Site icon Odisha.com

ବେଲବାହାଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) କେନ୍ଦୁଝର ଜିଲ୍ଲାରେ କୁଶେଇ ନଦୀ ଉପରେ ବ୍ରିଜ୍ ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କ ଉପରେ ପୁଲିସ୍ ଅତ୍ୟାଚାର କରିଥିବା ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପୁଲିସ୍ ମୁଖ୍ୟ ସଂଜୀବ ମାରିକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଆବେଦନ ଉପରେ ବିଚାର କରି କମିଶନ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀ ଦର୍ଶାଇଥିଲେ ଯେ, ଗତ ଜୁଲାଇ ୭ ତାରିଖ ଦିନ ବେଲବାହାଳିରେ କୁଶେଇ ନଦୀରେ ବ୍ରିଜ୍ ନିର୍ମାଣକୁ ବିରୋଧ କରି ଚାଲିଥିବା ଗଣଧାରଣାକୁ ଭଣ୍ଡୁର କରିବା ପାଇଁ ପୁଲିସ୍ ଅଚାନକ ଲାଠିଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ପୁଲିସ୍ ର ଆଖିବୁଜା ମାଡରେ ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ବହୁ ଲୋକ ଖଣ୍ଡିଆ ଖାବର ହୋଇଥିବା ଅଭିଯୋଗ ହୋଇଥିଲା । ବିଧବା, ବୃଦ୍ଧ, ଶିଶୁ, ରୋଗୀମାନଙ୍କୁ ମଧ୍ୟ ପୁଲିସ୍ ପିଟିଥିଲା । କେବଳ ସେତିକି ନୁହେଁ ବିଭିନ୍ନ ଗୁରୁତର ଦଫାରେ ପୁଲିସ୍ ଶତାଧିକ ଲୋକଙ୍କୁ ଗିରଫ କରି ଜେଲ୍ ପଠାଇଥିବା ସେ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ୍ ରାଇଟ୍ସ’ ପକ୍ଷରୁ ଏକ ଚାରି ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ବେଳବାହାଳି ଗସ୍ତ କରିବା ସହ ସେଠାରେ ପ୍ରତ୍ୟେକ୍ଷଦର୍ଶୀ ଓ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲା ।  ଏହି ରିପୋର୍ଟ ଆଧାରରେ ଫୋରମ୍ ର ୱାର୍କିଂ ଗ୍ରୁପ୍ ସଦସ୍ୟ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ ।

ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ, ଆହତମାନଙ୍କୁ କ୍ଷତିପୂରଣ ଓ ମିଥ୍ୟାକେସ୍ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଥିଲେ । କମିଶନ ଏହାର ବିଚାର କରି ପୁଲିସ୍ ବିରୁଦ୍ଧରେ ହୋଇଥିବା ଏହି ଅଭିଯୋଗ ଉପରେ ଉଚ୍ଚ କର୍ତୁପକ୍ଷ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେ ସମ୍ପର୍କୀତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version