ରୋକ ଠୋକ

ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

ଡା. ଦାମୋଦର ରାଉତ

ମୃତ୍ୟୁ ବିଶାଦର ବାହକ ହୋଇଥିଲା ବେଳେ ଜନ୍ମ ଆନନ୍ଦଉଲ୍ଲାସର ସ୍ରୋତ ବୁହାଇ ଥାଏ । ଶିଶୁଟିଏ ଜନ୍ମ ହେଲେ ଜନ୍ମଦାତ୍ରୀ ମା’ଠାରୁ ଆରମ୍ଭ କରି ପରିବାର, ବନ୍ଧୁବାନ୍ଧବ ଉଲ୍ଲସିତ ହୋଇଥାନ୍ତି । ଶିଶୁଟିର ଦରୋଟି କଥାରେ ସମସ୍ତେ ଆମୋଦିତ ହୁଅନ୍ତି । କିନ୍ତୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି କାରଣରୁ କେହି ଜଣେ ମୃତ୍ୟୁବରଣ କଲେ ଶୋକର ଛାୟା ଖେଳିଯାଏ ।

damodar-3ତେବେ ମଣିଷ ସମାଜରେ ଜନ୍ମ-ମୃତ୍ୟୁ ଏକ ଈଶ୍ୱରଦତ୍ତ ପ୍ରକ୍ରିୟା । ସମାଜକର୍ତ୍ତାମାନେମୃତ୍ୟୁର ହାର କମାଇବା ପାଇଁ ଯେତିକି ଯୋଜନା ହାତକୁ ନେଇଥାନ୍ତି, ଜନବିସ୍ଫୋରଣକୁ ପ୍ରତିହତ କରିବା ପାଇଁ ଜନ୍ମନିରୋଧକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ତା’ ସତ୍ତ୍ୱେ ଜନ୍ମ ଏବଂମୃତ୍ୟୁକୁ କେହି ରୋଧ କରିପାରିନାହାନ୍ତି ବା ପାରିବେ ନାହିଁ ।

ସମ୍ପ୍ରତି ବେଶ୍ କିଛିଦିନ ହେଲା ଚାଷୀ ଆତ୍ମହତ୍ୟା କୁ ନେଇ ବେଶ୍ କିଛି ଆଲୋଡନ ସୃଷ୍ଟି ହୋଇଛି । ବେଳେବେଳେ ଅତ୍ୟଧିକ ମାନସିକ ସନ୍ତୁଳନକୁ ସହ୍ୟ କରି ନପାରି ମଣିଷ ଆତ୍ମହତ୍ୟା କରିଥାଏ । ଆତ୍ମାକୁ ବାଧିଲେ ଆତ୍ମହତ୍ୟା କରନ୍ତି ବୋଲି ଲୋକେ କହନ୍ତି ।

ଆତ୍ମହତ୍ୟା ଦୁଃଖଦାୟକ ଏବଂ ଆତ୍ମହତ୍ୟା ର ସମ୍ବାଦ ଶୁଣିଲେ, ଶୁଣୁଥିବା ଲୋକର ମନ ଭିତରେ ସ୍ୱତଃପ୍ରବୃତ ଭାବରେ ସମ୍ବେଦନଶୀଳତାର ଏକ ଭାବନା ସୃଷ୍ଟି ହୁଏ-କ୍ଷଣସ୍ଥାୟୀ ହେଉ ପଛକେ ।

ତେବେ ସମାଜରେ ସବୁ ବର୍ଗର ଲୋକେ ମାନସିକ ସନ୍ତୁଳନର ଶିକାର ହୋଇଥାନ୍ତି । ଛାତ୍ର ହେଉ, ଶିକ୍ଷକ ହେଉ, କର୍ମଚାରୀ ହୁଅନ୍ତୁ, ଶିଳ୍ପପତି, ଠିକାଦାର କିମ୍ବା ବ୍ୟବସାୟୀ ହୁଅନ୍ତୁ ସମସ୍ତେ ମାନସିକ ସନ୍ତୁଳନର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି । ଚାଷ କରୁଥିବା ଲୋକେ ସମାଜରୁ ଅଲଗା ନୁହଁନ୍ତି ।

