ଶ୍ରୀଜଗନ୍ନାଥ, ଜଗମୋହନ ଓ ଓଡ଼ିଶା ରାଜନୀତି

Pic: http://jagannath.nic.in/

କେଦାର ମିଶ୍ର

ସମ୍ପ୍ରତି ପୁରୀ ଶ୍ରୀମନ୍ଦିରର ଜଗମୋହନ ଅବସ୍ଥା ଯାହା ଏହା ଯେ ଦିନେ କୋଣାର୍କ ମନ୍ଦିର ଭଳି ଭୁଷୁଡ଼ି ପଡ଼ିବ, ସେହି ଆଶଙ୍କାକୁ ଏଡ଼େଇ ଦେଇ ହେବ ନାହିଁ । ଏକଥା କହିଛନ୍ତି ଶ୍ରୀମନ୍ଦିର ମରାମତି ସହ ସଂପୃକ୍ତ ଜଣେ ପ୍ରଖ୍ୟାତ ଇଞ୍ଜିନିୟର୍ ଶ୍ରୀ ମିତ୍ର ।

ତାଙ୍କ ବକ୍ତବ୍ୟରୁ ଯେଉଁ ଉଦବେଗ ଓ ଉତ୍ତେଜନା ବାରି ହୋଇ ପଡ଼ିଥିଲା, ତା’ର ପ୍ରଭାବ ଏବେ ଓଡ଼ିଶା ରାଜନୀତିରେ ଅନୁଭୂତ ହେଉଛି । ଓଡ଼ିଶାର ଲୋକଜୀବନରେ ସବୁପ୍ରକାର ବାଦ-ବିସମ୍ବାଦକୁ ପଛରେ ପକାଇ ଜଗନ୍ନାଥ ସବୁବେଳେ ଆମ ସାମାଜିକ ବିତର୍କର ନାଭିକ୍ଷେତ୍ରରେ ବିରାଜମାନ କରିଥା’ନ୍ତି ।

ରାଜ୍ୟରେ ଯେତେ ଯାହା ଘଟୁ ପଛେ, ତା’କୁ ନେଇ ଆମ ସାମାଜିକ ଜୀବନରେ ଖୁବ୍ ବେଶୀ ଆନ୍ଦୋଳନ ଦେଖାଦିଏ ନାହିଁ । ହେଲେ ଜଗନ୍ନାଥଙ୍କ ସହ ସମ୍ପୃକ୍ତ ଛୋଟରୁ ଛୋଟ ଘଟଣା ମଧ୍ୟ ଆମକୁ ଉତ୍ତେଜିତ କରିପକାଏ । ୨୦୧୫ ବର୍ଷଟି ସାରା ଆମେ ନବକଳେବରକୁ ନେଇ ତର୍କ ବିତର୍କରେ ମାତିଲୁ । ଦାରୁଠାବ, ଦାରୁ ଛେଦନ, ବ୍ରହ୍ମ ବିଭ୍ରାଟ ଇତ୍ୟାଦି ବହୁ ଅଦ୍ଭୁତ ଶବ୍ଦ ଆମ ସାମାଜିକ ଜୀବନକୁ କବଳିତ କଲା ।

ଏହି ସମୟରେ ଆଉ କେତେ କଥା ଘଟିଥିଲା, ତାହା ଆମର ଆଉ ମନେ ନାହିଁ । ପ୍ରାୟ ଲକ୍ଷେ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତି ସମ୍ପର୍କରେ ଆମ ଚର୍ଚ୍ଚାର ପରିସର ଅତ୍ୟନ୍ତ ସୀମିତ । ସେହିପରି କୋଇଲା ଓ ଲୁହାପଥର ଖଣି କ୍ଷେତ୍ରରେ ପ୍ରଚୁର ଦୁର୍ନୀତି ହୋଇଥିବା କଥା ଆମେ ସମସ୍ତେ ଜାଣିଛୁ । ଏହାକୁ ନେଇ ଶାହା କମିଶନ ଯେଉଁ ତଦନ୍ତ ରିପୋର୍ଟ ଦେଇଛନ୍ତି, ତାହା ଏବେ ଶୀତଳଭଣ୍ଡାରରେ ପଡ଼ିଛି ।

