ରାଜନୀତି

ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ମାଇଲଖୁଣ୍ଟଟିଏ

krushnahandra

ସତ୍ୟନାରାୟଣ ମହାପାତ୍ର

ଭାରତ ଭୂଖଣ୍ଡରେ ଓଡ଼ିଶା ୧୧ତମ ରାଜ୍ୟ ରୂପେ ତା’ର ପାଦ ସ୍ଥାପନ କରିଥିଲା ଆଜକୁ ୮୦ବର୍ଷ ତଳେ । ୧୯୩୬ ଅପ୍ରେଲ ପହିଲା ଦିନ ଦେଶରେ ଭାଷାଭିତ୍ତିକ ପ୍ରଥମରାଜ୍ୟ ଥିଲା ଓଡ଼ିଶା ।

ଆଜି ସେଇ ଓଡ଼ିଆଭାଷାକୁ ଦେଶରେ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଆମ ଭାଷାର ଉତ୍ତରୋତ୍ତର ଉନ୍ନତି କରିବା ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ବରଂ ଅଧିକତର ଭାବରେ ଆମ ସମସ୍ତଙ୍କର ।

ଅତୀତରେ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ରାଜ୍ୟଟିଏ ଗଠନ କରିବାଲାଗି ଲହୁଲୁହାଣ ହେବାପାଇଁ ପଡ଼ିଥିଲା ଆମର ପୂର୍ବସୂରୀମାନଙ୍କୁ । ସେଇମାନଙ୍କର ସ୍ୱର ଦୃଢ଼ ହେବାପାଇଁ ଉତ୍କଳ ସମ୍ମିଳନୀ, ଉତ୍କଳ  ହିତୈଷିଣୀ ସମାଜ, ଉତ୍କଳ ସଭା ପ୍ରଭୃତି ଅନେକ ଅନୁଷ୍ଠାନ ପ୍ରାକୃତିକ ଉକ୍ରଳର ବିଭିନ୍ନ ପ୍ରାନ୍ତରରୁ ସ୍ୱର ଉତ୍ତୋଳନ କରିଥିଲେ ।

ମଧୁବାବୁ, ପଣ୍ଡିତ ଗୋପବନ୍ଧୁ ଏବଂ ତାଙ୍କରି ସତ୍ୟବାଦୀ ଗୋଷ୍ଠୀର ସାଧକଗଣଙ୍କ ସମେତ ଗୋପାଳଚନ୍ଦ୍ର ପ୍ରହରାଜ, ଗୌରୀଶଙ୍କର ରାୟ, ସାହିତ୍ୟିକ ଫକୀରମୋହନ, ରାଧାନାଥ, ଗଙ୍ଗାଧର, ନନ୍ଦକିଶୋର, ଶଶିଭୂଷଣ ରଥ, ବାରିପଦା-ଖଲିକୋଟ-କନିକା ସମେତ ବିଭିନ୍ନ ରାଜ୍ୟର ରାଜା-ଜମିଦାର ଏବଂ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ସକ୍ରିୟ ଭାବରେ ଯୋଗ ଦେଇଥିଲେ ସେଇ ଆନ୍ଦୋଳନରେ ।

ସେଇ ଜାତୀୟବାଦୀ ନେତୃମଣ୍ଡଳୀରେ ଅନ୍ୟତମ ଅଗ୍ରଗଣ୍ୟ ଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।

୧୯୩୦ ମସିହାରେ ଇଂରେଜ ସରକାରଙ୍କ ଆନୁକୂଲ୍ୟରେ ଗଠିତ ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗଦେଇ ସେ ଯେଉଁ ଭାଷଣଟି ପ୍ରଦାନ କରିଥିଲେ ତାହା ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ଲକ୍ଷ୍ୟ ହାସଲ ଦିଗରେ ଥିଲା ଏକ ମାଇଲଖୁଣ୍ଟ । ତାହା ଇଂଲଣ୍ଡର ଲର୍ଡ଼ସଭାରେ ଜାନୁଆରୀ ୧୬ତାରିଖ ଦିନ ପ୍ରଦାନ କରିଥିଲେ କୃଷ୍ଣଚନ୍ଦ୍ର । ସେଠାରେ ଉପସ୍ଥିତ ସଦସ୍ୟଗଣଙ୍କୁ ସେ ସମ୍ବୋଧନ କରି କହିଥିଲେ –

ଭଦ୍ର ମହୋଦୟଗଣ!