ପାରିବାରିକ କାରଣରୁ ହେଉ, ରୋଗ ଯନ୍ତ୍ରଣାରୁ ହେଉ କିମ୍ବା ସାହୁକାର ମହାଜନଙ୍କର ଦାଉ ସମ୍ଭାଳି ନପାରି ହେଉ ଆତ୍ମହତ୍ୟା କରିଥାନ୍ତି । ଏତଦ ବ୍ୟତୀତ ପ୍ରତିଦିନ ମଣିଷ ସମାଜରେ ଯୁକ୍ତ ହେବା ପାଇଁ କିଛି ଶିଶୁ ଜନ୍ମ ହୁଅନ୍ତି ଏବଂ ସମାଜରେ ସମୀକରଣ ରକ୍ଷା ପାଇଁ କିଛିମୃତ୍ୟୁ ସମ୍ବାଦ ଆସିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

ପରିତାପର ବିଷୟ, ଏବେ ଆତ୍ମହତ୍ୟା କୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରତିଷ୍ଠିତ ସରକାରଙ୍କୁ ଦାୟୀ କରାଯାଉଛି । ଯିଏ ଚାଷ କରେ ସେ ଚାଷୀ ଏବଂ ସମାଜର ସର୍ବାଧିକ ଲୋକ ଚାଷକୁ ବୃତ୍ତି ଭାବରେ ଆଦରି ନେଇଥାନ୍ତି । ଏହା ବିଶେଷ ଭାବରେ ଆମ ରାଜ୍ୟରେ ବୃତ୍ତି ଭାବରେ ବିଚାର କରାଯାଇଥାଏ । ଚାଷ ଓଡ଼ିଶାରେ ସର୍ବପୁରାତନ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଅନୁଭୂତି ଓ ଅନୁଭବକୁ ନେଇ ଆମର ପୂର୍ବପୁରୁଷମାନଙ୍କ ଦ୍ୱାରା (ଯେତେବେଳେ ଚାଷ ହିଁ ଜୀବନଧାରଣର ଏକ ମାତ୍ର ପାଥେୟ ଥିଲା) ·ଚାଷ ଆମର ବୃତ୍ତି ଭାବରେ ସ୍ୱୀକୃତ ହୋଇ ଆସିଛି । ସେତେବେଳେ ମଧ୍ୟ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀକୁଳକୁ ନିର୍ମମ ଧୋକା ଦେଉଥିଲା । ଚାଷୀ ତାକୁ ସାହସର ସହିତ ସାମ୍ନା କରୁଥିଲା ।

ତା’ର ନିଚ୍ଛକ ଭାବନା ଥିଲା ସେ ବଞ୍ଚିବ ଏବଂ ପରିବାରକୁ ବଞ୍ଚାଇବ । ଯେତେ କଷ୍ଟସାଧ୍ୟ ହେଉ ପଛକେ ପ୍ରାକୃତିକ ବିପର୍ଯ୍ୟୟରେ ଗୋଟିଏ ଫସଲ ନଷ୍ଟ ହେଲେ ବିକଳ୍ପ ଫସଲ କରି ଫସଲ ଉପୁଜାଇବ, ନିଜେ ବଞ୍ଚିବ, ପରିବାରକୁ ବଞ୍ଚାଇବ ଏବଂ ଜାତି ମଧ୍ୟ ବଞ୍ଚିବ । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ଭୟକରି ସେ କାପୁରୁଷ ଭଳି ଆତ୍ମହତ୍ୟା କରେ ନାହିଁ ।

ବିବର୍ତ୍ତନବାଦ ପ୍ରକ୍ରିୟା ଦେଇ ଆମେ ବର୍ତ୍ତମାନ ସମାଜରେ ଦଣ୍ଡାୟମାନ ହୋଇଥିଲେ ମଧ୍ୟ ଚାଷକୁ ଆରମ୍ଭ କରିଥିବା ଆମ ପୂର୍ବପୁରୁଷ ଏବେ ବି ଅନେକ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ବସବାସ କରୁଛନ୍ତି । ଅଭାବରେ କିମ୍ବା ଉପାସରେ ରହିଲେ ମଧ୍ୟ ସେମାନେ ଆତ୍ମହତ୍ୟା କରନ୍ତି ନାହିଁ, କିମ୍ବା ଭିକ ମାଗନ୍ତି ନାହିଁ ।

