ରୋକ ଠୋକ

ଆଇନଜୀବିଙ୍କ ସାମାଜିକ ଦାୟିତ୍ୱବୋଧ (ରୋକ୍ ଠୋକ୍)

ବିଭୁ ପ୍ରସାଦ ତ୍ରିପାଠୀ

ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଇତିହାସର ଦୀର୍ଘ ଯାତ୍ରାକୁ ଅବଲୋକନ କଲେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନଙ୍କ ଯେଉଁ ଅବଦାନ ଥିଲା ସେଥିରେ ଆଇନଜୀବି ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶାର ଆଇନଜୀବିମାନେ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

bibhu1ଗଂଜାମର ଆଇନଜୀବି ଏମ୍ ବିଶ୍ୱନାଥ ଆୟାର ଛବିଶ ଡିସେମ୍ବର ୧୮୮୫ ମସିହାରେ କଂଗ୍ରେସର ପ୍ରଥମ ଅଧିବେଶନରେ ୭୨ ଜଣ ପ୍ରତିନିଧିଙ୍କ ମଧ୍ୟରେ ଅନ୍ୟତମ ପ୍ରତିନିଧି ଭାବେ ଯୋଗଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ମଧୁସୂଦନ ଦାସ ମଧ୍ୟ କଲିକତା ଅଧିବେଶନରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ।

ସ୍ୱାଧୀନତା ସଂଗ୍ରାମରେ ବାରିଷ୍ଟର ଭି.ଭି.ଗିରି, ଆଇନଜୀବି ବିଶ୍ୱନାଥ ଦାଶ, ପଣ୍ଡିତ ଗୋପବନ୍ଧୁ ଦାସ, ରାଜକିଶୋର ଦାସ ବୀରକିଶୋର ରାୟ, ଲିଙ୍ଗରାଜ ପାଣିଗ୍ରାହୀ, ବୋଧରାମ ଦୁବେ, ଚନ୍ଦ୍ର ଶେଖର ବେହେରା, ବାଲୁକେଶ୍ୱର ମିଶ୍ର, ମୁକ୍ତାର ରାମଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ  । ଏହି ବରିଷ୍ଠ ଆଇନଜୀବି ମାନେ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ନଜିର ଅଛି ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ଓଡ଼ିଶାରେ ସ୍ୱତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ହେବା ପାଇଁ ୧୯୪୨ ମସିହାରେ ତତ୍କାଳୀନ ଆଡ୍ଭୋକେଟ୍ ଜେନେରାଲ ବୀର କିଶୋର ରାୟ ଯେକି ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାର ପତି ହୋଇଥିଲେ, ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଗଷ୍ଟ ମାସରେ ରାଜ୍ୟ ସରକାର ଗଠନ କରିଥିଲେ  ।

କଟକରେ ପ୍ରଥମଥର ପାଇଁ ୨୭ମାର୍ଚ୍ଚ ୧୯୪୮ ମସିହାରେ ରାୟବାହାଦୂର ଚିନ୍ତାମଣି ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଅଭ୍ୟର୍ଥନା କମିଟିର ଗଠନ କରାଯାଇ ତାର ଦାୟିତ୍ୱରେ ଆଇନଜୀବି ମାନଙ୍କର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ସେତେବେଳେ ଏହି ସମ୍ମିଳନୀକୁ ତତ୍କାଳୀନ ରାଜ୍ୟପାଳ କୈଳାସ ନାଥ କାଟ୍ଜୁ ଉଦ୍ଘାଟନ କରିଥିଲେ ଓ ଏହି ସମ୍ମିଳନୀରେ ସ୍ୱାମୀ ବିଚିତ୍ରାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ । ତତ୍କାଳୀନ ଆଡଭୋକେଟ ଜେନେରାଲ ଲିଙ୍ଗରାଜ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ଆଇନଜୀବି ମାନଙ୍କ ପେଶାକୁ ଦେଶର ସର୍ବୋତ୍ତମ ପେଶାଭାବେ ଅଭିହିତ କରି ଆଇନ ମନ୍ଦିରର ପୂଜକ ମାନେ, ଆଇନଜୀବି ମାନେ ଗୁରୁଦାୟିତ୍ୱ ବହନ କରିବାକୁ ଆହା୍ୱନ ଦେଇଥିଲେ ।