ତା’କୁ ନେଇ ଆମର କୌଣସି ଚର୍ଚ୍ଚା ବା ଆଲୋଚନାନାହିଁ । ତେବେ ଜଗନ୍ନାଥଙ୍କ ପ୍ରସଙ୍ଗ୍ ଉଠିଲେ, ଆମେ ବେଶ୍ ମୁଖର ।

ଜଗନ୍ନାଥ ଯେହେତୁ ଓଡ଼ିଶାର ସାଂସ୍କୃତିକ ଜୀବନର ଚାଳିକା ଶକ୍ତି, ତାଙ୍କୁ ନେଇ ଅଧିକ ଆଲୋଚନାହେବାରେ କୌଣସି ଅସୁବିଧା ନାହିଁ । ହେଲେ ଜଗନ୍ନାଥ ହିଁ ସବୁକିଛି ଓ ତାଙ୍କୁ ନେଇ ଆମର ରାଜନୀତି, ଅର୍ଥନୀତି ଓ ସମାଜ ଗତିଶୀଳ ବୋଲି ଭାବିବା ଆଧୁନିକ ସମୟରେ ଏକ ଭୟଙ୍କର ସଂକଟର ସୂଚନା ଦେଉଛି ।

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର ଉତ୍ତେଜନା ଆସିଲା ଓ ଗଲା । ନବକଳେବର ସମୟରେ ଭିତ୍ତିଭୂମିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଗଲା । ତା’ର ହିସାବ ମାଗିବାକୁ କାହାର ସାହସ ନାହିଁ!

ପୁରୀ – ଭୁବନେଶ୍ୱର ରାସ୍ତା ନବକଳେବର ସମୟରେ ସରିବା କଥା, ଅଥଚ ଆଜି ଯାଏ ଏହା ଅସମ୍ପୂର୍ଣ୍ଣ । ଏକ ଅଧୁରା ରାସ୍ତାରେ ଯା’ ଆସ କରିବା ପାଇଁ ଆମେ ପ୍ରତିଦିନ ମୋଟା ଅଙ୍କର ଟିକସ ଦେଉଛୁ । ରାସ୍ତା କାମ ନ ସାରି ଟୋଲ୍ ଟିକସ ଆଦାୟ କରିବାର ଭ୍ରଷ୍ଟାଚାର ବିରୋଧରେ ଆଜି ପର୍ଯ୍ୟନ୍ତ ଆମ ପାଟିରୁ ପଦେ କଥା ବାହାରି ନାହିଁ ।

ନବକଳେବର ସମୟରେ ଯେତେପ୍ରକାର ବିଭ୍ରାଟକୁ ନେଇ ଆମେ ହୋ-ହଲ୍ଲା କଲେ, ତା’ର କିଛି ସମାଧାନ ଘଟିଲା କି ! ଏ ପ୍ରଶ୍ନ ପଚାରିବା ଅବାନ୍ତର । ଯାହା ଯେତେବେଳେ ଘଟିଲା, ତା’କୁ ନେଇ ଆମେ ଉତ୍ତେଜିତ ହେଲେ ଓ କିଛିକ୍ଷଣ ପରେ ତା’କୁ ଭୁଲିଗଲେ । ଏହା ହେଉଛି ଓଡ଼ିଆ ଜାତିର ମୌଳିକ ଗୁଣ ।

ଆମର ଭୁଲିବା ପ୍ରକ୍ରିୟାଟି ମନେ ରଖିବା ପ୍ରକ୍ରିୟାଠାରୁ ଅଧିକ ତୀବ୍ର । ଆମେ ଇତିହାସକୁ ମନେ ରଖି ପାରୁନା । ଛୋଟ ଛୋଟ ଘଟଣାକୁ ଆମେ ଐତିହାସିକ ବୋଲି ଭାବୁ ଓ ଅଳ୍ପ ସମୟ ପରେ ତା’କୁ ଭୁଲିଯାଉ । ନବକଳେବର ବିଭ୍ରାଟ ତା’ର ଏକ ସୁନ୍ଦର ଉଦାହରଣ । ବ୍ରହ୍ମ ବିଭ୍ରାଟ ଆଜି ଆମ ପାଇଁ ଆଉ ଚିନ୍ତାର ବିଷୟ ନୁହଁ ।

ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗ ମଧ୍ୟ ଆମ ଚର୍ଚ୍ଚାର ପରିସରରେ ଆଉ ନାହିଁ । ତା’ପରେ ଆସିଲା ପୁରୀରେ ଇସ୍କନର ମନ୍ଦିର ନିର୍ମାଣ ପ୍ରସଙ୍ଗ ।

