ବରେନ୍ଦ୍ରକୃଷ୍ଣ ଧଳ; ମୁକ୍ତ ବିଚାର ଓ ମୁକ୍ତ ସୃଜନର ମଣିଷ


କେଦାର ମିଶ୍ର

ସାମ୍ବାଦିକତାର ବିବିଧ ଦାୟିତ୍ଵ  ଭିତରୁ ଦୁଇଟି ପ୍ରମୁଖ ଦାୟିତ୍ଵ ହେଉଛି, ସତ୍ୟ ର ଅନୁସନ୍ଧାନ ଓ ମିଥ୍ୟା ବିରୋଧରେ ଜନମତର ନିର୍ମାଣ ।

ଏହି ଦାୟିତ୍ଵ ତୁଲାଇବାରେ ଆମ ସମୟର ବହୁ ସାମ୍ବାଦିକ ବିଫଳ। ତେବେ ସତ୍ୟ ପ୍ରତି ନିରନ୍ତର ଅନୁରକ୍ତ ରହି ନିଜର ଏକ ସ୍ପଷ୍ଟ ବିଚାର ନିର୍ମାଣ କରିବାରେ ଯେଉଁ କେତେ ଜଣ ସାମ୍ବାଦିକ ଓଡିଶାରେ ସଫଳ, ସେମାନଂକ ମଧ୍ୟରୁ ବରେନ୍ଦ୍ର କୃଷ୍ଣ ଧଳ ଅନ୍ୟତମ ।

ବରେନ୍ଦ୍ର ବାବୁ ଥିଲେ ମୂଳତଃ ବିଚାର ଓ ବିବେଚନା ର ସାମ୍ବାଦିକ। ସେ ହୁଏତ ରିପୋର୍ଟର୍ ନଥିଲେ, କିନ୍ତୁ ତାଂକର ମତ ଓ ବିଚାରରେ ଅନୁସନ୍ଧାନ ତଥା ଅନ୍ଵେଷଣ ର ତୀବ୍ର ପ୍ରଭାବ ରହିଥିଲା ।

ସାମ୍ବାଦିକତା ଓ ସାହିତ୍ୟର ସମନ୍ଵୟ ଘଟାଇବାର ଯେଉଁ ପରମ୍ପରା ଓଡିଶାରେ ସତ୍ୟବାଦୀ ବନ ବିଦ୍ୟାଳୟ ରୁ ସୃଷ୍ଟି ହୋଇଥିଲା, ବରେନ୍ଦ୍ର ବାବୁ ଥିଲେ ସେହି ପରମ୍ପରାର ଅନ୍ୟତମ ସାର୍ଥକ ଦାୟାଦ।

ସେ ଥିଲେ ସାମ୍ବାଦିକ ଓ ସାହିତ୍ୟିକ। ତାଂକ ସମ୍ବାଦ ଓ ମତ ରଚନା ରେ ସୃଜନଶୀଳତା ର ପ୍ରଭାବ ରହିଥିବା ବେଳେ ତାଂକ ଗଳ୍ପ ରଚନା ରେ ସାମାଜିକ ବାସ୍ତବତା ର ନିଛକ ପ୍ରତିଫଳନ ଘଟୁଥିଲା। ତାଂକ ବ୍ୟକ୍ତିତ୍ଵ ନିର୍ମାଣରେ ସାହିତ୍ୟ ଓ ସାମ୍ବାଦିକତାର ଅବଦାନ ସମାନ।

୯, ଅଗଷ୍ଟ ସକାଳେ ଅକଷ୍ମାତ ମୃତ୍ୟୁ ବରଣ କରିଥିବା ଏହି ବିଶିଷ୍ଟ ସାମ୍ବାଦିକ ଓ ଲେଖକଂକ ସମ୍ପର୍କରେ କିଛି କଥା-

୧. କଟକ ଜିଲ୍ଲାର ବାଂକୀରେ ୧୬ ମାର୍ଚ୍ଚ ୧୯୩୯ରେ ଭୂମିଷ୍ଠ ହୋଇଥିବା ସ୍ୱର୍ଗତ ଧଳ ବାଇଶି ବର୍ଷ ବୟସରେ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପ୍ରଜାତନ୍ତ୍ର, ମାତୃଭୂମି ଓ ସ୍ଵରାଜ୍ୟ ସମ୍ବାଦ ପତ୍ର ସହ ତାଂକର ସମ୍ପୃକ୍ତି ରହିଥିଲା । ପ୍ରଥମେ ଲେଖକ ଓ ପରେ ସାମ୍ବାଦିକ ଭାବରେ ସେ ପ୍ରଜାତନ୍ତ୍ର ରେ ଯୋଗଦାନ କରିଥିଲେ।