ସେଥିପାଇଁ ଓଡ଼ିଆ ଜାତି ତା’ର ସାହସ ଓ ସ୍ୱାଭିମାନ ବଳରେ ଦୁନିଆ ଦାଣ୍ଡରେ ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲା । ଆଜି ପ୍ରତ୍ୟେକମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ର ରୂପ ଦେଇ ଖାଲି ପ୍ରଚାର କରୁନାହୁଁ, ସମାଜକୁ ଅନ୍ନଦାନ କରୁଥିବା ଗୌରବଦୀପ୍ତ ବୃତ୍ତିଧାରୀ ମଣିଷକୁ କାପୁରୁଷ ଭଳି ଆତ୍ମହତ୍ୟା କରୁଥିବା ଘଟଣା ଭାବେ ଉଲ୍ଲାସର ସହ ପ୍ରଚାର କରୁଛୁ ଏବଂ ଏଥିପାଇଁ ନିର୍ବାଚିତ ସରକାରକୁ ହିଁ ଦୋଷ ଦେଉଛୁ ଓ ମୃତ୍ୟୁରେ ସମ୍ବେଦନଶୀଳତାର ସ୍ପର୍ଶ ନଥାଇ ଅନ୍ୟକୁ ନିନ୍ଦିତ କରିବାର ଅଭିପ୍ସା ବେଶ୍ ପରିସ୍ଫୁଟ ହେଉଛି ।

ସମ୍ବାଦପତ୍ର, ଗଣମାଧ୍ୟମର ବନ୍ଧୁମାନେ, ଦାୟିତ୍ୱବାନ ବିରୋଧି ଦଳମାନେ ଚାଷୀ ଋଣ ବୋଝ ସମ୍ଭାଳି ନପାରି ମରିବାର କାରଣ ସ୍ୱରୂପ ଆଉ ଏକ ଗୁରୁତର ଆରୋପ ଆଣିଛନ୍ତି । ତାହା ହେଲା ସାରା ରାଜ୍ୟରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଚାଷୀକୁ ଋଣ ଲଗାଣ କରୁଛନ୍ତି, ପ୍ରାୟ ୪୮% ସୁଧରେ ଏବଂ ଚାଷୀକୁ ହନ୍ତସନ୍ତ କରୁଛନ୍ତି ।

ସେହିଭଳି ଭାବେ ଘରୋଇ ମହାଜନମାନେ ଅଧିକ ସୁଧରେ ଋଣ ଦେଇଆର୍ଥିକ ଅଭାବ ଭିତରେ ଚାଷୀ କୁ ଅତ୍ୟଧିକ ମାନସିକ ସନ୍ତୁଳନର ଶିକାର କରୁଛନ୍ତି । ଏହାକୁ ଅସ୍ୱୀକାର କରିହେବ ନାହିଁ । ସ୍ୱୟଂ ସହାୟିକା ଗୋଷ୍ଠୀ ହୁଅନ୍ତୁ କିମ୍ବା ଘରୋଇ ମହାଜନ ହୁଅନ୍ତୁ ଲୋକଙ୍କୁ ଶୋଷଣ କରି ସମ୍ପତ୍ତି ବଢ଼ାଇବା ଆଇନ ଆଖିରେ ଧର୍ତ୍ତବ୍ୟ ଅପରାଧ ।

ଘରୋଇ ମହାଜନୀକୁ(Private money lending) ଉଚ୍ଛେଦ କରାଯାଇ ଆଇନ ପ୍ରଣୟନ କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନିଜେ ଅ ।ତ୍ମନିର୍ଭରଶୀଳ ହେବେ ବୋଲି ଆଶା କରି ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି ।

ସରକାରୀ ପ୍ରୋତ୍ସାହନ ଲବ୍ଧ ଧନକୁ ସେମାନେ ଯଦି ସୁଧ ଲଗାଣ କରନ୍ତି ତାହା ମଧ୍ୟ ଦଣ୍ଡନୀୟ । ଏଥିପ୍ରତି ସମ୍ପୃକ୍ତ ବିଭାଗ ଯଦି ଦୃଷ୍ଟି ଦେଉନାହାନ୍ତି, ତେବେ ଗଣମାଧ୍ୟମର ବନ୍ଧୁମାନେ, ବିରୋଧୀ ଦଳର ନେତା ଓ କର୍ମୀମାନେ ଏବଂ ସମ୍ବାଦପତ୍ରର ସାମ୍ବାଦିକ ବନ୍ଧୁମାନେ ସମାଜରେ ଘଟୁଥିବା ଏଭଳି ଆଇନ ବିରୁଦ୍ଧ ଦଣ୍ଡନୀୟ କାର୍ଯ୍ୟକୁ ପ୍ରତିରୋଧ କରୁନାହାନ୍ତି କାହିଁକି?

