ଅସହିଷ୍ଣୁତାର ସୀମା- ପ୍ରଶାନ୍ତ ପଟ୍ଟନାୟକ (ତୃତୀୟ ନୟନ)

ପ୍ରଶାନ୍ତ ପଟ୍ଟନାୟକ

ଭାରତ ସ୍ୱାଧୀନ ହେବାର ୬୮ ବର୍ଷ ପରେ ଆମ ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଯେଉଁଭଳି ଘନିଷ୍ଠତା ରହିବ ଏବଂ ପ୍ରତ୍ୟେକ ଜାତି, ଧର୍ମ ନିର୍ବିଶେଷରେ ନିଜକୁ ଭାରତୀୟ ଭାବରେ ଗର୍ବ ଅନୁଭବ କରିବାର ଆବଶ୍ୟକତା ରହିଛି, ସେଥିରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ବ୍ୟତିକ୍ରମ ଦେଖାଦେଉଥିବାରୁ ସାମାଜିକ ସନ୍ତୁଳନ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି ।

ଇଂରାଜୀ ଶାସକମାନଙ୍କ କବଳରୁ ଭାରତ ଓ ପାକିସ୍ତାନ ଗୋଟିଏ ଦିନରେ ମୁକ୍ତି ପାଇ ସ୍ୱାଧୀନ ରାଷ୍ଟ୍ର ରୂପେ ସ୍ୱୀକୃତି ଲାଭ କରିବା ସମୟରେ ପାକିସ୍ତାନ ନିଜକୁ ମୁସଲମାନ୍ ରାଷ୍ଟ୍ର ଭାବେ ପରିଚିତ କରାଇଥିବା ସ୍ଥଳେ ଭାରତ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା ।

୨୦୧୧ର ଜନଗଣନା ଅନୁଯାୟୀ ହିନ୍ଦୁଙ୍କ ସଂଖ୍ୟା ୯୬.୬୩ କୋଟି (୭୯.୮%), ମୁସଲମାନ ୧୭.୨୨ କୋଟି (୧୪.୨%), ଖ୍ରୀଷ୍ଟିଆନ୍ ୨.୭୮କୋଟି (୨.୩%), ଶିଖ୍ ୨.୦୮ କୋଟି (୧.୭%), ବୌଦ୍ଧ ୦.୮୪ କୋଟି (୦.୭%), ଜୈନ୍ ୦.୪୫ କୋଟି (୦.୪%), ଅନ୍ୟାନ୍ୟ ଧର୍ମାବଲମ୍ବୀ ୦.୭୯ (୦.୭%) ଏବଂ ନାସ୍ତିକ ୦.୨୦ କୋଟି (୦.୨%) ।

୨୦୧୫ରେ ଭାରତର ଜନସଂଖ୍ୟା ୧,୨୮୨,୩୯୦,୩୦୩ ଥିବାବେଳେ ୨୦୧୪ରେ ୧,୨୬୭,୪୦୧,୮୪୯, ୨୦୧୦ରେ ୧,୨୦୫,୬୨୪,୬୪୮ ଏବଂ ୨୦୦୫ ମସିହାରେ ୧,୧୨୭,୧୪୩,୫୪୮ ରେକର୍ଡ କରାଯାଇଛି ।

ଏହି ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଆମ ଦେଶରେ ହିନ୍ଦୁ ଧର୍ମର ଜନସଂଖ୍ୟା ଅନ୍ୟ ସମ୍ପ୍ରଦାୟ ତୁଳନାରେ ଯେ ବହୁ ଗୁଣ ଅଧିକ ରହିଛି ଏବଂ ସେଭଳି ରହିଥିବ ଏଥିରେ ସନ୍ଦେହ ନାହିଁ । ମାତ୍ର ଭାରତକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାରେ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିମାନେ ବିଭିନ୍ନ ସମ୍ପ୍ରଦାୟରେ ଅସହିଷ୍ଣୁତା ସୃଷ୍ଟି କରି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବିବାଦରୁ ରାଜନୈତିକ ‘ଫାଇଦା ଉଠାଇବା ପାଇଁ ତତ୍ପରତା ପ୍ରକାଶ କରୁଥିବା ପରିଲକ୍ଷିତ ହେଉଛି ।

