Site icon Odisha.com

ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ – କେତୋଟି ପ୍ରସ୍ତାବ: ଜଗଦୀଶ ପ୍ରଧାନ

ଜଗଦୀଶ ପ୍ରଧାନ

− ଏଥିରେ କେହି ଦ୍ୱିମତ ହେବେ ନାହିଁ ଯେ ଏବେ ସାରାଦେଶରେ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ସ୍ଥିତିକୁ ପହଞ୍ଚି ସାରିଛି ।

− ତା’ ଉପରେ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆକ୍ରମଣ ଇତ୍ୟାଦି ଦୁର୍ବିପାକ ଦେଖାଦେଲେ ଚାଷୀମାନଙ୍କ ଦୁରାବସ୍ଥା ଆହୁରି ବଢ଼ିଯାଉଛି ।

− ଓଡ଼ିଶା ପରିପ୍ରେକ୍ଷୀରେ ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଦୁରାବସ୍ଥା ସବୁଠାରୁ ବେଶି ।

− ସମସ୍ତେ ଏହା ବୁଝିବା ଆବଶ୍ୟକ ଯେ, ଏପରି ଦୁରାବସ୍ଥାର ମୁଖ୍ୟ କାରଣ ‘ୠଣ’ ନୁହେଁ କିମ୍ବା ସୁବିଧାରେ ଓ କମ୍ ସୁଧରେ ‘ୠଣ’ ମିଳିଗଲେ ଯେ ଏ ଦୁରାବସ୍ଥା ସୁଧୁରିଯିବ ତାହା ବି ନୁହେଁ ।

ଏପରି ଦୁରାବସ୍ଥା ପାଇଁ ଅନେକ କାରଣ ରହିଛି ଯାହାକୁ ସରକାର ଏକ ସୁଚିନ୍ତିତ କାର୍ଯ୍ୟକାରୀ କରିପାରିବା ଭଳି ଯୋଜନା ଜରିଆରେ ହିଁ ସମାଧାନ କରିପାରିବେ ।

− ଏବେ ରାଜ୍ୟରେ ଚାଷୀମାନଙ୍କ ଆତ୍ମହତ୍ୟା କରୁଥିବା ସମ୍ବାଦ ସବୁ ଯେଭଳି ଭାବେ ଆସୁଛି ତାହା ଯେ କୌଣସି କାରଣରୁ ହେଉନାକାହିଁ କି ଉକ୍ତ ଚାଷୀମାନଙ୍କ ଭିତରୁ ଯେ ଅଧିକାଂଶ ଚାଷୀ ଆର୍ଥିକ ଦୃଷ୍ଟିରୁ ଅନେକ ଦିନ ଧରି ମାନସିକ ଚାପରେ ରହିବାପରେ ଅନ୍ୟ ଉପାୟ ନପାଇଁ ଆତ୍ମହତ୍ୟା କରିବାର ବାଟ ବାଛି ନେଉଛନ୍ତି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

− ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତି ଚାଷୀ ହେଉ ବା ଅଣଚାଷୀ ହେଉ ତାହାଙ୍କୁ ଏଭଳି ପଦକ୍ଷେପ ନେବାରୁ ନିବୃତ କରାଇପାରିବା ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ ।

− ଯେଉଁ ଚାଷୀମାନେ ଫସଲହାନୀ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି, ପଞ୍ଚାୟତସ୍ତରରେ ସେଭଳି ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାପାଇଁ ପଞ୍ଚାୟତ ପ୍ରତିନିଧି, ଗ୍ରାମସେବକ ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ସରକାର ତୁରନ୍ତ ନିୟୋଜିତ କରିବା ଆବଶ୍ୟକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦେବା ଆବଶ୍ୟକ ।