ଏ କ୍ଷେତ୍ରରେ ସରକାରୀ ଅପାରଗତା ଆରୋପ ସହ ଘଟଣାର ପର୍ଦ୍ଧାଫାଶ କରୁନଥିଲେ କାହିଁକି? କେବଳ ସରକାରଙ୍କୁ ନିନ୍ଦିତ କରିବା ଏବଂ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ପାସୋରି ଯିବା ବିଜ୍ଞତାର କାର୍ଯ୍ୟ ନୁହେଁ ।

ଚଳିତ ବର୍ଷ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୦ହଜାର କୋଟି ଟଙ୍କା ଖରିଫ୍ ଓ ରବି ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟିକ ବ୍ୟାଙ୍କ ଜରିଆରେ ୬ହଜାର କୋଟି ଟଙ୍କା ଋଣ ଦେବାକୁ ନିଷ୍ପତ୍ତି କରିଛନ୍ତି । ସମବାୟ ବ୍ୟାଙ୍କମାନେ ୫ହଜାର ୫ଶହ କୋଟି ଟଙ୍କା ଖରିଫ୍ ଋଣ ଦେଇ ସାରିଛନ୍ତି ଏବଂ ୪ହଜାର ୫ଶହ କୋଟି ଟଙ୍କା ରବି ଋଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଖରିଫ୍ ଫସଲ ଉତୁରିବା ଆଗରୁ ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି, ସେଥିପାଇଁ ସ୍ୱଳ୍ପ ମିଆଦି ଏହି ଖରିଫ୍ ଋଣ ଆଦାୟକୁ ନିଷିଦ୍ଧ କରାଯାଇ ୩ ବର୍ଷିଆ ଦୀର୍ଘମିଆଦୀ ଋଣରେ ପରିଣତ ପାଇଁ ଘୋଷଣା କରାଯାଇଛି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ବିକଳ୍ପ ରବି ଫସଲ ପାଇଁ ଋଣ ବଣ୍ଟନ ହେଲାଣି ।

ତେଣୁ ସରକାରୀ ଋଣ ଆଦାୟ ହେଉନାହିଁ । ଋଣ ଦିଆଯାଉଛି । ସେହିଭଳି ଘରୋଇ ସଂସ୍ଥାରୁ ଚାଷ ପାଇଁ ଚାଷୀ ଋଣ କଲେ ଫସଲ ଉତୁରିବା ଆଗରୁ କେହି ଋଣ ମାଗନ୍ତି ନାହିଁ । ତେଣୁ ଋଣ ବୋଝ ସହିନପାରି ଅସମୟରେ ଯେ ଚାଷୀ ଆତ୍ମହତ୍ୟା କରୁଛନ୍ତି ଏକଥାକୁ ସହଜରେ ବିଶ୍ୱାସ କରିହେଉନାହିଁ ।

ଏହା ଅବଶ୍ୟ ସତ୍ୟ ଯେ ଆମ ରାଜ୍ୟରେ ପ୍ରାୟ ୮୫% ଚାଷୀ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ । ଏମାନଙ୍କର ସମସ୍ୟା ଅନେକ, ଆର୍ଥିକ ସ୍ଥିତି ଦୁର୍ବଳ । ତଥାପି ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରିଥାନ୍ତି । କାପୁରୁଷ ଭଳି ଆତ୍ମହତ୍ୟା କରିବା ପାଇଁ ସେମାନଙ୍କ ବିବେକ ତାଙ୍କୁ ବାଧା ଦେଇଥାଏ ।

ଚାଷୀ ହେଉଛନ୍ତି ସମାଜର ଅନ୍ନଦାତା । ତାଙ୍କ ଉପରେ ଆତ୍ମହତ୍ୟା ର ଆରୋପ ଲଗାଇ ସେମାନଙ୍କୁ ନିନ୍ଦିତ କରିବା ବୋଧହୁଏ ସମାଜ ପାଇଁ ଶୁଭଙ୍କର ନୁହେଁ ।ମୁଁ ଆଶା କରୁଛି, ଚାଷୀମାନଙ୍କର ବହୁବିଧ ସମସ୍ୟାକୁ ସମାଧାନ କରିବା ପାଇଁ ଚାପ ସୃଷ୍ଟି ହେଉ ଏବଂ ବିଭିନ୍ନ କ୍ଷେତ୍ରରୁ ପରାମର୍ଶ ସରକାରଙ୍କୁ ଦିଆଯାଉ କେବଳ ନିନ୍ଦିତ କରିବାର ସଂକୀର୍ଣ୍ଣ ମାନସିକତାକୁ ପରିହାର କରାଯାଉ ।

(ଡା. ଦାମୋଦର ରାଉତ ଓଡିଶାର ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ )

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

Leave a Reply

This site uses Akismet to reduce spam. Learn how your comment data is processed.