ଓଡିଶା ନ୍ୟୁଜ/ Odisha News
ପରିବେଶ

ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଓଡିଶା ଡଟ କମ: କପିଳାସ ଭୂୟାଁ

ସିନିସିଙ୍ଗ, ଅକ୍ଟୋବର ୧୦ (ଓଡିଶା ଡଟକମ ) ନିଜର ଭାଗ୍ୟକୁ ବର୍ଷା ହାତରେ ଟେକିଦେଇ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଥିବା ଓଡିଶାର ଏକ ଆଦିବାସୀ ଗ୍ରାମର ବାସିନ୍ଦା ନିକଟରେ ଥିବା ଝରଣା ପାଣିର ସୁବିନିଯୋଗ କରି ନିଜ ଜଳା କଷ୍ଟ ଦୂର କରିପାରିଥିବା ବେଳେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି  ଅନନ୍ୟ ଉଦାହରଣ ।

DSCF2558 DSCF2531 IMG_8108 IMG_7978 IMG_7950 IMG_7539ବଣ ଜଙ୍ଗଲ ଘେରରେ ରହିଥିବା ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକ୍ ର ଅବାରସିଙ୍ଗ ପଞ୍ଚାୟତର ଏହି ଗ୍ରାମ ହେଉଛି ସିନିସିଙ୍ଗ । ଇସାରା ନାମକ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ଗ୍ରାମର ୩୬ ସଉରା ଆଦିବାସୀ ପରିବାରର ଏହି ଆର୍ଥିକ ଉନ୍ନତି ହୋଇଥିବା ଗ୍ରାମବାସୀ ମାନେ କହିଛନ୍ତି ।

ମହେଶ୍ଵର ପୂଜାରୀ, ବୟସ ୭୩ ବର୍ଷ । ସ୍ତ୍ରୀ ଶକୁନ୍ତଳା, ତାଙ୍କ ବୟସ ୬୦ ବର୍ଷ। ସାଥିରେ ରହନ୍ତି ଦୁଇ ଝିଅ ଚମ୍ପୁଲତା ଓ ରତ୍ନମଣି, ଏବଂ ଏକ ମାତ୍ର ପୁଅ ରମାକାନ୍ତ । ଏମାନଙ୍କୁ ନେଇ ମହେଶ୍ଵରଙ୍କର ପାଞ୍ଚ ପ୍ରାଣୀର ସଂସାର। ଚବିଶି ବର୍ଷର ବଡ ଝିଅ ଚମ୍ପୁଲତା, ଦି’ ବର୍ଷ ତଳେ ବିଭା  ହୋଇ ଯାଇଥିଲା ଯେ ଶିକ୍ଷକତା କରୁଥିବା ସ୍ଵାମୀ ସହ ତା’ର ନପଡିବାରୁ ଏବେ ଆସି ବାପଘରେ ରହୁଛି। ସ୍ଵାମୀ ସହ ଛାଡପତ୍ର କେସ ଲଢିବାକୁ ନିୟମିତ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ଯା’ଆସ କରୁଛି।

ପୁଅ ରମାକାନ୍ତର ବୟସ ଅଠର ବର୍ଷ ଓ ଚତୁର୍ଥ ଶ୍ରେଣୀ ପର୍ଯନ୍ତ ପଢିଛି। ପାଠ ପଢିଲାନି କି ଭେଣ୍ଡା ପୁଅ ହେଇକି ବି ବାପାକୁ କାମ ଧନ୍ଦାରେ ସାହାଯ୍ୟ କରୁ ନଥିବାରୁ ଏବେ ବି ମହେଶ୍ଵରଙ୍କୁ ହାଡଭଙ୍ଗା ଖଟଣି ଖଟିବାକୁ ପଡୁଛି। ୧୪ ବର୍ଷର ସାନଝିଅ ରତ୍ନମଣି କିନ୍ତୁ ପାଠରେ ଭଲ କରୁଛି ଓ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛି।

ତିନି ବର୍ଷ ତଳେ ମହେଶ୍ଵରଙ୍କ ଆର୍ଥିକ ଅବସ୍ଥା ଦୟନୀୟ ଥିଲା । ଦାରିଦ୍ର୍ୟ ଓ ବାର୍ଦ୍ଧକ୍ୟ ଦ୍ଵାରା ସେ ଆକ୍ରାନ୍ତ ହୋଇ ରହିଥିଲେ। ନିଜର ଦେଢ ଏକର ଜମି ଥିଲେ ସୁଦ୍ଧା ସେ ଆବଶ୍ୟକ ପାଣି ଅଭାବରୁ ଚାଷ ବାସ ଭଲ ଭାବରେ କରିପାରୁନଥିଲେ । ଗାଁର ଅନ୍ୟ ମାନଙ୍କ ପରି ପର୍ବତର ଗଡାଣିରେ ଜଙ୍ଗଲ ସଫା କରି ସେ ବଗଡ ବା ପୋଡୁଚାଷ କରୁଥିଲେ।

