Site icon Odisha.com

ଟିଭି ପରଦାରେ ପୁଣି ଫେରୁଛି ଛୋଟ ମୋର ଗାଁଟି

IMG_2020
ଓଡ଼ିଶାର ଚାଲିଚଳଣି, ଆପଣାପଣିଆ ତଥା ଓଡ଼ିଆ ପରମ୍ପରାର ନିରୁତା ଛବିଟିଏ ଏବେବି ଲୁଚିରହିଛି ଗାଁରେ । ଗାଁଟିଏ ବଡ଼ ହେଉ କିମ୍ବା ଛୋଟ, ଜଣାଶୁଣା ହେଉ କିମ୍ବା ବିଛିନ୍ନାଂଚଳର ଦୂର କେଉଁ ଏକ ଗାଁ । ସବୁ ଗାଁର ରହିଛି ଅନେକ କାହାଣୀ ବୁଢ଼ୀମାର ଗପ ପରି ।

ନିରୋଳାରେ କେବେ ବସିଥିଲେ ଏଇ କାହାଣୀ ହାତଠାରି ଡାକେ ତାରି କୋଳକୁ ।ଆଉ ଏମିତି ଏକ ବିଷୟବସ୍ତୁକୁ ନେଇ ପ୍ରଥମ ଓଡ଼ିଆ ଘରୋଇ ଚାନେଲ ଇଟିଭି ଓଡ଼ିଆରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ “ଛୋଟ ମୋର ଗାଁ’ଟି” ।

ଦଶ ବର୍ଷରୁ ଉଦ୍ଧ୍ୱର୍ ସମୟ ପାଇଁ ସଫଳତାର ସହିତ ପ୍ରସାରିତ ହେବାପରେ ଗତ କିଛି ବର୍ଷଧରି ସାମୟିକ ଭାବେ ଦୂରେଇଯାଇଥିବା  ଏହି କାର୍ଯ୍ୟକ୍ରମ “ଛୋଟ ମୋର ଗାଁ’ଟି” ଆସନ୍ତା ମେ ମାସରେ ପୁଣି ଫେରୁଛି ଟିଭି ପରଦାରେ “ଇଟିଭି ନ୍ୟୁଜ୍ ଓଡ଼ିଆ”ରେ ।

ଗାଁର ମନଛୁଆଁ ବିଷୟବସ୍ତୁକୁ ଦର୍ଶକଙ୍କ ସାମନାକୁ ଆଣିବା ଚ୍ୟାନେଲ ଗାଁକୁ ପଠାଉଛି ଲୋକପ୍ରିୟ ଅଭିନେତା ତଥା ଟେଲିଭିଜନ ଉପସ୍ଥାପକ ଅଶ୍ରୁମୋଚନ ମହାନ୍ତିଙ୍କୁ  ।

ଏହି ନୂତନ ସଂସ୍କରଣ କେବଳ ଗାଁର ସଂସ୍କୃତି, ଗୈାରବ କିମ୍ବା ଐତିହରେ ସୀମିତ ନୁହେଁ । ବରଂ ଗାଁର ଉନ୍ନତିରେ ବାଧାସାଜୁଥିବା ସମସ୍ୟାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦୃଢ଼ ଦାବି ରଖାଯିବ ବୋଲି ଏହାର ପ୍ରଯୋଜକ କହିଛନ୍ତି ।

ସବୁଠୁ ଉଲ୍ଲେଖନୀୟ କଥା ହେଉଛି କାର୍ଯ୍ୟକ୍ରମର ନିର୍ମାଣ ଦାୟିତ୍ୱ ନେଇଛନ୍ତି ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ “ପୁଣ୍ଟୁନନାଙ୍କ ପେଟ ଯାତ୍ରା”, ଏବଂ ନବକଳେବର ଅଧାରିତ ଚର୍ଚ୍ଚିତ ପ୍ରାମାଣିକ ଧାରାବାହିକ “ଦେବତା ହୋଇଲେ ମରଇ”ର ନିର୍ମାତା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରଡକ୍ସନ ସଂସ୍ଥା “ଲାଇଟହାଉସ୍” ।

ଚିତ୍ତ୍ରୋଳନରେ ଚମତ୍କାରିତା ତଥା ଜାତୀୟସ୍ତରର ସଂପାଦନା ପାଇଁ ପ୍ରସିଦ୍ଧି ଥିବା ଏହି ପ୍ରଯୋଜନା ସଂସ୍ଥା ଦର୍ଶକଙ୍କୁ ଉଚ୍ଚମାନର କାର୍ଯ୍ୟକ୍ରମ ଦେଇଆସିଆସିଛି ।

ଗାଁର ସୈାନ୍ଦର୍ଯ୍ୟକୁ ଟିଭି ପରଦାରେ ନିଖୁଣ ଭାବରେ ଦୃଶ୍ୟାୟନ କରିବାରର ପ୍ରତିଶ୍ରୁତି ରଖୁଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମେ ୧ ତାରିଖରୁ ପ୍ରତ୍ୟେକ ରବିବାର ସଂନ୍ଧ୍ୟା ୮ଟାରେ ପ୍ରସାରିତ ହେବ ବୋଲି ଚ୍ୟାନେଲର ସଂପାଦକ ଭକ୍ତ ତ୍ରିପାଠୀ ସୁଚନା ଦେଇଛନ୍ତି ।

ପୂର୍ବବତ୍ ଦର୍ଶକମାନଙ୍କ ପାଖରେ “ଛୋଟ ମୋର ଗାଁ’ଟି” ଆଦୃତ ହେବ ବୋଲି ସେ ଆଶା ରଖିଛନ୍ତି ।

ଓଡିଶା ଡଟ କମ

Exit mobile version