− ସରକାର ବିଭିନ୍ନ ରିଲିଫ୍ ଓ କୃଷି ବିକାଶ କାର୍ଯ୍ୟକ୍ରମ ଘୋଷଣା କରୁଥିଲେ ମଧ୍ୟ ସାଧାରଣ ଚାଷୀମାନଙ୍କର ସରକାର (ଓ ସରକାରୀ କର୍ମଚାରୀମାନଙ୍କ) ଙ୍କ ଉପରେ ଆସ୍ଥା ଆସୁନାହିଁ । କୌଣସି କୃଷକର ଆତ୍ମହତ୍ୟା ଘଟଣାର ଗଣମାଧ୍ୟମରେ ଯେତିକି ଅଧିକ ଚର୍ଚ୍ଚା ଓ ପ୍ରଚାର ହେଉଛି ଦୁଃସ୍ଥ ଚାଷୀମାନଙ୍କର ସରକାର ଓ ସରକାରୀ ଯୋଜନା ଉପରେ ତଥା ନିଜ ଉପରେ ମଧ୍ୟ ଆସ୍ଥା ସେତିକି ହ୍ରାସ ପାଉଛି । ଫଳରେ ଆତ୍ମହତ୍ୟା ଏକ ସଂକ୍ରାମକ ବ୍ୟାଧି ଭଳି ହେବାକୁ ଯାଉଛି ।

ସରକାର ଏହି ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

− ଏକ ବିକେନ୍ଦ୍ରିତ ଶାସନ ବ୍ୟବସ୍ଥା ହିଁ ଅତି ସାଧାରଣ ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚôପାରିବ ଓ ଲୋକଙ୍କ ସମସ୍ୟା ବୁଝିପାରିବ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କିମ୍ବା ଉଚ୍ଚ ପଦାଧିକାରୀମାନେ ଜିଲ୍ଲାଗସ୍ତ କରିବାରେ ଲୋକେ ବିଶେଷ ସୁଫଳ ପାଇପାରିବେ ନାହିଁ ।

ସରକାର ପଞ୍ଚାୟତ ସ୍ତରରେ ଶାସନ ପ୍ରଣାଳୀକୁ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ କରନ୍ତୁ । ଏକ ଦକ୍ଷ ଓ ସୁଦୃଢ଼ ପଞ୍ଚାୟତରାଜ ବ୍ୟବସ୍ଥା ଜରିଆରେ ହିଁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ତ୍ୱରାନ୍ୱିତ କରିପାରିବେ ।

− ଦୀର୍ଘକାଳୀନ ଭିତ୍ତିରେ କୃଷି ଓ କୃଷକଙ୍କ ପାଇଁ କ’ଣ କରାଯିବା ଆବଶ୍ୟକ ତାହା ଚର୍ଚ୍ଚା କରିବାକୁ ତ ସମୟ ଅଛି କିନ୍ତୁ ଯେଉଁ ସବୁ କାରଣରୁ ଏବେ କୃଷକମାନଙ୍କ ଭିତରେ ହତାସ ଭାବ ବୃଦ୍ଧିପାଇ କିଛି ଚାଷୀ ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି ତାହାକୁ ପ୍ରତିହତ କରିବାପାଇଁ ସରକାର ଗ୍ରାମପଞ୍ଚାୟତମାନଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଯଥୋଚିତ ପଦକ୍ଷେପ ନିଅନ୍ତୁ ।

ପ୍ରଥମ ପଦକ୍ଷେପ ସ୍ୱରୂପ ମରୁଡ଼ିଗ୍ରସ୍ତ ପ୍ରତି ଗ୍ରାମ ପଞ୍ଚାୟତରେ ସବୁଠାରୁ ବେଶି ଦୁର୍ଗତ ୪୦-୫୦ ଜଣ ଲେଖାଏଁ ଚାଷୀଙ୍କୁ ଚିହ୍ନଟ କରି ତାଙ୍କୁ ବିଭିନ୍ନ ଯୋଜନାରେ ଯୋଡ଼ାଯାଉ ଯେମିତି ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ ।

− ଚାଷୀମାନଙ୍କ ସକାରାତ୍ମକ ଉଦ୍ୟମକୁ ସହାୟତା ଦେଇ ପ୍ରଚାର ପ୍ରସାର କରାଯାଉ ।

− ରାଷ୍ଟ୍ରୀୟ କୃଷକ କମିଶନଙ୍କ ପରାମର୍ଶ ତଥା ରାଜ୍ୟ କୃଷକ କମିସନ୍ ଦେଇଥିବା ରିପୋର୍ଟର ଆଧାରରେ ସରକାର ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଦୀର୍ଘକାଳୀନ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ।

Exit mobile version