ଓଡିଶା ନ୍ୟୁଜ/ Odisha News
ରୋକ ଠୋକ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

Leave a Reply

This site uses Akismet to reduce spam. Learn how your comment data is processed.