Site icon Odisha.com

ଘରେ ପହଞ୍ଚିଲେ ଲିବିୟାରେ ଅପହୃତ ଓଡିଆ ଇଞ୍ଜିନିୟର

ଓଡିଶା ଡଟ କମ ସଂବାଦ ଦାତା

ଅକ୍ଟୋବର ୨ (ଓଡିଶା ଡଟ କମ) ଲିବିୟାରେ ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ଵାରା ଅପହୃତ ଓଡିଆ ଇଞ୍ଜିନିୟର ପ୍ରଭାତ ସାମଲ ସେମାନଙ୍କ କବଳରୁ ମୁକ୍ତ ହେବା ପରେ ଶୁକ୍ରବାର ନିଜ ରାଜ୍ୟ ଓଡିଶା  ଫେରିଛନ୍ତି ।

ଗୁରୁବାର ସେ ଦିଲ୍ଲୀରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିଲା ପରେ ଗଣମାଧ୍ୟମ ଆଗରେ ଅପହରଣ ସମୟର ଅନୁଭୂତି ବର୍ଣ୍ଣନା କରି କିପରି ଓ କାହିଁକି ସେହି ଆତଙ୍କବାଦୀ ସଂସ୍ଥା ଅପହରଣ କରିଥିଲେ ଓ କିଭଳି ସେ ମୁକ୍ତି ପାଇଲେ, ସେ ସବୁ ଲୋମହର୍ଷଣ କଥା ବର୍ଣନା କରିଥିଲେ  ।

ତାଙ୍କ ମୁକ୍ତି ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନଧରି ପ୍ରଭାସଙ୍କ ମୁକ୍ତି ନେଇ ଆଶଙ୍କା ଲାଗି ରହିଥିଲା । ଆତଙ୍କବାଦୀ ମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସେ ତାଙ୍କ ଭାଉଜଙ୍କୁ ପ୍ରଥମେ ଫୋନ୍‌ ଯୋଗେ ଜଣାଇଥିଲେ ।

କିନ୍ତୁ ତାପରେ ଆଉ ଫୋନ୍‌ ଯୋଗେ ତାଙ୍କ ସହିତ ଓଡିଶାରେ ରହୁଥିବା ତାଙ୍କ ସମ୍ପର୍କୀୟ ମାନେ ଫୋନ୍‌ ଯୋଗେ ଯୋଗାଯୋଗ କରିପାରିନଥିଲେ । ତେଣୁ ସେ ମୂକ୍ତ ହୋଇଛନ୍ତି କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ସେ ଭାରତରେ ପହଞ୍ଚିବାପରେ ତାଙ୍କ ପରିବାର ଲୋକେ ଆଶ୍ଵସ୍ଥ ହୋଇଛନ୍ତି । କେନ୍ଦ୍ରାପଡା କାରିଲୋପାଟଣା ଗ୍ରାମରେ ପ୍ରଭାସ ସାମଲଙ୍କ ଘର ।

ଦୂରଦର୍ଶନକୁ ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି ଯେ ସେପ୍ଟେମ୍ବର ୭ ତାରିଖରେ କିଛି ବ୍ୟକ୍ତି ତାଙ୍କୁ ଓ ଜଣେ ଭାରତୀୟ ଡାକ୍ତର ରାମମୂର୍ତ୍ତିଙ୍କ ସମେତ ଦୁଇଜଣ ବିଦେଶୀଙ୍କୁ ଆଖିରେ କଳାପଟି ବାନ୍ଧି ଅପହରଣ କରିନେଇଥିଲେ ।

ପ୍ରାୟ ଦଶ ଦିନ ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଫଳରେ ସେ ସୌଭାଗ୍ୟକ୍ରମେ ମୁକୁଳି ପାରିଥିଲେ । ” ଯଦି ରଖେ ହରି ମାରେ କିଏ” ଭୁବନେଶ୍ଵର ରେ ପହଞ୍ଚିବା ପରେ ସେ କହିଛନ୍ତି ।  ନିଜ ମୁକ୍ତିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏଃ ପୂର୍ବରୁ ପ୍ରଭାସ ଦିଲ୍ଲୀ ପହଞ୍ଚିବା ଖବର ବିଜୁଳି ବେଗରେ ପ୍ରଚାର ହେବା ପରେ ତାଙ୍କ ଗ୍ରାମ କାରିଲୋପାଟଣାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । ପରିବାରଲୋକେ ସ୍ଥାନୀୟ ମନ୍ଦିରରେ ପୂଜାର୍ଚନା କରିବା ସହ ନିଜ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ମିଠା ବାଣ୍ଟିଥିଲେ ।

ଜଣେ ଫିଲିଫାଇନସ ମହିଳାଙ୍କୁ ବିବାହ କରି ପ୍ରଭାସ ଗତ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲିବିଆରେ ଏକ ହସ୍‌ପିଟାଲରେ କାର୍ଯ୍ୟ କରୁଛନ୍ତି ସେଠାରେ ଏବେ ମଧ୍ୟ ଅଶାନ୍ତ ପରିସ୍ଥିତି ଲାଗିରହିଛି ।

ଓଡିଶା ଡଟ କମ

Exit mobile version