Site icon Odisha.com

ପୁରସ୍କାର ଫେରାଇବା ବିପକ୍ଷରେ ଓଡିଶା ଲେଖକ

ଓଡିଶା ଡଟ କମ: କପିଳାସ ଭୂୟାଁ

ଭୁବନେଶ୍ଵର, ଅକ୍ଟୋବର ୨୨ (ଓଡିଶା ଡଟ କମ) ସାରା ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ କରି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବିଭିନ୍ନ ରାଜ୍ୟର ତିରିଶରୁ ଅଧିକ ଲେଖକ ସେମାନଙ୍କ ପୁରସ୍କାର ଫେରେଇଛନ୍ତି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ମଧ୍ୟ ।

ରମାକାନ୍ତ ରଥ

ତେବେ ଆମ ରାଜ୍ୟରୁ କୌଣସି ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଲେଖକ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓଡିଶାର ଲେଖକମାନଙ୍କ ମତାମତ ଅନୁଶୀଳନ କଲେ ଲାଗେ ଯେ ଅଧିକାଂଶରେ ଆମ ଲେଖକମାନେ ଏଭଳି ପଦକ୍ଷେପରେ ବିଶ୍ଵାସ ରଖନ୍ତି ନାହିଁ ।

ବିଜୟ ମିଶ୍ର

ବରଂ ମନେ କରନ୍ତି ଯେ ପୁରସ୍କାର ଲେଖକଙ୍କ କୃତିକୁ ଦିଆ ଯାଇଥାଏ, ଲେଖକଙ୍କୁ ନୁହେଁ। ତେଣୁ ପୁରସ୍କାର ଫେରେଇବା ଅଧିକାର ଲେଖକଙ୍କର ନାହିଁ । ପୁଣି ଆଉ କେତେକ ଲେଖକ ପୁରସ୍କାର ଫେରସ୍ତକୁ ଶସ୍ତା ରାଜନୀତି ଓ ଆତ୍ମପ୍ରଚାର ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ।

ମୂଳ ପ୍ରସଙ୍ଗ ହେଲା କି ଯେ ଗତ ଅଗଷ୍ଟ ମାସ ଶେଷ ବେଳକୁ କର୍ଣାଟକ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ହେତୁବାଦୀ ଲେଖକ ଡ॰ ଏମଏମ କଲ୍ବର୍ଗୀଙ୍କୁ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୁଳିମାରି ହତ୍ୟା କଲେ। ଧାର୍ମିକ ଅସହିଷ୍ଣୁତା କାରଣରୁ ଏହି ହତ୍ୟା କରାଯାଇଛି ବୋଲି ପ୍ରଚାରିତ ହୋଇଥିଲା ।

ଦାସ ବେନହୁର

ତାହାର ଠିକ ପରେ ପରେ ଉତ୍ତର ପ୍ରଦେଶର ଦାଦ୍ରିଠାରେ ଗୋମାଂସ ଭକ୍ଷ୍ୟଣ କରିଥିବା କାରଣରୁ ମହମ୍ମଦ ଇକ୍ଲାକ ନାମକ ଜଣେ ବ୍ୟକ୍ତିଙ୍କୁ ଲୋକ ମାନେ ପିଟିପିଟି ମାରିଦେଲେ। ଏହା ପରେ ସାହିତ୍ୟିକ ମାନେ ଗୋଟିଏ ପରେ ଗୋଟିଏ ସେମାନଙ୍କର ପୁରସ୍କାର ଫେରାଇବା ଆରମ୍ଭ କଲେ ।

ଓଡିଶାର ବିଶିଷ୍ଟ କବି ରମାକାନ୍ତ ରଥଙ୍କ ମତରେ “ପୁରସ୍କାର ସାହିତ୍ୟିକଙ୍କୁ ନୁହେଁ ବରଂ ସାହିତ୍ୟକୁ ଦିଆଯାଇଥାଏ। ପୁରସ୍କାର ଫେରେଇବା ଅର୍ଥ ସାହିତ୍ୟର ଅସମ୍ମାନ କରିବା”।

ଶାନ୍ତନୁ ଆଚାର୍ଯ୍ୟ

ଏହା ସହ ପଢନ୍ତୁ !