ଷାଠିଏ ଦଶକରେ ପ୍ରଜାତନ୍ତ୍ର ଥିଲା ଓଡିଶାର ସାହିତ୍ୟ ଓ ସାମ୍ବାଦିକତା ପାଇଁ ମିଳନ ମଂଚ।

୨. ଓଡିଆ, ବଂଗଳା ଓ ଇଂରାଜୀ, ତିନୋଟି ଯାକ ଭାଷାରେ ସେ ସାମ୍ବାଦିକତା କରିଛନ୍ତି । ଦୀର୍ଘ ବର୍ଷ ଧରି “ନ୍ୟାସନାଲ ହେରାଲଡ୍” ସମ୍ବାଦ ପତ୍ରର ସେ ଥିଲେ ଓଡିଶା ପ୍ରତିନିଧି । ସେହିପରି ବଂଗଳା “ଆଜକଲ୍” ପାଇଁ ମଧ୍ୟ ସେ ଖବର ଯୋଗାଉ ଥିଲେ।

୩. ସାମ୍ବାଦିକତାର ପ୍ରାଥମିକ ଜୀବନରେ ଓଡିଆ ସିନେମା, ନାଟକ ଓ ନୃତ୍ୟ ସଂଗୀତ କୁ ନେଇ ଅନେକ ଚମତ୍କାର ଫିଚର ସେ ଲେଖିଥିଲେ । ଏହା ସହିତ ଅନେକ ସାଂସ୍କୃତିକ ଓ କ୍ରୀଡା ଅନୁଷ୍ଠାନ ସହ ମଧ୍ୟ ସେ ଜଡିତ ଥିଲେ ।

. ରିପୋର୍ଟର୍ ଓ ସମ୍ପାଦକ ଭାବରେ ତାଂକର ଦୀର୍ଘ ଦିନର ଅଭିଜ୍ଞତା ପରବର୍ତ୍ତୀ ଜୀବନରେ ତାଂକୁ ଜଣେ ସଫଳ ସ୍ତମ୍ଭକାର ଭାବରେ ପ୍ରତିଷ୍ଠା ଦେଇଥିଲା । ଗତ ତିରିଶ ବର୍ଷ ଧରି ଓଡିଶାର ପ୍ରମୁଖ ଖବର କାଗଜ ଗୁଡିକରେ “ମୁକ୍ତ ବିଚାର” ତଥା “ଖୋଲା ବିଚାର” ଶୀର୍ଷକରେ ତାଂକର ସ୍ତମ୍ଭ ରଚନା ଅବ୍ୟାହତ ରହିଥିଲା।

୫. ସ୍ତମ୍ଭ ରଚନାରେ ତାଂକ ଭାଷା ର ବ୍ୟବହାର ଅତ୍ୟନ୍ତ ସ୍ପଷ୍ଟ, ସରଳ ଓ ଶାଣିତ। ଅନେକ ସମୟରେ ତାଂକ ଭାଷାରେ ତୀର୍ୟକ ବ୍ୟଂଗ ମଧ୍ୟ ରହିଥାଏ । ନିଜ ସ୍ତମ୍ଭ ରଚନାରେ ସେ ଆମ ସମୟ ଓ ସମାଜର
ଗଭୀର ଅନୁଶୀଳନ କରିଛନ୍ତି । ଓଡିଶାର ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ତାଂକର ସତର୍କ ଦୃଷ୍ଟି ସବୁବେଳେ ରହିଥିଲା ।

ତେଣୁ ତାଂକର ଅଭିମତ ସବୁବେଳେ ତଥ୍ୟ ଭିତ୍ତିକ ଓ ଅକାଟ୍ୟ ଯୁକ୍ତିରେ ଭରପୂର। ତାଂକର ୧୯ ଟି ପ୍ରକାଶିତ ବହି ମଧ୍ୟରୁ ମୁକ୍ତ ବିଚାର ଓ ଖୋଲା ବିଚାର ର ଐତିହାସିକ ମୂଲ୍ୟ ସର୍ବାଧିକ।

୬. ସାମ୍ବାଦିକ ଓ ଲେଖକ ସଂଗଠନ କ୍ଷେତ୍ରରେ ସେ ଥିଲେ ଓଡିଶାର ସବୁଠୁ ଅଗ୍ରଣୀ ବ୍ୟକ୍ତିତ୍ଵ। ନବେ ଦଶକରେ ଜାତୀୟ ସାମ୍ବାଦିକ ସଂଘ ର ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିବାରେ ସେ ଥିଲେ ଏକ
ମାତ୍ର ଓଡିଆ।

ଓଡିଶା ସାମ୍ବାଦିକ ସଂଘ, ଓଡିଶା ଲେଖକ ସାମ୍ମୁଖ୍ୟ, ଓଡିଶା ଲେଖକ ସମବାୟ ସମିତି ଇତ୍ୟାଦି ପ୍ରତିଷ୍ଠା କରିବାରେ ତାଂକର ପ୍ରମୁଖ ଭୂମିକା ରହିଥିଲା ।

