Site icon Odisha.com

ଓଡିଶାରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଗିରଫ

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର, ଡିସେମ୍ବର ୧୬ (ଓଡିଶା ଡଟ୍ କମ୍) କଟକ ଜିଲ୍ଲାର ଏକ ଗାଁରେ ଚଢଉକରି ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୁଲିସ ବୁଧବାର କହିଛି ।

ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଗିରଫ ହୋଇଥିବା ୩୭ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ ନାଁ ହେଲା ମୌଲବୀ ମହମ୍ମଦ ଅବଦୁଲ ରେହମାନ ।

ସେ ପାକିସ୍ତାନ, ଦୁବାଇ, ସାଉଦି ଆରବ ଆଦି ସ୍ଥାନ ଭ୍ରମଣ କରିବା ସହ ଆଫଗାନିସ୍ଥାନ ସୀମାରେ ଆତଙ୍କବାଦ ତାଲିମ ହାସଲ କରିଥିବା ପୁଲିସ ସନ୍ଦେହ କରୁଛି ।

ରାଜ୍ୟ ଓ ଦିଲ୍ଲୀ ପୁଲିସ ମିଳିତ ଭାବେ କରିଥିବା ଏହି ଚଢାଉରେ ରେହମାନ ଘରୁ ମୋବାଇଲ୍ ଫୋନ, ଟାବଲେଟ୍ , ପାସପୋର୍ଟ ଆଦି ଜବତ କରାଯାଇଛି ।

୨୦୧୪ରେ ଭାରତରେ ଆତଙ୍କବାଦୀ ଗତିବିଧି କରିବା ପାଇଁ ଅଲକାଏଦା ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍) ନାମକ ସଂଗଠନ ଗଠନ କରିଥିଲା । ଅବଦୁଲ ଏହି ସଂଗଠନରେ ଯୋଗ ଦେବା ପାଇଁ ଲୋକଙ୍କୁ ମତଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି ।

ଦିଲ୍ଲୀ ପୁଲିସ ନିକଟରେ ମହମ୍ମଦ ଆସିଫ ନାମକ ଜଣେ ସନ୍ଦିଗ୍ଧ ଆତଙ୍କବାଦିକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଆସିଫ ଓ ଅନ୍ୟ ଦୁଇଜଣଙ୍କ ସହ ଅବଦୁଲ ୨୩ ଜୁନ୍ ୨୦୧୩ରେ ତାଲିମ ପାଇଁ ପାଇଁ ପାକିସ୍ତାନ ଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ରେହମାନଙ୍କ ଟାଙ୍ଗୀ ଅଞ୍ଚଳରେ ଏକ ମଦ୍ରାସା ରହିଛି। ସେଠାରେ ପଢୁଥିବା ଅଧିକାଂଶ ଛାତ୍ର ହେଲେ ଝାଡ଼ଖଣ୍ଡର । ରାଜ୍ୟର ଏକ ଅଦାଲତରେ ତାକୁ ହାଜର କରାଯିବା  ପରେ ପୋଲିସ ଅଧିକ ପଚରା ଉଚୁରା ପାଇଁ ତାକୁ ଦିଲ୍ଲୀ ନେଇଛି ।

୨୦୦୧ରେ ଅବଦୁଲଙ୍କ ବଡ଼ଭାଇ ତାହିର ଅଲ୍ଲୀଙ୍କୁ କଲିକତାରେ ଥିବା ଆମେରିକାର ଦୂତାବାସ ନିକଟରେ ହୋଇଥିବା ଏକ ବିସ୍ଫୋରଣ ଘଟଣାରେ ଗିରଫ କରାଯାଇଥିଲା ।

ଓଡିଶା ଡଟ କମ

Exit mobile version