ସେହି ସମ୍ମିଳନୀରେ ଭିତ୍ତିଭୂମି ଥିଲା ନିଖିଳ ଓଡ଼ିଶା ଆଇନଜୀବି ସଂଘ । ପରବର୍ତ୍ତୀ ଅବସ୍ଥାରେ ଏହାର ଦ୍ୱିତୀୟ ସମ୍ମିଳନୀ ୧୯୪୯ ମସିହାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ୧୯୬୧ ମସିହାରେ ଆଇନଜୀବି ପରିଷଦ ଗଠନ ହେବାପରେ ଏହି ସଂଘ କିଛି ବର୍ଷ ପାଇଁ ଏହାର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ କରିପାରିନଥିଲେ ମଧ୍ୟ ୧୯୬୩ ମସିହାରେ ସ୍ୱର୍ଗତ ବିଶ୍ୱନାଥ ପଶାୟତଙ୍କ ମୃତ୍ୟୁପରେ ବିଶେଷ ଭାବେ ଆଖିଦୃଷ୍ଟିଆ କାର୍ଯ୍ୟକ୍ରମ ହାତକୁ ନେଇପାରିନଥିଲା ।

ଏହାର କିଛି ବର୍ଷ ପୂର୍ବରୁ ନ୍ୟାୟମୂର୍ତ୍ତି ଗତିକୃଷ୍ଣ ମିଶ୍ର, ଆଡ୍ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ, ଗୌରଗୋପାଳ ଦାଶ ଏହି ସଂଗଠନ କୁ ଆଇନଜୀବି ମାନଙ୍କ ପେଶାର ସ୍ୱାଧୀନତା ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଥିବାର ବିଷୟ ବିଭିନ୍ନ ସମ୍ମିଳନୀର ବହୁ ଆଇନଜିବୀମାନେ ସେତେବେଳେ ପ୍ରକାଶ ପାଉଥିବା ସ୍ମରଣିକାରେ ଉଲ୍ଲେଖ କରିଛନ୍ତି ।

ବାରିଷ୍ଟର ରଣଜିତ ମହାନ୍ତି, ନ୍ୟାୟମୂର୍ତ୍ତି ଲିଙ୍ଗରାଜ ରଥ, ନ୍ୟାୟମୂର୍ତ୍ତି ଶରତଚନ୍ଦ୍ର ମହାପାତ୍ର, ନ୍ୟାୟମୂର୍ତ୍ତି ଅର୍ଜିତ ପଶାୟତ, ବସନ୍ତ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଏ.ଏସ୍. ନାଇଡୁ , ବରିଷ୍ଠ ଆଇନଜୀବି ବିପିନ୍ ବିହାରି ରଥଏହି ସଂଗଠନର ବିଭିନ୍ନ ଅଧିବେଶନରେ ଯୋଗଦେଇ ସଂଗଠନର କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ ପଦପଦବୀରେ ମଧ୍ୟ ରହିଥିଲେ ।

ଆଇନଜୀବି ମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ଏଭଳି ଏକ ଉପକ୍ରମଣିକା ଲେଖିବାର ଆବାଶ୍ୟକତା ହେଉଛି ଆଜିର ସମାଜରେ ଆଇନଜୀବି ମାନଙ୍କ ସାମୁହିକ ସମସ୍ୟାକୁ ସମସ୍ତ ରାଜନୈତିକ ଦଳର ସ୍ୱାର୍ଥ ଠାରୁ ଓ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଅଲଗାରଖି କାର୍ଯ୍ୟ କରିବା ଦିଗରେ ଆମ ମାନଙ୍କର ଆଗତ ଓ ଆମ ମାନଙ୍କର ପୂର୍ବସ୍ୱରୀ ମାନଙ୍କର ସାମାଜିକ ପ୍ରତିବଦ୍ଧତା ମଧ୍ୟରେ କଣ ପାର୍ଥକ୍ୟଥିଲା ସେ ସଂପର୍କରେ ଆତ୍ମସମୀକ୍ଷା କରିବାର ସମୟ ଆସିଛି ।

୧୯୮୨ ମସିହାର ଡିସେମ୍ବର ଶେଷ ସପ୍ତାହରେ ପଶ୍ଚିମ ଓଡ଼ିଶାର ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁର ଠାରେ ଆୟୋଜିତ ଏହି ଆଇନଜୀବି ସଂଘର ବାର୍ଷିକ ସମ୍ମିଳନୀରେ ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ ଏହି ସମ୍ମିଳନୀର ମୁଖ୍ୟ ଆୟୋଜକ ଭାବେ ଓ ସଭାପତି ଅଭିଭାଷଣରେ ଆଇନଜୀବି ଓ ରାଜନୀତି ସଂପର୍କରେ ଏକ କ୍ଷୁଦ୍ର ଭାଷଣ ଦେଇ କହିଥିଲେ ଯେ ଆଇନଜୀବି ମାନେ ସମାଜର ଆଇନ ବ୍ୟବସ୍ଥାର ଅଭିଭାବକ ।

