ଲୋକଙ୍କ ଉଦ୍ୟମରେ ପରିଚାଳିତ ସଫଳ ପନିପରିବା ବଜାର

ଜଗଦୀଶ ପ୍ରଧାନ

ଗତ ୨୩ ନଭେମ୍ବର ଦିନ ବନ୍ଧୁ ନଟବର ଖୁଣ୍ଟିଆ (ସ୍ତମ୍ଭକାର) ଏବଂ ସୁଧାଂଶୁ ଶେଖର ଦେଓ (ସାମାଜିକ କର୍ମୀ)ଙ୍କ ସହିତ ଯାଜପୁର ଜିଲ୍ଲାର ବାରବାଟୀ ନିକଟବର୍ତ୍ତୀ ଓଡ଼ଙ୍ଗ ବଜାରକୁ ଗସ୍ତଅବସରରେ କେତେକ ପନିପରିବା ଚାଷୀ ଓ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ଚାଷବାସ ତଥା  ପନିପରିବା ବ୍ୟବସାୟ ସଂପର୍କରେ କେତେକ ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା ।

ଜଗଦୀଶ ପ୍ରଧାନ

ପାଞ୍ଚ ନମ୍ବର ଜାତୀୟ ରାଜପଥ କଟକରୁ ପ୍ରାୟ୪୦ କି.ମି. ଯିବାପରେ ଚଣ୍ଡିଖୋଲ ଆଗକୁ ରାଜପଥର କଡ଼ରେ ଓଡ଼ଙ୍ଗ ପନିପରିବା ବଜାର । ଏହା ବାରବାଟୀ ଗ୍ରାମ ପଞ୍ଚାୟତରେ ଅବସ୍ଥିତ । ବାରବାଟୀରେ ବହୁଦିନରୁ ଏକ ସାପ୍ତାହିକ ବଜାର ରହି ଆସିଛି ଏବଂ ୧୯୮୦-୮୫ ବେଳକୁ ସେଠାରେ ପନିପରିବାର ଏକ ଦୈନିକ ବଜାର ମଧ୍ୟ ଆରମ୍ଭ ହୋଇଥିଲା ।

ବାରବାଟୀ ଅଞ୍ଚଳରେ ବର୍ଷତମାମ ପ୍ରଚୁର ପନିପରିବା ଚାଷ ହୋଇଥାଏ ତଥା ଏଠାକୁ କେନ୍ଦୁଝର ଜିଲ୍ଲାର ଚାଷୀମାନେ ମଧ୍ୟ ପନିପରିବା ବିକ୍ରି କରିବାକୁ ଆସିଥାନ୍ତି । ତେଣୁ ବାରବାଟୀ ବଜାରରେ ପନିପରିବାର କାରବାର ଦିନକୁ ଦିନ ବଢ଼ିବାକୁ ଲାଗିଲା । କିନ୍ତୁ ସେଠାରେ ପନିପରିବା ବ୍ୟବସାୟୀ ଓ ଦଲାଲମାନଙ୍କର ଶୋଷଣ ଓ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଲା ।

ଏହାର ପ୍ରତିବାଦ କରି ଓଡ଼ଙ୍ଗ ଓ ଆଖପାଖ ଗାଁର କିଛି ଚାଷୀ ନେତୃତ୍ୱ ନେଇ ୧୯୯୩ ନଭେମ୍ବର ୨୯ ତାରିଖ ଦିନ ଓଡ଼ଙ୍ଗ ନିକଟରେ ଏକ ନୂତନ ପରିବା ବଜାର ଆରମ୍ଭ କଲେ ।

ଏହି ନୂତନ ବଜାର ଆରମ୍ଭ କରିବାରେ ତତ୍କାଳୀନ ବିଧାୟକ ଗୁରୁଚରଣ ଟିକାୟତ ମଧ୍ୟ ଚାଷୀମାନଙ୍କୁ ସାହାଯ୍ୟ କଲେ କିନ୍ତୁ ବାରବାଟୀ ହାଟରେ ସଂପୃକ୍ତ ଦଲାଲ, ପରିବା ବ୍ୟବସାୟୀ ଓ ତତ୍କାଳୀନ ସରପଞ୍ଚ ଏହି ନୂତନ ବଜାର ବିରୁଦ୍ଧରେ ଯାଇ ଗଣ୍ଡଗୋଳ କରି ବଜାର କରାଇ ନଦେବାକୁ ଏଠାରେ ୧୪୪ ଧାରା ଘୋଷଣା କରାଇଥିଲେ ।

