ସାକ୍ଷାତକାର

ନିର୍ଭୁଲ ସୂଚନା ବହୁ ସମସ୍ୟାର ସମାଧାନ କରିପାରିବ:ଶଶିପ୍ରଭା (ସାକ୍ଷାତକାର)

ଓଡିଶା ଡଟ କମ: କପିଳାସ ଭୂୟାଁ

ଭୁବନେଶ୍ଵର, ଅକ୍ଟୋବର ୨୫ (ଓଡିଶା ଡଟ କମ) ସରକାରୀ ନିୟମ ହେଉ ଅଥବା ଜନ ସଚେତନତା ପାଇଁ ଆବଶ୍ୟକ ସୂଚନା ହେଉ, ଯଦି ନିର୍ଭୁଲ ତଥ୍ୟ ଜନ ସାଧାରଣଙ୍କ ପାଖରେ ଠିକ ସମୟରେ ପହଞ୍ଚେ ତାହା ହେଲେ ବହୁତ ଗୁଡିଏ ସମସ୍ୟାର ସମାଧାନ ହୋଇଯାଇ ପାରିବ ବୋଲି ଗତ ଜୁନ ମାସରେ ଓଡିଶାର ପ୍ରଥମ ରାଜ୍ୟ ମହିଳା ସୂଚନା କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶଶିପ୍ରଭା ବିନ୍ଧାଣି କହିଛନ୍ତି ।

bindhani
ଶଶିପ୍ରଭା ବିନ୍ଧାଣି

ସୂଚନା ମାଗୁଥିବା ଆବେଦନକାରୀଙ୍କୁ ନିର୍ଧାରିତ ସମୟରେ ନିର୍ଭୁଲ ତଥ୍ୟ ଯୋଗାଇଦେବା ଓ ସୂଚନା ପ୍ରଦାନ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ମୋର ମୁଖ୍ୟ ପ୍ରାଥମିକତା, ଓଡିଶା ଡଟ କମକୁ ନିଜର ପ୍ରଥମ ବିସ୍ତୃତ ସାକ୍ଷାତକାର ଦେଇ ଶଶିପ୍ରଭା କହିଛନ୍ତି।

“ଏହି ପଦବୀ ମୋତେ ଗଭୀର ଆତ୍ମବିଶ୍ଵାସ ଦେଇଛି ଓ ନିଜକୁ ଆହୁରି ଭଲ ଭାବରେ ଜାଣିବା ପାଇଁ ସୁଯୋଗ ଆଣି ଦେଇଛି। ସୂଚନା ପ୍ରଦାନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ମୋର ସମସ୍ତ ଶକ୍ତି ଓ ନିଷ୍ଠା ନିୟୋଜିତ କରିବି” ସେ କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଏକ ଏକାନ୍ନବର୍ତି ପରିବାରରେ ଜନ୍ମ ହୋଇ ବଡ ହୋଇଥିବା ଶଶିପ୍ରଭାଙ୍କ ପିଲାଦିନର ପାଠପଢା ଦିନ ଗୁଡିକର ରହିଛି ମିଶ୍ରିତ ଅନୁଭୂତି। ନୂଆ ସିଲଟ ଓ ଖଡିରେ ଶୁନ ମଡେଇ (ବ୍ରହ୍ମା), (ବିଷ୍ଣୁ) ଓ (ମହେଶ୍ଵର) ଉଛାରଣ କରି ସେ ଅନ୍ୟ ଶିଶୁଙ୍କ ପରି ବିଦ୍ୟାରମ୍ଭ କରିଥିଲେ । ତେବେ ବହୁ ଦିନ ପର୍ଯନ୍ତ ତାଙ୍କ ମନରେ ପ୍ରଶ୍ନ ଥିଲା ଯେ ଶୁନ ମାନେ କ’ଣ ! ମାନସାଙ୍କ ସବୁର ଉତ୍ତର ମୁହଁରେ ଥିଲା ତାଙ୍କର।