ବଗଡରେ ମାଣ୍ଡିଆ, ସୁଆଁ ବା ଜହ୍ନା ପରି ଅଳ୍ପ ପାଣି ଦରକାର କରୁଥିବା ଶସ୍ୟ ଚାଷ କରୁଥିଲେ। ସେଥିରୁ ଯାହା ଅମଳ ହେଉଥିଲା ପାଞ୍ଚ ପ୍ରାଣୀ କୁଟୁମ୍ବ ପାଇଁ ତାହା ନିଅଣ୍ଟ ହେଉଥିଲା। ଯଦି ବର୍ଷା ହେଉ ନଥିଲା ତେବେ ବଗଡ ବି ପୋଡି ଯାଉଥିଲା। ସେତେବେଳେ ଅନ୍ୟ ଗ୍ରାମବାସୀଙ୍କ ପରି ସେ ମଧ୍ୟ ନିଜ ପୋଡା ଭାଗ୍ୟକୁ ଦୋଷ ଦେଉଥିଲେ।

ତିନି ପଟେ ପର୍ବତ ଘେର ଭିତରେ ରହିଥିବା ଏହି ପଥୁରିଆ ଗାଁରେ ପାଣିର ସବୁବେଳେ ଅଭାବ ରହିଥିଲା ଗାଁ ତଳକୁ ଥିବା ପାଣିଖିଆ ନାଳରେ ପର୍ବତ ଉପରୁ ଆସୁଥିବା ପାଣି ଭୂଇଁରେ ସବୁବେଳେ ନଷ୍ଟ ହୋଇ ଯାଉଥିଲା ।

ଦୁବୁଦୁବା ଓ କେରଣ୍ଡା ସହ ଏହି ନାଳରେ ବର୍ଷା ଚାରିମାସ ପାଣି ମିଲୁଥିଲା କିନ୍ତୁ ଏହି ପାଣି କେବଳ ଗାଈଗୋରୁ ଓ ମଣିଷଙ୍କ ପିଇବା ସହ ଗାଧୁଆ ପାଧୁଆ ଓ ବାସନ ମଜାରେ ଶେଷ ହୋଇଯାଉଥିଲା । ଖରାଦିନେ ଏହି ଜଳ ଉତ୍ସ ସମ୍ପୂର୍ଣ ଶୁଖିଯାଉଥିଲା ।

ଖାଲି ମହେଶ୍ଵର ନୁହନ୍ତି, ଗାଁର ପ୍ରାୟ ସବୁଲୋକେ ବଡ କଷ୍ଟରେ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରି ବିକୁଥିଲେ, ନଚେତ କୁଲି କାମ କରିବାକୁ ବାହାରକୁ ଯାଉଥିଲେ – ଆଊ ଯାହାକିଛି ସେଥିରୁ ଆୟ ହେଉଥିଲା ସେଥିରେ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟଉଥିଲେ।

ତେବେ ମହେଶ୍ଵରଙ୍କ ପାଇଁ ଖରା ଚାରିମାସ ଭାରି କଷ୍ଟକର ହେଉଥିଲା। ସକାଳୁ ଘରୁ ବାହାରିପଡି ଆଖପାଖ ଗାଁ ଗୁଡିକୁ ଚାଲି ଯାଉଥିଲେ। କାହା କାହା ଘରେ ଯଦି କାହାର ଦେହ ଖରାପ କଥା ଶୁଣୁଥିଲେ ତେବେ ସେ ଘରେ ପହଞ୍ଚି ତୁଟୁକା ତୁଟୁକୀ ଔଷଧ ଦେଉଥିଲେ।

