ସାହିତ୍ୟ

ଦୃଷ୍ଟିପାତ:  ଶବ୍ଦର ବିଷ୍ଣୁପଦୀ: ବିଷ୍ଣୁପଦଙ୍କ କବିତା

ପ୍ରଫେସର ବିଜୟ କୁମାର ଶତପଥୀ

“Art is the product of society as the pearl is the product of oyster, and to stand outside art is to stand inside society. The criticism of art differs from pure enjoyment or creation in that it contains a sociological component. In art criticism values are ranged and integrated in a perspective or worldview which is more general view of art from outside.

It is an active view implying an active living relation to art and not a cold contemplation of it, and implying therefore a view of art as active with an explosive, energetic content
and it is a view of art, not of society or of the mind” (1)

bishnupada
ବିଷ୍ଣୁପଦ ସେଠୀ

ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପ୍ରସିଦ୍ଧ ସାହିତ୍ୟ ସମାଲୋଚକ ଖ୍ରୀଷ୍ଟୋଫର କଙ୍ଗୱେଲ ତାଙ୍କର ‘ଇଲ୍ୟୁଜନ ଆଣ୍ଡ ରିଏଲିଟି’ ଗ୍ରନ୍ଥରେ । କଳା ଓ ସାହିତ୍ୟର ସମାଜନିଷ୍ଠତା ଓ ଏହାର ଗଣ ଆବେଦନ ସମ୍ପର୍କରେ ସେ ଚର୍ଚ୍ଚା କଲାବେଳେ ସେ ସମୂହ ମାନସିକତା, ସମୂହ ଭାବାବେଗ କିପରି ସାର୍ଥକ ଓ ଉଚ୍ଚମାନର କବିତାଗୁଡିକରେ କ୍ରିୟାଶୀଳ ତାହା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

କବିତାଟିଏ ଲେଖିସାରିଲା ପରେ ତାହା ଆଉ କବିର ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହେ ନାହିଁ । ତାହା ହୁଏ ସମାଜର ସମୂହ ମଣିଷର । ତେଣୁ ସାର୍ଥକ କବିତା ସବୁବେଳେ ସାମାଜିକ ବାସ୍ତବତାର କଥା କହେ । ଏ ପ୍ରସଙ୍ଗରେ ଆମେ ସ୍ମରଣ କରିବା ଠିକ ହେବ ଆଉ ଜଣେ କଳା ଓ ସାହିତ୍ୟର ବିଶିଷ୍ଟ ସମାଲୋଚକ ଅର୍ନଷ୍ଟ ଫିଶରକୁ ।

ତାଙ୍କ ମତରେ କଳା ଓ ସାହିତ୍ୟ ମଧ୍ୟରେ ନିହିତ ଏପରି କ୍ଷମତା ଯାହା ମଣିଷର ଖଣ୍ଡିତ ସତ୍ତାକୁ ପୂର୍ଣ୍ଣତା ଦେବାରେ ସମର୍ଥ ହୋଇଥାଏ । ସକଳ ମାନବିକ ସଂକଳ୍ପକୁ ଏହା ଦୃଢତର କରେ ଓ ବାସ୍ତବତାକୁ ନିବିଡ ଭାବରେ ଉପଲବ୍ଧି କରିବା ପାଇଁ ଏହା ସାହାଯ୍ୟ କରେ ।

Necessity of Art ଗ୍ରନ୍ଥରେ ସେଥିପାଇଁ ସେ କହନ୍ତି – “Art can raise man upfrom a fragmented stature into that of a whole, integrated being. Art enables man to comprehend reality and not only helps him to bear it, but increases his determination to make it more worthy of mankind” (2)

ଏହି ପ୍ରେକ୍ଷାପଟ୍ଟରେ ବିଚାର କରିବାକୁ ହେବ ସାଂପ୍ରତିକ କାଳର ଜଣେ ଯଶସ୍ୱୀ କବି ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କର କବିତା ସଂକଳନ ‘କୁଆଡେ ଯିବି’ର କବିତା ଗୁଡିକୁ । କବି ବିଷ୍ଣୁପଦଙ୍କ ବିଶେଷତ୍ୱ ହେଲା ଯେ ସେ ଜଣେ ଦ୍ୱିଭାଷୀ (bilingual) କବି । ଇଂରାଜୀ ଓ ଓଡିଆରେ ସେ କବିତା ଲେଖନ୍ତି । ଇଂରାଜୀରେ ପୁଣି ନିଜର ମାତୃଭାଷାରେ କବିତା ରଚନାର ଦକ୍ଷତା ହାସଲ କମ କଷ୍ଟସାଧ୍ୟ କଳା ନୁହେଁ ଯାହା ସେ ହାସଲ କରିଛନ୍ତି ।

