ଧର୍ମ

ନିରାଡ଼ମ୍ବର ପୂଜା ସପକ୍ଷରେ: ବିଦ୍ୟାଧର ପଣ୍ଡା

-ବିଦ୍ୟାଧର ପଣ୍ଡା

ସବୁ ଦର୍ଷ ଦଶହରା ଆସିଲେ ସାରା ଭାରତରେ ଗହଳଚହଳ ଲାଗିଯାଏ । ଉତ୍ତର ଭାରତଠୁ ଆରମ୍ଭ କରି କର୍ଣ୍ଣାଟକ, ପଶ୍ଚିମବଙ୍ଗରୁ ଓଡ଼ିଶା ଯାଏଁ । ମା’ ଆସୁଛନ୍ତି । ପ୍ରତିମା ଗଢା ହେବାଠାରୁ ଆରମ୍ଭ କରି ରାବଣ ପୋଡ଼ି ଯାଏଁ କୋଟି କୋଟି ଟଙ୍କା ଏହି ଆୟୋଜନରେ ଖର୍ଚ ହୁଏ । ଏହି ଅପବ୍ୟୟ ପାଇଁ କେହି ପାଟି ଫିଟାନ୍ତିନାହିଁ ।

passportକାରଣ ଇଏ ହେଲା ଆମ ପରମ୍ପରାର ମା’ ପୂଜା । ବିରୋଧ କରିବା ଅର୍ଥ ମା’ଙ୍କ ଶତ୍ରୁ, ମହିଳା-ବିରୋଧୀ । ତେଣୁ ସବୁଠୁ ଭଲ ଚୁପ୍ ରହିବା, ଏଇ ନ୍ୟାୟରେ ବୋଧହୁଏ ତଥାକଥିତ ବୁଦ୍ଧିଜୀବୀମାନେ ମୁହଁରେ ତୁଣ୍ଡି ଦେଇ ବସୁଛନ୍ତି ।

ପ୍ରଥମ କଥା ହେଲା ମା’ଙ୍କ ପୂଜା ଘରେ କରାଯାଏ ଦାଣ୍ଡରେ ନୁହେଁ । ସରସ୍ୱତୀଙ୍କ ପୂଜା ବିଦ୍ୟାଳୟରେ । ପୀଠାସୀନ ମା’ଙ୍କ ପୂଜା ପୀଠରେ । ଘରେ ଥିବା ଦେବୀଙ୍କ ପୂଜା ଘରେ । ମୃଣ୍ମୟୀ ପ୍ରତିମାଙ୍କ ପୂଜା ହେଲା ସାଜସଜ୍ଜାର ପୂଜା । ପ୍ରଥମ କଥା ହେଲା ପ୍ରତିମାରେ ରାସାୟନିକ ରଙ୍ଗ ଦେବା ସବୁଠୁ ବଡ଼ ଅପରାଧ । ବିଷାକ୍ତ ରଙ୍ଗ । ଯେଉଁ ଶିଳ୍ପୀମାନେ ସେ ରଙ୍ଗରେ କାମ କରନ୍ତି ସେମାନେ ନାନା ରୋଗର ଶିକାର ହୁଅନ୍ତି ।

ଆମେ ଯଦି ଜୈବିକ ରଙ୍ଗର ପ୍ରୟୋଗ କରନ୍ତେ ହୁଏତ ସ୍ଥାନୀୟ କଂଚାମାଲ୍ ରେ ପ୍ରସ୍ତୁତ ରଙ୍ଗ କାମରେ ଲାଗି ପାରନ୍ତା । ଖର୍ଚ୍ଚ କମ୍ ପଡ଼ନ୍ତା । ରାସାୟନିକ ରଙ୍ଗ ବ୍ୟବହାର ଫଳରେ ସାଧାରଣ ଲୋକଙ୍କଠାରୁ ଆଦାୟ ହେଉଥିବା ଚାନ୍ଦାର ସିଂହ ଭାଗ ବଡ଼ ବଡ଼ କମ୍ପାନିକୁ ଚାଲି ଯାଉଛି । ପୁଣି ବିସର୍ଜନବେଳେ ଦେବୀଙ୍କ ପ୍ରତିମାକୁ ଫିଙ୍ଗି ଦିଆଯିବାବେଳେ ଏ ରଙ୍ଗ ପାଣିରେ ମିଶି ତା’ର କମାଲ୍ ଦେଖାଉଛି ।