ଉକ୍ତ ନୂତନ ବଜାର ନିମନ୍ତେ ନେତୃତ୍ୱ ନେଉଥିବା କୃଷକନେତା ନାରାୟଣ ଚନ୍ଦ୍ର ସ୍ୱାଇଁ, କାର୍ତ୍ତିକ ଚରଣ ସ୍ୱାଇଁ, ବାବାଜୀ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ବ୍ରଜକିଶୋର ସ୍ୱାଇଁ ଏବଂ ଅନ୍ୟ ଅନେକ ବ୍ୟକ୍ତିଙ୍କୁ ୧୪୪ ଧାରା ଭଙ୍ଗ କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଲା ।

ଏହି ନୂତନ ବଜାର କରାଇ ନଦେବା ପଛରେ ଯୁକ୍ତିଥିଲା ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ କୁଆଡ଼େ ଗୋଟିଏ ପଞ୍ଚାୟତରେ ଗୋଟିଏ ମାତ୍ର ବଜାର ରହିବ ଏବଂ ପଞ୍ଚାୟତିରାଜ ବିଭାଗରେ ନିବନ୍ଧିତ ନହେଲେ କେହି ବଜାର ପରିଚାଳନା କରିପାରିବେ ନାହିଁ ।

ତେବେ ଚାଷୀ ନେତାମାନଙ୍କର ଏହି ଗିରଫଦାରୀ ଖବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ ଚାଷୀ ନେତାମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ନିର୍ଦ୍ଦେଶ ଦେଇ ଏହି ହାଟ ଯେମିତି ଚାଲୁ ରହିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ପଢନ୍ତୁ

ଜଗଦୀଶ ପ୍ରଧାନଙ୍କ ଅନ୍ୟ ଲେଖା

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ସାହ ପାଇବା ପରେ ଚାଷୀମାନେ “ଆଞ୍ଚଳିକ କୃଷକ ସେବା ସମିତି” ନାମରେ ଏକ ସଂଗଠନ ଗଢ଼ି ୧୯୯୫ ରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ – ୧୮୬୦ ଅନୁଯାୟୀ ନିବନ୍ଧିତ କରାଇ ଥିଲେ ଏବଂଚାଷୀମାନଙ୍କ ଚାନ୍ଦାରେ ବଜାର ନିମନ୍ତେ ଜାତୀୟ ରାଜପଥ କଡ଼ରେ ପ୍ରଥମେ ଏ୦.୨୫ ଏବଂ ପରେ ପରେ ପ୍ରାୟ ୨ ଏକର ଜମି କିଣିଥିଲେ । ଏହି ଜମିରେ ଏବେ ପନିପରିବା ମଣ୍ଡି ତଥା ଖୁଚୁରା ବଜାର ଚାଲୁଅଛି ।

ବଜାର ଜମିରେ କିଛି ବ୍ୟବସାୟୀ ନିଜସ୍ୱ ଅର୍ଥ ବିନିଯୋଗ କରି ନିଜ ନିଜ ଗୋଦାମଘର ନିର୍ମାଣ କରିଛନ୍ତି । ଏହି ସମିତିର ପ୍ରଥମ ସଭାପତି ଥିଲେ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଏବଂ ସଂପାଦିକା ଥିଲେ ଶ୍ରୀମତୀ ଦେବକୀ ସ୍ୱାଇଁ ।

ଆଞ୍ଚଳିକ କୃଷକ ସେବା ସମିତି ବ୍ୟବସାୟୀ ତଥା ଖୁଚୁରା ଦୋକାନୀମାନଙ୍କ ଠାରୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚାନ୍ଦା ଓ ଘରଭଡ଼ା ସଂଗ୍ରହ କରିଥାଏ । ଏହି ଟଙ୍କାକୁ ସମିତି ବଜାରର ତଥା ଅଞ୍ଚଳର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରିଥାଏ ।