ଓଡିଶାର ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଏହି ଦକ୍ଷତା ପ୍ରଦର୍ଶନ କରି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିସାରିଛନ୍ତି । କବି ବିଷ୍ଣୁପଦଙ୍କ କାବ୍ୟ ଭାବନା ସେହି ଦିଗରେ ଗତିଶୀଳ, ଏହା ଓଡିଶାର ପାଠକମଳନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । କାରଣ ତାଙ୍କର କବିତା ଗୁଡିକରେ ନିହିତ ଆମ ମାଟି, ପାଣି, ପବନର ଗାଥାକୁ ଇଂରାଜୀ ଭାଷା ମାଧ୍ୟମରେ ସେ ବିତରି ଚାଲିଛନ୍ତି ବିଶ୍ୱବାସୀଙ୍କ ଉଦେ୍ଧଶ୍ୟରେ ।

ତାଙ୍କର ଇଂରାଜୀ କବିତା ସଂକଳନ ‘‘Where Shall I Go’ (First Edition – 2005, Second Edition – 2007) My World of Words (2007), ‘ Beyond Feelings” (2012) , ପ୍ରଭୃତି ପ୍ରକାଶ ପାଇଛି ଓ ସେଗୁଡିକ ଏଳବିଂଶ ଶତକର ପ୍ରଥମ ଦୁଇଦଶନ୍ଧିରେ ଭାରତବର୍ଷ ତଥା ବିଦେଶରେ ଅଗଣିତ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିସାରିଛି । ଏପରିକି ‘Where Shall I Go” ର ଉର୍ଦୁ ଅନୁବାଦ ମଧ୍ୟ ୨୦୦୯ ମସିହାରେ ପ୍ରକାଶ ପାଇଛି ।

ଅନୁବାଦକ ହେଉଛନ୍ତି ସୋହାଇଲ୍ ଅଖଚ୍ଛାର । କବି ବିଷ୍ଣୁପଦଙ୍କର ଇଂରାଜୀ କବିତା ସଂକଳନ ‘Where Shall I Go’ ରେ ଥିବା ୭୫ ଟି କବିତା ମଧ୍ୟରୁ ସୁନିର୍ବାଚିତ କେତୋଟିକୁ ନେଇ ସେଗୁଡିକର ଅନୁବାଦ କରିଛନ୍ତି ଶ୍ରୀଯୁକ୍ତ ପର୍ଶୁରାମ ସ୍ୱାଇଁ । ଉକ୍ତ କବିତା ସଂକଳନ ସଂପର୍କରେ ପ୍ରସ୍ତୁତ ହୋଇଛି ଉକ୍ତ ଆଲେଖ୍ୟଟି ।

ତେବେ ବିଷ୍ଣୁପଦଙ୍କ କବିତା ସଂପର୍କରେ ଭାରତୀୟ ସାହିତ୍ୟର ଅଗ୍ରଗଣ୍ୟ ଲେଖକ ପଦ୍ମଶ୍ରୀ ମନୋଜ ଦାସ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯଥାର୍ଥ ।

“ବିଷ୍ଣୁପଦ ସେଠୀଙ୍କ କବିତାରେ ଯାହା ମତେ ସବୁଠାରୁ ବେଶି ଆକର୍ଷିତ କଲା ଏବଂ ତାହା ଥିଲା ମୋ ପାଇଁ ଏକ ଚମତ୍କାର ଆବିଷ୍କାର । ସେ ହେଲା ଅତୀତର ଆବେଗପୂର୍ଣ୍ଣ ସ୍ମୃତିର ଭାବମୟ ପରିପ୍ରକାଶ ସହିତ ପ୍ରକୃତିର ମଧୁର ଅନୁଭୁତି ଏବଂ ମାନବୀୟ ସ୍ୱଭାବର ଏକ ଅପୂର୍ବ ସଂଯୋଗ ।”

ମୂଳ ଇଂରାଜୀ କବିତାଗୁଡିକ ପଢିବାର ସୌଭାଗ୍ୟ ଏହି ଆଲୋଚକର ହୋଇଛି । ନିର୍ବାଚିତ କବିତା ଗୁଡିକର ଅନୁବାଦ ପଢିଲା ପରେ ମନେ ହେଲା ଯେ ମୁଳ କବିତା ଗୁହିକର ବକ୍ତବ୍ୟ ଓ ଭାବଧର୍ମ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚାହିଁଛନ୍ତି ଅନୁବାଦକ । ମନୋଜ ଦାସ ତାଙ୍କ ବକ୍ତବ୍ୟରେ ବିଷ୍ଣୁପଦଙ୍କ କବିତା ସଂପର୍କରେ ଯେଉଁ ‘ଚମତ୍କାର ଆବିଷ୍କାର’ କଥାଟି କହିଛନ୍ତି ଯାହା କବିଙ୍କର ତିନୋଟି ବୈଶିଷ୍ଟ୍ୟକୁ ଆଧାର କରି ଗଢିଉଠିଛି ବୋଲି ମନେହୁଏ ।

ସେଗୁଡିକ ହେଲା – (କ) ମୁଗ୍ଧ ଅତୀତର ଆବେଗପୂର୍ଣ୍ଣ ଅନୁଭବ ଗୁଡିକର ବାଙମୟ ପରିପ୍ରକାଶ, (ଖ) ପ୍ରକୃତି ସହ ଏକୀଭୁତ ହେବାର ଆକାଂକ୍ଷା, (ଗ) ଗଭୀର ମାନବବାଦୀ ଚିନ୍ତାଧାରାର କେରଳର ଆଉଜଣେ ବିଶିଷ୍ଟ ଦ୍ୱିଭାଷୀ କବି ଆଚୋମ ପୋଏଲି ରାଜୀବନ ବିଷ୍ଣୁପଦଙ୍କର କାବ୍ୟଚେତନା ସଂପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଲକ୍ଷ୍ୟ କରାଯାଉ ।