ଗୋଟିଏ ଡିଆସିଲି କାଠି ଯେଭଳି ବିରାଟ ବସ୍ତିକୁ ଜାଳିପୋଡ଼ି ପାଉଁଶ କରିଦେଇପାରେ, ସେହିଭଳି ସ୍ୱଳ୍ପ କେତେକ ବ୍ୟକ୍ତିଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ସାମ୍ପ୍ରଦାୟିକତାର ଅଗ୍ନି ସ୍ଫୁଲିଙ୍ଗର ସାମଗ୍ରିକ ପ୍ରଭାବ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

ଏହା ସହ ପଢନ୍ତୁ !
ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)

ଶ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀ ସିଂହାସନ ଦଖଲ କରିବା ପରେ ଏବଂ ଶ୍ରୀ ଅମିତ୍ ଶାହା ଦଳର ସର୍ବମୟ କର୍ତ୍ତା ଭାବରେ ଘୋଷିତ ହେବା ପରେ ଆମ ଦେଶରେ ସାମ୍ପ୍ରଦାୟିକ ଶକ୍ତିମାନେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହୋଇପଡିଛନ୍ତି ବୋଲି ବହୁ ଧର୍ମନିରପେକ୍ଷ ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି ।

ମୋଦି ସରକାର ମୁଖ୍ୟତଃ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନିର୍ଦ୍ଦେଶରେ ପରିଚାଳିତ ହେଉଛନ୍ତି ବୋଲି କଂଗ୍ରେସ ଓ କେତେକ ବାମପନ୍ଥୀ ଦଳ ଅଭିଯୋଗ କରୁଛନ୍ତି । ଏଭଳି ସମୟରେ ସାମ୍ପ୍ରଦାୟିକ ହିଂସା ଜନିତ ହତ୍ୟାକାଣ୍ଡ ଦ୍ରାଦି ଘଟଣା ଓ ହେତୁବାଦୀ ଲେଖକ କଲ୍ବର୍ଗିଙ୍କ ହତ୍ୟା ଦେଶର ରାଜନୈତିକ ମହଲ ଅପେକ୍ଷା ବୁଦ୍ଧିଜୀବୀ ମହଲରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି କରିଛି ।

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଥିବା ଘୃଣା ଭାବ ଯେ ଅସହିଷ୍ଣୁତାର ଉତ୍ସରୁ ସୃଷ୍ଟି ହୋଇଛି ଏବଂ ଏହାର ଅନ୍ତ ଘଟାଇବା ନିମନ୍ତେ ସଂଗଠିତ ଉଦ୍ୟମ ଓ ପ୍ରତିବାଦର ଆବଶ୍ୟକତା ଥିବା ମନେ କରି କେତେକ ସମ୍ବେଦନଶୀଳ ସାହିତ୍ୟ ସ୍ରଷ୍ଟା ସେମାନଙ୍କ ପୁରସ୍କାର ଫେରାଇ ଦେବା ଲାଗି ପଦକ୍ଷେପ ନେଇଛନ୍ତି ।

ଅଦ୍ୟାବଧି ୪୨ ଜଣ ସାହିତ୍ୟିକ ସେମାନଙ୍କ ପୁରସ୍କାର ଫେରାଇସାରିଲେଣି । ଏହାକୁ ନେଇ ସମ୍ପ୍ରତି ଦେଶର ବିଭିନ୍ନ ମହଲରେ କମ୍ପନ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଭଳି ଘଟଣାରେ ଚିନ୍ତିତ ଓ ବ୍ୟଥିତ ଥିବାଭଳି ଜଣାପଡୁଛି ।

ଭାରତୀୟ ଜନତା ପାର୍ଟି ର ଯେଉଁ ନେତାମାନେ ଅଣହିନ୍ଦୁମାନଙ୍କ ପ୍ରତି କଠୋର ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ଏଥିରୁ ନିବୃତ ରହିବା ଲାଗି ପ୍ରଧାନମନ୍ତ୍ରୀ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ବିଧାୟକ ସଂଗୀତ ସୋମ ଏବଂ ସାଂସଦ ସାକ୍ଷୀ ମହାରାଜଙ୍କୁ ଶ୍ରୀ ମୋଦି ଏ ସଂପର୍କରେ ତାଙ୍କର କ୍ଷୋଭ ପ୍ରକାଶ କରିବା ଲାଗି ଡାକିଥିବା ସମ୍ବାଦପତ୍ରରେ ପ୍ରକାଶ ପାଇଛି ।