ଅନ୍ତର୍ଜାତିକ ଅ ଧ୍ୟାତ୍ମିକ ସଂଗଠନ ଇସ୍କନ ପୁରୀରେ ଏକ ବଡ଼ ମନ୍ଦିର କରିବ ବୋଲି ଚର୍ଚ୍ଚା ହେଲା । ଇସ୍କନ ମନ୍ଦିରର ଉଚ୍ଚତାକୁ ନେଇ ଆମେ ଶ୍ରୀମନ୍ଦିରର ଉଚ୍ଚତା ଉପରେ ସନ୍ଦେହ କରିବା ଆରମ୍ଭ କଲୁ । ଆମକୁ ଲାଗିଲା ପୁରୀରେ ଶ୍ରୀମନ୍ଦିରଠୁ ଯଦି ବଡ଼ ମନ୍ଦିରଟିଏ ଗଢାଯାଏ, ତାହା ଶ୍ରୀମନ୍ଦିରର ଅପମାନ ହେବ ।

ତା’କୁ ନେଇ ଢେର ଦିନ ଆମେ ଚର୍ଚ୍ଚାରେ ମାତିଲୁ । କୋର୍ଟ କଚେରୀ ଯାଏ ମାମଲା ଗଲା । ମାନ୍ୟବର ଅଦାଲତ ଇସ୍କନ ମନ୍ଦିର ନିର୍ମାଣ ଉପରେ ରହିତାଦେଶ ଦେଲେ । ଏହି ଚର୍ଚ୍ଚାବେଳେ ଯେଉଁ ହାସ୍ୟାସ୍ପଦ ଯୁକ୍ତି ସବୁ ଦିଆଗଲା, ତା’ର କୌଣସି ବୈଜ୍ଞାନିକ ବା ସାଂସ୍କୃତିକ ଅ ।ଧାର ନଥିଲା ।

ଶ୍ରୀମନ୍ଦିର ନିର୍ମାଣ ଶୈଳୀର ଯେଉଁ ମୌଳିକତା ଓ ସୌନ୍ଦର୍ଯ୍ୟ ରହିଛି, ତା’ର କୌଣସି ବିକଳ୍ପ ନାହିଁ । ଆଧୁନିକ ସ୍ଥାପତ୍ୟରେ ଶ୍ରୀମନ୍ଦିରର କୌଣସି ତୁଳନା କଲା ଭଳି ନିର୍ମାଣ କାର୍ଯ୍ୟ ସମ୍ଭବପର ହେବ ନାହିଁ । ଯେଉଁମାନେ କଳା ଓ ଇତିହାସର ମର୍ମଜ୍ଞ, ସେମାନେ ଭଲଭାବରେ ଜାଣନ୍ତି ଯେ ଆଧୁନିକ ବାସ୍ତୁକଳାରେ ପ୍ରାଚୀନ ମନ୍ଦିର କଳାର ବିକାଶ ସମ୍ଭବ ନୁହଁ ।

ଇସ୍କନ ଅତିବେଶୀରେ ଗୋଟିଏ ଉଚ୍ଚ ସୌଧ ନିର୍ମାଣ କରିପାରିବ । ତା’ ଶ୍ରୀମନ୍ଦିର କଦାପି ହେବନାହିଁ । ତା’କୁ ନେଇ ଏତେ ଉଦ୍ବିଗ୍ନ ହେବା ଓ ସାମାଜିକ ଜୀବନରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି କରିବା ସବୁଠୁ ହାସ୍ୟାସ୍ପଦ ବିଷୟ ।

ତା’ପରେ ଏବେ ଜଗମୋହନ ପ୍ରସଙ୍ଗ । ପ୍ରାୟ ୮୦୦ ବର୍ଷ ତଳେ ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ସ୍ଥାପତ୍ୟରେ ଅବକ୍ଷୟ ଦେଖାଦେବା ସ୍ୱାଭାବିକ । କେଉଁଠି କେଉଁଠି ପଥର ଖସିବା, ଫାଟ ଦେଖାଦେବା ଏକ ସ୍ୱାଭାବିକ ପ୍ରକ୍ରିୟା । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତ ସରକାରଙ୍କ ଏଏସ୍ଆଇ ବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ହାତରେ ରହିଛି ।