““Bishnupada Sethi’s poem have a sort of primeval innocence and an urban strength in them. His inscape reminds us of an unihabited interior of a forest land, where everything is as fresh and unpolluted as “the first flow in the river during rains’ and the ‘drew drops on green leaves’. In him meet two streams: a refined lyricism which some times soars up into what can be called Tagorian mysticism, and the down-to-earth folk tradition that often contextualises time and space in terms of a society’s collective memory”

ଉକ୍ତ ଆଲୋଚନାର ପ୍ରାରମ୍ଭରେ ସମାଜ ଜୀବନରେ ନିହିତ ସମୂହ ମାନସିକତା ଓ ଯାହା ଉଚ୍ଚ ମଳନର କବିତାର ବୈଶିଷ୍ଟ୍ୟ ତାହାକୁ ହିଁ ସ୍ୱୀକାର କରଛନ୍ତି ଏଙ୍ଖାରେ କବି ରାଜୀବନ୍ ବିଷ୍ଣୁପଦଙ୍କ କବିତାଗୁଡିକ ପଢିସାରିଲା ପରେ । ସଂକଳନସ୍ଥ କବିତା ଗୁଡିକର ଶିରୋନାମା ରହିଛି ଓଡିଆ ଓ ଇଂରାଜୀ ଏହି ଉଭୟ ଭାଷାରେ ।

ଯେପରି ‘ସେଦିନ ଓ ଆଜି’ (That Day and Today) , ‘ମୁଁ କାନ୍ଦିବାକୁ ଚାହେଁ’ (I Wish to Cry), ‘ମୋ ପିତୃପୁରୁଷଙ୍କ ପୃଥିବୀ’ (My World of Spirits),), ‘ସେଇ ଜଂଗଲର ଲୋକମାନେ’ (The Man in the Jungle), ‘ଟାଇଲ ଦେହରେ ଲେଖା’ ((The Inscriptions on the Tiles), ‘ଅସମାହିତ ପ୍ରଶ୍ନ’ ((Unsolved Queries), ‘ଅଶାନ୍ତ ସମୁଦ୍ର’ (Restless Sea), ‘ପ୍ରିୟ ନିରବତା’ (The Silence I Love), ‘ପାର୍କରେ ପ୍ରଭାତ’ (Morning in the Park), ‘କ୍ଷୁଦ୍ର  ମତ୍ସ୍ୟକନ୍ୟା’ (Little Mermaid), ‘ଜୀବନଯାତ୍ରା’ ((Journey), ‘ବିଦାୟ ମୋ ପଞ୍ଜୁରୀର ପକ୍ଷୀ’ (Bye ! The Bird of my cage), ‘ମୁଁ ଉପଭୋଗ କରେ’ (I Enjoy), ‘ଆମେ ତିଷ୍ଠି ରହିଛେ’ ((We Exist), ‘ପୂଜା’ (Worship), ‘ମୋ ଫଟୋଚିତ୍ର’ (My Photographs), ‘ମୋ ଫୁଲମାଳ’ (My Garland), ‘ମୁଁ ଯେବେ କାନ୍ଦେ’ ((As I Cry), ‘ମୁଁ ଶୋଇଯାଇଛି’ (I Have Gone to Sleep), ‘ସ୍ୱପ୍ନରୁ ବାସ୍ତବତା’ (From Dream to Reality), ‘ମୃତ୍ୟୁ’ (Death), ‘ଶୀତ ରାତି’ (The Winter Night), ‘ଜୀବନର ଶକ୍ତି’ (Forces of Life), ‘ବୃଦ୍ଧ ବଟ ବୃକ୍ଷ’ (The Old Banyan Tree), ଓ ଗ୍ରନ୍ଥର ଶୀର୍ଷକ କବିତା ‘କୁଆଡେ ଯିବି’ (Where Shall I Go) ।

ଗ୍ରନ୍ଥର ଏହି ଶୀର୍ଷକ କବିତା ‘କୁଆଡେ ଯିବି’ର ସ୍ୱର ଅନନ୍ୟ । ମାଟି ମନସ୍କତା, ପରଂପରା ମୋହ, ନିବିଡ ତଥା ଅନ୍ତରଙ୍ଗ ଜୀବନ ଦୃଷ୍ଟି ଉକ୍ତ କବିତାଟିକୁ ଆବୋରି ରହିଛି । ଭିଟା ମାଟିକୂୁ ଛାଡି କେଉଁଆଡେ ଯିବ କାବ୍ୟ ନାୟକ? ଯେଉଁ ଭିଟା ମାଟି ତା’ ବାପା, ଗୋସେଇଁ ବାପା, ପୂର୍ବପୁରୁଷଗଣ ଓ ବୁନିଆଦିର ସତ୍ତାକୁ ଧରି ପଡିରହିଛି କେଉଁ ଅନାଦି କାଳରୁ । କାବ୍ୟ ନାୟକର ହୃଦୟର ସ୍ପନ୍ଦନ ସେଇ ଭିଟା ମାଟି ଖଣ୍ଡକ । ତା’ ନିକଟରେ ଥିବା ବରଗଛ, ଝରଣା (ଝୋଲା) ଏସବୁ କେଉଁ କାଳରୁ ରହିଛନ୍ତି ତା’ର ଓ ତା’ ପୂର୍ବପୁରୁଷର ଅସ୍ତିତ୍ୱର ସ୍ମାରକୀ ହୋଇ ।