ମହାମହିମ ଭାରତ ସମ୍ରାଟଙ୍କ ଶାସିତ ଦଶ ନିୟୁତ ଓଡ଼ିଆ ପ୍ରଜାଙ୍କ ପ୍ରତିନିଧି ରୂପେ ସେମାନଙ୍କ ଦୀର୍ଘ ଦିନର ଏକ ଦୁଃଖପୂର୍ଣ୍ଣ ଅଭିଯୋଗ ମୁଁ ଆଜି ଏଠାରେ ଉପସ୍ଥାପିତ କରିବାକୁ ସୁଯୋଗ ପାଇ ଦଣ୍ଡାୟମାନ ହୋଇଅଛି ।

ଇତିପୂର୍ବରୁ, ଅଳ୍ପଦିନ ତଳେ, ମୁଁ ଆପଣମାନଙ୍କ ନିକଟରେ ଯେଉଁ ସ୍ମାରକପତ୍ର ଉପସ୍ଥାପିତ କରିଛି ସେଥିରୁ ଭିନ୍ନ ଭିନ୍ନ ପ୍ରଦେଶ ସହିତ ଏହି ଓଡ଼ିଆମାନେ ଯୁକ୍ତହୋଇ ରହିଥିବା ଯୋଗୁଁ ସେମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଆପଣମାନେ ନିଶ୍ଚିତ ରୂପେ ଅବଗତ ହୋଇପାରିଥିବେ ।

ଓଡ଼ିଆମାନେ ଏକତ୍ର ହୋଇ ରହିବାପାଇଁ ଗତ ଶତାବ୍ଦୀର ଶେଷଭାଗରୁ ଯେଉଁଭଳି ଆନ୍ଦୋଳନ ସବୁ ଚଳାଇ ଆସିଛନ୍ତି ତାହାର ଇତିହାସ ବର୍ଣ୍ଣନା କରି ମୁଁ ଅବଶ୍ୟ ଆପଣମାନଙ୍କୁ କ୍ଳାନ୍ତ କରିବି ନାହିଁ ।

କିନ୍ତୁ ସେ ସମ୍ପର୍କରେ ସମସ୍ତ ତଥ୍ୟ ମୋର ଜ୍ଞାତବ୍ୟ ଥିବାରୁ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଦୃଢ଼ଭାବରେ ଏହି ଦାବି ଉପସ୍ଥାପିତ କରୁଛି ଯେ ଓଡ଼ିଆମାନଙ୍କ ପାଇଁ ଗୋଟିଏ ‘ସ୍ୱତନ୍ତ୍ର ପ୍ରଦେଶ’ ବର୍ତ୍ତମାନ ଜୀବନ-ମରଣ ପ୍ରଶ୍ନ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରୂପେ ଛିଡ଼ା ହୋଇଛି ।

ସେମାନଙ୍କର ଜନ୍ମଭୂମିକୁ ଭାରତବର୍ଷର ବିଭିନ୍ନପ୍ରଦେଶ ସହିତ ଖଣ୍ଡବିଖଣ୍ଡିତ କରି ଯୁକ୍ତ କରାଇ ଦିଆଯାଇଛି । ପରିଣାମସ୍ୱରୂପ ପ୍ରତ୍ୟେକ ପ୍ରଦେଶର ସୀମାନ୍ତ ଅଞ୍ଚଳଗୁଡ଼ିକରେ ହିଁ ସେମାନେ ବସବାସ କରି ରହୁଛନ୍ତି ।

ପ୍ରଦେଶର ରାଜଧାନୀଠାରୁ ବହୁ ଦୂରରେ ରହିବା ଫଳରେ ଓଡ଼ିଆମାନଙ୍କୁ ଯେ ସମସ୍ତପ୍ରକାର ଅସୁବିଧା ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଅତି ଶୋଚନୀୟ ବ୍ୟାପାର ।

