ଜଣା ଅଜଣା

ପ୍ରଥମ ଓଡିଆ ସମ୍ବାଦପତ୍ର ଉତ୍କଳ ଦୀପିକା; ଦଶଟି ପ୍ରମୁଖ କଥା

5 - Copy

କେଦାର ମିଶ୍ର

ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି ପଢାଯାଏ, ଆମକୁ ଚକିତ ହେବାକୁ ପଡିବ । ବିକାଶର କୌଣସି ସମ୍ଭାବନା ନଥିବା ସମୟରେ ନୁଆ ଇତିହାସ ତିଆରି କରିବାର ସାହସ ମଣିଷ ଜାତି ସଂଚୟ କରିଥାଏ, ସେଥିଲାଗି ସବୁ ବଡ ସଫଳତା ର ଆରମ୍ଭ ସବୁଠୁ ଭୟଂକର ବିଫଳତା ରୁ ଇ ଆରମ୍ଭ ହୋଇଥାଏ ।

4ଯେଉଁ ସମୟରେ ଓଡିଶାର ରାଜନୈତିକ ଅସ୍ତିତ୍ଵ ନାହିଁ, ଭାଷା ଓ ସଂସ୍କୃତିର ସ୍ଵୀକୃତି ନାହିଁ ଓ ଅର୍ଥନୈତିକ ମେରୁଦଣ୍ଡ ଏକପ୍ରକାର ଶକ୍ତିହୀନ, ସେତେବେଳେ ଓଡିଆ ମାନେ ପ୍ରଥମ କରି ଗୋଟେ ସମ୍ବାଦପତ୍ର ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖୁଛନ୍ତି ଓ ସଫଳ ହେଉଛନ୍ତି।

୧୮୬୬ ମସିହାର କରାଳ ନ’ ଅଂକ ଦୁର୍ଭିକ୍ଷ ର ହାହାକାର ଭିତରୁ ଓଡିଶାର ପ୍ରଥମ ସମ୍ବାଦ ଓ ସମ୍ବାଦପତ୍ର ଜନ୍ମ ନେଉଛି।ଯଦିଓ ୧୮୫୬ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଉଇଲିୟମ୍ ଲେସୀ ସାହେବଂକ ସମ୍ପାଦନା ରେ ପ୍ରଥମ ଓଡିଆ ସମାଚାର ପତ୍ର “ପ୍ରବୋଧ ଚନ୍ଦ୍ରିକା” ପ୍ରକାଶିତ ହୋଇଛି , ତଥାପି ତାକୁ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ବୋଲି କୁହାଯାଇ ପାରିବ ନାହିଁ ।

ପ୍ରଥମ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ରୂପେ ୧୧, ଅଗଷ୍ଟ ୧୮୬୬ ଦିନ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା” ପ୍ରକାଶ ପାଇଥିଲା ।ଓଡିଶାର ପରିଚୟ ଓ ଓଡିଆ ଜାତିର ଅସ୍ତିତ୍ଵରେ ଦୀପିକା ନୁଆ ପ୍ରାଣ ସଂଚାର କରିଥିଲା ।୧୮୬୬ ରୁ ୨୦୧୬, ଦେଢ ଶହ ବର୍ଷ ଭିତରେ ଦୀପିକା ଆଜି କେବଳ ସ୍ମୃତି।

ଓଡିଆ ଗଣମାଧ୍ୟମର ପ୍ରଥମ ସମ୍ପତ୍ତିକୁ ଆମେ ସାଇତି ରଖିଲୁ ନାହିଁ କି ତାକୁ ବଞ୍ଚେଇ ରଖିବାର ସାହସ ଆମର ଆସିଲା ନାହିଁ ।ଓଡିଶାର ଏହି ଐତିହାସିକ ଖବରକାଗଜ ସମ୍ପର୍କରେ ଦଶଟି ପ୍ରମୁଖ ତଥ୍ୟ –

୧. “କଟକସ୍ଥ ସାହାଯ୍ୟ କୁମେଟୀ” ଶୀର୍ଷକରେ ୧୧, ଅଗଷ୍ଟ ,୧୮୬୬ ତାରିଖ ଦିନ “ଉତ୍କଳ ଦୀପକା” ନାମକ ଖବର କାଗଜର ପ୍ରଥମ ପୃଷ୍ଠାର ପ୍ରଥମ ସମ୍ବାଦ ପ୍ରକାଶ ପାଇଲା । ଛାପା ଅକ୍ଷରରେ ଓଡିଆ ସମ୍ବାଦ ପଢିବାର ସେ ଥିଲା ଐତିହାସିକ ଦିନ ।

6ଖବର ଟି ଥିଲା ଏମିତି- ‘ ସହର ମଝିରେ ଯେତେ ଅରକ୍ଷିତ ପିଲା ସରକାରୀ ସଡକ ଉପରେ ବୁଲୁଥିବାର ଦେଖାଯିବେ ସେମାନଂକୁ ସାହାଯ୍ୟ ମହକୁମାରୁ ନିଯୁକ୍ତ ଥିବା ଓଭରସିୟର ଆପଣା ଜିମା ନେଇ ତାହାଙ୍କର ଭରଣପୋଷଣ ଆଦି କରିବ।……….”