ସେଠାରେ ଘୂରି ବୁଲୁଛନ୍ତି ତା’ର ପୂର୍ବପୁରୁଷର ଆତ୍ମାମାନ । କେମିତି ବା ସେ ଛାଡି ଦେଇଯିବ ତା’ର ଏ ପ୍ରିୟ ମାଟିକୁ? ନିଜ ଭିଟାମାଟିରୁ ବିସ୍ଥାପିତ ହେବାର ଦୁଃଖରେ ମ୍ରିୟମାଣ କାବ୍ୟ ନାୟକ । ଜଗତୀକରଣ ଆଣିଛି ବିସ୍ଥାପନ, ଉପଭୋକ୍ତାବାଦ ଓ ସାଂସ୍କୃତିକ ବିଘଟନ । ମଣିଷକୁ ଚ୍ଛିନ୍ନମୂଳ କରିବା ହେଉଛି ତା’ର ଅଭିପ୍ରାୟ । ପଲ୍ଲୀଭୂମିର ସରଳ କୃଷକ ଓ ବନଗହନ ଜଳେ ବଂଚୁଥିବା ନିରୀହ ଆଦିବାସୀ ଏମାନେ ବି ଜଗତୀକରଣର ପଞ୍ଝାରୁ ମୁକ୍ତ ନୁହନ୍ତି ।

ଚଚ୍ଛୁର୍ଦ୍ଧିଗରେ ତା’ର ଆଧିପତ୍ୟ । ଗାଁ ଗୋହିରୀ, ଆଦିବାସୀ କୁଡିଆ, ସାଧାରଣ ମଣିଷର ଜୀବନଜର୍ଯ୍ୟା ଜଗତୀକରଣର ବିଷାକ୍ତ ହାୱାରେ କଳୁଷିତ, ବିପର୍ଯ୍ୟସ୍ତ, ସୁସ୍ଥ ମୂଲ୍ୟବୋଧ ବିଡମ୍ବିତ । କବିତାର ବକ୍ତବ୍ୟରୁ ବୁଛାପଡୁଛି କାବ୍ୟନାୟକ ସରଳ ଆଦିବାସୀଟିଏ ନିଶ୍ଚୟ । ଦ୍ରୁତ ସହରୀକରଣ ଓ ଶିଳ୍ପାୟନର ଦୁର୍ଦ୍ଧଶା ଆସି ପହଞ୍ଚିଛି ତା’ ଜୀବନରେ । ତା’ ମାଟିରୁ ତାକୁ ଉଚ୍ଛେଦ କରିବାପାଇଁ ଯେପରି ଷଡଯନ୍ତ୍ରର ବ୍ୟୁହ ରଚନା କରାଯାଇଛି । ପ୍ରୋଟାଗୋନିଷ୍ଟକୁ କେବଳ ଆଦିବାସୀ କୁହାନଯାଇ ବିଷବାଷ୍ପରେ ଜଳିଜଳାନ୍ତ ହେଉଥିବା ମାଟିର ମଣିଷମାନଙ୍କୁ । ସେଇ ମାଟିର ମଣିଷ ଯେମିତି କହୁଛି ଏଇଠି –

“କିଏ ବିସ୍ଥାପିତ କରିବ ଏ ବରଗଛକୁ ଯାହାତଳେ

ଆମ ଗୋସେଇଁପାଙ୍କର ଆତ୍ମା ଘୂରି ବୁଲୁଛି

କ’ଣ ହେବ ଏ ଚପଳ ଛନ୍ଦା ଛରଣାର? ଯେ ଅନବରତ

ଅସ୍ତିତ୍ୱର ଓଁକାର ଗାନ କରଚଛି, ଆଉ ଏ

ପାହାଚ? ଯାହାର ସ୍ମୃତିର ମହୁଫେଣାମାନ ଯୁଗ

ଯୁଗରୁ ଦାନା ବାନ୍ଧି ଆସିଛି ।”

ମାଟି ମନସ୍କତା, ପରଂପରା ସହ ଏକୀଭୂତ ହୋଇ ମହତର ଜୀବନର ଜୟଗାନ ଓ ସର୍ବୋପରି ସୁସ୍ଥ ମୂଲ୍ୟବୋଧର ବିରୋଧୀ ସତାମାନଙ୍କର କବଳରୁ ମୁକ୍ତ ନେବାପାଇଁ ପ୍ରୟାସ ଏହି କବିତାରେ ପ୍ରତିଫଳିତ ହୋଇଥିବା ଯୋଗୁଁ ଏହାକୁ ଏକ ଉଚ୍ଚକୋଟୀର ଆଧୁନିକ କବିତା (post modern poetry) ଭାବରେ ଗ୍ରହଣ କରାଯାଇପାରିବ ।