ପ୍ରତ୍ୟେକ ବର୍ଷ ସମିତିର ବାର୍ଷିକଉତ୍ସବ ସ୍ୱରୂପ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେଶ୍ୱର ପୂଜା ଧୂମଧାମରେ ପାଳନ କରାଯାଏ ଏବଂ ଅକ୍ଷୟ ତୃତୀୟା ପାଳନ ଅବସରରେ ୫୦୦ ଜଣ ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବଣ୍ଟନ କରାଯାଇଥାଏ । ଏହା ବ୍ୟତୀତ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲୁଗାବଣ୍ଟନ, ଦୁଃସ୍ଥରୋଗୀ ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ।

ଓଡ଼ଙ୍ଗ ବଜାରର ନାମ ‘ଗଣେଶ ବଜାର’ ରଖାଯାଇଅଛି ଏବଂ ଏହା ସମିତିର ନିୟମାବଳୀ ଅନୁଯାୟୀ ସଦସ୍ୟ ଚାଷୀମାନଙ୍କ ଏକ ନିର୍ବାଚିତ ବୋର୍ଡ଼ ଦ୍ୱାରା ପରିଚାଳିତ ହୋଇଥାଏ । ବଜାରର ଗୋଟିଏ ପାଶ୍ୱର୍ରେ ସମିତିର ଏକ ନିଜସ୍ୱ ଅଫିସ ଗୃହ ତଥା ସୁସଜ୍ଜିତ ସଭାଗୃହ ରହିଅଛି । ଅଫିସକୁ ଲାଗି କାର୍ତ୍ତିକେଶ୍ୱରଙ୍କ ପୂଜାମଣ୍ଡପ ଓ ମନ୍ଦିର ରହିଅଛି ।

ଓଡ଼ଙ୍ଗ ବଜାର ପ୍ରତିଦିନ ସକାଳ ୪ଟା ପୂର୍ବରୁ ଆରମ୍ଭ ହୋଇଯାଏ । ଋତୁ ଅନୁଯାୟୀ ଏଠାକୁ କେନ୍ଦୁଝର ତଥା ଯାଜପୁର ଓ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆସେ । ସ୍ଥାନୀୟ ପନିପରିବା ବ୍ୟତୀତ ବାଙ୍ଗାଲୋର, ରାୟପୁର, କଲିକତା, ରାଞ୍ଚି ,ବରଗଡ଼ ପ୍ରଭୃତି ଅଞ୍ଚଳରୁ ମଧ୍ୟ ନିୟମିତ ଅନେକ ରକମର ପନିପରିବା ଆସେ ଏବଂ ଏଠାରୁ ମଧ୍ୟ ସେସବୁ ଅଞ୍ଚଳକୁ ବିଭିନ୍ନ ପନିପରିବା ପଠାଯାଇଥାଏ ।

ଓଡ଼ଙ୍ଗ ବଜାରରୁ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ପାରାଦ୍ୱୀପ ସମେତ କଟକ ଓ ଭୁବନେଶ୍ୱର ମୁଖ୍ୟ ହାଟମାନଙ୍କୁ ମଧ୍ୟ ପନିପରିବା ଯୋଗାଣ ହୋଇଥାଏ । ଆମେ ଥିବା ସମୟରେ ଦେଖିଲୁ ଯେ ସେହିଦିନ ଛତିଶଗଡ଼ ଓ ବାଙ୍ଗାଲୋରରୁ ବଡ଼ ବଡ଼ ଟ୍ରକ ରେ ଆସିଥିବା ଟମାଟୋ ଓ ବନ୍ଧାକେବି ଏଠାରେ ଅନ ଲୋଡ ହେଉଥାଏ ।

ବାଙ୍ଗାଲୋର ଟମାଟୋର ପାଇକାରୀ ଦର କ୍ରେଟ୍ ପ୍ରତି (୨୫ କିଲୋକୁ) ଟ.୪୦୦ ରୁ ୪୫୦ ଥିବାବେଳେ ଛତିଶଗଡ଼ରୁ ଆସିଥିବା ଟମାଟୋ କ୍ରେଟ୍ ପ୍ରତି (୩୦ କିଲୋକୁ) ଟ.୫୦୦ ରୁ ଟ.୬୦୦ଙ୍କା । ଛତିଶଗଡ଼ରୁ ଆସୁଥିବା ଟମାଟୋକୁ ଦେଶୀ (?) ଟମାଟୋ କହି କିଲୋପ୍ରତି ଦୁଇ ଚାରି ଟଙ୍କା ଅଧିକ ଦିଆଯାଇଥାଏ ।

