ଓଡିଶା ନ୍ୟୁଜ/ Odisha News
ମାନବାଧିକାର

ମାନବାଧିକାର କର୍ମୀଙ୍କ ସମ୍ପର୍କରେ ଭୁଲ ଧାରଣା କାହିଁକି ?

ଅଖଣ୍ଡ

ମାନବାଧିକାର କର୍ମୀ କହିଲେ ବିଭିନ୍ନ ଉପାୟରେ ମାନବ ଅଧିକାରଗୁଡିକୁ ସୁରକ୍ଷା, ପ୍ରୋତ୍ସାହନ ଓ ପ୍ରଚାର କରୁଥିବା ବ୍ୟକ୍ତିବିଶେଷକୁ ବୁଝାଏ । ଯେମିତିକି ଜଣେ ଶିଶୁମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତି, ମହିଳାଙ୍କ ଅଧିକାର ଉପରେ ଲଢୁଥିବା କର୍ମୀ, ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ କାମ କରୁଥିବା ସାମାଜିକ କର୍ମୀ, ପୁଲିସ୍ ଅତ୍ୟାଚାର ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତି ଆଦି ଅନେକ ଏହି ଶ୍ରେଣୀଭୁକ୍ତ ।

akhandକେବଳ ଏତିକି ନୁହେଁ, ମାନବାଧିକାରକୁ ବିଭିନ୍ନ ଉପାୟରେ ପ୍ରଚାର ଓ ପ୍ରୋତ୍ସାହନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଜଣେ ଜଣେ ମାନବାଧିକାର କର୍ମୀ । ଯେମିତିକି – ସାମ୍ବାଦିକ, କାର୍ଟୁନିଷ୍ଟ, ବ୍ଲଗର କିମ୍ବା ସେସିଆଲ୍ ମେଡିଆରେ ଏହି ପ୍ରସଙ୍ଗଗୁଡିକୁ ଉଠାଉଥିବା ବ୍ୟକ୍ତି ।

ତେଣୁ ଏହି ମାନବାଧିକାର ସଂଜ୍ଞା ମଧ୍ୟରେ ଅନେକ କର୍ମୀ ଆସନ୍ତି । କିନ୍ତୁ ଆମ ଆଖି ଆଢୁଆଳରେ ସେମାନେ ପରିଚୟ ଦିଅନ୍ତି ନାହିଁ । କାରଣ ମାନବାଧିକାର କର୍ମୀ କହିଲା ମାତ୍ରେ ସମସ୍ତେ ବୁଝନ୍ତି ପୁଲିସ୍ ଓ ପ୍ରଶାସନ ବିରୋଧରେ ଲଢୁଥିବା କର୍ମୀ ।

କିନ୍ତୁ ମାନବାଧିକାରର ପରିଭାଷା ଯେ ଏହାଠାରୁ ଢେର୍ ଉଚ୍ଚରେ ତାହା ଜାଣିବା ପାଇଁ କମ୍ ଲୋକଙ୍କର ଆଗ୍ରହ ରହିଛି । ଆଉ ମାନବାଧିକାର କର୍ମୀମାନଙ୍କ ଉପରେ ପୁଲିସ୍ ଓ ପ୍ରଶାସନର ତୀକ୍ଷ୍ଣ ନଜର ମଧ୍ୟ ରହିଛି ।

ଏମାନଙ୍କୁ ନେଇ ସରକାରଙ୍କ ବିଚାର ସେତେଟା ଭଲ ନୁହେଁ । ଗୁଇନ୍ଦାବାଲା ଦେଶରେ ଅରାଜକତା ବଢାଉଥିବା ତତ୍ୱମାନଙ୍କ ବିଷୟରେ ସିନା ଖବର ରଖିପାରନ୍ତି ନାହିଁ, କିନ୍ତୁ ସେମାନେ ସହଜରେ ଉପଲବ୍ଧ ହେଉଥିବା ମାନବାଧିକାର କର୍ମୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥାନ୍ତି । ଆମ ଦେଶରେ ଅନେକ ମାନବାଧିକାର କର୍ମୀଙ୍କୁ ‘ଦେଶ ବିରୋଧୀ’ ବୋଲି ଆଖ୍ୟ ଦିଆଯାଇଛି ।

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବାଧିକାର ଉଲଂଘନ ହେଉଛି, ତାହାକୁ ବିଚାର କରିବା । ଆଉ ଏଥିରେ ମାନବାଧିକାର କର୍ମୀମାନେ ହିଁ ସାହାଯ୍ୟ କରିଥାନ୍ତି । ସେମାନେ ଆଇନ ଅନୁଯାୟୀ ତଥ୍ୟ ସଂଗ୍ରହ କରି ବିଭିନ୍ନ ମାନବାଧିକାର ସଂସ୍ଥାକୁ ଜଣାଇଥାନ୍ତି ।

କିନ୍ତୁ ଏଥିରେ ସରକାର ଖୁସୀ ନୁହନ୍ତି । ସେମାନେ ଭାବନ୍ତି କାହିଁକି ସରକାରଙ୍କ ବିରୋଧରେ କୌଣସି ବ୍ୟକ୍ତି କମିଶନଙ୍କୁ ସୂଚନା ଦେଉଛନ୍ତି ? ତାହେଲେ ଏ ଦେଶରେ କଣ ମାନବାଧିକାର କମିଶନଗୁଡିକୁ ବନ୍ଦ କରି ଦିଆଯିବା ଉଚିତ୍ ? ଏ କ୍ଷମତା ମଧ୍ୟ ସରକାରଙ୍କର ଅଛି । ଯେ କୌଣସି ପୁଲିସ୍ କିମ୍ବା ସୁରକ୍ଷାବଳ ଦ୍ୱାରା ହେଉଥିବା ଏନକାଉଂଟର୍ ବା ହାଜତ ମୃତ୍ୟୁ ବିଷୟରେ ମାନବାଧିକାର କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ ।