ସେମାନେ ଯେକୌଣସି ରାଜନୈତିକ ଦଳ ସହ ସଂପୃକ୍ତ ହେଲେ ମଧ୍ୟ ଆଇନଜୀବି ମାନଙ୍କର ସମ୍ମାନ ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ରାଜନୈତିକ ଦଳରେ ଉଦ୍ଧ୍ୱର୍ରେ ରହି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ସମାଜ ପ୍ରତି ଆଇନଜୀବିର ନୈତିକ ଓ ସାମଜିକ ଦାୟିତ୍ୱ ରହିଛି । କେବଳ ସେହି ଦାୟିତ୍ୱ ନିଜ ମହକିଲଙ୍କ ପ୍ରତି, କୋର୍ଟ ପ୍ରତି ରଖିବାର ଯେତିକି ଆବଶ୍ୟକତା ଅଛି ସମାଜରେ ଆଇନ ବ୍ୟବସ୍ଥାକୁ ଅର୍ଥ ଅଭାବ ଦୃଷ୍ଟିରୁ ବ୍ୟବହାର କରି ପାରୁନଥିବା ବ୍ୟକ୍ତିଟି ପାଇଁ କି ମଧ୍ୟ ସମପରିମାଣର ଦାୟିତ୍ୱ ରହିଛି ।

ସମାଜରେ ପ୍ରକୃତ ଆଇନର ଶାସନ ସେ ଦିନ ସମ୍ଭବ ଯେଉଁ ଦିନ ନ୍ୟାୟ ସମାନ ଭାବେ ସମସ୍ତଙ୍କୁ ମିଳି ପାରିବ । ଆଜି ଆମ ସମାଜରେ ଆଇନ ସହାୟତା ଖୋଜୁଥିବା ବ୍ୟକ୍ତି ଓ ଗୁଣାତ୍ମକ ଆଇନସେବା ଯୋଗାଇପାରିବାକୁ ସକ୍ଷମଥିବା ଆଇନଜୀବି ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଆଇନପେଶାର ସହାୟତା ପାଇଁ ହାତ ବଢ଼ାଉଥିବା ବ୍ୟକ୍ତି କିମ୍ବା ଆଇନ୍କୁ ବ୍ୟବହାର କରି ପାରୁନଥିବା ବ୍ୟକ୍ତି ଅଥବା ଆଇନ ସମ୍ପର୍କରେ ସଚେତନ ନଥିବା ବ୍ୟକ୍ତି ପାଇଁ ଆଇନ ସେବା ଯୋଗାଇବା ପାଇଁ ଆଇନ୍ ପେଶାରେ ଥିବା ବରିଷ୍ଠ ଅଭିଜ୍ଞ ଆଇନଜୀବି ମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

କେବଳ ଜଣେ ଅଧିକ ଅର୍ଥ ଉପାର୍ଜନକାରୀ ଆଇନଜୀବିକୁ ସମାଜର ବିଭିନ୍ନ ସ୍ତରରେ ଆମେ ଯେଉଁ ସ୍ୱୀକୃତି ପ୍ରଦାନ କରୁଛନ୍ତି ଏବଂ ସମ୍ମାନର ପାତ୍ର ଭାବେ ଅଭିହିତ କରୁଛନ୍ତି ଠିକ୍ ସେହି ସମୟରେ ସମାଜର ଦଳିତ ଆଦିବାସୀ ଅବହେଳିତ ବର୍ଗପାଇଁ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଆଇନଜୀବିଙ୍କର ମର୍ଯ୍ୟାଦା ଓ ସମ୍ମାନ ପାଇଁ ସେହିଭଳି ଉଦ୍ୟମ ଆରମ୍ଭ କରାଯାଉ ନାହିଁ ।

ସେଥିପାଇଁ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ ଆଇନଜୀବି ମାନେ ମଧ୍ୟ ଜୀବନର ଶେଷଭାଗରେ ସେମାନଙ୍କର ସାମାଜିକ ପ୍ରତିବଦ୍ଧତା ପାଇଁ ନିଜେ ଗର୍ବ ଅନୁଭବ କରି ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରିବା ବଦଳରେ ନିଜର ଉସôର୍ଗୀକୃତ ଜୀବନ ପାଇଁ ପଶ୍ଚାତାପ କରିବା ସହିତ ଅନ୍ୟ ଯୁବ ଆଇନଜୀବି ମାନଙ୍କୁ ଏହି ପଥ ପ୍ରତି ଅନାଗ୍ରହ ପ୍ରକାଶ କରିବା ପାଇଁ ମତଦେଉଛନ୍ତି ।