ନଦୀ ବା ସମୁଦ୍ର ଜଳ ପ୍ରଦୂଷିତ ହେଉଛି । ଅନେକ ରୋଗର ବାହକ/କାରଣ ସାଜୁଛି । ନଦୀରେ ବିସର୍ଜନ ସ୍ଥାନର ତଳଆଡ଼କୁ ବାସ କରୁଥିବା ଲୋକେ ନଦୀର ଗାଧୋଉଥିବାରୁ ଏ ପାଣି ଦ୍ୱାରା ନାନା ଉତ୍କଟ ଚର୍ମରୋଗ ସୃଷ୍ଟି ହେଉଛି । ଏ ବାବଦରେ ପରୋକ୍ଷରେ ଯେଉଁ ଖର୍ଚ୍ଚ ହେଉଛି  ତାର କିଏ ହିସାବ କରୁଛି?

ଦଶହରା, ଦୂର୍ଗାପୂଜା ଲକ୍ଷ୍ମୀପୂଜା, କାଳୀପୂଜା, କୁମାରୋତ୍ସବ, ଗଜଲକ୍ଷ୍ମୀ ପୂଜା ଆଦି ସମସ୍ତ ମହୋତ୍ସବରେ ପୂଜା କମିଟି ମାନଙ୍କର ମୂଳ ଉଦ୍ଦେଶ୍ୟ ଦେଖାଇ ହେବା । ଅନ୍ୟଠୁ ନିଜ ମେଢକୁ ଦାମୀ/ବଡ଼/ ସୁନ୍ଦର ବୋଲି ପ୍ରତିପାଦିତ କରିବା । ଇଏ ହେଲା ଆଧୁନିକତତାର ଖୋଳରେ ଗୋଟିଏ ପୁରୁଣାକାଳିଆ ଅଖାଡୁଆ ପ୍ରତିଯୋଗିତା ।

ଏମିତି ଦେଖିଲେ, ଆମେ କିଛି ବଦଳିନୁ । ଆମ ପିଲାଦିନେ ଗାଁ ଗାଁରେ ଚାଲିଥିବା ଖୁଦୁରୁକୁଣୀ ପୂଜାବେଳେ ଜଣେ ଜଣେ ଝିଅ ଦେଖାଇ ଦେଖାଇ ଗାଉଥିଲେ- ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ । ମାନେ ଆମର ସର୍ବାଙ୍ଗସୁନ୍ଦର ତମର ନିହାତି ଅସୁନ୍ଦର । ଏମିତି କଥା କଟାକଟିରୁ ଝିଅ ଝିଅ ଗାଳିମନ୍ଦରୁ ସାଇ ସାଇ ଭିତରେ ଭୟଙ୍କର ଗଣ୍ଡଗୋଳ ହେବାର ବି ନଜିର ଅଛି ।

ଏବେ ଭସାଣିବେଳେ ବି ସେଇ ଗଣ୍ଡଗୋଳ ଆଶଂକା । ରୋକିବାକୁ ପୋଲିସ୍ ଅଧିକାରୀଙ୍କ କସରତ । କେତେ ଶାନ୍ତି କମିଟି । କଥା । ଟିକିଏ ଓଲମବିଲମ ହେଲେ ପୂଜା କମିଟିମାନଙ୍କ ମଧ୍ୟରେ ହାତାହାତି । କେତେବେଳେ କ’ଣ ଘଟିଯିବ ସେଇ ଭୟରେ ପୋଲିସ୍ ମାଳମାଳ ।  ପ୍ରଶାସକମାନଙ୍କ ଆଖିରେ ବି ନିଦ ନଥାଏ । ଏହାର ଅର୍ଥ ପୂଜାମାନେ ଭୟ ଓ ବିପଦ ଆଶଂକା ।

ମା’ପରା ଦୁର୍ଗତିନାଶିନୀ, ବିପଦହାରିଣୀ । ତାଙ୍କ ପୂଜାବେଳେ ବିପଦକୁ ଭୟ କରି ଏତେ ସତର୍କତା କାହିଁକି? କାହିଁ ପିଲାଙ୍କ ସରସ୍ୱତୀ ପୂଜା କି ବିସର୍ଜନରେ ଏତେ ଉତ୍ତେଜନା ତ ନଥାଏ । ସେଇ ଏକା ମା’ଙ୍କ ପୂଜା ତ! ବାସ୍ତବତା ହେଲା ଶାରଦୀୟ ପାର୍ବଣ ସମୟରେ ସବୁ ପୂଜା କମିଟି  ନିଜ ନିଜ ପତିଆରା ଦେଖାଇବାରେ ବ୍ୟସ୍ତ ।

