ଓଡିଶା ନ୍ୟୁଜ/ Odisha News
ସୂଚନା ପ୍ରଯୁକ୍ତି

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

ଜଗଦୀଶ ପ୍ରଧାନ

ବିଶ୍ୱ ଅର୍ଥନୀତିରେ (ଜଗତିକରଣରେ) ସାମିଲ ହୋଇଯିବାପରେ ଏବେ ଆମକୁ କେବଳ ଶିଳ୍ପ ବା କଳକାରଖାନା ନୁହେଁ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ସଙ୍ଗୀତ, ଚିତ୍ରକଳା ନାଚଗୀତ ସବୁ କ୍ଷେତ୍ରରେ ବିଶ୍ୱ ବଜାର ସହିତ ପାଦଦେଇ ଚାଲିବାକୁ ପଡ଼ୁଛି ଓ ଆଗକୁ ବିଶ୍ୱବଜାର ସହିତ ପ୍ରତିଯୋଗିତା ମଧ୍ୟ କରିବାକୁ ପଡ଼ିବ ।

ପ୍ରତିଯୋଗିତାରୁ ଓହରିଯିବା କିମ୍ବା ହାରିଯିବା ମାନେ କେବଳ ଖେଳ ପଡ଼ିଆରୁ ବାହାରିଯିବା ନୁହେଁ – ଏ ଦୁନିଆରୁ ହିଁ ବାହାରିଯିବା ସାର ହେବ !

jagdishଜଗତିକରଣର ପ୍ରଭାବକୁ ଦେଖନ୍ତୁ – ଆମର ନିପଟ ମଫସଲର ପାରମ୍ପରିକ ବାଜାଦଳରେ ବି ଏବେ ଚାଇନା କିମ୍ବା ଜାପାନ୍ ତିଆରି ବୈଦୁ୍ୟତିକ କେସିଓ, ଡି.ଜେ. ବାଜା, ଗାଁଗଣ୍ଡାର ଭୋଜିଭାତରେ ବି “ବିସ୍ଲେରୀ ମିନେରାଲ୍ ୱାଟର୍”, ଗାଁ ଗଣ୍ଡାରେ ବି ମୋବାଇଲ୍ ଫୋନ୍ ଦୋକାନ, ପଞ୍ଚାୟତ ମୁଖ୍ୟାଳୟ ପାଖରେ ଭେଳିକିଭେଳି ମଡେଲ୍ର ମୋଟର ସାଇକେଲ୍ର ସୋ ରୁମ୍, ଟେକ୍ସିଷ୍ଟାଣ୍ଡ୍, ଧାନ ବିଲରେ ଧାନ ରୋଉଥିବା ମହିଳା ହାତରେ କିମ୍ବା ଛେଳି ଚରାଳୀ ଝିଅଟି ହାତରେ ବି ମୋବାଇଲ୍ ଫୋନ୍ ।

ଧାନଖେତରେ ବା ବଣ ଜଙ୍ଗଲରେ ଝିଙ୍କାରୀ କିମ୍ବା ଚଢ଼େଇମାନଙ୍କ କଳରବ ବଦଳରେ ଏବେ ମୋବାଇଲ୍ ଫୋନ୍ରୁ କେତେ ରକମର ଗୀତ ଶୁଭୁଅଛି । ଧାନକୁ ଅମଳକରି ସଫାକରିବାପାଇଁ ଚାଷୀକୁ ଆଉ ଖଳା ତିଆରି କରିବାକୁ ପଡ଼ୁନି – ଗହୀର ଧାନବିଲ ଭିତରେ ମେସିନ୍ ରେ ଧାନ କାଟିବା, ମଡ଼ାଇବା, ସଫାକରି ବସ୍ତାରେ ପେକିଂ କରିବା – ସବୁକାମ ଘଣ୍ଟାଏ ଦି ଘଣ୍ଟାରେ ହୋଇଯାଉଛି ।