ଓଡିଆ, ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଖବରକାଗଜ ପଢି ବା ଆକାଶବାଣୀର ଖବର ଶୁଣି ଏବଂ ତାକୁସବୁ ମନେରଖି ଅନ୍ୟମାନଙ୍କୁ ଶୁଣେଇବାରେ ଶଶିପ୍ରଭାଙ୍କୁ ମିଳୁଥିଲା ପ୍ରଚୁର ଆତ୍ମସନ୍ତୋଷ। ହାଇସ୍କୁଲ ପାଠ ପଢା ସେ ଶେଷ କରିଥିଲେ ବାରିପଦାର ମହାରାଣୀ ପ୍ରେମ କୁମାରୀ ବାଳିକା ବିଦ୍ୟାଳୟରୁ, ଓ କଲେଜ ପାଠ ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟରୁ ।

bindhani-2
ସୂଚନା ଅଧିକାର ବିଶେଷଜ୍ଞ ସୁବାଶ ଅଗ୍ରୱାଲଙ୍କ ସହ ଶଶିପ୍ରଭା

ତା’ ପରେ ବାଣୀବିହାରରୁ ଏମଏ ଓ ଲ’ । ତେବେ ହାଇସ୍କୁଲ ସମୟରେ ମନରେ ଥିଲା ଅନେକ ସ୍ଵପ୍ନ, ଅନେକ ଦ୍ଵନ୍ଦ୍ଵ ଓ ଅନେକ ଆଶା ଆଉ ନିରାଶାର ମୁହୂର୍ତ୍ତ। ପିଲାଦିନେ ବଡ ହୋଇ ଡାକ୍ତରୀ ପଢିବା ପାଇଁ ଇଚ୍ଛା ଥିଲେବି ସେ ସୁଯୋଗ ମିଳିଲା ନାହିଁ, କିନ୍ତୁ ଲ’ ପଢି ସାରିଲା ପରେ ତୁରନ୍ତ ପ୍ରାକ୍ଟିସ ନକରି ବୃହତ୍ତର ସମାଜ ସହ ମିଶିବାକୁ ଓ ଆମ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ବୁଝିବାକୁ ସେ ଚେଷ୍ଟା କଲେ ।

ବୈବାହିକ ଜୀବନ ମଣିଷ ଜୀବନର ଏକ ବିଶେଷ ଅଂଶ, ଓ ତାହା ପ୍ରତିବନ୍ଧକ ଅପେକ୍ଷା ଅଧିକ ମାତ୍ରାରେ ତାଙ୍କ ଜୀବନକୁ ପ୍ରବାହିତ କରିଛି ବୋଲି ସେ ମନେ କରନ୍ତି ।

ସମାଜର ନିମ୍ନ ବର୍ଗର ଗରିବ ନିଃସହାୟ ମହିଳାମାନଙ୍କୁ ଡାଆଣୀ ବୋଲି କହି ନିର୍ଯାତନା ଦେବା, ଏପରିକି ହତ୍ୟା କରିବା ଭଳି ଭୟାନକ ଘଟଣା ଆମ ରାଜ୍ୟ ତଥା ଅନ୍ୟାନ୍ୟ ରାଜ୍ୟରେ ଘଟୁଛି, ଯାହା ତାଙ୍କୁ ସବୁ ବେଳେ ଆନ୍ଦୋଳିତ କରେ । ଏହା ବିରୋଧ ରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ୨୦୧୧ରେ ସେ ଏକ ପିଟିସନ ଦାଖଲ କରି ଚର୍ଚା କୁ ଆସିଥିଲେ ।

ସେହି ପିଟିସନ ଆଧାରରେ ଗରିବ ଓ ନିଃସହାୟ ମହିଳାଙ୍କୁ ସାମାଜିକ ଅତ୍ୟାଚାରରୁ ତ୍ରାହି ଦେବା ପାଇଁ ନିୟମ ପ୍ରଣୟନ କରିବାକୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ରାଜ୍ୟ ସରକାର “ଦି ଓଡିଶା ପ୍ରିଭେନସନ ଅଫ ୱିଚ ହଣ୍ଟିଂ ଆକ୍ଟ ୨୦୧୩ ପ୍ରସ୍ତୁତ କରିଥିଲେ । ଏହା ରାଜ୍ୟ ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା । ଏହା ନିୟମରେ ପରିଣତ ହୋଇ ଫେବୃଆରୀ ୨୦୧୪ ଠାରୁ ରାଜ୍ୟରେ ଲାଗୁ ହୋଇଛି ।