ପ୍ରତି ପ୍ରଦେଶର ଅଧିବାସୀଙ୍କ ମଧ୍ୟରେ ଓଡ଼ିଆମାନଙ୍କ ସଂଖ୍ୟା ଅତିମାତ୍ରାରେ ନଗଣ୍ୟ ହୋଇଥିବାରୁ ସେମାନଙ୍କୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ସେମାନଙ୍କ ହାନିଲାଭ ବା ସୁଖଦୁଃଖ ପ୍ରତି ସରକାରୀ ଦୃଷ୍ଟି ଆକର୍ଷଣ ଆଦୌ ସହଜଭାବରେ ହୋଇପାରେ ନାହିଁ ।

ସେମାନଙ୍କ ଦାବି କିମ୍ବା ଅଭିଯୋଗର ସ୍ୱର ଅତି କ୍ଷୀଣଭାବରେ ଶୁଣାଯାଏ । ଅନ୍ୟାନ୍ୟ ଭାଷାଭାଷୀ ଲୋକଙ୍କର ସଂଖ୍ୟାଗରିଷ୍ଠତା ମଧ୍ୟରେ ସେମାନେ କୁଆଡ଼େ ହଜିଯାଆନ୍ତି ।

ଭଦ୍ର ମହୋଦୟଗଣ । ମୁଁ ଆଶା କରୁଛି ଆପଣମାନେ ଓଡ଼ିଆମାନଙ୍କର ଏହି ଦୁରବସ୍ଥା ସମ୍ପର୍କରେ ଏବଂ ସେମାନଙ୍କ ସମୁଚିତ ଦାବି ସମ୍ପର୍କରେ ନିଶ୍ଚିତ ରୂପେ ସହାନୁଭୂତିର ସହିତ ବିଚାର କରିବେ ।

ବହୁ ସରକାରୀ ପ୍ରତିନିଧି ଇତିପୂର୍ବରୁ ଏହି ଦାବିକୁ ବାରମ୍ବାର ସମର୍ଥନ କରିଆସିଛନ୍ତି । ଆମରି ମଙ୍ଗଳ ପାଇଁ ଭାଷା ଓ ଜାତି ଭିତ୍ତିରେ ଗଠିତ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଆମ୍ଭେମାନେ ଆଶାକରୁଛୁ ।

ସେତିକି ପାଇଲେ ଯାଇ ଆମେ ସନ୍ତୋଷ ଓ ଶାନ୍ତି ଲାଭ କରିବୁ । ବ୍ରିଟିଶ ଓ ଭାରତୀୟ ରାଜନୀତିବିଜ୍ଞମାନେ ଭାରତବର୍ଷ ଲାଗି ଯେଉଁସବୁ ସଂସ୍କାରମୂଳକ କାର୍ଯ୍ୟାନୁଷ୍ଠାନମାନ ଆରମ୍ଭ କରିଛନ୍ତି ଏବଂ ପୁଣି ଭବିଷ୍ୟତରେ ବିଭିନ୍ନ ରାଜ୍ୟ ସମନ୍ୱୟରେ ଭାରତବର୍ଷରେ ଯେଉଁ ରାଷ୍ଟ୍ରସଂଘ ଗଠିତ ହେବ ତଥା କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟ ଭାଷା ଓ ଗୋଷ୍ଠୀ ଭିତ୍ତିରେ ପୁନର୍ଗଠିତ ହେବ ସେତେବେଳେ ଯଦି ଓଡ଼ିଆମାନେ ଆପଣାର ଲାଗି ଗୋଟିଏ ପ୍ରଦେଶ ପାଇପାରି ନଥିବେ ତେବେ ସେଭଳି ରାଷ୍ଟ୍ର ସଂଘରୁ ସେମାନେ କୌଣସି ଉପକାର ପାଇପାରିବେ ନାହିଁ ।