ଗାଈଗୁହାଳରେ ମେସିନ୍ ରେ କ୍ଷୀର ଦୁହାଁହୋଇ ପାଇପ ଯୋଗେ ସହରରେ ଥିବା ପ୍ରକି୍ରୟାକରଣ ପ୍ଲାଣ୍ଟ୍କୁ ଚାଲିଯାଉଛି । ସେଠାରେ ପେକିଂ ହୋଇ ଗ୍ରାହକକୁ କ୍ଷୀର ମିଳୁଛି । ଗାଈମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରତି ତିନିମାସରେ ସୁଦୂର କାନାଡ଼ାରୁ ପଶୁ ଡାକ୍ତର ଆସୁଛନ୍ତି । ବିନା ଡ୍ରାଇଭରରେ ଟ୍ରାକ୍ଟର ଘରୁ ଖେତକୁ ଯାଉଛି, ଚାଷ କରୁଛି – ଘରେ ବସି ଟ୍ରାକ୍ଟରକୁ ମୋବାଇଲ୍ ଫୋନ୍ ରେ ପରିଚାଳନା କରାଯାଉଛି ।

ମେସିନ୍ ରେ ଗୋଟିଏ ଘଣ୍ଟାରେ ଲକ୍ଷାଧିକ ରୋଟି ତିଆରି ହୋଇଯାଉଛି । ଏମିତି ଆଉ କିଛି କାମ ନାହିଁ ଯେଉଁଥିରେ ଆଧୁନିକ ବିଜ୍ଞାନ ଓ କଳ କୌଶଳର ଉପଯୋଗ ହେଉନାହିଁ । ଦିନକୁ ଦିନ ଯୁଗ ଖୁବ୍ କ୍ଷୀପ୍ର ଗତିରେ ବଦଳିଚାଲିଛି । ଏହି ପରିବର୍ତ୍ତନରେ ଆମେ ନିଜକୁ ଖାପ ଖୁଆଇ ଚଳିବା ଛଡ଼ା ଆଉ କିଛି ଉପାୟ ହିଁ ନାହିଁ ।

ଏଥିପାଇଁ ଭୟକଲେ ବି ଆଉ ଚଳିବ ନାହିଁ । ନୂଆନୂଆ ମୋବାଇଲ୍ ଆସିବା ବେଳକୁ ଲୋକେ ଭାବୁଥିଲେ ମୋବାଇଲ୍ ବ୍ୟବହାର କରିବାପାଇଁ ତଥା ଫଟୋଗ୍ରାଫି ଇତ୍ୟାଦି ପାଇଁ ତାଲିମ ନେବାକୁ ପଡ଼ିବ । ହେଲେ ଦେଖୁ ଦେଖୁ ସାକ୍ଷର ନିରକ୍ଷର ସମସ୍ତଙ୍କ ହାତରେ ମୋବାଇଲ୍ ପହଞ୍ଚିଗଲା ।

ନିୟମଗିରି ପାହାଡ଼ ଉପରକୁ ଏଯାଏଁ ବିଜୁଳି ସଂଯୋଗ ସିନା ହୋଇନାହିଁ, ସେଠିକାର ନିରକ୍ଷର ଡଙ୍ଗରିଆ କନ୍ଧ ଯୁବକ ଯୁବତୀଙ୍କ ହାତରେ ବି ଏବେ ମୋବାଇଲ୍ ଫୋନ୍ ଆଉ ସେଠାରୁ ହ୍ୱାଟ୍ସ ଆପ୍ ରେ କେତେ ରକମର ଫଟୋଚିତ୍ର ନିମିଷକ ଭିତରେ ଦେଶବିଦେଶକୁ ଚାଲିଯାଉଛି । ଆଜି ଯେଉଁସବୁ କଳ କୌଶଳ ଆମକୁ ଜଟିଳ ଲାଗୁଛି ଖୁବ ଶୀଘ୍ର ସେସବୁ ଆମକୁ ଖୁବ୍ ସହଜ ହୋଇଯିବ ।

ପାଣି ଭିତରକୁ ପଶି ଗୋଡ଼ ହାତ ଛାଟିଲେ ପାଣି ପହଁରା ଆପେ ଶିଖି ହୋଇଯିବ । ଯିଏ ଆଦୌ ଶିଖିବ ନାହିଁ କହିବ ତା କଥା ଅବଶ୍ୟ ଭିନ୍ନ । ତାକୁ ହୁଏତ ପାଣିରେ ବୁଡ଼ିଯାଇ ଇହଧାମ ତ୍ୟାଗ କରିବାକୁ ପଡ଼ିବ ।

