ରୋକ ଠୋକ

ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)

-ହରିହର ଶତପଥି

‘ସେମାନଙ୍କୁ ନଇଁବାକୁ କୁହାଗଲା କିନ୍ତୁ ସେମାନେ ଗୁରୁଣ୍ଡିଲେ’ ଏହାଥିଲା ଜରୁରୀକଳୀନ ପରିସ୍ଥିତିରେ ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କ ଭୂମିକା ପ୍ରତି ଲାଲକୃଷ୍ଣ ଆଡଭାନୀଙ୍କର ଏକ ପରିଚିତ ମନ୍ତବ୍ୟ । ସେହି ସମୟରେ ଓଡିଶାର କବିମାନେ ମଧ୍ୟ ଲେଖିବାକୁ ଭୁଲି ନଥିଲେ ଯେ, ‘ଜଗନ୍ନାଥଙ୍କ ଦୁଇ ଆଖି ଇନ୍ଦିରା ଓ ନନ୍ଦିନୀ’ ।

hariharଏହି ପରିପ୍ରେକ୍ଷିରେ ବିଚାରକଲେ ଆଜି ସାହିତି୍ୟକମାନଙ୍କର ଏକାଡେମୀ ପୁରସ୍କାର ଫେରାଇବା, ସାହିତ୍ୟ ଏକାଡେମୀ ସଭ୍ୟପଦରୁ ଇସ୍ତଫା ଦେବା, ସରକାରୀ ପ୍ରଦତ୍ତ ପଦ୍ମ ପୁରସ୍କାର ଫେରାଇବା ଆଦି ଘଟଣାକୁ ବିଚାର କଲେ ଆମର ପ୍ରତିବାଦ କରିବାର ଶକ୍ତି ବୃଦ୍ଧି ପାଇଛି ବୋଲି ମନେ ହେଉଛି କିନ୍ତୁ ନିରପେକ୍ଷ ଭାବରେ ବିଚାରକଲେ ଏହା ଆମ ବୁଦ୍ଧିଜୀବିମାନଙ୍କର ଏକ କାଙ୍ଗାଳିଆ ପଣର ପ୍ରଦର୍ଶନ ବ୍ୟତୀତ ଅନ୍ୟ କିଛି ନୁହେଁ ।

ପ୍ରଥମେ ବିଚାର କରାଯାଉ ଏହି ଇସ୍ତଫା ପ୍ରଦାନ ଗଙ୍ଗାଧାର ଗଙ୍ଗୋତ୍ରୀଙ୍କ କଥା । ସେ ହେଉଛନ୍ତି ନୟନତାରା ସେହଗଲ । ଯିଏ ପ୍ରଥମେ ଦେଶରେ ପରସ୍ପର ମଧ୍ୟରେ ବିଦ୍ୱେଷ ବୃଦ୍ଧି ପାଉଛି ଅଭିଯୋଗକରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଫେରାଇଦେବା ଘୋଷଣା କଲେ ଅବଶ୍ୟ ତାଙ୍କୁ ସମର୍ଥନ କରି ଅଶୋକ ବାଜପାୟୀଙ୍କ ଠାରୁ ଆରମ୍ଭକରି ଶଶି ଦେଶପାଣ୍ଡେଙ୍କ ପର୍ଯ୍ୟନ୍ତ ଅନେକ ଲେଖକ ପୁରସ୍କାର କିମ୍ବା ପଦବୀକୁ ଛାଡିବାରେ ଲାଗିଛନ୍ତି ।

ଏହି ତାଲିକା ଆଗକୁ ଆହୁରି ବଢିବାର ସମ୍ଭାବନା ଦିଶୁଛି । କାରଣ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ସଂଘ , ଗୋପାଳକୃଷ୍ଣ ଗାନ୍ଧୀ,ସଲମନ ରସଦି ପ୍ରମୁଖ ସଂଗଠନ ଓ ବ୍ୟକ୍ତିମାନେ ଏଥିପାଇଁ ଅଷ୍ଟ ପ୍ରହର କସରତ କରିବାରେ ଲାଗିଛନ୍ତି । ସୋଶିଆଲ ମିଡିଆରେ ନୟନତାରାଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରାଯାଇଛି ।