bindhani-9
ଝିଅ ଦିଶା ଓ ସ୍ଵାମୀ ବିଶ୍ଵରଞ୍ଜନଙ୍କ ସହ

ଏହା ଆଗକୁ କେତେ ଫଳବତୀ ହେବ? “ଆଇନ ପାରିତ ହେବା ଭଲ କଥା। କିନ୍ତୁ ଏହାର ଉପଯୋଗ ସହିତ ସାମାଜିକ ବ୍ୟବସ୍ଥାକୁ ଏପରି ଏକ ‘ଆରୋପ ଜନିତ’ ଅପରାଧ ବଳୟରୁ ମୁକ୍ତି ଦେବାକୁ ହେଲେ ଅନେକ ପ୍ରସ୍ତୁତି ଓ ଯୋଜନାର ଆବଶ୍ୟକତା ରହିଛି”, ସେ ନିଜ ମତ ରଖି କହିଛନ୍ତି ।

ଡାହାଣୀ କହି ମହିଳାମାନଙ୍କୁ ଅତ୍ୟାଚାରରୁ ତ୍ରାହି ଦେବା ପାଇଁ ଯଦି ନିୟମ ପ୍ରଣୟନ କରାଗଲା ତେବେ ସତରେ କ’ଣ ଡାହାଣୀ ଅଛନ୍ତି? ଏ ସମ୍ପର୍କରେ ଶଶିପ୍ରଭାଙ୍କାର ଉତ୍ତର ଭାରି ସ୍ପଷ୍ଟ – “ଡାହାଣୀ ଏକ ମନୁଷ୍ୟକୃତ୍ତ ଶବ୍ଦ ଯାହାର କୌଣସି ନିର୍ଦ୍ଧିଷ୍ଟ ଅର୍ଥ ନାହିଁ, ଯେମିତିକି କୁସଂସ୍କାର”।

“ଡାହାଣୀ କହି ମହିଳାଙ୍କୁ ଅତ୍ୟାଚାର କରିବା ଯଦି ଏକ ଆରୋପଜନିତ ହିଂସା ବା ଅପରାଧ, ତେବେ ଏହା କେବଳ ଆମ ରାଜ୍ୟରେ ଘଟୁନାହିଁ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏଭଳି ହିଂସା ଘଟଣା ବିଭିନ୍ନ ସମୟରେ ସାମନାକୁ ଆସୁଛି” ।

“ତେବେ ଏହା ମଧ୍ୟରେ ଆମ ରାଜ୍ୟରେ ଖବରକାଗଜ ଓ ଟେଲିଭିଜନରେ ଏଭଳି ହିଂସା ସମ୍ପର୍କିତ ରିପୋର୍ଟ ଅଧିକ ପ୍ରକାଶିତ ହେଉଛି ଅର୍ଥାତ ଏଭଳି ଘଟଣା ଆଉ ଲୁଚି ରହୁ ନାହିଁ ” ଏଭଳି ଘଟଣା ଲୋକ ଲୋଚନଙ୍କୁ ଆଣିବାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରି ସେ କହନ୍ତି ।

୨୦୦୪ ମସିହାରେ ରାକ୍ଷୀ ବର୍ମାଙ୍କ ଦ୍ଵାରା ନିର୍ଦ୍ଧେଶିତ ‘ଇଣ୍ଡିଆନ ୱିଚ ହଣ୍ଟ’ ଚଳଚିତ୍ରରେ ମହିଳା ମାନଙ୍କ ପ୍ରତି କରାଯାଉଥିବା ଅତ୍ୟାଚାରର ନିଛକ ବର୍ଣନା ରହିଛି – ଏହାକୁ ଏକାଧିକ ଆନ୍ତର୍ଜାତିକ ପୁରସ୍କାର ମିଳିବା ସହିତ ନ୍ୟାସନାଲ ଜୋଗ୍ରାଫିକ ଚାନେଲରେ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ଚଳଚିତ୍ରରେ ଡାଆଣୀ ଭାବେ ନିର୍ଯାତିତା ଚୁଟନୀ ମହାତୋକୁ ଫ୍ରି ଲିଗାଲ ଏଡ କମିଟି ଦ୍ଵାରା ଉଦ୍ଧାର କରାଯାଇଥିଲା।