ଯଦି ଏହି ଦଶ ନିୟୁତ ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଲାଭ ନକରନ୍ତି ତେବେ ଆପଣମାନେ ଏଠାରେ ପ୍ରଦେଶଗୁଡ଼ିକରେ ଯେଉଁ ସାର୍ବଭୌମ କ୍ଷମତାସମ୍ପନ୍ନ ପାର୍ଲାମେଣ୍ଟାରୀ ଶାସନ ସଂସ୍ଥା ଗଢ଼ିବାକୁ ବିଚାର ଆଲୋଚନା ଚଳାଇଚନ୍ତି ସେଥିରେ ସେମାନଙ୍କର ପ୍ରଭୂତ କ୍ଷତି ସାଧିତ ହେବ ।

ଏପର୍ଯ୍ୟନ୍ତ ଆମ୍ଭେମାନେ ବହୁ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଛୁ । ଆମର ସମସ୍ତ ଆନୁଗତ୍ୟ ଭାରତ ସମ୍ରାଟଙ୍କ ପ୍ରତି ପ୍ରକାଶ କରି ଆମ୍ଭେମାନେ ତାଙ୍କ ନିକଟରୁ ସର୍ବଦା ନ୍ୟାୟ ବିଚାର, ସହାନୁଭୂତି ଏବଂ ସଦୟ ବ୍ୟବହାର ଆଶା କରିଆସିଛୁ ।

ଆମ୍ଭମାନଙ୍କ ସପକ୍ଷରେ ଲର୍ଡ଼ କର୍ଜନ କହିଥିଲେ – ‘ଓଡ଼ିଆମାନେ ଯଦି ବିଦ୍ରୋହ ମନୋଭାବାପନ୍ନ ହୋଇଥାନ୍ତେ (ଏବଂ ସେମାନେ ତାହା ଆଦୌ ନୁହନ୍ତି) ତେବେ ସେମାନେ ସେମାନଙ୍କ ନ୍ୟାଯ୍ୟ ଦାବି କେଉଁ କାଳରୁ ଉଚ୍ଚକଣ୍ଠରେ ଶୁଣାଇ ସାରିଥାଆନ୍ତେ । କିନ୍ତୁ ଯାହା ଦେଖାଯାଇଛି ସେମାନଙ୍କ ସ୍ୱାର୍ଥ ବିନାଦ୍ୱିଧାରେ ବଳି ଦିଆଯାଇଛି ।’

ଏହି ବୈଠକରେ ଆପଣମାନେ ଓଡ଼ିଆମାନଙ୍କ ସମସ୍ୟା ନେଇ ସୁବିଚାର କରିବେ ବୋଲି ମୁଁ ଆଶା କରୁଛି । ନିଶ୍ଚିତ ରୂପେ ଆପଣମାନଙ୍କୁ ଅବଗତ ଥିବ ଯେ ସାଇମନ୍ କମିଶନ, ଭାରତ ସରକାର ଏବଂ ସମ୍ପୃକ୍ତ ପ୍ରାଦେଶିକ ସରକାର ଏହି ପ୍ରଶ୍ନ ସମାଧାନର ତୁରନ୍ତ ଆବଶ୍ୟକତାକୁ ସ୍ୱୀକାର କରିଛନ୍ତି ।

ସେମାନେ ଓଡ଼ିଆମାନଙ୍କ ଲାଗି ଏକ ସ୍ୱତନ୍ତ୍ର ପ୍ରଦେଶ ମଞ୍ଜୁର କରିବା ଦିଗରେ କେବଳ ଗୋଟିଏ ପ୍ରତିବନ୍ଧକ ରହିଛି ବୋଲି ମନେକରନ୍ତି – ତାହା ହେଉଛି ରାଜସ୍ୱଜନିତ । ସେଥିପାଇଁ ମୋର ଉତ୍ତର ହେଉଛି – ଗୋଟିଏ ଇତିହାସ ପ୍ରସିଦ୍ଧ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିସମ୍ପନ୍ନ ଜାତିର ଅସ୍ତିତ୍ୱକୁ ସୁରକ୍ଷା କରିବା ଦିଗରେ ରାଜସ୍ୱଜନିତ ବ୍ୟାପାର ଏକମାତ୍ର ଅନତିକ୍ରମଣୀୟ ପ୍ରତିବନ୍ଧକ ହୋଇ ନପାରେ ।

