ଜଣା ଅଜଣାମୁଖ୍ୟ ଖବର

ସ୍ନାନଯାତ୍ରା, ହାତୀବେଶ ଓ ଆହୁରି ଅନେକ କଥା

gajananbesa

କେଦାର ମିଶ୍ର

ଶ୍ରୀଜଗନ୍ନାଥଙ୍କ ସେବା, ପୂଜା, ଯାତ୍ରା, ଉତ୍ସବ, ବିଧି ଓ ବିଧାନ କୁ ନେଇ ଅନେକ ତଥ୍ୟ ଓ ଅପତଥ୍ୟ ବାହାରେ ପ୍ରଚାରିତ ହୁଏ।

ସେସବୁ ରୁ ପ୍ରାୟ ଅନେକ ଶୁଣାକଥା ମାତ୍ର। ତେବେ ଆଧିକାରିକ ଭାବରେ ଶ୍ରୀମନ୍ଦିର ନୀତିକାନ୍ତି ର ବିଶେଷ ବିବରଣୀ ଶ୍ରୀମନ୍ଦିର ସ୍ଵତ୍ଵଲିପି ରେ ଲିପିବଦ୍ଧ ରହିଛି।

ପ୍ରତ୍ୟେକ ନୀତିକାନ୍ତି ଓ ସେବକଂକ ଦାୟିତ୍ଵ ଓ ଅଧିକାରକୁ ନେଇ ଶ୍ରୀମନ୍ଦିର ସ୍ଵତ୍ଵଲିପି ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ଅବସରରେ ଏହି ସ୍ଵତ୍ଵଲିପି ଅଧାରରେ କେତୋଟି ପ୍ରମୁଖ ପ୍ରସଂଗ କୁ ଆମେ ଆଲୋଚନା କରିବା।

ସେହି କ୍ରମରେ ଆଜି ସ୍ନାନ ଯାତ୍ରା ବା ଦେବସ୍ନାନ ପୂର୍ଣିମା ସମ୍ପର୍କରେ କେତୋଟି ବିଶେଷ ତଥ୍ୟ।-

୧. ଜ୍ୟେଷ୍ଠ ପୂର୍ଣିମା ତିଥିରେ ସ୍ନାନ ଯାତ୍ରା ବା ଦେବସ୍ନାନ ପୂର୍ଣିମା ଅନୁଷ୍ଠିତ ହୁଏ। ଏହାକୁ କେହି କେହି ପ୍ରଭୁଂକ ଜନ୍ମଦିବସ ବୋଲି ମଧ୍ୟ କହନ୍ତି।

ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ –“ ଜ୍ୟେଷ୍ଠ ପୂର୍ଣିମା ପୂର୍ବଦିନ ରାତ୍ରରେ ବଡସିଂହାର ଭୋଗ ସରି ପହୁଡ ଆଳତି ପରେ ମହାଜନେ ଲକ୍ଷ୍ମୀ ଓ ମଦନ ମୋହନନ୍କୁ ଦକ୍ଷିଣ ଘରକୁ ବିଜେ କରାଇବେ।

ସରସ୍ବତୀ ଓ ମାଧବଂକୁ ଖଟ ଶେଯ ଘରେ ପଲଂକରେ ବିଜେ କରିବେ। *********ପୂର୍ବରୁ ସ୍ନାନ ମଣ୍ଡପ ସୁସଜ୍ଜିତ ହୋଇ ଚାନ୍ଦୁଆ ଟଣା ହୋଇଥିବ। “

୨. ମଂଗଳାର୍ପଣ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ , ତାଂକ ପରେ ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ।ନିୟମ ଅନୁସାରେ ପହଣ୍ଡି ଦାୟିତ୍ଵ ଦଇତାପତି ମାନଙ୍କର। ତେବେ ସବାଶେଷରେ ମହାଜନଙ୍କ ଦ୍ଵାରା ମଦନମୋହନ ସ୍ନାନ ମଣ୍ଡପ କୁ ବିଜେ ହୁଅନ୍ତି।

୩. ସ୍ନାନଯାତ୍ରା ସମୟରେ ଯେଉଁ ସେବକ ମାନେ ଦାୟିତ୍ଵ ନିର୍ବାହ କରନ୍ତି ସେମାନେ ହେଲେ – ପଶୁପାଳକ,ମହାଜନ,ସୁଦୁସୁଆର,ଚର୍ଚାବାଲା, ପତି ମହାପାତ୍ର, ମୁଦିରସ୍ତ, ପୂଜାପଣ୍ଡା, ପାଳିଆ ମେକାପ,ଛାମୁ ଖୁଣ୍ଟିଆ, ଚାଂଗଡା ମେକାପ, ଛତାର,ଘଣ୍ଟୁଆ,କାହାଳିଆ,ଦଇତାପତି,ସୁନାଗୋସାଇଁ,ଘଟୁଆରୀ,ତଢଉ ପଟନାୟକ,ଭଣ୍ଦାରମେକାପ, ଗରାବଡୁ,ଦତ୍ତ ମହାପାତ୍ର,ପାଳିଆ ପ୍ରତିହାରୀ ,ସୁଆର ବଡୁ ,ପତ୍ରିବଡୁ,ଗରାବଡୁ,ତଲିଚ୍ଛ ମହାପାତ୍ର,ପ୍ରଧାନୀ,ବାଜାବାଲା,ଦରଜୀ,ଲେଂକା,ପାଇକ,ପାଳିଆ ପଶୁପାଳକ,ଦେଉଳ କରଣ,ଭିତରଛୁ ମହାପାତ୍ର ପ୍ରମୁଖ ।

