ ଭାବେ ପରିଚିତ ଓଡିଶା ରାଜ୍ୟ ପ୍ରଶାସନିକ ଟ୍ରିବୁନାଲକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ କରିଥିବା ସୁପାରିଶ ପ୍ରତିବାଦରେ ଓକିଲ ମାନଙ୍କ ବିରୋଧ ସୋମବାର ଜାରି ରହିଛି ।

ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସ୍ୟାଟ୍‌ ଓକିଲ ସଂଘ ଦାବି କରିଆସୁଥିବା ବେଳେ ଅନ୍ୟ କେତେକ ଓକିଲ ସଂଘ ତାଙ୍କୁ ସମର୍ଥନ ଜଣାଇଛନ୍ତି ।ରବିବାର ଭୁବନେଶ୍ଵର ବାର୍‌ ଆସୋସିଏସନ୍‌ କାର୍ଯ୍ୟ।ଳୟ ପରିସରରେ ପ୍ରାୟ କୋଡିଏ ରୁ ଅଧିକ ଓକିଲ ସଂଘର ପ୍ରତିନିଧି ଏକାଠି ହୋଇ ସରକାରଙ୍କ ପଦକ୍ଷେପକୁ ବିରୋଧକରିବା ସହ  ଆଗାମୀ ରଣନୀତି ନେଇ ଆଲୋଚନା କରିଥିଲେ ।

ବୁଧବାର ପର୍ଯ୍ୟନ୍ତ ସରକାର ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର ନ କଲେ ଆଗକୁ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ ସେମାନେ ଚେତାବନୀ ଦେଇଥିଲେ ।

ସରକାରୀ କର୍ମଚାରୀଙ୍କ ବୃତ୍ତି ସମ୍ବନ୍ଧୀୟ ଅଭିଯୋଗର ବିଚାର ପାଇଁ ୧୯୮୬ ମସିହାରେ ଏହି ଟ୍ରିବୁନାଲ ଗଠିତ ହୋଇଥିଲା । ଏହାର ମୂଖ୍ୟ ବେଞ୍ଚ ଭୁବନେଶ୍ଵରରେ ରହିଥିବାବେଳେ ଏହାର ନିୟମିତ ବେଞ୍ଚ କଟକ ଠାରେ ଓ ଦୁଇଟି ସର୍କିଟ୍‌ ବେଞ୍ଚ ରାଉରକେଲା ଓ ବ୍ରହ୍ମପୁର ଠାରେ କାର୍ଯ୍ୟ କରୁଛି ।

୧୯୮୬ ମସିହାରୁ ଆଜି ପର୍ଯ୍ୟନ୍ତ ଟ୍ରିବୁନାଲ ପାଖରେ ୨୬୬,୯୧୧ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେମଧ୍ୟରୁ ୨୦୮,୬୭୬  ମାମଲାର ଶୁଣାଣି ହୋଇସାରିଥିବା ବେଳେ ୫୮୨୩୪ ମାମଲାର ବିଚାର ବାକି ଅଛି ।

ଟ୍ରିବୁନାଲ ଉଚ୍ଛେଦହେବାପରେ ଏହା ଅଧୀନରେ ଥିବା ସମସ୍ତ କେସ୍‌ ବିଚାର ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ଅଧିନକୁ ପଠେଇଦିଆଯିବ ବୋଲି ସରକାର କହିଛନ୍ତି । ତେବେ ଏପରି ହେଲେ ସରକାରୀ କର୍ମଚାରୀଙ୍କ ସମସ୍ୟା ବଢିଯିବ ବୋଲି ସରକାରୀ କର୍ମଚାରୀ ତଥା ଓକିଲମାନେ ଯୁକ୍ତି କରିଛନ୍ତି ।

ସେମାନେ କହିଛନ୍ତି ଯେ ,ଉଚ୍ଚନ୍ୟାୟାଳୟର ନିଷ୍ପତ୍ତି ସନ୍ତୋଷଜନକ ନହେଲେ କର୍ମଚାରୀ ମାନଙ୍କୁ ସୁପ୍ରିମ କୋର୍ଟକୁ ଯିବାକୁ ହେବ ଓ ଏହା ଏକ ବ୍ୟୟବହୁଳ ପ୍ରକ୍ରିୟା ହୋଇଥିବାରୁ ସମସ୍ତଙ୍କୁ ନ୍ୟାୟ ମିଳିପାରିବ ନାହିଁ । ଠିକ ସେହି ପରି ପୂର୍ବରୁ ବିଭିନ୍ନ ବିଚାରାଧୀନ କେସ୍‌ ରେ  ଭାରାକ୍ରାନ୍ତ ହୋଇରହିଥିବା ଉଚ୍ଚ ନ୍ୟାୟାଳୟରେ ସେମାନଙ୍କର କେସ୍‌ ବିଚାର କରିବା ପ୍ରକ୍ରିୟା ନିଶ୍ଚିତରୂପେ ବିଳମ୍ବିତ ହେବ ।

ବହୁ ବ୍ୟୟରେ ଟ୍ରିବୁନାଲର କାର୍ଯ୍ୟ।ଳୟ ନିର୍ମିତ ହୋଇଥିବା ବେଳେ ଏହା ଯେତେବେଳେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ,ସେତେବେଳେ ଏହାକୁ ଉଚ୍ଛେଦ କରିବାପାଇଁ ସରକାର ନେଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସ୍ୟାଟ୍‌ ବାର୍‌ ସଂଘ କହିଛି ।

ଓଡିଶା ଡଟ କମ

Exit mobile version