ଯେଉଁ ସାହିତ୍ୟିକ ମାନେ ପୁରସ୍କାର ଫେରାଉଛନ୍ତି, ସେମାନଙ୍କ ପଛରେ ସଂଖ୍ୟାଧିକ ଜନତାଙ୍କ ସମର୍ଥନ ନାହିଁ ଏବଂ ସେମାନଙ୍କ ସାହିତ୍ୟ କୃତି ସମ୍ପୂର୍ଣ୍ଣ ପ୍ରଭାବହୀନ ବୋଲି କେତେକ ରାଜନୈତିକ ଦଳ ଏବଂ ସେମାନଙ୍କ ସମର୍ଥକ ତଥାକଥିତ ବୁଦ୍ଧିଜୀବୀମାନେ ପ୍ରଚାର ଆରମ୍ଭ କରିଛନ୍ତି । ଏଭଳି ଦାବି କରିବା ସହ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏ ସଂପର୍କରେ ବହୁଳ ପ୍ରଚାର କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଥିବା ସତ୍ତ୍ୱେ ସେମାନେ ଶୋଚନୀୟ ଭାବରେ ଆତଙ୍କିତ ହୋଇ ପଡିଥିବା ପରିଲକ୍ଷିତ ହେଉଛି ।

କେବଳ ଏତିକି ନୁହେଁ, ସେମାନେ ଦିଲ୍ଲୀର ଶିଖ୍ ଦଙ୍ଗା ଓ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜାରି ହୋଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ କାହିଁକି ନିରବ ରହିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଜଣେ ପ୍ରଖ୍ୟାତ ଲେଖକଙ୍କ ଜଘନ୍ୟ ହତ୍ୟାକାଣ୍ଡକୁ ନିନ୍ଦା କରିବା ଲାଗି ସାହିତ୍ୟ ଏକାଡେମୀର ଆଗତ କରାଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବାର ପ୍ରତିକ୍ରିୟା ଏବଂ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ନିରବତା ସାହିତ୍ୟିକମାନଙ୍କୁ ପ୍ରତିବାଦର ଖୋରାକ୍ ଯୋଗାଇଥିଲା ବୋଲି ସେମାନଙ୍କ ପଦକ୍ଷେପକୁ ସମର୍ଥନ ଜଣାଉଥିବା ବୁଦ୍ଧିଜୀବୀମାନେ ଯୁକ୍ତି ବାଢୁଛନ୍ତି ।

ମାତ୍ର ପୁରସ୍କାର ବା ସ୍ୱୀକୃତି ପ୍ରତ୍ୟାଖ୍ୟାନ ପ୍ରତିବାଦର ଉଚିତ୍ ଉପାୟ ନୁହେଁ ବୋଲି ସରକାରଙ୍କ ସମର୍ଥକମାନେ ଦାବି କରିବା ସହ କେବଳ ମୋଦିଙ୍କୁ ବିରୋଧ କରୁଥିବା ବ୍ୟକ୍ତିମାନେ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।

ଯେଉଁ ସାହିତ୍ୟିକ ମାନେ ସେମାନଙ୍କ ପୁରସ୍କାର ଫେରାଇବା ଲାଗି ଆଗେଇ ଆସୁଛନ୍ତି ସେମାନଙ୍କ ଅତୀତ ବା ବର୍ତ୍ତମାନର ଜନାଭିମୁଖି କାର୍ଯ୍ୟକଳାପ ଓ ଦେଶ ପ୍ରତି ରହିଥିବା ପ୍ରତିବଦ୍ଧତା ସଂପର୍କରେ ଅଜ୍ଞ ଥିବା କେତେକ ବ୍ୟକ୍ତି ସେମାନଙ୍କ ବିରୁଦ୍ଧରେ କପୋଳକଳ୍ପିତ ଅଭିଯୋଗମାନ ଆଗତ କରୁଥିବା ପରିଲକ୍ଷିତ ହେଉଛି ।

