Site icon Odisha.com

ନଦୀ ବଦଳରେ କୁତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦେଶାନାମା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ) ନଦୀରେ ମୂର୍ତ୍ତି ବିସର୍ଜନ ଦ୍ଵାରା ପ୍ରଦୂଷଣ ହେଉଥିବାରୁ ସେଥିପାଇଁ କୁତ୍ରିମ ପୋଖରୀ ବ୍ୟବହାର କରିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରାଜ୍ୟମାନଙ୍କ ପାଇଁ ଏକ ନିର୍ଦ୍ଦେଶାନାମା ଜାରିକରିଛନ୍ତି ।

ଏହି ନିର୍ଦ୍ଦେଶାନାମା ଆଧାରରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି ) ପ୍ରତ୍ୟେକ ପୌରସଂସ୍ଥାକୁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛି ।

ଭୁବନେଶ୍ଵର ମ୍ୟୁନିସିପାଲିଟି ତରଫରୁ ଦୟାନଦୀ ଓ କୁଆଖାଇ ନଦୀ କୂଳରେ ଓ ଟଙ୍କପାଣି ରୋଡ୍‌ ନିକଟରେ କୁତ୍ରିମ ପୋଖରୀ ଖୋଳିବାକୁ ସ୍ଥାନ ଚିହ୍ନଟ କରିଛି । ସେହିପରି କଟକରେ କାଠଯୋଡି ଓ ମହାନଦୀ କୂଳରେ କୁତ୍ରିମ ପୋଖରୀ ଖୋଳାଯାଇ ବିସର୍ଜନ କରାଯିବାପାଇଁ ନିଷ୍ପତି ହୋଇଛି ।

ମଙ୍ଗଳବାର ସଚିବାଳୟଠାରେ ଗୃହ ବିଭାଗ ସଚିବ ଅସିତ ତ୍ରିପାଠୀ ଙ୍କ ଧ୍ୟକ୍ଷତାରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସିପିସିବି ଜାରି କରିଥିବା ଗାଇଡ୍‌ ଲାଇନ୍‌କୁ କଡାକଡି ଭାବେ ରାଜ୍ୟରେ ପାଳନ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଥିଲା । ତୁରନ୍ତ ସ୍ଥାନ ଚିହ୍ନଟକରି ପୋଖରୀ ଖୋଳା କାମ ଆରମ୍ଭ କରିବା ପାଇଁ ଭୁବନେଶ୍ବର ଓ କଟକ ମହାନଗର ନିଗମ କମିଶନର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଦ୍ଵେତ ନଗରୀର ପୋଲିସ କମିଶନର ଏନେଇ ପୂଜା କମିଟି ମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ।ସେପଟେ କୁତ୍ରିମ ପୋଖରୀ ୧୦୦ ଫୁଟ ଲମ୍ବ ଓ ୨୦ ଫୁଟ ଓସାର ହେବା ଆବଶ୍ୟକ ବୋଲି ଗାଇଡ୍‌ ଲାଇନରେ କୁହାଯାଇଛି । ପୋଖରୀରେ ଏକ ଜାଲ ବିଛାଯିବ । ବିସର୍ଜନର ଏକ ଘଣ୍ଟା ପରେ ମୂର୍ତ୍ତିକୁ ପୋଖରୀରୁ ବାହାର କରି ଅନ୍ୟତ୍ର ରଖାଯିବ । ଗାଇଡ୍‌ ଲାଇନର ଉଲଙ୍ଘନକଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରକାଶଥାଉକି , ନଦୀ ବା ପୋଖରୀରେ ମୂର୍ତ୍ତି ବିସର୍ଜନ ଜଳ ପ୍ରଦୂଷଣର ଏକ ପ୍ରମୁଖ କାରଣ । ମୂର୍ତ୍ତି ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବିଭିନ୍ନ ରାସାୟନିକ ରଙ୍ଗ ,ଜିଙ୍କ ଓ ସୀସା ଭଳି ଦ୍ରାବକ ଜଳ ପ୍ରଦୂଷଣ କରିଥାଏ ।

ଏହି ପ୍ରଦୂଷିତ ଜଳକୁ ସ୍ଥାନୀୟ ଲୋକମାନେ ପାନୀୟ ଜଳ ଭାବେ ବ୍ୟବହାର କରିବା ଦ୍ଵାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରେ ଗାଧୋଇଲେ ବିଭିନ୍ମ ଚର୍ମ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ଏହାଦ୍ଵାରା ଜୀବଜନ୍ତୁ ମାନେ ମଧ୍ୟ ପ୍ରଭାବିତ ହୋଇଥାନ୍ତି ।

ଓଡିଶା ଡଟ କମ

Exit mobile version