Site icon Odisha.com

ବିଷ୍ଣୁପଦ ସେଠୀ ପାଇବେ ଉଦ୍ୟୋଗ ରତ୍ନ ପୁରସ୍କାର

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ନଭେମ୍ବର ୧ (ଓଡିଶା ଡଟ କମ) ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଚଳିତ ବର୍ଷର ସମ୍ମାନ ଜନକ ଉଦ୍ୟୋଗ ରତ୍ନ ପୁରସ୍କାର ପାଇବେ ।

ଦେଶର ଅର୍ଥନୈତିକ ବିକାଶ ଉପରେ ଗବେଷଣା ଓ ସଚେତନତା ସୃଷ୍ଟି କରୁଥିବା ନୂଆଦିଲ୍ଲୀ ସ୍ଥିତ ଜଣାଶୁଣା ସର୍ବ ଭାରତୀୟ ସଂସ୍ଥା ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସ (ଆଇଇଏସ ) ତରଫରୁ ଏହି ପୁରସ୍କାର ପ୍ରତିବର୍ଷ ଦେଶର ଅର୍ଥନୈତିକ ଉନ୍ନତି ଓ ଔଦ୍ୟଗିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ ।

ଚଳିତ ବର୍ଷ ଏହି ପୁରସ୍କାର ମୁମ୍ବାଇ ଠାରେ ଆସନ୍ତା ନଭେମ୍ବର ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ସେଠୀଙ୍କ ସହ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ)କୁ ମଧ୍ୟ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯିବ ବୋଲି ଇନଷ୍ଟିଚ୍ୟୁଟ ଅଫ ଏକୋନୋମିକ ଷ୍ଟଡିସର କାର୍ଯ୍ୟକାରୀ ନିର୍ଦ୍ଦେଶିକା ସଂଗୀତା ସିଂ ସୂଚନା ଦେଇଛନ୍ତି ।

ବଛା ବଛା ଅର୍ଥନୀତି ବିଶାରଦ ମାନଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳୀ ଏହି ପୁରସ୍କାର ପାଇଁ ଦେଶର ଅର୍ଥନୈତିକ ଉନ୍ନତି ଓ ବିକାଶରେ ବିଶେଷ ଯୋଗଦାନ କରିଥିବା ବ୍ୟକ୍ତିଙ୍କ ଚୟନ କରିଥାଏ ।

ଆଇଇଏସ ପୂର୍ବରୁ ଯେଉଁ ମାନଙ୍କୁ ଉଦ୍ୟୋଗ ରତ୍ନ ପୁରସ୍କାର ରେ ସମ୍ମାନିତ କରିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ବିଶିଷ୍ଟ ଶିଲ୍ପପତି ବିଜୟ ମାଲ୍ୟା, ଜେଟ ଏୟାରୱେଜ ଅଧ୍ୟକ୍ଷ ନରେଶ ଗୋୟଲ, ଏଲ ଆଇସି ହାଉସିଂ ଫାଇନାନସ ଲିମିଟେଡର ମରିଚାଳନ ନିର୍ଦ୍ଦେଶକ ସୁରିତା ଶର୍ମା ଅନ୍ୟତମ ।

ବିଷ୍ଣୁପଦ ସେଠୀ ହେଉଛନ୍ତି ୧୯୯୫ ବ୍ୟାଚର ଓଡିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ସେ ଓମଫେଡ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଏହାର ଉତ୍ପାଦ ପ୍ରତି ଲୋକଙ୍କ ଆଗ୍ରହ ବଢାଇବାରେ ସଫଳ ହୋଇଛନ୍ତି ।

ତାଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସ୍ଵତନ୍ତ୍ର ଗୋ-ମହିଷାଦି ନୀତି ଓ କୁକ୍କୁଟ ନୀତି ପ୍ରଣୟନ ହୋଇଥିବା ବେଳେ ଉକ୍ତ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସ୍ତୃଷ୍ଟି ହୋଇଛି ।

ଓଡିଶା ଡଟ କମ

Exit mobile version