୭. ଜଣେ ସର୍ଜନଶୀଳ ଲେଖକ ଭାବରେ ସେ ୬ ଟି ଉପନ୍ୟାସ, ଅନେକ ଗଳ୍ପ, ଦୁଇଟି ଶିଶୁ ସାହିତ୍ୟ ଓ କେତୋଟି ଅନୁବାଦ ପୁସ୍ତକର ସେ ରଚୟିତା । ସମରେଶ୍ ବସୁଂକ ପ୍ରସିଦ୍ଧ ଉପନ୍ୟାସ “ଶାମ୍ବ” ର ଅନୁବାଦ ଲାଗି ତାଂକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।

ଓଡିଆ ଗଳ୍ପରେ କ୍ରୀଡା ଓ କ୍ରୀଡାବିତ୍ ନ୍କୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ସେ କରିଥିଲେ । କ୍ରୀଡା ଭିତ୍ତିକ ଗଳ୍ପ ରଚନା ରେ ସେ ଥିଲେ ଏକମାତ୍ର ସାର୍ଥକ ଓଡିଆ ଗାଳ୍ପିକ।

୮. ଓଡିଶାରେ ସେ ଥିଲେ ବହି ମେଳା ର ଆଦି ପୁରୁଷ । ପଠନ ଅଭ୍ୟାସ କୁ ଏକ ଉତ୍ସବ ଭାବରେ ପାଳନ କରିବାକୁ ଅଶୀ ଦଶକରେ ସେ ଆରମ୍ଭ କରିଥିଲେ “ଭୁବନେଶ୍ବର ପୁସ୍ତକ ମେଳା” । ଓଡିଶାରେ ବହିର ଉତ୍ସବ ଆଜି ଯଦି ବ୍ୟାପକ ହୋଇଛି ତାର ସବୁ ଶ୍ରେୟ ବରେନ୍ଦ୍ର ବାବୁଂକର ।

ଭୁବନେଶର ପୁସ୍ତକ ମେଳା ଲେଖକ ମାନଂକ ଦ୍ବାରା ଆୟୋଜିତ ଏକମାତ୍ର ବଡ ଉତ୍ସବ ଭାବରେ ଆଜି ପର୍ଯନ୍ତ କାମ କରି ଆସିଛି ଓ ମୃତ୍ୟୁ ପର୍ଯନ୍ତ ବରେନ୍ଦ୍ର ବାବୁ ଥିଲେ ଏହାର ମହା ନାୟକ।

୯. ସୃଜନ ହେଉ ବା ସଂଗଠନ, ସମ୍ବାଦିକତା ହେଉ ବା ସମ୍ପାଦନା, ସବୁ କ୍ଷେତ୍ରରେ ଏକ ଅପୂର୍ବ ଦାମ୍ଭିକତାର ସହ ସେ କାମ କରୁଥିଲେ। ଗୋଟେ ସମୟରେ କର୍କଟ ରୋଗ ସହ ଲଢି ସେ ବଂଚିବାର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ।

ନିଜ ରଚନାରେ ବହୁ ଲୋକଂକୁ ତୀବ୍ର ସମାଲୋଚନା କରିଥିବା ବରେନ୍ଦ୍ର ସବୁବେଳେ ନିର୍ଭୀକ ଓ ନିଜ ମତରେ ଅଟଳ।

୧୦. ହୁଏତ ବରେନ୍ଦ୍ର ଧଳ ଲେଖିଥିବା ଅଭିମତ ସହ କେହି ଦ୍ଵିମତ ହୋଇପାରେ, ହେଲେ ତାଂକ ଲେଖାକୁ ଅନଦେଖା କରିବା କଦାପି ସମ୍ଭବ ନୁହଁ। ତିରିଶ ବର୍ଷ ଧରି ପ୍ରତ୍ୟେକ ସପ୍ତାହ ରେ ସେ କୌଣସି ନା କୌଣସି ପ୍ରସଂଗରେ ନିଜର ମତ ରଖିଛନ୍ତି।

ତାଂକ କଲମର ପ୍ରହାରରେ ଅନେକ କ୍ଷମତାଶାଳୀ ଲୋକ ଆହତ କିମ୍ବା କ୍ଷୁବ୍ଧ ହୋଇଛନ୍ତି । ହେଲେ ବରେନ୍ଦ୍ର ବାବୁଂକ କଲମ କେବେବି ଚୁପ୍ ହୋଇ ବସି ରହିନାହିଁ ।

ଏହି ଚିରଂଜୀବୀ ସାମ୍ବାଦିକ ଓ ଗାଳ୍ପିକଙ୍କୁ ଆମର ବିନମ୍ର ଶ୍ରଦ୍ଧା ତର୍ପଣ ।

ଓଡିଶା ଡଟ କମ

ଓଡିଶା ଡଟ କମ :

This website uses cookies.