କାବ୍ୟନାୟକ ପାଇଁ ତା’ର ପିତୃପୁରୁଷର ପୃଥିବୀ ହେଉଛି ମହାନ୍ । ସେଠି ଅଲିଖିତ ପିତୃପୁରୁଷଙ୍କ ସମ୍ବିଧାନ ପରଂପରାର ମନ୍ତ୍ରରେ ଅଭିମନ୍ତ୍ରିତ । ସେଠାରେ ମନ୍ଦିର ହେଉଛି ଗୋଷ୍ଠୀବଦ୍ଧ ଜୀବନ ଓ ଭଗବାନ ହେଉଛନ୍ତି ସେହି ଗୋଷ୍ଠୀବଦ୍ଧ ଜୀବନର ସମୂହ ସତା ବିଶେଷ । ସେଇ ମନ୍ଦିରରେ ନୀଦବ ମନ୍ତ୍ର ଉଚ୍ଚାରଣ କରନ୍ତି ସଦା ପିତୃପୁରୁଷଗଣ ।

‘ମୋ ପିତୃପୁରୁଷ ପୃଥିବୀ କବିତା’ରେ ମାଟି ମନସ୍କଚ୍ଛାର ଉଚ୍ଚରଣ ବେଶ୍ ତାପ୍ତର୍ଯ୍ୟପୂର୍ଣ୍ଣ । “ମୋ ପିତୃପୁରୁଷଙ୍କ ଅଲିଖିତ ସମ୍ବିଧାନ, ସଦା ଶିରୋଧାର୍ଯ୍ୟ ପରଂପରା ପ୍ରବାହିତ ସତ୍ୟ ସମୟର କଷଟିରେ ସଦା ପରୀକ୍ଷିତ । ପାହାଡ ମଥାନ ଆଉ ସୂର୍ଯ୍ୟ-ଚନ୍ଦ୍ର-ତାରା ଆମ ଭଗବାନ ସତ୍ୟ ସନାତନ ।”

ଅତୀତର ମୁଗ୍ଧ ଉଚ୍ଚାରଣ ସହ ଭବିଷ୍ୟତର ଦୃଶ୍ୟପଟ୍ଟକୁ ଉପସ୍ଥାପନ କରାଯାଇଛି ‘ସେଦିନ ଓ ଆଜି’ କବିତାରେ । କବିତାରେ ରୁପାୟିତ ଜୀିବନ ବୃତ୍ତର କାହାଣୀ । ଦୁଇଟି ସ୍ତବକ ରହିଛି କବିତାରେ । ପ୍ରଥମ ସ୍ତବକଟିରେ ଜୀବନର କୋଳାହଳ ମୁଖରିତ ଦିନ । ଜୀବନ ସାଥୀକୁ ଭେଟିବାର ଦିନ, ପରିଣୟ ପୀଠ ଉପରେ ଚାରିଚକ୍ଷୁ ବିସ୍ମିତ ମିଳନ ହେବାର ଦିନ ।

ନୂଆ ଜୀବନଟେ ଆରମ୍ଭ ହେଉଛି ସେହିଦିନଠାରୁୂ । ପ୍ରାଣ ସଙ୍ଗିନୀର ହାତଧରି ସୁଖ ଦୁଃଖର ଲମ୍ବା ରାସ୍ତାକୁ ଅତିକ୍ରମ କରିବାକୁ ପଡିଛି ସେହିଦିନଠାରୁ । ତେବେ ଆଜି ରାସ୍ତା ସବୁ ସରି ଯାଉଛି ।

ଜୀବନ ବୃତ୍ତର କାହାଣୀ ସରୁଛି ବିୟୋଗାନ୍ତକ ନାଟକର ଶେଷ ଦୃଶ୍ୟ ପରି । ପଡିଯାଉଛି ଜୀବନର ଯବନିକା । କବି ବିଷ୍ଣୁପଦ ତା’ରି ଚିତ୍ରପଟ୍ଟ ଥୋଇ ଦେଇଛନ୍ତି ଅନୁପମ ଶବ୍ଦ ସଂଯୋଜନା ମାଧ୍ୟମରେ । ସେଇ ଯବନିକାପାତର ଛାତିଫଟା ଦୁଃଖ ଓ ହାହାକାରର ଚିତ୍ର ଏହିପରି –

“ପାଟିତୁଣ୍ଡ ଓ ଗହଳ ଚହଳନାହିଁ, ତୁମେ ଲୋତକରେ

ଭିଜିଯାଇଛ ସେଠାରେ ଅନେକ ତୁମକୁ ସାନ୍ତ୍ୱନା

ଦେଉଛନ୍ତି ତୁମର କରୁଣ ଚିକ୍ରାର ନୀରବତାକୁ

ବିଦୀର୍ଣ୍ଣ କରୁଛି, ତୁମେ ଜାଣିବାକୁ ଚାହୁଁଛ

କିଛି ବର୍ଷ ଜଳେ ଗଢି ଉଠିଥିବା ସେହି ଆଶା

ସ୍ୱପ୍ନର ଓ ସଂପର୍କରେ ।”

