Site icon Odisha.com

ଅନଲାଇନ ଅର୍ଡର କରି ଘରେ ପାଆନ୍ତୁ ଚିଲିକା ମାଛ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଅକ୍ଟୋବର ୧୫ , (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ଖାଉଟି ଅନଲାଇନରେ ଅର୍ଡର ଦେଇ ତଟକା ଚିଲିକା ମାଛ, ଶୁଖୁଆ, କଙ୍କଡା, ଚିଙ୍ଗୁଡି ଆଦି ଘରେ ବସି ପାଇପାରିବେ ।

ମତ୍ସ୍ୟଜୀବୀଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା ଓଡିଶା ରାଜ୍ୟ ମତ୍ସ୍ୟଜୀବୀ ସମବାୟ ମହାସଂଘ (ଫିସଫେଡ) ଲିଃ ଏହି ଅନ୍-ଲାଇନ୍ ବିକ୍ରିବଟା ବ୍ୟବସ୍ଥାର ଗୁରୁବାର ଶୁଭାରମ୍ଭ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ରାଜ୍ୟରେ ମତ୍ସ୍ୟ ସମ୍ପଦର ବିକାଶ ସମ୍ପର୍କିତ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଆୟୋଜିତ ଏକ କର୍ମଶାଳା ଅବସରରେ ଉଦଘାଟନ କରିଥିଲେ ।

ଏହି ଅବସରରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ ପି କ୍ରୀଷ୍ଣ ମୋହନ, ଫିସଫେଡ ସଭାପତି ଟି ପ୍ରସାଦ ରାଓ ଦୋରା ଓ ପରିଚାଳନା ନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ପ୍ରଥମ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆର୍ଥିକ ସହାୟତାରେ ଫିସଫେଡ ଚିଲିକା ଫ୍ରେସ ନାମରେ ରାଜଧାନୀରେ କେତେକ ବିକ୍ରୟ କେନ୍ଦ୍ର ସ୍ଥାପନ କରିଛି । ଏହି କେନ୍ଦ୍ର ମାନଙ୍କରୁ ସୁଲଭ ଦରରେ ଗ୍ରାହକ ସ୍ଵାସ୍ଥ୍ୟକର ଚିଲିକା ମାଛ ପାଉଛନ୍ତି ।

ଫିସଫେଡ ଚିଲିକା ଫ୍ରେସ ର ପ୍ରଥମ ବିକ୍ରୟ କେନ୍ଦ୍ର ଗତ ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଶିରିପୁର ଛକରେ ଆରମ୍ଭ ହୋଇଥିଲା ।

ପରେ ଆଇଆରସି ଭିଲେଜରେ ଫିସଫେଡ ଆଉ ଏକ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିଥିଲା । ଏହି ବିକ୍ରୟ କେନ୍ଦ୍ର ଗୁଡିକରୁ ଅନ୍-ଲଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ଖାଉଟିମାନେ ଉତ୍ତମ ମାନର ତଥା ସ୍ୱାସ୍ଥ୍ୟକର ଓ ରପ୍ତାନି ଉପଯୋଗୀ ତାଜା ନଦୀ ଓ ସମୁଦ୍ର ମାଛ ବରାଦ କରିପାରିବେ ବୋଲି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଅନ୍-ଲାଇନ୍ ମାଛ ବରାଦ କରିବାପାଇଁ ଉପଭୋକ୍ତା/ଖାଉଟି ମାନଙ୍କୁ (www.chilikafresh.in) ରେ କ୍ଲିକ୍ କରିବାକୁ ପଡିବ ।

ଓଡିଶା ଡଟ କମ

Exit mobile version