ଅନ୍ୟପକ୍ଷରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ପୁରସ୍କାର ଫେରେଇବାକୁ ଏକ ବ୍ୟକ୍ତିଗତ ନିଷ୍ପତି ବୋଲି ଅଭିହିତ କରିବା ସହ ଏହା ଏକ ଯୁକ୍ତିଯୁକ୍ତ ପଦକ୍ଷେପ ନୁହେଁ ବୋଲି ମନେ କରନ୍ତି ଓ (ବହୁ ପୂର୍ବରୁ) ଜଣେ ପାଇଥିବା ସମ୍ମାନ ଫେରେଇଦେବା ଠିକ ନୁହେଁ ବୋଲି ମତ ଦିଅନ୍ତି।

ସୌଭାଗ୍ୟ ମିଶ୍ର

ଆମ ସମୟର ଅନ୍ୟତମ ବିଶିଷ୍ଟ ଉପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏଭଳି ପୁରସ୍କାର ଫେରସ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଥିଲା ବେଳେ ବିଶିଷ୍ଟ କବି ପ୍ରଫେସର ସୌଭାଗ୍ୟ କୁମାର ମିଶ୍ରଙ୍କ ମତ ହେଲା, “ଯେଉଁମାନେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛନ୍ତି ପ୍ରକୃତରେ ତାହା ଠିକ ନୁହେଁ”।

ପ୍ରତିଭା ରାୟ

“ଏକଥା ସତ, ମୌଳିକ ଅଧିକାର ଉପରେ ଆକ୍ରମଣ ହୋଇଛି। ତେଣୁ ଏହା ବିରୋଧରେ ପ୍ରତିବାଦ କରିବା କେବଳ ଲେଖକ ନୁହନ୍ତି ପ୍ରତ୍ୟେକଙ୍କର ଅଧିକାର ଅଛି।

କିନ୍ତୁ ପୁରସ୍କାର ଫେରେଇବା ଠିକ ନୁହେଁ, କାରଣ ଏହାକୁ କେନ୍ଦ୍ର ସରକାର ଦିଅନ୍ତି ନାହିଁ”, କହନ୍ତି ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଲେଖିକା ଡ॰ ପ୍ରତିଭା ରାୟ।

ସୀତାକାନ୍ତ ମହାପାତ୍ର

“… ମୋ ମତରେ ପ୍ରତ୍ୟେକ ସୃଜନଶୀଳ ଲେଖକ ପୁରସ୍କାର ନଫେରେଇ ନିଜର ସୃଜନ ସୃଷ୍ଟି ମାଧ୍ୟମରେ ଏହାର ଜବାବ ଦେବା ଉଚିତ”, କହନ୍ତି ଅନ୍ୟତମ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର।

ସେହିଭଳି ବିଶିଷ୍ଟ ସାହିତ୍ୟିକ ଦାସ ବେନହୁରଙ୍କ ମତ ହେଲା କି ଯେ ବ୍ୟକ୍ତିଗତ ଭାବେ ପୁରସ୍କାର ଫେରେଇବା ଅପେକ୍ଷା ସାମୁହିକ ଭାବେ ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇ ପାରିଥିଲେ ଭଲ ହୋଇଥାନ୍ତା।

ହରପ୍ରସାଦ ଦାସ

ତେବେ ଆମ ସମୟର କବି ଓ ଚିନ୍ତକ ହର ପ୍ରସାଦ ଦାସଙ୍କ ସ୍ଵର ଅତି ସ୍ପଷ୍ଟ – “ପୁରସ୍କାର ପାଇବାର ୨୦/୩୦ ବର୍ଷ ପରେ, ସମସ୍ତ ଯଶ ଅର୍ଜନ କରିସାରିବା ପରେ ପୁରସ୍କାରକୁ ଫିଙ୍ଗିଦେବା ଅନୈତିକ ଓ ଅସୁନ୍ଦର”।

ଗୌରହରି ଦାସ

କେନ୍ଦ୍ର ସାହିତ୍ୟ ଏକାଡେମିର କାର୍ଯକାରିଣୀ ସଦସ୍ୟ ଥିବା ବିଶିଷ୍ଟ ଲେଖକ ଗୌରହରି ଦାସ କହନ୍ତି, “ସାହିତ୍ୟ ଏକାଡେମି ଆସନ୍ତା ୨୩ ତାରିଖରେ ଏ ବିଷୟରେ ଆଲୋଚନା କରିବା ପାଇଁ ବୈଠକ ଡାକିଛନ୍ତି ।

ମୋ ବିଚାରରେ ମାସେ ପୂର୍ବରୁ ଏହି ବୈଠକ ଡକାଯାଇଥିଲେ ପରିସ୍ଥିତି ଏତେ ବାଟକୁ ଆସି ନଥାନ୍ତା”।

ଓଡିଶା ଡଟ କମ

Exit mobile version