ଆଜିର ଏହି ଆହ୍ୱାନକୁ ଆଖିରେ ରଖି କେନ୍ଦ୍ର ସରକାର ସ୍କିଲ୍ ଡେଭଲ୍ମେଣ୍ଟ କର୍ପୋରେସନ୍ (ଦକ୍ଷତା ବିକାଶ ନିଗମ) ଗଠନ କରି ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କ ଦକ୍ଷତା ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ଯେଉଁସବୁ ଦେଶରେ ଦକ୍ଷତା ସମ୍ପନ୍ନ ବା କୁଶଳୀ ଲୋକଶକ୍ତିର ସଂଖ୍ୟା ଅଧିକ ସେହି ସବୁ ଦେଶ ଅଧିକ ଉନ୍ନତ ହେବା ସ୍ୱାଭାବିକ ।

ଜାପାନ୍, ଜର୍ମାନୀ, ଆମେରିକା ଇତ୍ୟାଦି ଦେଶମାନଙ୍କରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ସତୁରି ଅଶୀ ଶତାଂଶରୁ ଅଧିକ ଥିବାବେଳକୁ ଆମଦେଶର ମୋଟ ଶ୍ରମିକ ସଂଖ୍ୟାରୁ ପାଞ୍ଚ ଶତାଂଶ ମଧ୍ୟ କୁଶଳୀ କିମ୍ବା ତାଲିମ ପ୍ରାପ୍ତ ନୁହଁନ୍ତି । ଆମ ଦେଶରେ ଆଜି ଯିଏ କରଣୀଟିଏ ଧରିଲା କାଲି ସେ ରାଜମିସ୍ତ୍ରି, ଯିଏ କରତ ବା ବାଟୁଳିଟିଏ କିଣିପାରିଲେ ସେ ହେଲା ମହାରଣା, ସ୍କୃ ପାନା ପେଞ୍ଚକସ୍ କିଛି ଯୋଗାଡ଼ କରିପାରିଲେ ସେ ହୋଇଯାଉଛି ମେକାନିକ୍, ଆଉ ଏମାନଙ୍କୁ ଭରସା ନକରିବାକୁ ବି କାହାରି ଅନ୍ୟ ଉପାୟ ନାହିଁ ।

ଏହାର କାରଣ ହେଲା ଆମ ଦେଶସାରା ଛତୁ ଫୁଟିଲାଭଳି ସ୍କୁଲ କଲେଜ ସିନା ଖୋଲିଯାଇଛି (ଅବଶ୍ୟ ବିନା ପାଠ ପଢ଼ାରେ ବି ଡିଗ୍ରୀଟିଏ ମିଳିଯାଉଛି – ତାହା ଭିନ୍ନ କଥା), କିନ୍ତୁ ଆମଦେଶର ବଡ଼ଭାଗ ଜନସାଧାରଣଙ୍କୁ ବା ଶ୍ରମିକ ଶ୍ରେଣୀର ଲୋକଙ୍କ ଦକ୍ଷତା ବିକାଶ ନିମନ୍ତେ ଏବେଯାଏଁ ଯଥେଷ୍ଟ ସୁବିଧା ସୁଯୋଗ ନାହିଁ ।

ଆଗରୁ ଦେଶର ଓ ଜନସାଧାରଣଙ୍କ ଆର୍ଥିକ ଅନଗ୍ରସରତା ନିମନ୍ତେ ମଧ୍ୟ ଦକ୍ଷତା ସମ୍ପନ୍ନ ବା କୁଶଳୀ କାରିଗରମାନଙ୍କର ଚାହିଦା ବେଶି ରହୁନଥିଲା । ଏବେ କିନ୍ତୁ ଦେଶର ଆର୍ଥିକ ପ୍ରଗତି ସାଙ୍ଗକୁ ଦେଶରେ କୁଶଳୀ କାରିଗରଙ୍କ ଚାହିଦା ଖୁବ୍ ଦ୍ରୁତଗତିରେ ବଢ଼ିବାକୁ ଲାଗିଛି ।