ଶିଖ୍ ଦଙ୍ଗାବେଳେ ଯେଉଁମାନେ ବଡ ଗଛ ପଡିଗଲେ ପୃଥିବୀ ଦୁଲୁକେ ବୋଲି ପ୍ରଚାର କରୁଥିଲେ ସେହିମାନଙ୍କ ଠାରୁ ୧୯୮୬ ମସିହାରେ ଏକାଡେମୀ ପୁରସ୍କାର ଗ୍ରହଣ କରିଥିବାରୁ ଏବଂ କାଶ୍ମୀରି ପଣ୍ଡିତମାନେ କାଶ୍ମୀର ଉପତ୍ୟକାରୁ ଜୀବନ ବିକଳରେ ପଳାୟନ କରୁଥିବା ବେଳେ ଏହି କାଶ୍ମୀର ପଣ୍ଡିତଙ୍କର ଦାୟାଦ ନୟନତାରାଙ୍କ ମୁହଁରେ ତାଲା ପଡିଥିବା ଯୋଗୁଁ ତାଙ୍କୁ ସମାଲୋଚନା କରାଯାଇଛି ।

କିନ୍ତୁ ଅସଲ କଥାଟି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ନେହେରୁଙ୍କର ପ୍ରତିଷ୍ଠା ଓ ସମ୍ମାନ ମଳିନ ହେବାରେ ଲାଗିଛି । ନେତାଜୀ ସୁଭାଷ ବୋଷ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତୁ୍ୟ ରହସ୍ୟ ଖୋଲିଗଲେ ନେହେରୁ ଗାନ୍ଧି ପରିବାରର ସମ୍ମାନ ଆହୁରି ହ୍ରାସ ପାଇବାର ସମ୍ଭାବନା ମଧ୍ୟ ଅଛି ।

ନୟନତାରା ଏଥିପାଇଁ ବିଶେଷ କ୍ଷୁବ୍ଧ ଅଛନ୍ତି ା ତାଙ୍କର କ୍ଷୋଭ କଥା ପୁରସ୍କାର ଫେରାଇବାର ପୁର୍ବରୁ ମଧ୍ୟ ଏକଥା ଏକ ଦୈନିକ ସମ୍ବାଦ ପତ୍ରକୁ ସାକ୍ଷାତ ଦେଇ କହିଥିଲେ । ତେଣୁ ତାଙ୍କର ପୁରସ୍କାର ଫେରାଇବାର ପ୍ରକୃତ କାରଣ ସହଜରେ ଅନୁମେୟ । ବର୍ତ୍ତମାନ ପୁରସ୍କାର ଫେରାଇବା ଏବଂ ପଦପଦବୀରୁ ଇସ୍ତଫା ଦେବାର କାର୍ଯ୍ୟକଳାପକୁ ବିରୋଧ କରିବା ଆରମ୍ଭ ହୋଇଛି ।

ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନରେ ସରକାରଙ୍କର ଭୂମିକା ନଥିବାରୁ ଏବଂ ଭିନ୍ନମତବାଦୀମାନଙ୍କର ହତ୍ୟା ଘଟଣା ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିବାରୁ ଏହି ପୁରସ୍କାର ଫେରାଇବା ଆନ୍ଦୋଳନ ଏକ ହାସ୍ୟାସ୍ପଦ କଥାରେ ପରିଣତ ହୋଇଛି । ସେଥିପାଇଁ ଏହି ଆନ୍ଦୋଳନ ପ୍ରତି ଜନ ସମର୍ଥନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଏକଥା ସତ ଯେ,ଗୋଟିଏ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଭିନ୍ନ ମତବାଦୀମାନଙ୍କୁ ସମ୍ମାନ ଦେବାକଥା । ଆଜି ଯେଉଁମାନେ ହେତୁବାଦୀ ଲେଖକଙ୍କର ହତ୍ୟାରେ ପ୍ରଧାନମନ୍ତ୍ରୀ ଚୁପ୍ ରହୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ସେମାନେ କର୍ଣ୍ଣାଟକର ଶ୍ରୀରାମ ସେନାର କର୍ମକର୍ତ୍ତା ପ୍ରମୋଦ ମୁଠିଲିକଙ୍କୁ ଅପମାନିତ କରି ଥିବା କଂଗ୍ରେସ କର୍ମୀ ଜୀ.ଭି. ସିନ୍ନିବାସଙ୍କୁ ରାହୁଳ ଗାନ୍ଧୀ ସମ୍ବର୍ଦ୍ଧନା ଦେବାବେଳେ ଭାରି ଖୁସି ହେଉଥିଲେ ।