ଓଡିଶାରେ ଏଭଳି କମିଟି ରହିଛି କି? “ଯଦିଓ ମୁ ଏହି ଚଳଚିତ୍ର ଦେଖି ନାହିଁ ଅତ୍ୟାଚାରିତ ମହିଳାମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇଦେବାକୁ ଆମ ରାଜ୍ୟରେ ଷ୍ଟେଟ ଲିଗାଲ ଏଡ ଅଥରିଟୀ ଅଛି, ଓ ପ୍ରତ୍ୟେକ କୋର୍ଟରେ ଫ୍ରି ଲିଗାଲ ଏଡ ସେଲ ମଧ୍ୟ ରହିଛି ” ସେ ଉତ୍ତରରେ କହନ୍ତି ।

bindhani-3ଡାଆଣୀ ବୋଲି କୁହାଯାଉଥିବା ମହିଳାମାନେ କଣ ପ୍ରକୃତରେ ଡାଆଣୀ, ନା ସେମାନଙ୍କୁ ଡାଆଣୀ ଆଖ୍ୟା ଦେବା ପଛରେ କୌଣସି ଲୁକ୍କାୟିତ ଉଦ୍ଧେଶ୍ୟ ରହିଥାଏ? ପ୍ରଶ୍ନର ଉତ୍ତରରେ ସେ ରୋକଠୋକ ଉତ୍ତର ଦେଇ କହନ୍ତି “ଡାହାଣୀ ହେଉ ବା ଅନ୍ୟ ଯେ କୌଣସି ପ୍ରକାରର “ଆରୋପ” ଓ ତହିଁରୁ ସଂଘଟିତ ଅପରାଧ ସବୁବେଳେ ଉଦ୍ଧେଶ୍ୟ ପ୍ରଣୋଦିତ” ।

ଜଣେ ନାରୀ ରୂପେ ସମାଜରେ ରହିଥିବା ଭେଦଭାବକୁ କେଉଁ ଦୃଷ୍ଟିରେ ଦେଖନ୍ତି, ଓ ସମାଜ ତହିଁର ଊର୍ଦ୍ଧ୍ବକୁ କେମିତି ଯାଇ ପାରିବ ବୋଲି ଆପଣ ଭାବନ୍ତି? “ସମାଜରେ ରହିଥିବା ଭେଦଭାବ ବିଷୟରେ ଉଭୟ ପୁରୁଷ ଓ ନାରୀ ଊଣା ଅଧିକେ ଅବଗତ, ତେବେ ଜଣେ ମଣିଷ ହିସାବରେ ଆତ୍ମ ବିଶ୍ଳେଷଣ ସହ ସଠିକ କର୍ମ ନିର୍ଧାରଣ କରି ତାହାକୁ କାର୍ଯ୍ୟକାରୀ କରିବା ହେଉଛି ମୁଖ୍ୟ କଥା ”, ସେ ମତ ଦିଅନ୍ତି ।

ରାଜ୍ୟ ଇନଫରମସନ କମିଶନର ରୂପେ ଆପଣ କେଉଁ ଭଳି କାମ କଲେ ଆତ୍ମତୃପ୍ତି ପାଇପାରିବେ ବୋଲି ଆଶା ରଖିଛନ୍ତି? “ସୂଚନା କମିଶନର ପଦବୀକୁ ମର୍ଯ୍ୟାଦା ଦେବା ସହ ଆର ଟି ଆଇ ଆକ୍ଟର ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁସବୁ ପଦକ୍ଷେପ ଓ ପ୍ରଣାଳୀର ଆବଶ୍ୟକତା ଅଛି ତାହାକୁ ପୂରଣ କରିବା ଦିଗରେ ମୋର ନିଷ୍ଠା ଓ ପ୍ରୟାସ ଜାରି ରଖିବା ଦ୍ଵାରା ଆତ୍ମ ତୃପ୍ତି ପାଇବି ”, ସେ କହନ୍ତି ।

ଓଡିଶା ଡଟ କମ

 

1 Comment

  • Congratulations and regards to Ms. Sashiprava Bhindani The Odisha State Information Commissioner who attended the 10 years of RTI sponsored by Metro India News with association of Social & RTI Groups ( SARG ) Confederation in Park Hyatt Hyderabad on 20/09/2015- Byragoni Sreenivas Goud Secretary General, SARG Confederation

Leave a Reply

This site uses Akismet to reduce spam. Learn how your comment data is processed.