ସୁନା ମେଢ, ଚାନ୍ଦି ମେଢ, କଲିକତି କାରିଗରଙ୍କ ଦ୍ୱାରା ତିଆରି ଝକମକି ତୋରଣ, ଆଲୋକସଜ୍ଜାର ବିପୁଳ ଆଖିଝଲସା ସମ୍ଭାର । ଏସବୁରେ ଭକ୍ତି କମ୍, ବଡ଼ପଣ ଦେଖାଇବାର ଉଗ୍ର ଲାଳସା ଛପି ରହିଥାଏ । ପୁଣି ପୂଜା ମାନେ ହତ୍ୟା । ବଳି ତ ପଶୁଙ୍କ ଗଣହତ୍ୟା ।

ଦଶହରା  ସମୟରେ ମହାଷ୍ଟମୀରେ ଶକ୍ତି ପୀଠରେ ତ ବଳି ପକାଯିବାର ବିଧି ଆଗରୁ ଥିଲା । ଗୋଟିଏ ପୋଢ ବଳି ପଡୁଥିଲା । ସେ ବଳି ମାାଂସ ଖାଇବା ପାଇଁ ନୁହେଁ ବରଂ ପାରମ୍ପରିକ ଭାବେ ପଡୁଥିଲା ।

ସରକାର ନିୟମ କରି ପୀଠରେ ପୋଢ ବଳି ବନ୍ଦ କରାଇଦେଲେ । ହେଲେ ଏବେ ଦେଖନ୍ତୁ । ଯେମିତି ଅକ୍ଷୟ ତୃତୀୟା ଚାଷ ଅନୁକୂଳର ପର୍ବ ବଦଳରେ ସୁନା କିଣାକିଣିର ପର୍ବରେ ପରିଣତ ହାଇ ଯାଇଛି, ସେମିତି ଦଶହରା ଭକ୍ତି, ଉତ୍ସର୍ଗ ବା ଶାନ୍ତି ଓ ଭାଇଚାରାର ପର୍ବ ନ ରହି ଅହଙ୍କାର, ପତିଆରା ପ୍ରଦର୍ଶନର ପର୍ବରେ ପରିଣତ ହୋଇ ଯାଇଛି ।

ଏଇ ସମୟରେ ବଜାରରେ ଅତ୍ୟଧିକ ଚାହିଦା ଯୋଗୁ ମାଂସ ବିକ୍ରି ବଢି ଯାଉଛି । ହାତରେ ଟଙ୍କା ନଥିଲେ ବି ଲୋକେ କମ୍ପାନିଙ୍କ ପ୍ରଚାର ମାୟାରେ ପଡ଼ି ଉପାସ ରହି ଦାମୀ ଦାମୀ ଜିନିଷ କିଣୁଛନ୍ତି । କ’ଣ ନା ଶସ୍ତାରେ, ରିହାତିରେ ଉପହାର ସହ ଜିନିଷ ମିଳି ଯାଉଛି । ଭାଇ, ଅସଲରେ ଏ ଦୁନିଆରେ କେହି କାହାକୁ ମାଗଣାରେ କିଛି ଦିଏ ନାହିଁ ।

ଧରାଯାଉ ଏବେ ଆପଣଙ୍କର କଲର୍ ଟିଭିଟିଏ କେବଳ ଦରକାର ଥିଲା । କମ୍ପାନି ମନ ମୋହିଲା ଭଳି ଅଫର ଟିଏ ରଖିଲା- ଆଉ ଅଳ୍ପ ଦେଇ ଟିଭି ସହ ଫ୍ରିଜ୍ ନେଇ ଯାଆନ୍ତୁ । ସୁବର୍ଣ୍ଣ ସୁଯୋଗ । କେହି ଭାବିବେନି ଆରେ ମୋର ତ ଫ୍ରିଜ୍ ଏବେ ଲୋଡ଼ା ନାହିଁ । ଶିକ୍ଷା ଦୀକ୍ଷା ଚୁଲୀକୁ  ଗଲା । ସୁନାହରୀଣ ବା ଫ୍ରି ବା ଶସ୍ତା ଲୋଭରେ ପଡ଼ି ଧାରଉଧାର କରି ଅନାବଶ୍ୟକ ଜିନିଷଟିକୁ ଅଣାଗଲା ।