୨. ଦୁର୍ଭିକ୍ଷ, ଅନ୍ନ ର ଅଭାବ ଓ ଏ ପ୍ରକାର ମାନବୀୟ ସଂକଟକୁ ମୁକାବିଲା କରିବାରେ ସରକାର ତଥା ଧନୀ ଓଡିଆ ମାନେ ବିଫଳ ହେଉଥିବାର ସ୍ପଷ୍ଟ ଚିତ୍ର ଦୀପିକାରେ ପ୍ରକାଶ ପାଇଛି। ଦୀପିକାର ପ୍ରଥମ ପ୍ରକାଶକ ଓ ସମ୍ପାଦକ ଗୌରୀଶଙ୍କର ରାୟ ବୃତ୍ତିରେ ବ୍ରିଟିଶ୍ ସରକାରର କର୍ମଚାରୀ ହୋଇଥିଲେ ମଧ୍ୟ ସରକାରକୁ କଟୁ ସମାଲୋଚନା କରାଯାଇଛି ।

1୩. ନୁଆ କରି ଓଡିଶାରେ ଗଢି ଉଠୁଥିବା ମୁଦ୍ରଣ ଶିଳ୍ପ ର ବିକାଶ ପାଇଁ ୧୮୬୪ ମସିହାରେ କଟକର ଦରଘା ବଜାରରେ କଟକ ପ୍ରିନଟିଂଗ୍ କମ୍ପାନୀ ନାମକ ଏକ କମ୍ପାନୀ ଗଠିତ ହୋଇଛି ।

ଏହାର ନିର୍ଦ୍ଦେଶକ ଭାବରେ ବିଚିତ୍ରାନନ୍ଦ ଦାସ,ଲକ୍ଷ୍ମୀ ନାରାୟଣ ଚୌଧୁରୀ, ମଧୁସୁଦନ ଦାସ,ବିହାରିଲାଲ ପଣ୍ଡିତ,ଗୋପିମୋହନ ସେନ,ବନମାଳୀ ସିଂ ପ୍ରମୁଖ ରହିଥିବା ବେଳେ ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଶଂକର ରାୟ ଦାୟିତ୍ଵ ନିର୍ବାହ କରିଛନ୍ତି ।

୪. ଗୌରୀଶଙ୍କର ରାୟ (୧୩,୦୭, ୧୮୩୮-୦୭,୦୩, ୧୯୧୭ ), ଉତ୍କଳ ଦୀପିକା ର ପ୍ରତିଷ୍ଠାତା ସମ୍ପାଦକ ।ତାଂକ ନେତୃତ୍ଵରେ ଦୀପିକା ନିରନ୍ତର ପ୍ରକାଶ ପାଇଛି । ୧୮୬୬ ରୁ ୧୯୧୫ , ଦୀର୍ଘ ୪୯ ବର୍ଷ ଧରି ଦୀପିକାର ପରିଚାଳନା ଓ ସମ୍ପାଦନା ଦାୟିତ୍ଵ ସେ ତୁଲାଇଥିଲେ।

୫. ମୃତ୍ୟୁ ର ଦୁଇ ବର୍ଷ ଆଗରୁ ଗୌରୀଶଙ୍କର ତାଂକର ଉତ୍ତରାଧିକାରୀ ଭାବରେ ସୁଦାମ ଚରଣ ନାୟକଂକୁ ସମ୍ପାଦକ ଦାୟିତ୍ଵ ସମର୍ପି ଦେଇଥିଲେ। ଗୌରୀଶଙ୍କର ଜୀବିତ ଥିବାବେଳେ ଦୀପିକା ବନ୍ଦ ହୋଇନାହିଁ , ବରଂ ଏହା ଓଡିଆ ଭାଷା, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସାମାଜିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରୁଛି ।

୬. ଗୌରୀଶଙ୍କର ମୃତ୍ୟୁବରଣ କରିବାର ମାତ୍ର ୧୭ ବର୍ଷ ପରେ କଟକ ପ୍ରିଂଟିଂଗ କମ୍ପାନୀ ଭାଂଗି ଗଲା ଓ ସବୁଦିନ ପାଇଁ ଓଡିଶାର ଗୌରବମୟ ଇତିହାସ ନିର୍ମାଣ କରିଥିବା ସମ୍ବାଦପତ୍ର ଦୀପିକା ସବୁଦିନ ଲାଗି ବନ୍ଦ ହୋଇଗଲା ।ସ୍ବତନ୍ତ୍ର ଓଡିଶା ଗଠନରେ ଅଗ୍ରଣୀ ଭୂମିକା ନେଇଥିବା ଦୀପିକା ରେ ସ୍ଵତନ୍ତ୍ର ଓଡିଶା ଗଠନର ଖବର ପ୍ରକାଶ ପାଇ ପାରିଲା ନାହିଁ ।