ଅସହିଷ୍ଣତାକୁ କେଉଁମାନେ ଉତ୍ସାହିତ କରୁଛନ୍ତି ସେ କଥା ଜନ ସାଧାରଣ ଭଲ ଭାବରେ ବୁଝିଛନ୍ତି । ଆଜି ଯେଉଁ ପ୍ରଗତିଶୀଳ ଲେଖକ ସାମ୍ବାଦିକମାନେ ସହୁଷ୍ଣୁତାର କଥା କହୁଛନ୍ତି ସେମାନେ କେତେ ସହିଷ୍ଣୁ ଓଡିଶାର ଲୋକେ ଭଲ ଭାବରେ ଜାଣିଛନ୍ତି । ଡ.ମାୟାଧର ମାନସିଂହ ଓଡିଆ ସାହିତ୍ୟର ଇତିହାସ ଲେଖିଲା ପରେ ଓଡିଆ ସାହିତ୍ୟ ଜଗତରେ ଦୁଇ ସିଂହ ଲଢେଇ ଦେଖିବାକୁ ମିଳିଥିଲା ।

ସେହି ସମୟରେ ପ୍ରଗତିଶୀଳ ଲେଖକମାନେ ଏକ ଷଣ୍ଢକୁ ଭାଙ୍ଗ ଖୁଆଇ କଟକରେ ହେଉଥିବା ମାନସିଂହ ସମର୍ଥକଙ୍କ ସଭାରେ ସେହି ଷଣ୍ଢକୁ ପୁରାଇ ସେହି ସଭା ଭଣ୍ଡୁର କରିଥିଲେ । ଏଭଳି ଅନେକ ସହିଷ୍ଣୁତାର ପ୍ରମାଣପତ୍ର ସେମାନେ ଦେଇଛନ୍ତି । ସାହିତି୍ୟକମାନଙ୍କର ଆଜିର ପ୍ରତିବାଦ କେବଳ ଲୋକ ଦେଖାଣିଆ ।

ଯେଉଁମାନେ ନିଜକୁ ଧର୍ମନିରପେକ୍ଷ ବୋଲି ଘୋଷଣା କରି ସାଂପ୍ରଦାୟିକ ଶକ୍ତିମାନଙ୍କ ବିରୁଦ୍ଧରେ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଓଡିଶାର ଆଳି ନିଆଳି ପର୍ଯନ୍ତ ବିଷୋଦୋଗାର କରି ଆସିଛନ୍ତି ସେମାନେ ଅନ୍ତତଃ ବୁଝିବା ଉଚିତ ଯେ ତାଙ୍କର ଏତେ ଲେଖିବା ସତ୍ତ୍ୱେ ତଥା କଥିତ ସାଂପ୍ରଦାୟିକ ଶକ୍ତିମାନେ କେବଳ ଉପରକୁ ଉଠି ଉଠି ଯାଉଛନ୍ତି ।

ଯେଉଁମାନେ ୨୦୧୪ ମସିହାରେ ଦଙ୍ଗା ଡଙ୍ଗା ଉପରେ ବସି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା କରୁଥିଲେ ସେମାନଙ୍କର ସେ ଡଙ୍ଗା କାହିଁକି ବୁଡିଗଲା ଅନ୍ତତଃ ସେ ସମ୍ବନ୍ଧରେ ସେମାନେ ନିଜେ ଆତ୍ମ ସମୀକ୍ଷା କରିବା ଉଚିତ୍ ।