DSCF2429 DSCF2298 DSCF2588 DSCF2578 DSCF2558ଯାହା ଘରକୁ ଯାଉଥିଲେ ସେଠାରେ ତାଙ୍କୁ ଓଳିଏ ଖାଇବାକୁ ମିଳି ଯାଉଥିଲା। ସେତକ ଖାଇ ସେଇଠି ଟିକେ ବିଶ୍ରାମ ନେଇ ଖରା ତେଜ କମିଲା ପରେ ଘରକୁ ଫେରୁଥିଲେ। ଆର ଓଳିକ କେଉଁଠାରୁ ଖାଇବାକୁ ମିଳିବ, କି ସ୍ତ୍ରୀ ପିଲାଛୁଆ କଣ ଖାଇ ଜୀବନ ଜୀଇଁବେ ତାଙ୍କୁ ଜଣା ନଥିଲା।
ଜୀବନ କଷ୍ଟେମଷ୍ଟେ ଜୀଇଁବା ଅପେକ୍ଷା ମହେଶ୍ଵରଙ୍କ ପାଇଁ ଅନ୍ୟ କୌଣସି ଉପାୟ ନଥିଲା।

ଏବେ କିନ୍ତୁ ସମୟ ବଦଳିଛି । ବାପଅଜା ଅମଳରୁ ଥିବା ଦେଢ ଏକର ଜମି ସହ ଏବେ ଜଙ୍ଗଲ ସଂରକ୍ଷଣ ନିୟମ ଅନୁସାରେ ସରକାର ଦେଇଥିବା ଆଉ ଦୁଇ ଏକର ଜମିରେ ମହେଶ୍ଵର ଧାନ, ମକା, ମାଣ୍ଡିଆ, ସୁଆଁ, ଅମୃତଭଣ୍ଡା, କନ୍ଦମୂଳ ଆଦି ଫସଲ ଓ ପନିପରିବା ବର୍ଷକୁ ତିନି  ତିନିଥର ଅମଳ କରି ସେ ଏବେ ବେଶ ସ୍ଵାଚ୍ଛନ୍ଦ୍ୟରେ ଚଳି ପାରୁଛନ୍ତି। ସ୍ତ୍ରୀ ଶକୁନ୍ତଳା ଓ ବେଳେବେଳେ ହାତରେ ସମୟ ଥିଲେ ଝିଅ ଚମ୍ପୁଲତା ବିଲ କାମରେ ମହେଶ୍ଵରଙ୍କୁ ସାହାଯ୍ୟ କରୁଛନ୍ତି ।

ମହେଶ୍ଵରଙ୍କ ଚାଲି ଚଳନକୁ ଦେଖିଲେ ଲାଗିବ ତାଙ୍କୁ ହୁଏତ ଅଧିକରୁ ଅଧିକ ୬୫ ବର୍ଷ ହେଇଥିବ। ଏହାର କାରଣ ତାଙ୍କ ଚେହେରାରେ ଏବେ ଏକ ଯୁବ ସୁଲଭ ଚଞ୍ଚଳତା। ମହେଶ୍ଵରଙ୍କ ପରି ଗ୍ରାମର ସବୁ ବାସିନ୍ଦାଙ୍କ ମୁହଁରେ ଏବେ ହସ ଓ ଏହା ସମ୍ଭବ ହୋଇଛି ଝରଣା ପାଣିର ସୁବିନିଯୋଗ ଦ୍ଵାରା ଓ ଏହି ସୁବିନିଯୋଗର ରାସ୍ତା ଦେଖାଇଛନ୍ତି ‘ଇସାରା’ ସଂସ୍ଥାର ମୁଖ୍ୟ ରବୀନ୍ଦ୍ରନାଥ ପାତ୍ର ।

ପାତ୍ର ଗାଁକୁ ଆସି ଲୋକମାନଙ୍କ ସୁବିଧା ଅସୁବିଧା କଥା ଆଲୋଚନାବେଳେ ଜାଣିବାକୁ ପାଇଲେ ଯେ ପାଣି ହେଉଛି ଗାଁ ର ମୁଖ୍ୟ ସମସ୍ୟା । ସେ ପଚାରି ବୁଝିଲେ ଗାଁ ଉପରେ ପର୍ବତ କନ୍ଦରରେ କୌଣସି ଚିରସ୍ରୋତା ଝରଣାର ଉତ୍ସ ଅଛିକି? ଗାଁ ଲୋକେ ହଁ କହିଲେ, କିନ୍ତୁ ତା ଦ୍ଵାରା ସମସ୍ୟାର କେମିତି ସମାଧାନ ହେବ ବୁଝି ପାରିଲେ ନାହିଁ।

