Site icon Odisha.com

କୁକ୍କୁଟ ନୀତିରେ ଦୈନିକ ଏକକୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅକ୍ଟୋବର ୩ (ଓଡିଶା ଡଟ କମ) ନିକଟରେ ରାଜ୍ୟ ସରକାରଙ୍କ ମଞ୍ଜୁରିପାଇଥିବା ନୂଆ କୁକ୍କୁଟ ନୀତି ଓଡିଶାରେ କୁକୁଡା ଉଦ୍ୟୋଗକୁ ଆବଶ୍ୟକ ପ୍ରୋତ୍ସାହନର ବ୍ୟବସ୍ଥା ରହିଥିବା ବେଳେ ଦୈନିକ ଏକ କୋଟି ଅଣ୍ଡା ଏବଂ ବାର୍ଷିକ ୧୦୦ ହଜାର ଟନ୍ କୁକୁଡ଼ା ମାଂସ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କୁକୁଡ଼ା ଉଦ୍ୟୋଗକୁ ଓଡ଼ିଶା ସରକାର ୨୦୦୫ ମସିହାରୁ କୃଷିର ମାନ୍ୟତା ଦେଇଛନ୍ତି । ଏଥି ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ପ୍ରୋତ୍ସାହନ ତଥା କୁକୁଡ଼ା ଦାନାରେ ବ୍ୟବହୃତ ହେଉଥିବା ମକା, କ୍ଷୁଦ ଉପରେ ଭ୍ୟାଟ୍ ପ୍ରତିପୂରଣ ଏବଂ ସ୍କୁଲ୍ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରତ୍ୟେକ ସପ୍ତାହରେ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି ।

ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଅଣ୍ଡାଦିଆ କୁକୁଡ଼ା ଫାର୍ମ କରିବା ପାଇଁ ମୂଳ ପୁଞ୍ଜି ବିନିଯୋଗ ଉପରେ ସର୍ବାଧିକ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ବର୍ତ୍ତମାନ ଦିଆଯାଉଛି ।

ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନାବାର୍ଡ଼ ଏବଂ ରାଜ୍ୟ କୃଷି ନୀତି-୨୦୧୩ ଅନୁଯାୟୀ ରିହାତି ପ୍ରଦାନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଜକ କମିଟି ଗଠନ କରାଯାଇ ସମସ୍ତ ପ୍ରକାର ସହଯୋଗ ଦିଆଯିବ ।

ଆଗାମୀ ଚାରି ବର୍ଷରେ ଅଧିକ ୬୦ ଲକ୍ଷ ଅଣ୍ଡା ଦିଆ କୁକୁଡ଼ା ଉଦ୍ୟୋଗ ପ୍ରତିଷ୍ଠା ଏବଂ ଅଧିକ ୪୦ ଲକ୍ଷ ମାଂସାଳ କୁକୁଡ଼ା (ବ୍ରୟଲର) ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପୁଞ୍ଜି ବିନିଯୋଗ ରିହାତି ସୁବିଧା ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

କୁକୁଡ଼ା ଉଦ୍ୟୋଗ ରୋଜଗାର ପନ୍ଥା ଯୋଗାଇବା ସଙ୍ଗେ ସଙ୍ଗେ ଅଣ୍ଡା ଏବଂ କୁକୁଡ଼ା ମାଂସର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ କୁକୁଡ଼ା ଫାର୍ମ କରିବା ପାଇଁ ଜମି କ୍ରୟ କରୁଥିବା ଉଦ୍ୟୋଗୀମାନେ ଷ୍ଟାମ୍ପ ଡୁ୍ୟଟି ବାବଦରେ ସମ୍ପୂର୍ଣ୍ଣ ଛାଡ଼ ପାଇବେ ।କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ କୃଷି ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ ପାଇଁ ଆବଶ୍ୟକ ଦେୟ ଦେବାକୁ ପଡ଼ିବ ନାହିଁ ।

କୁକୁଡ଼ା ଫାର୍ମ କରିବା ପାଇଁ ସରକାରୀ ଜମି ଲିଜରେ ଦିଆଯିବ ।କୁକୁଡ଼ା ଫାର୍ମ ପରିସରରେ ଅବସ୍ଥାପିତ ଦାନା ମିଶ୍ରଣ କେନ୍ଦ୍ର (ଫିଡ୍ ପ୍ଲାଣ୍ଟ)କୁ ଏକ ଅବିଚ୍ଛେଦ ଅଂଶ ଭାବେ ଗ୍ରହଣ କରାଯିବ ଏବଂ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ହିସାବରେ ପରିଗଣିତ କରାଯିବ ।

ରାଜ୍ୟରେ ଦେଖାଯାଉଥିବା ସ୍ଥାନୀୟ କୁକୁଡ଼ା ପ୍ରଜାତିମାନଙ୍କୁ ଠାବ କରାଯିବ ଏବଂ ସେମାନଙ୍କର ଉନ୍ନତି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ

ବାଡ଼ି ଅଗଣାରେ କୁକୁଡ଼ା, ବତକ ଓ ଜାପାନିଜ୍ କୁଏଲ ପାଳନ ଦ୍ୱାରା ଜୀବିକା ନିର୍ବାହ ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ । ଯାହାକି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ସଙ୍ଗେ ସଙ୍ଗେ ପୁଷ୍ଟି ଅଭାବକୁ ଦୂର କରିବ । ଗ୍ରାମାଞ୍ଚଳରେ ନିୟମିତ କୁକୁଡ଼ା ଟୀକା ତଥା କୃମି ନିବାରଣ ପାଇଁ କୁକୁଡ଼ା ଟୀକାଦାତା ଚୟନ କରି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ।

ଓପୋଲଫେଡ ମାଧ୍ୟମରେ ସହରାଞ୍ଚଳରେ ତାଜା କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ପାଇଁ ଆଧୁନିକ ବିକ୍ରୟ କେନ୍ଦ୍ର ଖୋଲାଯିବ ।ଗ୍ରାମାଞ୍ଚଳରେ ରଙ୍ଗୀନ୍ ପ୍ରଜାତିର ଅଧିକ ଉତ୍ପାଦନକ୍ଷମ କୁକୁଡ଼ା ପାଳନ ପାଇଁ ଆବଶ୍ୟକ ଚିଆଁକୁ ସହଜରେ ଏବଂ ସୁବିଧା ଦରରେ ଯୋଗାଇବା ପାଇଁ ରାଜ୍ୟର ଚିଆଁ ଉତ୍ପାଦନ କେନ୍ଦ୍ର ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version