Site icon Odisha.com

ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଥିବା କଟକଣା ହଟାଇବା ପାଇଁ ବିଚାର

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) ଓଡିଶାରେ  ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆଦିବାସୀ ଦୁର୍ଗମ  ଅଞ୍ଚଳ ଗସ୍ତ ଉପରେ ତାଙ୍କ ଉପରେ ଥିବା କଟକଣାକୁ ସରକାର ପୁନର୍ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେମାନେ ଯେଉଁଠାକୁ ଇଚ୍ଛାକରିବେ ସେଠାକୁ ଯାଇପାରିବେ ,ଦୁର୍ଗମ ବଣପାହାଡ ଠାରୁ ଆରମ୍ଭକରି ଅପହଞ୍ଚ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ , ଏପରିକି ନକ୍ସଲ ପ୍ରବଣ ଅଞ୍ଚଳ ମଧ୍ୟ ଯେପରି ବୁଲିପାରିବେ ସେଥିପାଇଁ ସରକାର ବିଚାର କରୁଥିବା ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି  ।

ଏପରିକି ସମ୍ପୃକ୍ତ ଅଞ୍ଚଳରେ ସେମାନେ ଯେପରି ରାତ୍ରି ଯାପନ କରିପାରିବେ ସେଥିପାଇଁ ଆବଶ୍ୟକ ସୁବିଧା ସୁଯୋଗ ବ୍ୟବସ୍ଥା ମଧ୍ୟ ସରକାରଙ୍କ ଦ୍ଵାରା କରାଯିବା ପ୍ରସ୍ତାବ ରହିଛି  ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ଜଣେ ଇଟାଲିୟ ପର୍ଯ୍ୟଟକ ଓ ତାଙ୍କ ସାଥୀଙ୍କୁ ନକ୍ସଲମାନେ ଅପହରଣ କରିନେବାପରେ , ବିଦେଶୀ ପର୍ଯ୍ୟଟକଙ୍କ ଆଦିବାସୀ ଅଧ୍ୟୁସିତ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ମୁକ୍ତ ଗମନାଗମନ ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ ।

ପର୍ଯ୍ୟଟନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଓଡିଶାକୁ ଉକ୍ତ ବର୍ଷ ୧୮୩୪ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୩ ମସିହାରେ ୧୭୦୬ ଜଣ, ୨୦୧୪ ରେ ୧୧୮୪ ଜଣ ପର୍ଯ୍ୟଟକ ଆସିଛନ୍ତି ।

ଆମେରିକା,ଫ୍ରାନ୍ସ,ଇଟାଲି, ଅଷ୍ଟ୍ରେଲିଆ, ସ୍ପେନ,ମାଲେସିଆ ,କାନଡା ଇତ୍ୟାଦି ସ୍ଥାନରୁ ଆସୁଥିବା ଏହି ବିଦେଶୀ ପର୍ଯ୍ୟଟକ ମାନଙ୍କର ମୂଖ୍ୟ ଆକର୍ଷଣ ହେଉଛି ଦୁର୍ଗମ ଅଞ୍ଚଳରେ ପର୍ବତାରୋହଣ, ଦୁଃସାହାସିକ ଯାତ୍ରା ଓ ଜନଜାତିଙ୍କ ମଧ୍ୟରେ ସମୟ ଅତିବାହିତ କରିବା ।

ତେବେ ଏହି ଅଞ୍ଚଳରେ ଗମନାଗମନକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମିବାରେ ଲାଗିଥିବା ଅନୁମାନ କରାଯାଉଛି ।

ତେଣୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାପାଇଁ ଏହିପରି ଏକ ନିଷ୍ପତି ନିଆଯିବାପାଇଁ ବିଚାର କରାଯାଉଛି  ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ।
ଏଥିପାଇଁ ଗୃହ ବିଭାଗ ପ୍ରମୁ୍ଖଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିବାବେଳେ ଉକ୍ତ କମିଟି ଅତି ଶିଘ୍ର ପ୍ରତିବନ୍ଧକ ଉଠାଇବାପାଇଁ ସୁପାରିସ କରିବ ।

ଓଡିଶା ଡଟ କମ

Exit mobile version