କଥାରେ ଅଛି – ‘କପଡ଼ାକୁ ଚାହିଁ କୁରୁତା ତିଆରି କର ।’ ଏଠିମଧ୍ୟ ସେକଥା ହିଁ ପ୍ରଯୁଜ୍ୟ ହୋଇପାରେ ।

ମୁଁ ଏଠାରେ ନିଶ୍ଚିତ ଯେ ଓଡ଼ିଆମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ହିତକର ମନୋଭାବ ରହିଆସିଛି । ବିହାର, ଓଡ଼ିଶା ଓ ଆସାମପ୍ରଦେଶ ଗଠିତ ହେଲାବେଳେ କେନ୍ଦ୍ର ସରକାର ଯେଉଁଭଳି ସେହି ଦୁଇଟି ପ୍ରଦେଶକୁ ସାହାଯ୍ୟ ଦେଲେ ସେଭଳି ଓଡ଼ିଶା ପ୍ରତି ମଧ୍ୟ ସହାୟତା କରିବେ ।

ଏ କ୍ଷେତ୍ରରେ ମୁଁ ଆଉ ଗୋଟିଏ କଥା କହିବାକୁ ଚାହେଁ । ଆମେ ମୂଳରୁ କୌଣସି ଋଣ ନେଇ ପ୍ରଦେଶ ଶାସନ ଆରମ୍ଭ କରିବୁ ନାହିଁ । ବରଂ ଅନ୍ୟପକ୍ଷରେ ଆମେ କିଛି ରାଜସ୍ୱ ସଂଗ୍ରହ କରିପାରିବୁ । ଅଥଚ ଆସାମ ପ୍ରାରମ୍ଭରୁ ଏହି ସମ୍ଭାବନାଟିକୁ ସମ୍ଭବ କରିପାରି ନାହିଁ ।

ଭାରତୀୟ ବୈଧାନିକ କମିଶନକୁ  ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ବିଭାଗରୁ ବାର୍ଷିକ ରାଜସ୍ୱ ଆଦାୟ ହୁଏ ଦଶ ନିୟୁତ ଟଙ୍କା ଏବଂ ମୁଁ ନିଶ୍ଚିତ ରୂପେ କହିପାରେ ଯେ ଓଡ଼ିଶା ସ୍ୱତନ୍ତ୍ର ହେଲେ ତାହା ସହିତ ଅନ୍ୟାନ୍ୟ ପ୍ରଦେଶସ୍ଥ ଯେଉଁସବୁ ଓଡ଼ିଆ ଅଞ୍ଚଳ ସ୍ୱତଃପ୍ରବୃତ୍ତ ହୋଇ ନୂତନ ପ୍ରଦେଶ ସହିତ ସଂଯୁକ୍ତ ହେବ ବୋଲି ବିଭିନ୍ନ ସରକାରୀ କମିଟି ରିପୋର୍ଟରେ ହରିଛି ଏବଂ ସୀମା କମିଶନ ଯେଉଁସବୁ ଓଡ଼ିଆଭାଷା ଅଞ୍ଚଳକୁ ଏକୀକରଣ କରାଇବା ଲାଗି ସ୍ଥିର କରିବେ ତଦ୍ୱାରା ଆଉ କେତୋଟି ଜିଲ୍ଲା ମଧ୍ୟ ପୁନର୍ଗଠିତ ଓଡ଼ିଶାରେ ସମ୍ମିଳିତ ହେବ ।