ପୁରସ୍କାର ଗ୍ରହଣ କରିବା ବା ପ୍ରତ୍ୟାଖ୍ୟାନ କରିବା କିମ୍ବା ଫେରାଇ ଦେବା ସମ୍ପୃକ୍ତ ବ୍ୟକ୍ତି ବା ସାହିତ୍ୟିକଙ୍କ ବ୍ୟକ୍ତିଗତ ଅଧିକାର । ଏଥିରେ ହସ୍ତକ୍ଷେପ କରିବାର କୌଣସି କ୍ଷମତା ବା ଅଧିକାର ଅନ୍ୟମାନଙ୍କର ନାହିଁ । ତେଣୁ ସେମାନେ ପୁରସ୍କାର ଫେରାଉଥିବା ଲେଖକମାନଙ୍କୁ ସମର୍ଥନ  ନ କଲେ ମଧ୍ୟ ସେମାନଙ୍କ ପ୍ରତି କଟୁ ମନ୍ତବ୍ୟ କରିବା ଆଦୌ ସମୀଚୀନ ନୁହେଁ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି ।

ଯେଉଁମାନେ ପୁରସ୍କାର ଫେରାଇ ନାହାନ୍ତି, ସେମାନେ ସମସ୍ତେ କ’ଣ ଏହି ସରକାରଙ୍କ ସମର୍ଥକ ଏବଂ ଦେଶର ଘଟି ଯାଉଥିବା ସମସ୍ତ ଅଘଟଣ ଓ ହତ୍ୟାକାଣ୍ଡ ପ୍ରବୃତ୍ତି ଘଟଣାକୁ ସେମାନେ ଉପଭୋଗ କରୁଛନ୍ତି ବୋଲି ମନେ କରିବାକୁ ହେବ ?

ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଭାରତୀୟ ବୋଲି ପରିଚୟ କରାଇବା ପାଇଁ ଗର୍ବ ଅନୁଭବ କରିଥା’ନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ମା’ ସମସ୍ତଙ୍କୁ କୋଳରେ ଧରି ଗର୍ବ ଅନୁଭବ କରେ । ସେଥିପାଇଁ ସମଗ୍ର ବିଶ୍ୱରେ ଆମ ଦେଶର ସୁନାମ ରହିଛି ।

ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ବିଶ୍ୱାସ ଓ ଚାଲିଚଳନ ପରସ୍ପରଠାରୁ ଅଲଗା ହୋଇଥିଲେ ମଧ୍ୟ ସମସ୍ତେ ମଣିଷ ଏବଂ ମଣିଷକୁ ଭଲପାଇବା ପାଇଁ ପ୍ରତ୍ୟେକେ ସଂକଳ୍ପବଦ୍ଧ ହେବାର ଆବଶ୍ୟକତା ରହିଛି । ମୁଁ ଜଣେ ଭାରତୀୟ ଏବଂ ହିନ୍ଦୁ ହୋଇଥିବାରୁ ସର୍ବଦା ଗର୍ବିତ । ଆମ ଦେଶର ଧର୍ମ ନିରପେକ୍ଷ, ବୁଦ୍ଧିଜୀବୀ ଓ ସାହିତ୍ୟସ୍ରଷ୍ଟାମାନେ ଏହି ଆଦର୍ଶରେ ବିଶ୍ୱାସ କରୁଥିବାରୁ ଏଥିରେ ତ୍ରୁଟି ବିଚ୍ୟୁତି ଘଟିଲେ ସେମାନେ କ୍ଷତାକ୍ତ ହୋଇ ପ୍ରତିବାଦ ଜଣାଇବା ପାଇଁ ଆଗେଇ ଆସିବା ଏକ ସ୍ୱାଭାବିକ ଘଟଣା ।

ଏହାକୁ ସ୍ୱାଗତ କରି ପ୍ରତ୍ୟେକ ଭାରତୀୟ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ପରସ୍ପର ପ୍ରତି ସହନଶୀଳ ହେବା ଏକାନ୍ତ ଆବଶ୍ୟକ ।

( ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ତାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର ଦେଇଥିବା ନାରଦ ସମ୍ମାନ ନିକଟରେ ଫେରାଇଥିବା ଘୋଷଣା କରିଛନ୍ତି ।  ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ନାରଦ ଜୟନ୍ତୀ ପାଳନ କରି ଜଣେ ରାଜ୍ୟ ସ୍ତରୀୟ ସାମ୍ବାଦିକଙ୍କୁ ନାରଦ ସମ୍ମାନ ପ୍ରଦାନ କରିଥାଏ )

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ :

This website uses cookies.