କିନ୍ତୁ ଜଣେ ମାନବାଧିକାର କର୍ମୀ ଯଦି ଏ ବିଷୟରେ ଅଭିଯୋଗ କରେ, ସେ ପୁଲିସ୍ ଓ ପ୍ରଶାସନ ପାଇଁ ହୋଇଯାଏ ‘ଦେଶ ବିରୋଧୀ’ । ଜଣେ ଗୁଇନ୍ଦା ଅଧିକାରୀ ମୋତେ କହିଲେ, “ଆପଣ ଜନସ୍ୱାର୍ଥ ପାଇଁ ଭଲ ଭଲ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କରୁଛନ୍ତି । କିନ୍ତୁ ନକ୍ସଲ ଏନକାଉଂଟର କେଶ୍ କରିବା ବେଳେ ଟିକେ ସତର୍କ ରହିବେ । ଦଶଟା କେସ୍ରୁ ଗୋଟିଏ କେସ୍ ଏ ସମ୍ପର୍କରେ ହେଲେ ଚଳିବ ।

କିନ୍ତୁ ଅଧିକ ହେଲେ ଟିକେ ଅସୁବିଧା ।” ତା ଅର୍ଥ ଦେଶରେ ଥିବା ମାନବାଧିକାର ସୁରକ୍ଷା ଆଇନ ଅନୁଯାୟୀ କାମ କଲେ ମଧ୍ୟ ଆପଣ ଦେଶପ୍ରେମୀ ନୁହଁନ୍ତି ବଂର ଦେଶ ବିରୋଧୀ ବୋଲି ଧରାଯିବେ ! ବର୍ତମାନ ଅନେକ ମାନବାଧିକାର ସଂସ୍ଥା ଉପରେ କଟକଣା ଜାରି କରାଯାଇଛି । ଦାନ ଅର୍ଥ ଉପରେ ଅଂକୁଶ ଲଗାଯାଉଛି । ଗୋଇନ୍ଦା ରିପୋର୍ଟରେ ଅନେକ ସଂସ୍ଥାକୁ ଲୋକଲୋଚନକୁ ଆଣି ଆଗୁଆ ସେମାନଙ୍କୁ ସତର୍କ ଓ ଭୟଭିତ କରାଯାଉଛି ।

ଏସବୁ ଭିତରେ ମଧ୍ୟ ମାନବାଧିକାର କର୍ମୀମାନେ ସେମାନଙ୍କ ଗୁରୁଦାୟିତ୍ୱ ନିଭାଇଚାଲିଛନ୍ତି । ମାନବାଧିକର ସୁରକ୍ଷା ଦିଗରେ ଲଢି ଚାଲିଛନ୍ତି । ସମାଜରେ ମାନବାଧିକର ସୁରକ୍ଷା ସଂସ୍କୃତିକୁ ଆଗକୁ ବଢାଇ ଚାଲିଛନ୍ତି । ଆଜି ମେଡିକାଲ୍ରେ ରୋଗୀଙ୍କୁ ଫଳ ବାଂଟିବା ପାଇଁ ଲୋକଙ୍କ ବେଶୀ ଭିଡ । କିନ୍ତୁ ରୋଗୀଙ୍କୁ ଖାଦ୍ୟ ନ ମିଳିବା ଓ ଚିକିତ୍ସାରେ ଅବହେଳା ହେଉଥିବା କହିବାକୁ ସାମାଜିକ କର୍ମୀ ବାହାରୁ ନାହନ୍ତି ।

ଜେଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସଂସ୍ଥା ଆଗ୍ରହୀ । କିନ୍ତୁ ସେଠାରେ ହେଉଥିବା ଅତ୍ୟାଚାର ବିରୋଧରେ ପାଟି ଫିଟାଇବାକୁ ଡର । ଗଛ ଲଗାଇବାକୁ ସମସ୍ତେ ପସନ୍ଦ କରିବା ଭଲ କଥା । କିନ୍ତୁ ଗଛ ଓ ପରିବେଶ ନଷ୍ଟ କରୁଥିବା ବିଭିନ୍ନ ସଂସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଭୟ କାହିଁକି ? ଆଉ ଏହି କାମ କରୁଛନ୍ତି ମାନବାଧିକାର କର୍ମୀମାନେ ।

ସେମାନେ ଦେଶର ସମସ୍ୟାର ମୂଳକୁ ଉପାଡି ଫିଙ୍ଗିବାକୁ ସଂଗ୍ରାମ କରୁଛନ୍ତି । ବ୍ୟବସ୍ଥାରେ ଥିବା ସରକାରୀ ଅଧିକାରୀମାନେ କିଭଳି ଠିକ୍ ଭାବେ ଲୋକଙ୍କୁ ସେବା ଦେବେ, ତାହା ଉପରେ ନଜର ରଖୁଛନ୍ତି । ସେମାନଙ୍କୁ ଆମେ କଣ କହିବା ? ଦେଶପ୍ରେମୀ ।

ସାମ୍ବାଦିକ ତଥା ମାନବାଧିକାର କର୍ମୀ

ଫୋନ୍ – ୯୯୩୮୮୭୧୯୮୯

Leave a Reply

This site uses Akismet to reduce spam. Learn how your comment data is processed.