ସେ ଟଙ୍କା ଶୁଝିବାକୁ ପୁଣି ଖର୍ଚ୍ଚକାଟ । ସେ ଖର୍ଚ୍ଚ ହୁଏତ ପିଲାଙ୍କ ପାଠପଢା ବଜେଟ୍ରୁ କଟିବ କିମ୍ବା ଖାଦ୍ୟର ମାନ କମିବ କିଛି ଦିନ ପାଇଁ ।ଏଥିରେ କାହାର ଉପକାର କହିଲେ ? ପରୋକ୍ଷରେ ବ୍ୟୟ ବଢିବା ସହ ଟାଣିଓଟାରି ହୋଇ ଘରେ ଅଶାନ୍ତି ଲାଗି ରହିବା ନିଶ୍ଚିତ ।

ବିପଦନାଶିନୀ ମା’ ଦୁର୍ଗାଙ୍କ ପୂଜା ହେଉ । ହେଲେ ବିଜୁଳି ସଂକଟ ପରିପ୍ରେକ୍ଷୀରେ ଆଲୁଅ ଜାଳି ହଜାର ହଜାର ମେଗାୱାଟ୍ ବିଜୁଳି ସାରି ନିଜ ପାଇଁ ଅଧିକ ବିପଦକୁ ଡ଼ାକିବା କଣ ବୌଦ୍ଧିକତା ଓ ଧର୍ମ । ରାସାୟନିକ ରଙ୍ଗର ବିଷ ବଳୟ ଆମ ପାଇଁ କେତେ ଶୁଭଙ୍କର? ବିଳମ୍ବିତ ରାତ୍ରିରେ ଭସାଣ ଉତ୍ସବ, ବିକଟାଳ ଡିଜେ ଶବ୍ଦ ସାଙ୍ଗକୁ ନିଶାସକ୍ତ ଅବସ୍ଥାରେ ଉଦଣ୍ଡ ଅଙ୍ଗଭଙ୍ଗୀ ଆମ ମନକୁ କେତେ ଭକ୍ତିରସରେ ରସାଣିତ କରୁଛି କହିଲେ?

ଆମେ ତ ପୁଣି ଆଗରୁ ନିରାଡ଼ମ୍ବର ଭାବେ ପାରମ୍ପରିକ ଶୈଳୀରେ ଘରେ ଘରେ ଦଶହରା ପାଳୁଥିଲେ । ସାଜସାମଗ୍ରୀ ରଖୁଥିଲେ, ପଶୁବଳିର ବିକଳ୍ପ ଭାବେ ଜହ୍ନିରେ ଖଡ଼ିକା କାଠି ଲଗାଇ ପ୍ରତୀକାତ୍ମକ ଭାବେ ବଳି ଚଢାଉଥିଲେ । କୁଆଡେ ଗଲା ସେ ସରଳତା । ଏବେ ଖାଲି ଗହଗହ  ନାଦ, ମାଇକ୍ ଓ ଡିଜେର ଗର୍ଜ୍ଜନରେ ପୂଜା ମଣ୍ଡପ ଫାଟି ପଡୁଛି । ଗହଳି ଭିତରେ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢୁଛି । ଭିଡ଼ ଭିତରେ ଧୂଳିମଳି ପଡ଼ିଥିବା ଅପରିଷ୍କାର ଖାଦ୍ୟ ଖାଉଛନ୍ତି ।

ଦୁଷ୍ଟର ବିନାଶ ପାଇଁ ଯଦି ମା’ଙ୍କ ପୂଜା ତେବେ ତାଙ୍କ ପୂଜା ଏମିତି ହେଉ ଯେପରିକି ଆମ ସମସ୍ତଙ୍କର ଉନ୍ନତି ହେବ । ପୂଜାମଣ୍ଡପର ସମୃଦ୍ଧି ଉପରେ ଅଧିକ ନଜର ନ ଦେଇ ମଣିଷମାନଙ୍କର ସମୃଦ୍ଧି ଉପରେ ଅଧିକ ଦୃଷ୍ଟି ପକାଗଲେ ଭଲ ହୁଅନ୍ତା । ମା’ଙ୍କ ପୂଜା ପରମ୍ପରା ଅନୁଯାୟୀ  ବିଧିମତେ ହେଉ, କିନ୍ତୁ ଅପବ୍ୟୟର ଦିଗଗୁଡ଼ିକୁ ବନ୍ଦ କରାଯାଉ ।