ଉଲ୍ଲେଖ ଯୋଗ୍ୟ ଯେ ବିଷ୍ଣୁପଦଙ୍କ କବି ସତ୍ତାକୁ ଘେରି ରହିଛି ଏକ କାରୁଣ୍ୟ ଯେତେବେଳେ ସେ ଅତୀତର ସ୍ମୃତି ଚାରଣ କରୁଛନ୍ତି ତାଙ୍କର କବିତା ଗୁଡିକରେ । ଏହାକୁ (romantic pessimism) ବୋଲି ଅଭିହିତ କରିହେବ । ପୂର୍ବ ଆଲୋଚିତ କବିତା ‘ମୁଁ କାନ୍ଦିବାକୁ ଚାହେଁ’ କବିତାର କାବ୍ୟନାୟକକୁ କବି ଯେପରି ଭାବରେ ଉପସ୍ଥାପନ କରିଛନ୍ତି ତାହା ଆମ ବକ୍ତବ୍ୟର ସତ୍ୟତା ପ୍ରତିପାଦନ କରେ ।

ଅତୀତରେ ସାଇତା ହୋଇ ରହିଥାଏ ଗଲା ହଚିଲା ଦିନର ସ୍ମୃତି । ନିରୋଳାରେ ନିଃଶବ୍ଦରେ ଅତୀତର ପଦପାତ ମନରେ ଆଣେ ବେଦନା ମିଶ୍ରିତ ଆନନ୍ଦ ଯାହାକୁ (romantic pleasure) ବୋଲି କୁହାଯାଏ । ଏହାର ଅନୁଭବକୁ କବି ଯେପରି ପ୍ରକାଶ କରିଛନ୍ତି ତାର ପିୟଦଂଶ ଆଲୋଚ୍ୟ କବିତାରୁ ନିମ୍ନରେ ଦିଆଗଲା ।

“ସ୍କୁଲ ଦିନ ଗୁଡାକ ଭାରି ମନେ ପଡେ ଆଉ ମନେ

ପଡେ ବୋହୂ ଚୋରି, ବାଗୁଡିର ଦିନ ଜିତିବା,

ହାରିବାର ଦିନ, ଆଉ ସେଦିନ, ଯେବେ ପ୍ରିୟଜନ

ପାଖରେ ଛିଡାହୋଇ କାନ୍ଧରେ ହାତ ରଖିବାର ଦିନ ।

ସେମାନଙ୍କ ସମ୍ମାନାର୍ଥେ ଆଜି କାନ୍ଦିବାକୁ ଇକ୍ତା ହୁଏ ।”

ଆଜିର ମଣିଷ କାନ୍ଦିବାକୁ ଶିଖିନି । ପ୍ରାଣ ଖୋଲା ହସ ହସିବାକୁ ସେ ମଧ୍ୟ ଚାହୁଁନି । ଆଖିର ଅଶ୍ରୁଜଳରେ ଅତୀତର ପ୍ରତିବିମ୍ବ ଦେଖିବାପାଇଁ ସେ ବିମୁଖ । ଅତୀତ କିପରି ମଣିଷର ଗୋପନ ହୃଦୟରେ କଥା କହେ, ପ୍ରାଣକୁ କୁଣି କୁଲକିତ ଓ ଉଚ୍ଚକିତ କରେ – ସେ ଭାଷାକୁ ସେ ବୁଝିବା ପାଇଁ ଅସମର୍ଥ । ଜଡତ୍ୱ ଓ ଅଥର୍ବପଣିଆ ଗଆସ କରିଥିବା ଏଇ ଆଧୁନିକ ମଣିଷ ପାଇଁ ‘ମୁଁ କାନ୍ଦିବାକୁ ଚାହେଁ’ କବିତାର ମେସେଜ୍ ଖୁବ୍ ତାପ୍ତର୍ଯ୍ୟପୂର୍ଣ୍ଣ ।

ପ୍ରକୃତି ସହ ଏକାତ୍ମ ହେବାକୁ ଚାହାନ୍ତି କବି ବିଷ୍ଣୁପଦ । କବିଙ୍କର ଏହି ଭାବକୁ କବି Worldsworthଙ୍କର ଦୃଷ୍ଟିଭଙ୍ଗୀ ଅନୁଯାୟୀ Patnheism ବୋଲି କହିହେବ । କବି ପରି ଦୃଶ୍ୟମାନ ଜଗତକୁ ନୂଆ ନୂଆ ଢଙ୍ଗରେ ଅବଲୋକନ କରିଛନ୍ତି । ଏହା ତାଙ୍କର କବିତା ଗୁଡିକରେ ଆଣୁଛି ନୂଆ ପୁଲକ ଓ ଉନ୍ମାଦନା ।

