ଜଣା ଅଜଣାଧର୍ମ

ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ

image

କେଦାର ମିଶ୍ର
“କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ ଜୀବନବୋଧ ଓ ଚେତନା ଉଦ୍ରେକ କରିଥିଲା ।

ଧର୍ମ ସହିତ ମାନବୀୟ ମୂଲ୍ୟ ର ସହବନ୍ଧନ ସବୁବେଳେ ନୂତନ ସାଂସ୍କୃତିକ ଚେତନା ଜାଗ୍ରତ କରିଥାଏ।ରାଜନୈତିକ ପୃଷ୍ଠଭୂମି ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ ଓଡିଶାର ଲୋକେ ଅନାୟାସରେ ଆପଣାର କରିଛନ୍ତି।

ଇସ୍ଲାମ ର ପ୍ରଭାବରେ ଓଡିଶାର ଚଳଣୀ ଓ ଜୀବନଧାରରେ ଅନେକ ନୂଆ ଉପାଦାନ ଯୋଡି ହୋଇଯାଇଛି । ସେସବୁକୁ ଆଜି ଆଉ ଆମ ଜୀବନରୁ ଅଲଗା କରିହେବନାହିଁ ।

ଯେମିତି ସାଲବେଗଂକୁ ବାଦ ଦେଇ ଓଡିଆ ସାହିତ୍ୟର ଭକ୍ତି ଧାରାକୁ ଆକଳନ କରିହେବ ନାହିଁ, ସେମିତି କଟକର କଦମ୍ ରସୁଲ୍ କିମ୍ବା ଏରସମା କି କାଇପଦର ରେ ରହିଥିବା ସୁଫୀ ଫକୀର ମାନଂକ ଦରଘା ରୁ ହିନ୍ଦୁ ଭକ୍ତ ମାନଂକୁ ଅଲଗା କରିହେବ ନାହିଁ ।

୪୦୦ ବର୍ଷ ଧରି ଓଡିଶା ସହ ଇସ୍ଲାମ୍ ର ଗଭୀର ସମ୍ପର୍କ ରହିଥିଲେ ମଧ୍ୟ, ଓଡିଶାରେ ମୁସ୍ଲିମଂକ ସଂଖ୍ୟା ମାତ୍ର ୨.୧୭%।

ତେବେ ଆମର ଧର୍ମ,ସଂସ୍କୃତି,ଖାଦ୍ୟ,ପୋଷାକ,ପ୍ରଦର୍ଶନକାରୀ କଳା ଓ ସଂଗୀତ ରେ ଇସ୍ଲାମ ର ପ୍ରଭାବ ରହିଛି । ଓଡିଶାରେ ହିନ୍ଦୁ ଓ ଇସ୍ଲାମ୍ ସଂସ୍କୃତିର ସମନ୍ବୟ ସମ୍ପର୍କରେ ଦଶଟି ମୌଳିକ ତଥ୍ୟ-
୧. ୧୫୬୮ ରେ ଆଫଗାନ୍ ଶାସକ ସୁଲେମାନ୍ କରାନୀ ସୂର୍ୟ ବଂଶର ରାଜା ମୁକୁନ୍ଦ ଦେବଂକୁ ପରାସ୍ତ କଲାପରେ ଓଡିଶାର ଉପକୂଳ ଅଂଚଳ ଆଫଗାନ ଶାସନାଧୀନ ରହିଲା।

ପ୍ରଶାସନିକ ଭାବରେ ଆଫଗାନ୍ ଶାସିତ ଅଂଚଳକୁ ମୋଗଲବନ୍ଦୀ ବୋଲି କୁହାଗଲା ।ଆଫଗାନଂକ ପରେ ୧୫୯୧ ରେ ମୋଗଲ୍ ମାନେ ଓଡିଶା ଅଧିକାର କଲେ ।

ମୋଗଲବନ୍ଦୀ ଅଂଚଳ ଇସ୍ଲାମ ଶାସନାଧୀନ ରହିଥିବାବେଳେ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ଇସ୍ଲାମ ପ୍ରଶାସନର କୌଣସି ପ୍ରଭାବ ନଥିଲା ।

image
୨. ଇସ୍ଲାମ ସହିତ ଆମର ଖାଦ୍ୟ ଓ ପୋଷାକ କ୍ଷେତ୍ରରେ ଅନେକ ନୂଆ ପ୍ରୟୋଗ ଦେଖିବାକୁ ମିଳିଲା ।ଅଚକନ, ସଲବାର୍, ଶାଲ୍, ରୁମାଲ୍, ପାଇଜାମା ଇତ୍ୟାଦି ଆମ ଚଳଣୀ ଭିତରକୁ ଆସିଲା ।

ଧୋତି ଓ ଗାମୁଛାରେ ଗଂଜୀ ଓ ଜାମା ଯୋଡା ହେଲା । ପଗଡି ବଦଳରେ ଟୋପି ଆସିଲା।ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତିରେ ତାମଯାନ ଭଳି ଶବ୍ଦର ବ୍ୟବହାର ଦେଖିବାକୁ ମିଳିଲା ।
୩. ଖାଦ୍ୟ ପାନୀୟ କ୍ଷେତ୍ରରେ ମଧ୍ୟ ଇସ୍ଲାମର ପ୍ରଛନ୍ନ ପ୍ରଭାବ ରହିଲା । ନୂଆ ଫଳ ଭାବରେ ବାଦାମ, ପିସ୍ତା, ଡାଳିମ୍ବ, ଅଂଗୁର, ସେଓ, ନାସପାତି ଇତ୍ୟାଦି ଆମ ଜୀବନକୁ ଆସିଲା ।