କଲମକୁ ଛାଡି ଆଲୋଚନାକୁ ଛାଡି ରାଜରାସ୍ତାରେ ଆନେ୍ଦାଳନ କରି ସାଂପ୍ରଦାୟୀକ ଶକ୍ତିମାନଙ୍କୁ ପରାସ୍ତ କରିବା ପାଇଁ ଯଦି ଲେଖକମାନେ ଭାବୁ ଥାନ୍ତି ତାହା ହେଲେ ଆମକୁ ବୁଝିବାକୁ ହେବ ଯେ ଲେଖକମାନଙ୍କର ତାଙ୍କ କଲମ ଉପରେ ବିଶ୍ୱାସ ନାହିଁ । ପିଲାଦିନେ ଆମେ ଯାହା ପଢୁଥିଲୁ ଅସି ଠାରୁ ମଶି ବଡ ତାହା କଣ ଭୁଲ ଥିଲା ।

ନା ଏହି ସାଂପ୍ରତିକ ଲେଖକ ମାନଙ୍କର କିଛି ଦେବାଳିଆ ପଣ ଅଛି । ନିଜ ପରିଧି ବାହାରେ ପ୍ରବେଶ କରିବାର ପରିଣତି ସବୁବେଳେ ଦୁଃଖଦାୟକ ହୋଇଥାଏ । ଅସହିଷ୍ଣୁତାର ପ୍ରତିବାଦ କରି ସେମାନେ ତସଲିମା ନସରିନଙ୍କ ପରି ସାହିତ୍ୟ ମାଧ୍ୟମରେ ପ୍ରତିବାଦ କରିବା ଉଚିତ୍ । ସାହିତ୍ୟ ବାହାନାରେ ଲେଖକମାନଙ୍କ ରାଜନୀତିକୁ ଜନସାଧାରଣ କେବେ କ୍ଷମା କରିବେ ନାହିଁ ।

ଏକଥା ଲେଖିବା ବେଳେ ଲେଖକୁ ଜାଣିବାକୁ ମିଳିଲା ଯେ, ଓଡିଶାର ଜଣେ ବିଶିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସେ ପାଇଥିବା ନାରଦ ସମ୍ମାନ ପୁରସ୍କାର ଫେରାଇ ଦେବାକୁ ଘୋଷଣା କରିଛନ୍ତି ।

‘ସାଂପ୍ରତିକ ସାଂପ୍ରଦାୟୀକ ଶକ୍ତିମାନଙ୍କର ସ୍ୱେଚ୍ଚାଚାରିତା ବିରୁଦ୍ଧରେ ସୃଜନଶୀଳ ସମୁଦାୟର ଦାୟିତ୍ୱ’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ଯୋଗଦେଇଥିବା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ନାରଦ ସମ୍ମାନ ଫେରାଇବାକୁ ଘୋଷଣା କରିଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଛି ।

ଯଦି ଏହା ସତ୍ୟ ହୋଇଥାଏ ଏ ପୁରସ୍କାର ଫେରାଇବା ତାଙ୍କର ନିଜସ୍ୱ ନିସ୍ପତ୍ତି ନହୋଇ ଅନ୍ୟ କାହାର ଚାପରେ କିମ୍ବା ବାଧ୍ୟବାଧକତାରେ କିମ୍ବା ଭାବ ପ୍ରବଣତାରେ ତାଙ୍କର ଏହି ନିସ୍ପତ୍ତି ପ୍ରକାଶ ପାଇଥାଇ ପାରେ ।

ସାଧାରଣ ଭାବରେ ଏଠାରେ ପ୍ରଶ୍ନ ଉଠେ ୨୦୦୩ ମସିହାରେ ନାରଦ ସମ୍ମାନ ପାଇଥିବା ପ୍ରଶାନ୍ତ ପଟ୍ଟନାୟକ ବିଶ୍ୱ ସମ୍ବାଦ କେନ୍ଦ୍ରର ସାଂପ୍ରଦାୟିକ ସ୍ୱେଚ୍ଛାଚାରିତା ସଂପର୍କରେ କେବେ ଅବଗତ ହେଲେ ? ୨୦୦୮ ମସିହାରେ ଓଡିଶାରେ ଘଟିଥିବା ସାଂପ୍ରଦାୟିକ ବିଦ୍ୱେଷ ସମୟରେ ସେ କେଉଁଠି ଥିଲେ ?