Freshness ସହିତ spontaneity ମିଶି ରହିବା ଫଳରେ ଏହା ପାଠକର ମରମଛୁଆଁ ହୋଇପାରିଛି । ମଧ୍ୟେ ମଧ୍ୟେ ଦୃଶ୍ୟରୁ ଦୃଶ୍ୟାନ୍ତରକୁ ଗତି କଲାବେଳେ କବି ରହସ୍ୟବାଦୀ ହୋଇପଡିଛନ୍ତି । କବିଗୁରୁ ରବୀନ୍ଦ୍ର ନାଥ ଓ କବି ବୈକୁଣ୍ଠନାଥଙ୍କ ପରି ରୂପାତୀତ ସ ଦୃଶ୍ୟାତୀତର କଥା ସେ କହୁଛନ୍ତି ତାଙ୍କର ଶବ୍ଦ ଚିତ୍ର ଗୁଡିକରେ । ‘ପ୍ରିୟ ନୀରବତା’, ‘ପାର୍କରେ ପ୍ରଭାତ’, ‘ମୁଁ ଉପଭୋଗ କରେ’ ପ୍ରଭୃତି କବିତାରେ ଏହାର ଦୃଷ୍ଟାନ୍ତ ମିଳିବ ।

ଗଭୀର ନିର୍ଜନତା ସହ ଏଳାକାର ହୋଇଯିବା, ନୀରବ, ନିଥର ପ୍ରକୃତିର ଭାଷା ପଢିବାକୁ ଚାହିଁଛନ୍ତି କବି । ଝରଣା, ପଥର, ନିବିଡ ଅରଣ୍ୟାନୀ ତାଙ୍କ ଅନ୍ତରରେ ଗୋପନ କଥା କହିଛି । ତା’ରି ମଧ୍ୟରେ ରହିଛି ଈଶ୍ୱରଙ୍କ ଅସ୍ତିତ୍ୱ । ‘ପୂଜା’, ‘ଫୁଲମାଳ’ କବିତାରେ କବି ସେଇ ଐଶ୍ୱରିକ ସତ୍ତାର ଅନ୍ୱେଷଣ କରିଛନ୍ତି । ଯାଇଛନ୍ତି ରୂପରୁ ରୂପାତୀତକୁ, ଦୃଶ୍ୟରୁ ଦୃଶ୍ୟାତୀତକୁ । ଜୀବନୀ ଶକ୍ତିର ସନ୍ଧାନ ଓ ପ୍ରାଣ ପ୍ରାଚୁର୍ଯ୍ୟର ଆବାହନ ସେ ଶିଖିଛନ୍ତି ପ୍ରକୃତି କୋଳରୁ ।

‘ଜୀବନର ଶକ୍ତି’ ଓ ‘ବୁଦ୍ଧ ବଟବୃକ୍ଷ’ କବିତା ଦୁଇଟି ଏ ଦୃଷ୍ଟିରୁ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ଉପତ୍ୟକାରବୁକୁଚିରି ବହିଯାଉଥିବା ଅବିଶ୍ରାନ୍ତ ଝରଣା, ନୂତନ ସକାଳର ଛବି, ସନ୍ଧ୍ୟାର ଶୀତଳ ମୃଦୁ ସମୀରଣ, ଗୋଧୁଳି ଭଗ୍ନ ଏସବୁ ଭରିଦିଏ କବି ପ୍ରାଣରେ ଅଫୁରନ୍ତ ଜୀବନୀଶକ୍ତି । କବିଙ୍କ ଭାଷାରେ –

“ସନ୍ଧ୍ୟାର ଶୀତଳ-ମୃଦୁ-ସମୀରଣ ତମ୍ତ ପୃଥିବୀକୁ

ବିଂଚି ବିଂଚି ଯାଏ ଯେତେବେଳେ ଏକ ପ୍ରଶସ୍ତ ସୂକ୍ଷ୍ମ

ପରଦା ଗୋଧୂଳି ସମୟକୁ ଆଚ୍ଛାଦିତ କରେ । ଏ ସବୁ

ଭିତରେ ମୁଁ ଖୋଜେ ଏକ ମୁଗ୍ଧ-ମଧୁର ସଂଗୀତର

ମୂର୍ଚ୍ଛନା ଏବଂ ଜୀବନର ଏହି ଶକ୍ତି ସମ୍ମୁଖରେ ମୋର

ମସ୍ତକ-ଅବନମିତ କରେ ।”

‘ବୁଦ୍ଧ ବରଗଛ’ କବିତାରେ ସେହିପରି ରହିଛି ସମୟରୁ ସମୟାତୀତ ହେବାର ପରିକଳ୍ପନା । ବରଗଛଟି ବୁଢା ହୋଇଯାଇପାରେ କିନ୍ତୁ ତାର ଓହଳ ଗୁଡିକ ମଧ୍ୟରୁ ପୁଣି କଅଁଳି ଉଠେ ଜୀବନୀ ଶକ୍ତି । ସେଥିରୁ ଜନ୍ମ ନିଏ ପୁଣି ଶାଖା ପ୍ରଶାଖାଯୁକ୍ତ ବୃକ୍ଷ । ତେଣୁ ଜୀବନର ଅସରନ୍ତି ଶୋଭାଯାତ୍ରା ତାର ଅସମ୍ଭବ ପ୍ରାଣଶକ୍ତି ସଂପର୍କରେ କବି ଏହି କବିତା ଦୁଇଟିରେ ବେଶ୍ ସଚେତନ ।