ଏହି ସଂସ୍ଥା ମନ୍ଦିର ସଂରକ୍ଷଣ କ୍ଷେତ୍ରରେ କେତେ ଦାୟିତ୍ୱବାନ, ତା’ର ଉଦାହରଣ ଆମେ କୋଣାର୍କରେ ଦେଖିଛୁ । କୋଣାର୍କକୁ ଏକ ବନ୍ଦୀଶାଳା ଭାବେ ଏଏସ୍ଆଇ ବ୍ୟବହାର କରୁଛି । କୋଣାର୍କର ଭଗ୍ନ ମୁଖଶାଳାରେ ଯେଉଁସବୁ କଳାକୃତି ରହିଥିଲା, ତା’କୁ କ୍ରମଶଃ ଅପସାରଣ କରି ନିଦା ପଥରର ଏକ ନିରସ ଦେଉଳ ଭାବରେ ଏବେ କୋଣାର୍କ ଠିଆ ହୋଇଛି ।

ବହୁ ପୁରୁଣା କଳାକୃତି ଏବେ କୋଣାର୍କ ଗାତ୍ରରୁ ଉଭେଇ ଯାଉଛନ୍ତି । ସେ ସମ୍ପର୍କରେ କେହି କେବେ ଚର୍ଚ୍ଚା କରୁନାହାନ୍ତି । ୩୦ ବର୍ଷ ତଳେ କୋଣାର୍କ ଯାହା ଥିଲା, ଆଜି ତାହା ହୋଇ ରହିନାହିଁ । ସଂରକ୍ଷଣ ନାଁରେ ଏଏସ୍ଆଇ କୋଣାର୍କକୁ ତିଳ ତିଳ କରି ହତ୍ୟା କରୁଛି । ଶ୍ରୀମନ୍ଦିର କ୍ଷେତ୍ରରେ ତାହାର ବ୍ୟତିକ୍ରମ ହେଉଛି ବୋଲି କହି ହେବନାହିଁ ।

ଜଗମୋହନରେ ଫାଟ ରହିଥିବା ସତ୍ତ୍ୱେ ଏହାର ମରାମତି ପାଇଁ ଯେଉଁ ପ୍ରକାର ତତ୍ପରତା ଦେଖାଇବା କଥା, ତାହା ମୂଳରୁ ଦେଖାଯାଇନାହିଁ । ଯାହାଫଳରେ ଆଜି ନେଡ଼ିଗୁଡ଼ କହୁଣୀକୁ ବୋହିବା ଆରମ୍ଭ କରିଛି । ଶ୍ରୀମନ୍ଦିରର ଯଦି କିଛି ହୋଇଯାଏ, ତାହା ଓଡ଼ିଶା ପାଇଁ ଏକ ବଡ଼ ବିପର୍ଯ୍ୟୟ ହେବ ଓ ଏହି ବିପର୍ଯ୍ୟୟ ଲାଗି ଭାରତ ସରକାର ଦାୟୀ ରହିବେ ।

ମନ୍ଦିରର ନିୟମିତ ସର୍ବେକ୍ଷଣ, ମରାମତି ଓ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ କରିବା ଏଏସ୍ଆଇର ଦାୟିତ୍ୱ । ଓଡ଼ିଶାର ସବୁଠୁ ଅଧିକ ମନ୍ଦିର ତଥା ପ୍ରତ୍ନତାତ୍ତ୍ୱିକ ରହିଥିବାବେଳେ ଏଏସ୍ ଆଇର କୌଣସି ବରିଷ୍ଠ ଅଧିକାରୀ ଓଡ଼ିଶାରେ ରହି କାମ କରନ୍ତି ନାହିଁ । ଏ ସମ୍ପର୍କରେ ରାଜ୍ୟ ସରକାର ମଧ୍ୟ ଖୁବ୍ ବେଶୀ ସଚେତନ ଥିଲା ଭଳି ମନେ ହେଉନାହିଁ ।

ମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟସରକାରଙ୍କ ହାତରେ ଥିବାବେଳେ ଦେଉଳ ରକ୍ଷଣାବେକ୍ଷଣର ଦାୟିତ୍ୱ ଭାରତ ସରକାରଙ୍କ ହାତରେ ରହିଛି । ତେଣୁ ଓଡ଼ିଶା ସରକାରଙ୍କର ଦାୟିତ୍ୱ ହେଉଛି ଭାରତ ସରକାରଙ୍କୁ ଏ ସମ୍ପର୍କରେ ନିୟମିତ ଅବଗତ କରାଇବା । ଅନେକ ସମୟରେ ଲାଗୁଛି, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଠି ପରସ୍ପର ଉପରକୁ ଦୋଷ ଦେବା ପ୍ରତିଯୋଗିତାରେ ଅବତୀର୍ଣ୍ଣ ।

ଜଗନ୍ନାଥ ରାଜନୀତିର ପଶାପାଲି ନୁହଁନ୍ତି, ତାଙ୍କୁ ନେଇ ପ୍ରତି ମୁହୂର୍ତ୍ତରେ ରାଜନୀତି କରିବାକୁ ଚାହୁଁଥିବା ରାଜନୈତିକ ଦଳ ଗୁଡ଼ିକ ଏଥିରୁ ନିବୃତ୍ତ ରହିବା ଦରକାର । ଜଗନ୍ନାଥଙ୍କ ଉପରେ ଲୋକଙ୍କର ଆସ୍ଥା ରହିଛି ବୋଲି ସେହି ଆସ୍ଥାର ରାଜନୀତିକରଣ ଯଦି କରାଯାଏ, ତା’ର ପ୍ରଭାବ ସେହି ଆସ୍ଥା ଉପରେ ହିଁ ପଡ଼ିବ ।

ଶ୍ରୀଜଗନ୍ନାଥ କ୍ଷମତା ଲାଳସା ଚରିତାର୍ଥ କରିବା ପାଇଁ ରତ୍ନ ସିଂହାସନରେ ବସିନାହାନ୍ତି । ସେ ସାଧାରଣ ମଣିଷର ଠାକୁର । ତାଙ୍କୁ ଅସାଧାରଣ ରାଜନୈତିକ କ୍ଷମତାର କେନ୍ଦ୍ର ଭାବରେ ଗଢି ତୋଳିବା ପାଇଁ ରାଜନେତା ଓ ସାମ୍ବାଦିକମାନଙ୍କର ଅଶ୍ଲୀଳ ପ୍ରତିଯୋଗିତା ସବୁବେଳେ ଅବ୍ୟାହତ ରହିଛି ।

ଏହି ପ୍ରତିଯୋଗିତା ଯେତିକି ତୀବ୍ରତର ହେଉଛି, ଜଗନ୍ନାଥଙ୍କୁ ନେଇ ସାଧାରଣ ଓଡ଼ିଆର ଆସ୍ଥା ସେତିକି ସଂକଟ ଅ।ଡ଼କୁ ଠେଲି ହେଇଯାଉଛି । ରାଜନୈତିକ ଦଳ ଓ ଗଣମାଧ୍ୟମ ଜଗନ୍ନାଥଙ୍କୁ ନେଇ ଅଧିକ ବିତର୍କ କରିବା ଅପେକ୍ଷା ମନ୍ଦିର ପରିଚାଳନା ଓ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେଲେ, ଲୋକେ ଉପକୃତ ହୁଅନ୍ତେ ।

ତାହା ନ କରି ଜଗନ୍ନାଥଙ୍କୁ ସାମାଜିକ ବିତର୍କର ପେଣ୍ଡୁ ଭାବରେ ଯେଉଁମାନେ ବ୍ୟବହାର କରୁଛନ୍ତି, ସେମାନେ ଜଗନ୍ନାଥ ସଂସ୍କୃତିର ସଂରକ୍ଷକ ନୁହନ୍ତି, ବରଂ ସେମାନଙ୍କ ପାଇଁ ଜଗନ୍ନାଥ ଅଧିକ ନିନ୍ଦିତ ହେଉଛନ୍ତି ।

ପୁରୀ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସାଂସ୍କୃତିକ ବିଭବକୁ ସାଇତି ରଖିବାର ଦାୟିତ୍ୱକୁ ଏକ ରାଜନୈତିକ ଚାଲବାଜିର ରୂପ ଦେଉଥିବା ଲୋକଙ୍କୁ ଓଡ଼ିଆ ଜାତି ଯଦି ଚିହ୍ନି ନ ପାରିବ, ତାହା ହେଲେ ସେଇଟା ଜାତିର ହିଁ କ୍ଷତି ।

ନିଉଜ ଡେସ୍କ :

This website uses cookies.