କାହିଁକି ଦେଖିବେ କୋଣାର୍କ ସୂର୍ଯ୍ୟ ମନ୍ଦିର? ୧୦ଟି କାରଣ

କୋଣାର୍କ ସୂର୍ଯ୍ୟ ମନ୍ଦିର: ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ

କେଦାର ମିଶ୍ର

ପୁଣି ଥରେ ଚର୍ଚା ରେ କୋଣାର୍କ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆମେରିକା ଗସ୍ତ ସମୟରେ କୋଣାର୍କ ସ୍ଥାପତ୍ୟର ବିପୁଳ ପ୍ରଶଂସା କରିବା ସହିତ ଏହାର ପ୍ରାଚୀନ ଶିଳ୍ପକଳାରେ ଆଧୁନିକତାର ଆଭାସ ରହିଥିଲା ବୋଲି କହିଛନ୍ତି ।

ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୋଣାର୍କ ପ୍ରତି ବିଶ୍ଵ ବାସୀଂକ ଦୃଷ୍ଟି ପୁଣିଥରେ ଆକର୍ଷିତ କରିଛି ।  କଳିଂଗ ଶିଳ୍ପ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠତମ ଓ ସୁନ୍ଦରତମ ଉଦାହରଣ ଭାବରେ କୋଣାର୍କ ମନ୍ଦିରର ନିଜସ୍ଵ ପରିଚୟ ଓ ଗରିମା ରହିଛି ।

ଗଂଗ ରାଜା ଲାଂଗୁଲା ନରସିଂହ ଦେବଂକ ଦ୍ଵାରା ସ୍ଥାପିତ କୋଣାର୍କ କଳା ମୁଗୁନି ପଥରରେ ଜୀବନ୍ତ ସୌନ୍ଦର୍ୟର ଅବତାରଣ କରିଛି ।  ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ ଭାବେ ଲୋକଂକୁ ଓ ପୃଥିବୀର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କେତୋଟି ରୋଚକ ତଥ୍ୟ-

୧. ଭାରତରେ ରହିଥିବା ମାତ୍ର ଅଳ୍ପ କେତୋଟି ସୂର୍ୟ ମନ୍ଦିର ମାନଂକ ମଧ୍ୟରେ ଏହା ଅନ୍ୟତମ. ତେବେ ଆକୃତି ଓ ସୌନ୍ଦର୍ଯ୍ୟରେ ଏହା ଅତୁଳନୀୟ ।  ଭାରତର ସବୁ ସୂର୍ଯ୍ୟ ମନ୍ଦିରଠାରୁ ଏହା ଢେର୍ ବଡ ।

୨. ୧୨୫୫ ମସିହାରେ ଗଂଗ ବଂଶର ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ. ବଂଗୋପ ସାଗର ଓ ଚନ୍ଦ୍ରଭାଗା ନଦୀର ମୁହାଣରେ ନିର୍ମିତ ହୋଇଥିବା ଏହି ବିଶାଳକାୟ ମନ୍ଦିରକୁ ନେଇ ଓଡିଶାରେ ବହୁ କାହାଣୀ ଓ କିମ୍ବଦନ୍ତି ପ୍ରଚଳିତ ରହିଛି. ୧୨ ବର୍ଷ ଧରି ୧୨୦୦ ଶିଳ୍ପୀ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ବୋଲି କୁହାଯାଏ ।

୩ . ଏକ ରଥ ଆକାରରେ ନିର୍ମିତ ଏହି ମନ୍ଦିରରେ ୧୨ ଯୋଡା ରଥ ଚକ ଓ ୭ଟି ସୁସଜ୍ଜିତ ଅଶ୍ଵ ଶୋଭା ପାଉଥିଲେ ।  ଖଣ୍ଡୋଲାଇଟ ପଥରରେ ନିର୍ମିତ ଏହି କଳିଙ୍ଗ ସ୍ଥାପତ୍ୟାରେ ମୁଳ ଗର୍ଭଗୃହ, ବିମାନ, ଜଗମୋହନ ଓ ନାଟ ମଣ୍ଡପ ରହିଛି ।

ମନ୍ଦିରର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକଲା ଓ ବାସ୍ତୁକଲା ର ଚମତ୍କାର ଉଦାହରଣ ଦେଖିବାକୁ ମିଳେ ।

୪. କୋଣାର୍କ ପ୍ରତିମା ସବୁ ସୌନ୍ଦର୍ୟ ରେ ଯେତିକି ଭରପୂର ଐଶ୍ଵର୍ଯ୍ୟରେ ସେତିକି ଜୀବନ୍ତ. ତ୍ରୟୋଦଶ ଶତାବ୍ଦୀରେ ସମୁଦ୍ର ବେଳାରେ ଏମିତି ଏକ ସୁକ୍ଷ୍ମ ଓ ବିଶାଳ ମନ୍ଦିର ନିର୍ମାଣର କୌଶଳ କଥା ଚିନ୍ତା କଲେ ଉତ୍କଳୀୟ ବାସ୍ତୁକଳାର ମହାନତା ଆଗରେ ମଥା ନଇଁ ଯାଏ ।