SHANA BESHA୪. ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ ସୁନା କୂଅ ରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି କୂଅଟି ବର୍ଷସାରା ଅବ୍ୟବହୃତ ଥାଏ । ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି କୁହାଯାଏ।

୫. କୂଅ ଜଳକୁ ମନ୍ତ୍ର ଶୁଦ୍ଧ କରି ସ୍ନାନ ମଣ୍ଡପକୁ ବିଜେ କଲାପରେ ସେଥିରେ ଶ୍ରୀ ଜିଉ ମାନଂକୁ ସ୍ନାନ କରାଇ ଦିଆଯାଏ। ସ୍ନାନ ମଣ୍ଡପକୁ ଆଦି ପୀଠ, ମଂଚ ସ୍ଥାନ ବା ଜନ୍ମ ବେଦୀ ବୋଲି ମଧ୍ୟ କୁହା ଯାଇଥାଏ।

୬. ସ୍ନାନ ପୂର୍ଣିମା ଅବସରରେ ସ୍ନାନ ବିଧି ସମାପନ ହେବା ପରେ ରାଜନୀତି ଓ କୋଠ ଭୋଗ ସେବା ହୋଇଥାଏ। ଏହି ଦିନ ସୁଆର ସେବକ ମାନେ ତାଂକ ନୁଆ ପିଢୀ କୁ ସେବା ରେ ପ୍ରଥମେ ନିୟୋଜିତ ହେବାର ସୁଯୋଗ ଦିଅନ୍ତି। ସ୍ନାନ ବେଦିକୁ କୋଠ ଭୋଗ ଓ ଛେକ ନେଇ ଆସିବାର ସୁଯୋଗ ନୁଆ କିଶୋର ସୁଆର ମାନଂକୁ ପ୍ରଥମ ଥର ପାଇଁ ମିଳେ।

୭. ସ୍ନାନ ପରେ ଗଜ ବେଶ ବା ହାତୀ ବେଶରେ ଶ୍ରୀ ଜିଉ ମାନେ ସଜ୍ଜିତ ହୁଅନ୍ତି। କିମ୍ବଦନ୍ତି ଅନୁଯାୟୀ ମହାରାଷ୍ଟ୍ରର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଗାଣପତ୍ୟ ଥିବାରୁ ବିଗ୍ରହଙ୍କ ଦର୍ଶନ କରି, ପ୍ରଭୁଂକ ଭିତରେ ନିଜ ଇଷ୍ଟରୂପ ନଦେଖି ନିରାଶ ହେଲେ ଓ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।

ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ରେ ପ୍ରକଟିତ ହେଲେ। ସେହି ସ୍ମୃତିରେ ଗଜାନନ ବେଶ ବା ହାତୀ ବେଶ ଆଜି ଯାଏ ଭକ୍ତଂକୁ ଆକର୍ଷିତ କରି ଆସୁଛି।

୮. ହାତୀ ବେଶ ଲାଗି ସାଜ ସରଂଜାମ ପୁରୀର ଗୋପାଳ ତୀର୍ଥ ମଠ ଓ ରାଘବଦାସ ମଠ ଯୋଗାଇ ଦେଇଥାନ୍ତି । ତେଣୁ ସ୍ନାନ ମଣ୍ଡପରେ ଉଭୟ ମଠର ମହନ୍ତ ଶାଢୀ ବନ୍ଧା ହୁଅନ୍ତି ।

୯. ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସ୍ନାନ ଯାତ୍ରା କୁ ଆଦି ଯାତ୍ରା ବୋଲି ମଧ୍ୟ କୁହାଯାଏ । “ମଂଚେ ସ୍ନାନମ୍ ରଥବରଗତେ ଶୟନମ୍ ଚାୟନ ଦ୍ବୟଂ” । ସର୍ବସାଧାରଣ ରେ ମହାପ୍ରଭୁଂକ ଏହି ଯାତ୍ରା ସହିତ ସମାଜ ଓ ସଂସ୍କୃତିର ଏକ ଯୋଗସୂତ୍ର ରହିଛି ।

୧୦. ସ୍ନାନ ମଣ୍ଡପରୁ ମହାପ୍ରଭୁ ଆଉ ରତ୍ନ ସିଂହାସନ କୁ ଫେରନ୍ତି ନାହିଁ । ପୂର୍ଣିମା ରାତିରୁ ମାହାପ୍ରଭୁ ଅଣସର ଘରେ ପୀଡିତ ରୁହନ୍ତି । ଲୋକାଚାର ରେ ତାଂକୁ ଏହି ସମୟରେ ଜ୍ଵର ହୁଏ । ତେବେ ବସ୍ତୁତଃ ରଥଯାତ୍ରା ଲାଗି ଏହା ପ୍ରାଥମିକ ପ୍ରସ୍ତୁତି ପର୍ବ ।

ଅଣସର ବାସ ପରେ ଆଷାଢ଼ ଶୁକ୍ଲ ପ୍ରଥମ ଦିନରେ ମହାପ୍ରଭୁ ନବ ଯୌବନ ବେଶ ପରିଗ୍ରହ କରନ୍ତି। ସବୁ ଯାତ୍ରା ପରି ସ୍ନାନ ଯାତ୍ରା ରେ ମଧ୍ୟ ଲୋକାଚାର, ଶାସ୍ତ୍ରାଚାର , ତାନ୍ତ୍ରିକ ବିଧି ଓ ରାଜ ବିଧି ର ସମନ୍ୱୟ ଦେଖିବାକୁ ମିଳିଥାଏ।

ଓଡିଶା ଡଟକମ

Leave a Reply

This site uses Akismet to reduce spam. Learn how your comment data is processed.