ରବୀନ୍ଦ୍ର ପୁଣି ଲୋକମାନଙ୍କୁ ବୁଝାଇଲେ ଯେ ମେ ମାସର ମୁଣ୍ଡଫଟା ଖରାଦିନେ ପର୍ବତ ଉପରେ ଯେଉଁ ଝରରେ ପାଣି ଥିବ ତାହା ହିଁ ଚିରସ୍ରୋତା ଝରଣାର ଉତ୍ସ, ଓ ସେଠାରୁ ପାଣି ଗାଁ ମୁଣ୍ଡକୁ ଆଣିଲେ ହିଁ ଲୋକଙ୍କ ଜଳ କଷ୍ଟ ଦୂର ହେଇପାରିବ। କିନ୍ତୁ ପର୍ବତ ଉପରୁ ଗାଁ ମୁଣ୍ଡକୁ ପାଣି ଆସିବ କେମିତି?

ରବୀନ୍ଦ୍ର ଓ ତାଙ୍କ ସାଥିଙ୍କ ସହ ଗାଁର କେତେଜଣ ଲୋକ ପର୍ବତ ଉପରେ ଖୋଜି ଖୋଜି ଗୋଟିଏ ଚିରସ୍ରୋତା ଝରଣା ଠାବ କଲେ। କିନ୍ତୁ ତାହା ଗାଁ ଠାରୁ ପର୍ବତର ଦୁଇ କିଲୋମିଟର ଉପରେ ଥିଲା।

ପର୍ବତ ଉପରୁ ପାଇପ ଦ୍ଵାରା ଡାଇଭରସନ ବେସଡ ଇରିଗେସନ ସିଷ୍ଟମ ଦ୍ଵାରା ଗାଁକୁ  ପାଣି ଆଣିବା ବିଷୟ ରବୀନ୍ଦ୍ରଙ୍କୁ ଜଣାଥିଲା। ଏହି ପ୍ରଣାଳୀ ଅନୁଯାୟୀ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଜଳର ନିମ୍ନମୁଖୀ ପ୍ରବାହ ଧାରା ଦ୍ଵାରା ବିଦ୍ୟୁତ ଶକ୍ତି ବ୍ୟବହାର ନକରି ପାଇପ ଦ୍ଵାରା ଜଳ ପ୍ରବାହ କରା ଯାଇପାରେ।

କିନ୍ତୁ ପର୍ବତ ଉପରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ପାଇପ ଲାଇନ ବିଛେଇବା ପାଇଁ ଖର୍ଚ କେଉଁଠୁ ଆସିବ?

ସେଥିପାଇଁ ରବୀନ୍ଦ୍ର ନିଜ ସଂସ୍ଥା ପକ୍ଷରୁ କଲିକତା ସ୍ଥିତ ମେନୋନାଇଟ ସେଣ୍ଟ୍ରାଲ କମିଟି (ଏମସିସି) ସହ ଯୋଗାଯୋଗ କଲେ । ସମସ୍ତ ପ୍ରାଣୀଙ୍କ ସର୍ବନିମ୍ନ ଆବଶ୍ୟକତା ତୁଲାଇବାକୁ ପ୍ରକୃତି କୋଳରେ ଯଥେଷ୍ଟ ସମ୍ପଦ ରହିଥିବା କଥାରେ ବିଶ୍ଵାସ ରଖୁଥିବା ଏହି ସଂସ୍ଥା ଦରକାର ମୁତାବକ ପାଇପ ଓ ଲୁହାଛଡ, ସିମେଣ୍ଟ, ଗୋଡିବାଲି, ଇତ୍ୟାଦି କଞ୍ଚାମାଲ ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଲା।

ତେବେ ଏହା ଯଥେଷ୍ଟ ନଥିଲା। ତେଣୁ ଏହି କାର୍ଯ୍ୟ ପାଇଁ ଶ୍ରମିକ ମଜୁରି କେଉଁଠାରୁ ଆସିବ ବୋଲି ସମସ୍ତେ ଚିନ୍ତାରେ ପଡିଲେ। ଗାଁ ସଭାରେ କଥା ପଡିଲା। ଗାଁ ଲୋକଙ୍କ ଉପକାର ପାଇଁ, ଜଳ କଷ୍ଟ ଦୂର କରିବା ପାଇଁ ଗାଁ ଲୋକେ ବିନା ପାରିଶ୍ରମିକରେ ଶ୍ରମଦାନ କଲେ କାମଟି ହୋଇ ପାରିବ ବୋଲି ମହେଶ୍ଵର ପୂଜାରୀଙ୍କ ନେତୃତ୍ଵରେ ସମସ୍ତେ ସହମତ ହେଲେ। ପ୍ରାୟ ଦୁଇ ମାସର ପରିଶ୍ରମ ପରେ ସତକୁ ସତ ଗାଁ ନିକଟକୁ ପାଣି ଆସିଗଲା। ଲୋକଙ୍କ ଖୁସି କହିଲେ ନସରେ, ମହେଶ୍ଵରଙ୍କର ମଧ୍ୟ।