ରୋଷେଇ ଘରେ ପକବାନ୍ ଭଳି ଶବ୍ଦର ବ୍ୟବହାର ହେଲା। ପଲାଉ, ବିରିୟାନି,ରୋଟି, ଜିଲାବୀ, ହାଲୁଆ ଇତ୍ୟାଦି ରେ ଓଡିଆଂକ ରୁଚି ଆସିଲା ।

ଅନେକ ମସଲା ଜାତୀୟ ପଦାର୍ଥ ଯଥା- ଜାଫରାନ, ଜର୍ଦା ଇତ୍ୟାଦି ମଧ୍ୟ ଇସ୍ଲାମର ପ୍ରଭାବରୁ ଆମ ଜୀବନରେ ପ୍ରବେଶ କଲା ।

image
୪. ମନ୍ଦିର ସ୍ଥାପତ୍ୟର ଉତ୍କର୍ଷ ଭୂମି ଓଡିଶାରେ ୧୬୦୦ ରୁ ୧୮୦୦ ଭିତରେ ଅନେକ ମସଜିଦ୍, ଦରଘା ଓ ମଜାର ଇତ୍ୟାଦି ଗଢି ଉଠିଲା । ୧୬ଶ ଶତାବ୍ଦୀରେ କଟକର ଜାମା ମସଜିଦ୍,ଫତେ ଖାନ୍ ରେହେମାନ୍ ମସଜିଦ୍ ଓ କଦମ୍ ରସୁଲ୍ ଗଢି ଉଠିଲା ।

କଦମ୍ ରସୁଲ୍ ରେ ମହାପୁରୁଷ ମହମ୍ମଦଂକ ପବିତ୍ର ପାଦ ଚିହ୍ନ ଉଭୟ ହିନ୍ଦୁ ଓ ମୁସଲମାନଂକ ଦ୍ବାରା ପୂଜା ପାଇଥାନ୍ତି ।
୫. ସୁଫୀ ସଂସ୍କୃତି ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ଏହା ଉଭୟ ହିନ୍ଦୁ ଓ ମୁସଲମାନଂକୁ ଭକ୍ତି ମାର୍ଗରେ ଅନୁପ୍ରେରିତ କରିଥିଲା।

ସୁଫୀ ସନ୍ଥ ଓ ପୀର ମାନନ୍କର ଅନେକ ଦରଘା ଓ ମଜାରରେ ହିନ୍ଦୁ ମାନେ ମନସ୍କାମନା ପୂରଣ ଲାଗି ମଥା ଟେକିଥାଆନ୍ତି।
୬. ଓଡିଶାର କେତୋଟି ପ୍ରସିଦ୍ଧ ପୀର ପୀଠ ହେଉଛି ବାଲେଶ୍ବରର ଭୁଜାଖିଆ ପୀର,କଟକର କଦମ୍- ଇ- ରସୁଲ୍, ସମ୍ବଲପୁରର ନୁର୍ ବିବି ମଜାର, ସୋନପୁର୍ ଜିଲା ତରଭାରେ ରହିଥିବା ଅବଦୁଲ୍ ଶକୁର୍ ଦରଘା, ଅସ୍ତରଂଗର ଜହାନିଆ ପୀର, କାଇପଦର ର ବୋଖାରୀ ବାବା ଇତ୍ୟାଦି ବେଶ୍ ପ୍ରସିଦ୍ଧ ।
୭. ମହରମ୍ କୁ ହିନ୍ଦୁ ଓ ଇସ୍ଲାମ୍ ର ମିଳନ ପର୍ବ ଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଇଥାଏ। ବହୁ ହିନ୍ଦୁ ମହରମରେ ତାଜିଆ ଶୋଭାଯାତ୍ରାରେ ସାମିଲ୍ ହୁଅନ୍ତି । ଅନେକ ହିନ୍ଦୁ ନିଜେ ତାଜିଆ ବାହାର ମଧ୍ୟ କରନ୍ତି ।

image
୮. ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।

ଓଡିଶାରେ ସତ୍ୟପୀର ପାଲା ବିନା କୌଣସି ଶୁଭ କାର୍ୟ ସମ୍ପନ୍ନ ହୁଏନାହିଁ । ପାଲାରେ ହିନ୍ଦୁ ଓ ଇସ୍ଲାମର ମାନବୀୟ ଆଅଧ୍ୟାତ୍ମିକତା ଏକୀଭୁତ ହୋଇଯାଏ ।
୯. ଭଦ୍ରଖରେ ଆଉ ଜଣେ ବୈଷ୍ଣବ ବଂଶୀ ବଲ୍ଲଭ ଗୋସ୍ବାମୀ “ମୋଗଲ୍ ତାମଶା” ର ସୂତ୍ରଧର । ହିନ୍ଦୁ ଓ ମୁସଲମାନ୍ ସାମ୍ପ୍ରଦାୟିକ ସହଯୋଗର ଏହା ଏକ ସୁନ୍ଦର ତାମଶା ।
୧୦. ଓଡିଶାର ବହୁ ଗାଁ ରେ ହିନ୍ଦୁ ମୁଖିଆ ବା ଗୌନ୍ତିଆ ମାନେ ରଥଯାତ୍ରାରେ ଛେରା ପହଁରା କରିବାର ନଜିର୍ ରହିଛି ।

ସମ୍ବଲପୁର୍ ଜିଲାର ରେମୁଣା ଗାଁ ର ଗୌନ୍ତିଆ ମହମ୍ମଦ୍ ଜମିଉଲ୍ଲା ଓ ତାଂକର ପୁର୍ବ ପୁରୁଷ ଅନେକ ପିଢି ଧରି ଛେରା ପହଁରା କରି ଆସୁଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.