5୭. ଦୀପିକା ର ସମ୍ପାଦକୀୟ ମାନଦଣ୍ଡ ଓଡିଶାର ଗଣମାଧ୍ୟମର ଇତିହାସରେ ବିରଳ । ସବୁ ପ୍ରକାର ପକ୍ଷ ରଖିବାର ସୁଯୋଗ ଓ ସବୁ ମତକୁ ସମାନ ଭାବରେ ସମ୍ମାନ ଦେବାର ନୀତି ଦୀପିକାର ରହିଥିଲା ।

ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଥିଲେ ଯୋଗଜନ୍ମା।ତାଂକ ପରେ ସୁଦାମ ଚରଣ ନାୟକ, ଭିକାରୀ ପଟନାୟକ ଓ ନୀଳମଣି ବିଦ୍ୟାରତ୍ନ ପ୍ରମୁଖ ସମ୍ପାଦକ ଭାବରେ ନିଜ ସିଦ୍ଧିର ସ୍ଵାକ୍ଷର ଛାଡି ଯାଇଛନ୍ତି।

୮. ଦୀପିକା ର ସମ୍ବାଦ ପରିବେଷଣ ଶୈଳୀ ରେ ବ୍ୟାପକ ପରିବର୍ତନ ଆସିଛି ।୧୮୬୬ ବେଳର ଦୀପିକାର ଭାଷାରେ ଯେଉଁ ସାଧୁ ଓ ଜଟିଳ ଭାଷାର ବ୍ୟବହାର ଥିଲା ତାହା ସମୟକ୍ରମେ ଯୁକ୍ତିନିଷ୍ଠ ଓ ପ୍ରାସଂଗିକ ହୋଇଛି ।

ତେବେ ତେରଛା ସମାଲୋଚନା କରିବାର ଏକ ସୁନ୍ଦର ଶୈଳୀ ଦୀପିକାରେ ରହିଥିଲା, ଯାହାକି ଆଜିର ସମ୍ବାଦପତ୍ର ଗୁଡିକରେ ଏକ ପ୍ରକାର ଦେଖିବାକୁ ମିଳିନାହିଁ ।

୯. ସମାଜ ସଂସ୍କାର ଓ ଲୋକ ବିକାଶ ର କଥା ଦୀପିକାରେ ପ୍ରମୁଖ ସ୍ଥାନ ପାଉଥିଲା। ସ୍ଵାଧିନତା ଆନ୍ଦୋଳନ ପ୍ରତି ଦୀପିକାର ଆଗ୍ରହ ବିଶେଷ ନଥିବା ଏହାର ଏକ ବଡ ଦୁର୍ବଳତା ।

ଓଡିଆ ଜାତୀୟତା ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦୀପିକା ସ୍ଵାଧିନତା ଆନ୍ଦୋଳନ ପ୍ରତି ପ୍ରାୟ ଉଦାସୀନ ରହି ଆସିଥିଲା ।

୧୦. ଦୀପିକାର ବିଜ୍ଞାପନ ନୀତି ଥିଲା ବେଶ୍ ରୋଚକ । ବଭିନ୍ନ ଆୟୁର୍ବେଦିକ ଔଷଧ ର ବିଜ୍ଞାପନ ସହିତ ନୁଆ ବହିର ବିଜ୍ଞାପନ ଓ ସୂଚନା ଏଥିରେ ନିୟମିତ ପ୍ରକାଶ ପାଉଥିଲା। ୬ ଜାନୁଆରୀ ୧୯୦୬ ରେ ପ୍ରକାଶିତ Major & Co ର Electro Salsa ଏକ ଅଧ ପୃଷ୍ଠା ର ବିଜ୍ଞାପନ ବାହାରିଥିଲା ଯାହାକୁ ଦେବଗଡ, ରେଢାଖୋଲ ଓ ଖଲିକୋଟ୍ ରାଜା ପ୍ରୋତ୍ସାହିତ କରିଥିଲେ ।

ଆମ ସମ୍ବାଦପତ୍ର ଇତିହାସର ଏହି ସର୍ବଶ୍ରେଷ୍ଠ ଐତିହ୍ୟ କୁ ଆମେ ବଂଚାଇ ରଖିପାରିଲେ ନାହିଁ, ତାହା ଆମର ଦୁର୍ଭାଗ୍ୟ ।

 

ଓଡିଶା ଡଟ କମ

Leave a Reply

This site uses Akismet to reduce spam. Learn how your comment data is processed.