ଗାଁକୁ ପାଣି ଆସିଲାନି ତ ବରଂ ମହେଶ୍ଵରଙ୍କ ଦେହରେ ଶତସିଂହର ବଳ ଆସିଗଲା। କାଳ ବିଳମ୍ବ ନକରି ମହେଶ୍ଵର ଓ ସ୍ତ୍ରୀ ଶକୁନ୍ତଳା ମିଶି ତାଙ୍କ ଜମିରୁ ପଥର କାଢି ଜମି ତିଆରି କଲେ। ଜମିରୁ ବାହାରୁଥିବା ପଥରକୁ ଜମି ଚାରିପଟେ ବାନ୍ଧି ବର୍ଷାଦିନେ ଜମି ଯେମିତି ଧୋଇ ହେଇ ନଯିବ ତାହାର ବ୍ୟବସ୍ଥା କଲେ। କମ୍ପୋଷ୍ଟ ଖତ ପକେଇ ଜମିକୁ ଚାଷ ଉପଯୋଗୀ କରାଇଲେ। ତା’ପରେ ମହେଶ୍ଵର ତାଙ୍କ ଜମିରେ ପାଞ୍ଚ ଫସଲ କରିବା ଆରମ୍ଭ କରିଦେଲେ।

ଏବେ ପ୍ରତିବର୍ଷ ମହେଶ୍ଵର ତାଙ୍କ ଜମିରେ ଧାନ, ମକା, କାନ୍ଦୁଲ, ମାଣ୍ଡିଆ, କନ୍ଦମୂଳ ତଥା ବାଇଗଣ, ଫୁଲ କୋବି, ବନ୍ଧା କୋବି, ଓଲ କୋବି, ମରିଚ, କଖାରୁ ଆଦି ପନିପରିବା ଫଳାଉଛନ୍ତି।

ପନିପରିବା ଖାଇବା ଯେଉଁ ଆଦିବାସୀ ଗାଁରେ ଦିନେ ସାତ ସପନ ଥିଲା, ସେହି ଗାଁରେ ଆଜି ମହେଶ୍ଵର ନିଯ ବାଡିର ପନିପରିବା ଖାଇବା ସହ ବନ୍ଧୁବାନ୍ଧବଙ୍କୁ କିଛି କିଛି ଦେବା ପରେ ବଜାରରେ ବିକ୍ରି କରି ବେଶ ଭଲ ଦି’ ପଇସା ଉପାର୍ଜନ କରି ପାରୁଛନ୍ତି। ଏହା ଛଡା ସେ ତାଙ୍କ ଜମିରେ ଆମ୍ବ ୨୫ ଗଛ, ଅମୃତଭଣ୍ଡା ଛ’ ଗଛ, ଏବଂ କଦଳୀ ପଚିଶି ଗଛ ମଧ୍ୟ ଲଗେଇଛନ୍ତି।

ସେଥିରୁ କିଛି କିଛି ଆୟ ମଧ୍ୟ ଆରମ୍ଭ ହେଲାଣି।

ଏବେ ମହେଶ୍ଵରଙ୍କ ହାତରେ ପ୍ରାୟ ଟଙ୍କା ପଚିଶି ହଜାର ପର୍ଯ୍ୟନ୍ତ ସଞ୍ଚୟ ମଧ୍ୟ ରହିଛି। ଆଗରୁ ଦାରିଦ୍ର୍ୟ ସୀମାରେଖା ତଳେ, ଅର୍ଥାତ ବିପିଏଲ ତାଲିକାରେ ଥିବା ମହେଶ୍ଵରଙ୍କ ନାଁ କଟି ଯାଇ ବର୍ତ୍ତମାନ ଦାରିଦ୍ର୍ୟ ସୀମାରେଖା ଉପରେ, ଅର୍ଥାତ ଏପିଏଲ ତାଲିକାରେ ସାମିଲ ହୋଇଛି । ଏହା କ’ଣ କିଛି କମ ଗୌରବର କଥା ?

ଓଡିଶା ଡଟ କମ

Leave a Reply

This site uses Akismet to reduce spam. Learn how your comment data is processed.