ପରିଣାମସ୍ୱରୂପ ଏହାର ରାଜସ୍ୱ ନିଶ୍ଚିତରୂପେ ୨୦.୨ନିୟୁତ ଟଙ୍କା ହୋଇପାରିବ । ଏହା ଫଳରେ ସରକାର ଯେଉଁ ଆର୍ଥିକ ସଙ୍କଟର ଆଶଙ୍କା କରୁଛନ୍ତି ତାହା ନିଶ୍ଚୟ ଦୂର ହୋଇପାରିବ । ଏତଦ୍ବ୍ୟତୀତ ଓଡ଼ିଶାରେ ଥିବା ମାଳ ଅଞ୍ଚଳମାନଙ୍କରୁ ପ୍ରଭୂତ ପରିମାଣରେ ଅବକାରୀ ରାଜସ୍ୱ ମଧ୍ୟ ଆଦାୟ ହୋଇପାରିବ ।

ପୁଣି ଯେଉଁ ଅନେକ ପରିମାଣରେ ଅନାବାଦୀ ଜମି ପତିତ ଅବସ୍ଥାରେ ରହିଛି, ସେଗୁଡ଼ିକୁ ଆବାଦୀ କରାଯିବା ସଙ୍ଗେ ସଙ୍ଗେ ଅରଣ୍ୟ ସମ୍ପଦର ବିନିଯୋଗ କରାଯାଇ ଏହି ପ୍ରଦେଶର ରାଜସ୍ୱ ପରିମାଣ ବୃଦ୍ଧି କରାଯାଇପାରିବ ।

ଏସବୁ ସାଙ୍ଗକୁ ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ଲୁଣ ଉତ୍ପାଦନ କରିବା ଦିଗରେ ଯେତେ ଅନୁକୂଳ, ସମଗ୍ର ସାମ୍ରାଜ୍ୟରେ ସେତେ ବଡ଼ ଦ୍ୱିତୀୟ ଉପଯୋଗୀ ଅଞ୍ଚଳ ବୋଧହୁଏ ଆଉ ଥାଇନପାରେ । ସେଇ ବାବଦରେ ମଧ୍ୟ ରାଜସ୍ୱ କମ୍ ଆଦାୟ ହେବନାହିଁ ।

ପରିଶେଷରେ, ଯଦି ପରିସ୍ଥିତି ବାଧ୍ୟ କରେ ତେବେ ଆମ ପ୍ରଦେଶର ନିଅଣ୍ଟ ରାଜସ୍ୱ ପରିମାଣ ଭରଣ କରିବା ଲାଗି, ଆମେ ଓଡ଼ିଆମାନେ, ସ୍ୱତନ୍ତ୍ର ଟିକସର ବୋଝ ବହନ କରିବା ପାଇଁ ପ୍ରସ୍ତୁତ ଅଛୁ ।

ଭଦ୍ର ମହୋଦୟଗଣ! ମୁଁ ଆଉ ଆପଣମାନଙ୍କର ମୂଲ୍ୟବାନ ସମୟ ଅଯଥା ନଷ୍ଟ କରିବା ଲାଗି ଇଚ୍ଛା କରୁନାହିଁ । କେବଳ ଏହି ସମସ୍ୟାର ଗୁରୁତ୍ୱ ହୃଦୟଙ୍ଗମ କରାଇବା ଲାଗି ଅନେକ କିଛି କହି ସାରିଲିଣି ।

ଭାରତବର୍ଷର ଯେକୌଣସି ଅନ୍ୟାନ୍ୟ ଉନ୍ନତ ଜାତି ଭଳି ଓନିଆମାନେ ମଧ୍ୟ ଏକ ସ୍ୱଚ୍ଛ, ଐତିହ୍ୟପୂର୍ଣ୍ଣ, ଜାଜ୍ୱଲ୍ୟମାନ ଅତୀତର ଅଧିକାରୀ ହୋଇଥିଲେ ମଧ୍ୟ ଉନ୍ନତ, ସଂସ୍କୃତିସମ୍ପନ୍ନ, ବହୁ ସଂଖ୍ୟକ ଅଧିବାସୀଙ୍କୁ ବର୍ତ୍ତମାନ ଅତ୍ୟନ୍ତ ମର୍ମାନ୍ତିକ ଦୁଃଖଦାୟକ ପରିବେଶ ମଧ୍ୟରେ ରଖାଯାଇଛି ।