ସେତେବେଳେ ଯେଉଁମାନେ ଓଡିଶାରେ ସାଂପ୍ରଦାୟିକ ବିଦ୍ୱେଷ ପାଇଁ ହିନ୍ଦୁତ୍ୱ ବାଦୀମାନଙ୍କୁ ସମାଲୋଚନା କରୁଥିଲେ ଏବଂ ସେଥିପାଇଁ ମାଓନେତା ସବ୍ୟାସାଚୀ ପଣ୍ଡାଙ୍କର ଏକ ଟେଲିଭିଜନ ସାକ୍ଷାତକାରକୁ ଅସ୍ତ୍ରରୂପେ ବ୍ୟବହାର କରୁଥିଲେ । ଏବେ ସେହି ଟେଲିଭିଜନ ସାକ୍ଷାତକାରକୁ ମାଓ ନେତା ସବ୍ୟସାଚୀ ପଣ୍ଡା ନିଜେ ଅସ୍ୱୀକାର କରିସାରିଛନ୍ତି ।

କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସବ୍ୟସାଚୀ ପଣ୍ଡାଙ୍କର କାନ୍ଧରେ ବନ୍ଧୁକ ରଖି ହିନ୍ଦୁତ୍ୱବାଦୀ ସଂଗଠନମାନଙ୍କ ଉପରେ ଯେଉଁମାନେ ଆକ୍ରମଣ କରୁଥିଲେ ସେମାନେ ଆଜି ପର୍ଯ୍ୟନ୍ତ ସେଥିପାଇଁ ଦଃଖ ପ୍ରକାଶ କରିନାହାଁନ୍ତି ଏବଂ ନିରବ ରହିଛନ୍ତି । ଆଜି ସେମାନଙ୍କ ପ୍ରରୋଚନାରେ ପ୍ରଶାନ୍ତ ପଟ୍ଟନାୟକଙ୍କର ନାରଦ ସମ୍ମାନ ପୁରସ୍କାର ଘୋଷଣା ପ୍ରକୃତରେ ଏକ ବୈାଦ୍ଧିକ ଔଦ୍ଧତ୍ୟ ମାତ୍ର ା

ଅତୀତରେ ସାହିତ୍ୟର ନାମୀଦାମୀ ପୁରସ୍କାରକୁ ପ୍ରତ୍ୟାଖାନ କରିଥିବା ଉମେଶ ପତ୍ରୀ ଏବଂ ଶରତ ମହାନ୍ତିଙ୍କୁ ଏ ସଂପର୍କରେ ସ୍ମରଣ କରାଯାଇ ପାରେ । ସେମାନଙ୍କର ନମ୍ରତା ଏବଂ ତାଙ୍କ ବିବେକର ଆହ୍ୱାନ ପ୍ରଶାନ୍ତ ପଟ୍ଟନାୟକଙ୍କର ପୁରସ୍କାର ଫେରାଇବାରେ ନାହିଁ । ଏହା ଅତି ସ୍ପଷ୍ଟ । ସତରେ ମତିଭ୍ରମିମାନେ ବେଳେ ବେଳେ ମୁନି ଭଳି ଦିଶନ୍ତି ।

ଗ୍ରାମ/ ପୋଷ୍ଟ-ମଣ୍ଡଳ, ଜିଲ୍ଲା-ବଲାଙ୍ଗୀର

ମୋ-୮୦୧୮୨୫୮୭୯୨

୧୮ ଅକ୍ଟୋବର ୨୦୧୫

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମ ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

Leave a Reply

This site uses Akismet to reduce spam. Learn how your comment data is processed.