ଏଥିପାଇଁ ଆମ ଦେଶର ବିଭିନ୍ନ ଆଇନଜୀବି ସମ୍ମିଳନୀ ମାନଙ୍କରେ ଯୁବ ଆଇନଜୀବି ମାନଙ୍କୁ ପ୍ରେରଣା ଦେବାଲାଗି ସେମାନଙ୍କୁ ଆଇନସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ଓ ସାମାଜିକ ଦାୟିତ୍ୱ ବୋଧ ଥିବା ନାଗରିକ ଭାବେ ପେଶାର ଗୁରୁଦାୟିତ୍ୱ ତୁଲାଇବା ଲାଗି ଯେଉଁ ଆହ୍ୱାନ ଦିଆଯାଉଛି ଏହାର କୌଣସି ପ୍ରଭାବ ପରିଲିକ୍ଷିତ ହେଉନାହିଁ ।

ଆଇନ ପେଶାକୁ କେବଳ ନିଜ ଉଦ୍ଦେଶ୍ୟରେ ନୁହେଁ ସମାଜ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ମଧ୍ୟ ଯୁବ ଆଇନଜୀବି ମାନେ ଆଗଭର ହେଉନାହାଁନ୍ତି । ଆଇନଜୀବି ମାନଙ୍କ ଭୂମିକା କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ ନରହି ଆଇନ ତିଆରି କରିବା ଠାରୁ  ଆରମ୍ଭ କରି ଆଇନରେ ସଂଶୋଧନ କରିବା ପର୍ଯ୍ୟନ୍ତ ଓ ଦେଶରେ ସୁପ୍ରଶାସନ ମଧ୍ୟ ଉଦ୍ଧିଷ୍ଟ ହେବାର ଆବଶ୍ୟକତା ରହିଛି ।

ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସେମାନେ ହିଁ ଛାମୁଆ ବାହିନୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଗୁରୁତ୍ୱତା ଏବେ ଉପଲବ୍ଧ ହେଇଛି । ଆମ ସମାଜରେ ଆଇନଜୀବିମାନଙ୍କ ସଂପର୍କରେ ସାଧାରଣଲୋକ ମାନଙ୍କ ଯେଉଁ ଧାରଣା ଅଛି ସେଥିରେ ପରିବର୍ତ୍ତନ ଲାଗି ଓ ଆଇନଜୀବି ମାନଙ୍କ ଭାବମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ଆଇନଜୀବି ମାନେ ସେମାନଙ୍କ ସାମାଜିକ ଦାୟିତ୍ୱ ଦିଗଟିକୁ ଗୁରୁତ୍ୱ ଦେବାକୁ ପଡ଼ିବ ।

ନିଖିଳ ଓଡ଼ିଶା ଆଇନଜୀବି ସଂଘର ଚଉରାଳିଶିତମ ସାଧାରଣ ଅଧିବେଶନରେ କଟକ ଠାରେ ୧୯୮୭ ମସିହା ପରେ ଓଡ଼ିଶା ହାଇ କୋର୍ଟ ବାରଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଆଇନଜୀବିମାନେ ସେମାନଙ୍କ ପେଶାର ସୁରକ୍ଷା, ସ୍ୱାଧୀନତା, ସାମାଜିକ ନିରାପତ୍ତା ଦିଗରେ ଆଇନଗତ ତର୍ଜମା କଲାବେଳେ ମଧ୍ୟ ସାଂପ୍ରତିକ ଜଗତୀକରଣ ସମାଜରେ ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ମଧ୍ୟ ଆଲୋଚନା କରିବା ସେମାନଙ୍କ ପାଇଁ ମଧ୍ୟ ଏକ ପ୍ରମୁଖ ଆହ୍ୱାନ ।

ରାଜ୍ୟସାଧାରଣ ସଂପାଦକ

ନିଖିଳ ଓଡ଼ିଶା ଆଇନଜୀବି ସଂଘ
(ନିଖିଳ ଓଡ଼ିଶା ଆଇନଜୀବି ସଂଘର ୪୪ତମ ବାର୍ଷିକ ଅଧିବେଶନ ଅବସରରେ)

Leave a Reply

This site uses Akismet to reduce spam. Learn how your comment data is processed.