ସେଭଳି ଏକ ପୁରାତନ ଜାତିର ଭାଗ୍ୟର ପୁନଃରୁଦ୍ଧାର କରିବା କିମ୍ବା ନଷ୍ଟଭ୍ରଷ୍ଟ କରିବା ଦାୟିତ୍ୱ ଆପଣମାନଙ୍କର ବିଚାର ଉପରେ ନିର୍ଭର କରେ ।’

ସାଇମନ କମିଶନ ସୁପାରିଶ ୧୯୩୦ ଜୁନ୍ ସାତ ତାରିଖ ଦିନ ପ୍ରକାଶ ପାଇବା ପରେ ସେନେଇ ବିଚାର ଆଲୋଚନାପାଇଁ ଇଂଲଣ୍ଡରେ ପ୍ରଥମ ଗୋଲଟେବୁଲ ବୈଠକର ଆୟୋଜନ ହୋଇଥିଲା । ୧୯୩୦ନଭେମ୍ବର ୧୨ରୁ ୧୯୩୧ ଜାନୁଆରୀ ୧୯ତାରିଖ ଯାଏ । ବିହାର-ଓଡ଼ିଶାର ସରକାରୀ ପ୍ରତିନିଧି ରୂପେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ ପାରଳା ମହାରାଜା ସେଥିରେ ଯୋଗ ଦେଇଥିଲେ ।

ସେଠାରେ ଆପଣାର ବକ୍ତବ୍ୟ ରଖିବା ପୂର୍ବରୁ ଚାରୋଟି ପ୍ରଦେଶର ଉପାନ୍ତ ଅଞ୍ଚଳ ରୂପେ ବସବାସ କରି ରହୁଥିବା ଓଡ଼ିଆଙ୍କର ଦୁଃଖ, ଦୁର୍ଦ୍ଦଶା ଏବଂ ବାସ୍ତବ ସ୍ଥିତି ସମ୍ପର୍କରେ ବିଶେଷ ବିବରଣୀ ଯୁକ୍ତ ଏକ ସ୍ମାରକପତ୍ର ସଭ୍ୟମାନଙ୍କ ଅବଗତି ନିମନ୍ତେ ବାଣ୍ଟି ଦେଇଥିଲେ । ଏକ ପ୍ରସ୍ତାବ ଆକାରରେ ତାହାକୁ ୧୯୩୧ ଜାନୁଆରୀ ୧୬ ତାରିଖ ଦିନ ବୈଠକରେ ଉପସ୍ଥାପିତ କରି ସେଇ ଭାଷଣଟି ପ୍ରଦାନ କରିଥିଲେ ।

ଦୀର୍ଘ ଦୁଇମାସରୁ ଊଦ୍ଧ୍ୱର୍କାଳ ଧରି ଚାଲିଥିବା ସେଇ ବୈଠକରେ ସରକାରୀ/ବେସରକାରୀ ଭାବେ ଭାରତର ଭବିଷ୍ୟତ ଶାସନ ସଂସ୍ଥାର ସମ୍ପର୍କରେ ଅନେକ ପ୍ରସ୍ତାବ ଆଗତ ହୋଇଥିଲା । ପ୍ରାୟ ପ୍ରତ୍ୟେକଟି ପ୍ରସ୍ତାବ ଉପରେ ବିଭିନ୍ନ ଆଲୋଚନା ହୋଇ କିଛି ନା କିଛି ସଂସ୍କାର ପାଇଁ ମତ ପ୍ରକାଶ ପାଇଥିଲା ।

ଭାରତର ପ୍ରତି ପ୍ରାଦେଶିକ ସରକାରଙ୍କ ପ୍ରତିନିଧି, ସରକାରୀ ଅଫିସର, ଭାରତର ବିଶିଷ୍ଟ ବେସରକାରୀ ବ୍ୟକ୍ତି ଏବଂ ଇଂଲଣ୍ଡ ସରକାରଙ୍କ ପଦସ୍ଥ ଅଫିସରବୃନ୍ଦ ତାହାର ସଦସ୍ୟ ଥିବାରୁ କୌଣସି ନା କୌଣସି ସ୍ତରରୁ ପ୍ରତ୍ୟେକ ପ୍ରସ୍ତାବ ଉପରେ ସଂଶୋଧନ ପରାମର୍ଶ ଆସୁଥିଲା ।