ନିକଟରେ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମଙ୍କ ତରଫରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଅନୁମାନ କରାଯାଉଛି ଯେ ୨୦୨୨ ମସିହା ସୁଦ୍ଧା ନିର୍ମାଣକ୍ଷେତ୍ର, ଖୁଚୁରା ବ୍ୟବସାୟ, ପରିବହନ, ରୂପଚର୍ଯ୍ୟା-ପ୍ରସାଧନ, ଫର୍ଣ୍ଣିଚର ଏବଂ କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୫୮ କୋଟି ହେବ ।

ଏ ଭିତରୁ କେବଳ କୃଷି କ୍ଷେତ୍ରରେ ଆବଶ୍ୟକ କୁଶଳୀ ଶ୍ରମିକଙ୍କ ସଂଖ୍ୟା ହେବ ପ୍ରାୟ ୨୨ କୋଟି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ ବର୍ଷରେ କୃଷି କ୍ଷେତ୍ରରେ ରୋଜଗାର ମିଳୁଥିବା ଲୋକଙ୍କ ସଂଖ୍ୟା ୨୪ କୋଟିଥିବାବେଳେ ୨୦୨୨ରେ ତାହା ୨୨କୋଟିକୁ ଖସିଯିବ । ଅନ୍ୟଅର୍ଥରେ ଆଗାମୀ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଆବଶ୍ୟକ ଲୋକଙ୍କ ସଂଖ୍ୟା କମ୍ ହେବାକୁ ଲାଗିବ ।

କୃଷି ବ୍ୟତୀତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଦକ୍ଷତା ସମ୍ପନ୍ନ ଲୋକଙ୍କ ନିଯୁକ୍ତି ଖୁବ୍ ଅଧିକ ହାରରେ ବଢ଼ିବ । ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଜରିଆରେ ରେଲବାଇ, କଳକାରଖାନା, ଅଟୋ ମୋବାଇଲ୍, ଉଡାଜାହାଜଠାରୁ ପ୍ରତିରକ୍ଷା ସାମଗ୍ରୀଯାଏଁ ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶରେ ଉତ୍ପାଦନ କରିବା ପାଇଁ ସରକାର ବିଦେଶୀ କମ୍ପାନୀମାନଙ୍କୁ ବ୍ୟଗ୍ରତାର ସହିତ ନିମନ୍ତ୍ରଣ କରୁଛନ୍ତି ।

ସରକାରଙ୍କ ଏହି ପ୍ରଚେଷ୍ଟା ସାମାନ୍ୟମାତ୍ରାରେ ସଫଳ ହେଲେମଧ୍ୟ ଦେଶରେ ‘ମାନୁଫେକ୍ଚରିଙ୍ଗ୍’ ଶିଳ୍ପରେ କୁଶଳୀ ଶ୍ରମିକଙ୍କ ଚାହିଦା ଖୁବ୍ ବଢ଼ିଯିବ । ଏହାରି ପ୍ରଭାବରେ ଏସବୁ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଜୁରି ଖୁବ୍ ବଢ଼ିଯିବ ଏବଂ କୃଷିକ୍ଷେତ୍ରରେ ମଧ୍ୟ ଯଥେଷ୍ଟ ମଜୁରି ନଦେଲେ ଶ୍ରମିକ ଅଭାବ ଆହୁରି ବଢ଼ିବ ।

କୃଷିକ୍ଷେତ୍ରରେ ବିଶ୍ୱବଜାର ସହିତ ପ୍ରତିଯୋଗିତାକ୍ଷମ ହେବା ନିମନ୍ତେ ଆମଦେଶର କୃଷିକ୍ଷେତ୍ରରେ ମଧ୍ୟ ଆଧୁନିକ କଳକୌଶଳର ଉପଯୋଗକରି ଅଧିକ ପୁଞ୍ଜି ଖଟାଇବାକୁ ହେବ । କୃଷିର ଆଧୁନିକିକରଣ କରିବାକୁ ଗଲେ କୃଷିକ୍ଷେତ୍ରରେ ନିୟୋଜିତ ସମସ୍ତଙ୍କୁ ଦକ୍ଷତା ସମ୍ପନ୍ନ ବା କୁଶଳୀ ହେବାକୁ ପଡ଼ିବ । ଅନ୍ୟଥା ପୁରୁଣାକାଳିଆ ଚାଷବାସ କରି ଚାଷବାସରେ କୌଣସି ଚାଷୀ ଉତ୍ତମ ଜୀବନଯାପନ କରିପାରିବା ସମ୍ଭବପର ହେବନାହିଁ ।