ପୂଜାମଣ୍ଡପରେ ଆଲୋକର ଅଯଥା ସମ୍ଭାର ବନ୍ଦ ହୁଅନ୍ତା କି ! ଭସାଣବଳେ କର୍କଶ ଶବ୍ଦର ପଟୁଆର ନ ହୁଅନ୍ତା କି ! ଏୟା ଅଧିକାଂଶ ଲୋକ ଚାହାନ୍ତି । କିନ୍ତୁ ପ୍ରଭାବଶାଳୀ କର୍ମକର୍ତାମାନେ ନିଜ ପତିଆରା ପାଇଁ ଏହା ଉପରେ ଗୁରୁତ୍ୱ ଦିଅନ୍ତି । ଫଳରେ ପୂଜା ସାଧାରଣ ଲୋକଙ୍କଠାରୁ  ମୋଟାମୋଟି ଦୂରେଇ ଗଲାଣି ।

କେହି ଜଣେ କବି ଲେଖିଥିଲେ ପ୍ରଭୂ ତ ସବୁ ଦେଇଛନ୍ତି, ତାଙ୍କୁ ପୁଣି ଆମେ କ’ଣ ଦେଇ ପୂଜା କରିବା । ସେହି ଦୃଷ୍ଟିକୋଣରୁ ଚିନ୍ତା କଲେ ସକଳ ଐଶ୍ୱର୍ଯ୍ୟର, ଶୌର୍ଯ୍ୟର ଯିଏ ପ୍ରତୀକ, ସେଇ ମହାମାୟା ମା’ ଜଗତଜନନୀଙ୍କୁ ଆମେ କ’ଣ ଅଧିକ ଐଶ୍ୱର୍ଯ୍ୟ ଦେଖାଇ ପାରିବା ? ଆମେ ବିବେକକୁ ପଚାରି ଟିକେ ନମନୀୟ ହୋଇ ପାରନ୍ତେ ନାହିଁ?

ସୁଖର କଥା ଚଳିତବର୍ଷ କଟକ ଓ ଭୁବନେଶ୍ୱରରେ ଭସାଣ ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି । ବିସର୍ଜନ ପାଇଁ ପାଞ୍ଚୋଟି କୃତ୍ରିମ ପୋଖରୀ ବନେ୍ଦାବସ୍ତ ହୋଇଛି । ଫଳରେ କଟକରେ ମହାନଦୀ, କାଠଯୋଡ଼ି ଓ ଭୁବନଶ୍ୱରରେ ଦୟା ନଦୀ ତଥା ଲୋକେ ବ୍ୟବହାର କରୁଥିବା  ପୋଖରୀରେ ବିସର୍ଜନ ହେବନାହିଁ ।

ରାସାୟନିକ ରଙ୍ଗର କୁପ୍ରଭାବରୁ ମୁକୁଳିବା ପାଇଁ ଏହା ଏକ ସ୍ୱାଗତଯାଗ୍ୟ ପଦକ୍ଷେପ । ଏ ଅବସରରେ ମା’ଙ୍କ ପାଖରେ ଆମର ପ୍ରାର୍ଥନା- ହେ ଜଗତ୍ଜନନୀ । ବିଦ୍ୟୁତ ଅପବ୍ୟବହାର ଓ ଶବ୍ଦର ଅସହ୍ୟ ପଟୁଆର ବନ୍ଦ କରି ଓଡ଼ିଶାକୁ, ଭାରତକୁ ବିନାଶ କୋଳରୁ ରକ୍ଷା କର ।

ତୁମ ପୂଜା  ବାହାନାରେ ସାଧାରଣ ଜନଜୀବନରୁ ଶାନ୍ତି ଉଜାଡୁଥିବା ମଣିଷମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କର । ସରଳ ମଣିର ନିଷ୍ଠାପର ସନ୍ଧିପୂଜାରେ ମା’ ସନ୍ତୁଷ୍ଟ ହୁଅନ୍ତି । ଏଇ ଦିବ୍ୟଜ୍ଞାନରେ ପୂଜା କରାଯାଉ । ମା’ଙ୍କ ଆଶୀର୍ବାଦରେ ସାରା ଦୁନିଆ ଉଦ୍ଭାସିତ ହୋଇ ଉଠିବ !

ଅଢେଇଗୁଣ୍ଡି,କାନପୁର, କଟକ-୭୫୪୦୩୭

ମୋବାଇଲ-୮୭୬୩୪୯୫୯୨୯
ଇମେଲ :  [email protected]

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

Leave a Reply

This site uses Akismet to reduce spam. Learn how your comment data is processed.