ସମଗ୍ରତଃ ‘କୁଆଡେ ଯିବି’ ସଂକଳନରେ ସ୍ଥାନିତ ହୋଇଛି ଜୀବନଧର୍ମୀ କବିତା ସମୂହ ଯାହା ବିଶାଳ ପ୍ରକୃତିକୁ ସମୂହ ମାନବକୁ ତାର ସକଳ ସୁଖ ଦୁଃଖକୁ କୋଳେଇ ନେବାରେ ସମର୍ଥ । ସାର୍ଥକ କବିତା ହେଉଛି ଶବ୍ଦର ଗଙ୍ଗୋତ୍ରୀ । ପବିତ୍ର ଗଙ୍ଗାଧର ପରି ସ୍ୱଚ୍ଛ, ନିର୍ମଳ କବିତ୍ୱର ପରିପ୍ରକାଶ ରହିଛି ଆଲୋଚ୍ୟ କବିତା ସଂକଳନର କବିତା ଗୁଡିକରେ ।

ପୁରି ।ବ୍ଦ ଓ ଅର୍ଥର ଲୁଚକାଳି ଖେଳକୁ ସରଳ, ସାଲୀଳ ଓ ପରିଛନ୍ନ ଶୈଳୀରେ ପ୍ରକାଶ କରିବା ଏକ ଆୟାସାଧ୍ୟ ବ୍ୟାପାର ନିଶ୍ଚୟ । କବି ବିଷ୍ଣୁପଦ ଏହି କ୍ମୃସାଧ୍ୟ କଳାକୁ ଆୟତ୍ତ କରିପାରିଛନ୍ତି ତାଙ୍କର ଏଇ ଜୀବନଧର୍ମୀ କବିତା ଗୁଡିକରେ ।

ସେ ଶବ୍ଦର, ଶୈଳୀର ମୁକ୍ତ ପ୍ରବାହ ରଚିଛନ୍ତି ବିଷ୍ଣୁପଦ ପରି ଓ ବିଷ୍ଣୁପଦୀର ପବିତ୍ର ପ୍ରବାହ ଆମର ପାଠକମାନଙ୍କ ପାଇଁ ଆଣିଛନ୍ତି ବୋଲି ସ୍ୱୀକାର କରିବାକୁ ହେବ । କବି ଇଞ୍ଜିନିୟରିଂ ପଢିଛନ୍ତି, ଭାରତୀୟ ପ୍ରଶାସନିକ ସେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମାନ ସଫଳତାର ସହ ନିର୍ବାହ କରିଛନ୍ତି । ଏଇ ସବୁ ବ୍ୟସ୍ତତା ଓ ଜଂଜାଳ ମଧ୍ୟରେ ରହି ସେ ଜୀବନ ଓ ଜଗତକୁ ତାଙ୍କର ଅନ୍ତର୍ଚକ୍ଷୁ ନେଇ ଯେପରି ଦେଖି, ପରଖିଛନ୍ତି – ସେଇ କଥା କହିଛି ତାଙ୍କର କବିତା ସମୂହ, କୌଣସି କପଟଚ୍ଛା ଓ ଛଳନାର ଆଶ୍ରୟ ନ ନେଇ ।

କବିତା ସଂକଳନର ପ୍ରଚ୍ଛଦ ପାଇଁ ସେ ସଉରା ଆଦିବାସୀଙ୍କର କୁଡିଆର ଭିତର ଘରକୁ ସଜ୍ଜିତ କରିବାପାଇଁ ଚାଉଳ ଚୂନା ଓ ପାଣିର ମିଶ୍ୟଣରେ ହୋଇଥିବା ଚିତ୍ରଟିକୁ ନେଇଛନ୍ତି ଯାହା ବୈଶାଳୀ ସେଠୀଙ୍କର ନିପୁଣ ହାତରେ ହୋଇଛି ଅଙ୍କିତ । ଏହା କବିଙ୍କର ପ୍ରସାରିତ ଜୀବନଦୃ୍େୟି ଓ ମାନବ ସଂପ୍ରୀତିର ଉଜ୍ଜ୍ୱଳତମ ଦୃଷ୍ଟାନ୍ତ ।

କବିତାରେ ବିଷ୍ଣୁପଦୀର ପବିତ୍ର ପ୍ରବାହ ଆଣୁଥିବା ବିଷ୍ଣୁପଦ କାବ୍ୟ ଭାବନାକୁ ସେଥିପାଇଁ ଇଚ୍ଛାହୁଏ ଅନ୍ତରରେ ସାଇତି ରଖିବାପାଇଁ ।

Reference:
1. Illusion and Reality, – Introduction, P.P.H., New Delhi, 1956, page-XIV.
2. The Necessity of Art – Penguin Books Pvt. Ltd.- 1963, page-15
ସତସଙ୍ଗ ଲେନ୍ , ଦରଖାପାଟଣା
କଲ୍ୟାଣୀନଗର, କଟକ – ୧୩
ଦୂରଭାଷା – ୯୦୪୦୬୦୮୦୭୩

Leave a Reply

This site uses Akismet to reduce spam. Learn how your comment data is processed.