କୋଣାର୍କ ମନ୍ଦିରର ମୂଳ ବିମାନ ଯାହାକି ୧୮୩୭ ମସିହାରେ ଭୁଷୁଡି ପଡିଥିଲା , ତାହାର ଉଚତା ୨୨୯ ଫୁଟ୍ ଥିଲା ବୋଲି କୁହାଯାଏ ।  ସମୁଦ୍ର ମଝାରୁ ଏହି ମନ୍ଦିର ଏକ ପ୍ରକାର ବତୀଖୁଣ୍ଟ ଭାବରେ କାମ କରୁଥିଲା ବୋଲି ଅନେକ ପ୍ରାଚୀନ ନାବିକ ବର୍ନନା କରିଛନ୍ତି ।

୫. ବର୍ତ୍ତମାନ ୧୨୮ ଫୁଟ୍ ବିଶିଷ୍ଟ ଜଗମୋହନ ସମେତ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ବଂଚି ରହିଛି ।

କୋଣାର୍କ ର ପ୍ରତ୍ୟେକ ଅଂଶରେ ମୈଥୁନ, ଡାଲମାଳିକା, ଶାଲ ଭଣ୍ଯିକା, ବୀଣାବାଦିନୀ , ମୃଦଂଗ ବାଦିନୀ, ନାୟିକା, ଗାୟିକା, ପଶୁ, ପକ୍ଷୀ , ଲତା , ପତ୍ର ଓ ଫୁଲର ଜୀବନ୍ତ ପ୍ରତିମାସବୁ ରହିଛନ୍ତି. ପୃଥିବୀର ପ୍ରାୟ ସବୁ ଭୌଗୋଳିକ ଅଂଚଳର ଜୀବ ଜଗତକୁ କୋଣାର୍କ ଶିଳ୍ପୀ ନିଖୁଣ ଭାବରେ ଗଢିବାର ପ୍ରୟାସ କରିଛି. ଏଥିରେ ଆଫ୍ରିକା ମହାଦେଶର ଜିରାଫ୍ ର ମୂର୍ତୀ ମଧ୍ୟ ଖୋଦିତ ହୋଇ ରହିଛି ।

୬. ଭୁଷୁଡି ପଡିଲା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବାଲିରେ ଅଧା ପୋତି ହୋଇ ପଡିଥିଲା. ବିଭିନ୍ନ ସମୟରେ ଏହି ମନ୍ଦିରର ପଥର କୁ ପୁରୀ ମନ୍ଦିର ନିର୍ମାଣରେ ଲଗା ଯାଇଥିଲା. ଏପରିକି ମନ୍ଦିରର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପିତ ଅରୁଣ ସ୍ତମ୍ଭ ମଧ୍ୟ କୋଣାର୍କ ରୁ ସ୍ଥାନାନ୍ତର କରାଯାଇଥିଲା ।

. ବର୍ତମାନ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପରିଚାଳନା ଦାୟିତ୍ଵ ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି ।  ତେବେ ଏହାର ସଂରକ୍ଷଣ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହିଛି ବୋଲି ଐତିହାସିକ ଓ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।  ତେବେ  ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି ।

୮. କୋଣାର୍କ କୁ ଯିବାକୁ ହେଲେ ଭୁବନେଶ୍ଵରରୁ ୬୫ କିଲୋ ମିଟର୍ ଓ ପୁରୀ ରୁ ୩୫ କିଲୋ ମିଟର୍ ଦୂର ରାସ୍ତା ରେ ଯିବାକୁ ପଡିବ ।  ଏ ଯାଏ କୋଣାର୍କ କୁ ରେଳପଥରେ ସଂଯୋଗ କରାଯାଇ ପାରି ନାହିଁ ।

୯. କୋଣାର୍କ କୁ ଘେରି ଅନେକ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ମାନ ରହିଛି ।  କୋଣାର୍କ ଠାରୁ ଅତି ଅଳ୍ପ ଦୂରରେ ଚନ୍ଦ୍ରଭାଗା ର ମନୋରମ ବେଳାଭୂମି ଅବସ୍ଥିତ ।  କୋଣାର୍କ-ପୁରୀ ସାମୁଦ୍ରିକ ବେଳାଭୂମି ରାସ୍ତାରେ ରାମଚଣ୍ଡି, ବେଲେଶ୍ବର , କୁଶଭଦ୍ରା ମୁହାଣ ପରି ଅନେକ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥାନ ସବୁ ରହିଛି ।

୧୦. ପ୍ରତି ଡିସେମ୍ବର ମାସରେ କୋଣାର୍କ ରେ ଶାସ୍ତ୍ରୀୟ ନୃତ୍ୟ ର ଉତ୍ସବ “କୋଣାର୍କ ମହୋତ୍ସବ’ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ:
Related Post

This website uses cookies.

Read More