ଓଡ଼ିଶା ବଜାରରେ ଏହି ଦେଶୀ ଟମାଟୋର ଚାହିଦା ବାଙ୍ଗାଲୋର ଟମାଟୋ ଠାରୁ ଅଧିକ । ଅନ୍ୟପକ୍ଷରେ ବାଙ୍ଗାଲୋରରୁ ଆସିଥିବା ବନ୍ଧାକୋବି ରାୟପୁର ଓ କନ୍ଧମାଳରୁ ଆସୁଥିବା ବନ୍ଧା କୋବିଠାରୁ ଅଧିକ ଦିନ ରହୁଥିବାରୁ ତାହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ ରହିଥାଏ ଯଦିଓ ରାୟପୁର ଓ କନ୍ଧମାଳ କୋବିର ସ୍ୱାଦ ଅଧିକ ଥାଏ ।

ବାଙ୍ଗାଲୋରଠାରୁ ଏଠାକୁ ନିୟମିତ ଟମାଟୋ ଗାଜର, ବନ୍ଧାକୋବି, ବୀଟ, ସିମ୍ଲା ଲଙ୍କା ଆସୁଥିବା ସମୟରେ ରାଞ୍ଚି ଠାରୁ ବୀନ୍ସ, ମୂଳା, ଫୁଲକୋବି, କାକୁଡ଼ି, ସିମ୍ଲାଲଙ୍କା ଇତ୍ୟାଦି ଆସିଥାଏ । ବରଗଡ଼ ନିକଟବର୍ତ୍ତୀ ପାଏନ୍ ଛତର ହାଟରୁ ଏଠାକୁ ମୁଖ୍ୟତଃ ବାଇଗଣ, ପୋଟଳ, ଫୁଲକୋବି, ଲଙ୍କା, ଧନିଆପତ୍ର ଆସିଥାଏ ।

ଶୀତଦିନରେ ରାୟପୁରରରୁ ଏବଂ ଛତିଶଗଡ଼ରେ ବିଭିନ୍ନ ଅଞ୍ଚଳରୁ ମଟର ଛୁଇଁ, ବୀନ୍ସ ଓ ଟମାଟୋ ଆସିଥାଏ । ପଶ୍ଚିମ ବଙ୍ଗର ବନଗାଁ ଓ ନଦିଆ ଅଞ୍ଚଳରୁ ମଧ୍ୟ ବଜାର ଦର ଦେଖି ଟମାଟୋ ବ୍ୟତୀତ ଅନ୍ୟ ସମସ୍ତ ରକମର ପନିପରିବା ଆସିଥାଏ ।

ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ପିଆଜ ପାଇଁ ନାସିକର ବ୍ୟବସାୟୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କଳାହାଣ୍ଡି-ନୂଆପଡ଼ା ଓ ବଲାଙ୍ଗିରର ପିଆଜ ଅତିବେଶିରେ ମାସେ ଦୁଇମାସ ହିଁ ମିଳିଥାଏ କିନ୍ତୁ ତାହାବି ଖେତରୁ ସିଧା ଆସୁଥିବାରୁ ଉତ୍ତମ ଗୁଣମାନର ହୋଇନଥାଏ ବୋଲି ଶୁଣିବାକୁ ମିଳିଲା । ଦେଓଗଡ଼ ଅଞ୍ଚଳରୁ ଓଡ଼ଙ୍ଗ ଦେଇ ତରଭୁଜ ବିଭିନ୍ନ ସହରକୁ ଯାଇଥାଏ ।