କିନ୍ତୁ ବିଶେଷ ଉଲ୍ଲେଖଯୋଗ୍ୟ ଥିଲା-ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରସ୍ତାବଉପରେ କୌଣସି ସଭ୍ୟ କୌଣସି ଟିପ୍ପଣୀ ପ୍ରଦାନ କରିନଥିଲେ । ସ୍ମରଣ ରଖାଯାଇ ପାରେ ଯେ ଆନ୍ଦୋଳନ ଆରମ୍ଭରୁ ତତ୍କାଳ ପର୍ଯ୍ୟନ୍ତ ମାନ୍ଦ୍ରାଜ ପ୍ରାଦେଶିକ ସରକାରଙ୍କ ଠାରୁ ଆରମ୍ଭ କରି ସେଠିକାର ନେତୃବୃନ୍ଦ ଏବଂ ଜନଗଣ ସୁଦ୍ଧା ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନକୁ ତୀବ୍ର ବିରୋଧ କରି ଆସୁଥିଲେ ଏବଂ ସେମାନଙ୍କ ପ୍ରତିନିଧି ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ମହାରାଜାଙ୍କ ବ୍ୟକ୍ତିତ୍ୱ ତଥା ତାଙ୍କର ସେଇ ପ୍ରଭାବଶାଳୀ ଭାଷଣରେ ପ୍ରଭାବିତ ହୋଇ ସଭ୍ୟଗଣଙ୍କ ସମେତ ଉପସ୍ଥିତ ସମସ୍ତେ ସ୍ୱତନ୍ତ୍ର ପ୍ରଦେଶ ଗଠନ ସମ୍ପର୍କରେ ସମର୍ଥନ ଜଣାଇଥିଲେ ।

ସେଇ ସର୍ବସମ୍ମତ ସମର୍ଥନ ସରକାରଙ୍କୁ ଏକରକମ ବାଧ୍ୟ କରିଥିଲା ସେଇ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ । ତେଣୁ ପ୍ରଥମ ଗୋଲଟେବୁଲ ବୈଠକର ଶେଷ ଦିନ ହିଁ ବୈଠକର ନିଷ୍କର୍ଷ ରଖିବା ବେଳେ ଭାରତବିଭାଗ ସଚିବ ସାର୍ ସାମୁଏଲ ଏହାର ନୀତିଗତଭାବେ ଘୋଷଣା କରିଥିଲେ ‘ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବ ।’

ସେଦିନ ହିଁ ସେଇ ଖବର ଓଡ଼ିଶା ପଠାଇ ଦେଇଥିଲେ ମହାରାଜା । ସେଇ ଆନନ୍ଦରେ ତକ୍ରାଳ ଦେବାନ୍ ବାହାଦୂର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧିନାୟକତ୍ୱରେ କଟକ ଟାଉନ୍ହଲରେ ଭୁବନାନନ୍ଦ ଦାସ, ବୀରକିଶୋର ଦାସ, ବିଶ୍ୱନାଥ କର, ଗୋପାଳ ପ୍ରହରାଜ, ବ୍ରଜସୁନ୍ଦର ଦାସ ପ୍ରମୁଖ ନେତୃବର୍ଗଙ୍କ ସମେତ ଅନ୍ୟମାନଙ୍କ ଆୟୋଜନରେ ଏକ ବିରାଟ ସାଧାରଣ ସଭା ହୋଇଥିଲା ।

ସେଠାରେ ସଭାରେ ସଭାପତି ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ‘ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ପ୍ରକୃତରେ ଓଡ଼ିଆ ଜାତିର ମଉଡ଼ମଣି ।’ ଏସବୁ ଥିଲା ସେଇ ଭାଷଣ ପ୍ରଭାବ ।

ସୌଜନ୍ୟ: ସମଦୃଷ୍ଟି

Leave a Reply

This site uses Akismet to reduce spam. Learn how your comment data is processed.