ପୁରୁଣା କାଳିଆ ଚାଷବାସ ପଦ୍ଧତିକୁ ଜାବୁଡ଼ି ଧରିଲେ ଚାଷବାସ ଭୁଷୁଡ଼ିପଡ଼ିବା ହିଁ ସାରହେବ । ଉନ୍ନତ କୃଷି ପ୍ରଣାଳୀ ଅବଲମ୍ବନ କଲେଯାଇ କୃଷିକ୍ଷେତ୍ରରେ ଶ୍ରମିକମାନଙ୍କୁ ଆକର୍ଷଣୀୟ ମଜୁରି ଦିଆଯାଇପାରିବ ଏବଂ ଚାଷୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ । ଆଗକୁ ଏପ୍ରକାର ଯେଉଁ ପରିବର୍ତ୍ତନ ସବୁ ଆସୁଛି ସେଥିପାଇଁ ଏବଠାରୁ ହିଁ ଗ୍ରାମୀଣ ଜନସାଧାରଣ ଓ ବିଶେଷକରି ଚାଷୀମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ଅନ୍ୟଥା “ଦାଦନ ଶ୍ରମିକମାନେ ଆନ୍ଧ୍ର ଇଟାଭାଟିରେ ନିର୍ଯ୍ୟାତିତ”ହେଉଥିବାର ଯେତେ ସମ୍ବାଦ ବାହାରୁଥିଲେ ବି ଓଡ଼ିଆ ଚାଷୀମୂଲିଆଙ୍କୁ ଦାଦନ ହୋଇ ନିର୍ଯ୍ୟାତିତ ହେବା କିମ୍ବା ଶ୍ରମିକ ଚାଲାଣ ସମସ୍ୟାରୁ ମୁକ୍ତିପାଇବା ସମ୍ଭବ ହେବନାହିଁ ।

ଯେଉଁ ସ୍ୱେଚ୍ଛାସେବୀ ସଙ୍ଗଠନ ଓ କୃଷକ ସଂଗଠନମାନେ ଦାଦନ ସମସ୍ୟା କିମ୍ବା ଚାଷୀମୂଲିଆଙ୍କ ସମସ୍ୟାକୁ ନେଇ ଚିନ୍ତିତ ବା କାମ କରୁଛନ୍ତି ସେମାନେ ମଧ୍ୟ ଚାଷୀମୂଲିଆଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ସେମାନେ କିପରି ଅଧିକ ରୋଜଗାରକ୍ଷମ ଓ ଅଧିକ ଉପାର୍ଜନକ୍ଷମ ହୋଇପାରିବେ ସେ ଦିଗରେ ସରକାରଙ୍କ ସହିତ ମିଶି କାର୍ଯ୍ୟକରିବା ଅଧିକ ସମୀଚୀନ ହେବ ।

ସବୁ କ୍ଷେତ୍ରରେ ସରକାରଙ୍କୁ ଆଶ୍ରାକରି କିମ୍ବା କେବଳ ସମାଲୋଚନାକରି କରି ବସିରହିଲେ ଦୁନିଆ ତା ବାଟରେ ଆଗକୁ ବଢ଼ିଚାଲିବ ଓ ଆମେ ପଛରେ ପଡ଼ିରହିଥିବା ହିଁ ସାରହେବ ।

ସଦସ୍ୟ, ରାଷ୍ଟ୍ରୀୟ କୃଷକ କମିସନ (୨୦୦୪-୦୭)
୩୮୧୬, ଘାଟିକିଆ, ଭୁବନେଶ୍ୱର – ୭୫୧୦୦୩

Leave a Reply

This site uses Akismet to reduce spam. Learn how your comment data is processed.