ଏବେ ଓଡ଼ଙ୍ଗ ଅଞ୍ଚଳରେ ମଧ୍ୟ ତରଭୁଜ ପଚୁର ପରିମାଣର ଉତ୍ପାଦନ ହେଲାଣି ଓ ସେ ସବୁକୁ ମଧ୍ୟ ଏଠାରୁ ବିଭିନ୍ନ ବଜାରକୁ ପଠାଯାଇଥାଏ । ଏଭଳି ଭାବେ ଓଡ଼ଙ୍ଗ ବଜାର ସହିତ ଦେଶର ବିଭିନ୍ନ ବଜାର ଓ ଉତ୍ପାଦନ କେନ୍ଦ୍ରମାନଙ୍କର ଯୋଗସୂତ୍ର ସ୍ଥାପନ ହୋଇସାରିଛି ।

ଓଡ଼ଙ୍ଗର ସକାଳ ବଜାର ସରିଆସିବା ବେଳକୁ ଆମେ ଆଞ୍ଚଳିକ କୃଷକ ସେବା ସମିତିର ସଭାପତି, ସଂପାଦକ, କିଛି ମୁଖ୍ୟ ସଦସ୍ୟ ଏବଂ ଅନ୍ୟତମ ଉପଦେଷ୍ଟା ନାରାୟଣ ସ୍ୱାଇଁ ପ୍ରମୁଖଙ୍କ ସହିତ ସମିତିର ସଭାଗୃହରେ ଏକ ଅନୌପଚାରିକ ଚର୍ଚ୍ଚା କରି ଏହି ବଜାର ତଥା ସ୍ଥାନୀୟ ଚାଷୀ ଓ ଚାଷବାସ ସଂପର୍କରେ ଅନେକ ମହତ୍ତ୍ୱପୂର୍ଣ୍ଣ ସୂଚନା ଜାଣିବାକୁ ପାଇଥିଲୁ ।

ଏହି ବଜାର ଯେ ସ୍ଥାନୀୟ ଚାଷୀ ତଥା ଖାଉଟିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଛି ସେଥିରେ କାହାରିକୁ ଦ୍ୱିମତ ହେବାର ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବିଭିନ୍ନ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ଏବଂ ସମୟ ସମୟରେ ନିଜର ମୂଳ ମଜୁରି ମଧ୍ୟ ଉଠାଇ ପାରୁନାହାନ୍ତି ।

ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ଚାଷୀମାନଙ୍କର ଏକ ନିଜସ୍ୱ ଉତ୍ପାଦକ ସଂଗଠନ (କମ୍ପାନୀ) ସଂଗଠିତ କରାଗଲେ ତାହା କେତେଦୂର ସହାୟକ ହୋଇପାରିବ ସେ ନେଇ ସାମାନ୍ୟ ଚର୍ଚ୍ଚା କରାଯାଇଥିଲା । ଏ ଦିଗରେ ସମିତିର ସଦସ୍ୟମାନେ ଆଗକୁ ଅଧିକ ଚର୍ଚ୍ଚା କରିବେ ବୋଳି ସ୍ଥିର ହୋଇଥିଲା ।

ଓଡ଼ଙ୍ଗ ବଜାର ଠାରୁ ଅଳ୍ପଦୂରରେ ବାରବାଟୀ ପୁରୁଣା ହାଟଠାରେ ନିକଟରେ ରାଜ୍ୟ ସରକାର କୃଷକ ବଜାର ନାମରେ ପ୍ରଚୁର ଟଙ୍କା ଖର୍ଚ୍ଚ କରି ଗୁଡ଼ାଏ ଘରଦ୍ୱାର, ବଜାର ପ୍ରାଙ୍ଗଣ ଇତ୍ୟାଦି ନିର୍ମାଣ କରିଛନ୍ତି କିନ୍ତୁ ସେ ସବୁର ବ୍ୟବହାର କେହି କରନ୍ତି ନାହିଁ ବୋଲି ଲୋକେ କହୁଥିଲେ ।

ଏଭଳିଭାବେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ରାଜନୈତିକ କାରଣରୁ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକାଭିମୂଖି ହୋଇପାରେ ନାହିଁ । ଅନ୍ୟପକ୍ଷରେ ଓଡ଼ଙ୍ଗ ବଜାର ଭଳି ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବଜାର ଅଧିକ ଭାବରେ ଲୋକାଭିମୂଖି ହୋଇପାରିଥାଏ ।

-0-

ନିଉଜ ଡେସ୍କ :

This website uses cookies.