ଓଡିଶା ନ୍ୟୁଜ/ Odisha News
ସାହିତ୍ୟ

ଦିଗପହଣ୍ଡି ରୁ ଅନେକ ଦିଗନ୍ତ ; ଦିନନାଥ ପାଠୀ ଓ ଓଡିଶୀ ଚିତ୍ରକଳା

pathi2

କେଦାର ମିଶ୍ର

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହଁ।

କେବଳ ଚିତ୍ରକଳା ନୁହଁ ସାହିତ୍ୟ, ସଂଗୀତ, ନୃତ୍ୟ, ଲୋକ କଳା, ପର୍ୟଟନ ଓ କଳା ସଂଗଠନ କ୍ଷେତ୍ରରେ ତାଂକର ଅବଦାନ ଅତୁଳନୀୟ । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର ଭାବେ ପରିଚିତ ଦିନନାଥ ନିଜ ଜୀବନରେ ବହୁ ପଥ ଅତିକ୍ରମ କରିଛନ୍ତି ଓ ତାଂକ ଚିତ୍ରକଳା ଓଡିଶାର ସୀମା ଟପି ଜାତୀୟ ଓ ଆନ୍ତର୍ଜାତିକ ସ୍ବୀକୃତି ପାଇଛି।

ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ସେ ଚିତ୍ରଶିଳ୍ପୀ ଭାବରେ ଓଡିଶା ର ପ୍ରତିନିଧିତ୍ଵ କରିଛନ୍ତି । ଯେଉଁଠିକି ବି ଯାଇଛନ୍ତି ସେଠିକି ନେଇଯାଇଛନ୍ତି ଓଡିଶା ମାଟିର ମହକ।

ତାଂକ ଚିତ୍ରକଳା ରେ ନୁଆ ରୂପ ପାଇଛି ଓଡିଆଣୀ ର ଝୋଟି ଚିତା, ସଉରା ଆଦିବାସୀର ଡୁମା ଓ ଡଂଗର, ଉଷାକୋଠି ଓ ପଟଚିତ୍ରର ବର୍ଣାଳୀ, ଗଣ୍ଡ ଭୈରବ ଓ ନବ ଗୁଂଜରର ରହସ୍ୟ, କନ୍ଦର୍ପ ରଥ ଓ ରାସ ଲୀଳାର ଯାଦୁକରୀ କମନୀୟ଼ତା ଓ ଓଡିଶାର ପ୍ରକୃତି।

ସେ ଚିଲିକା ପାଣିର ଚିତ୍ରକର, ନିଜକୁ କହନ୍ତି ରୂପଜୀବୀ ବୋଲି- କାରଣ ରୂପ ଭିତରେ ସ୍ବରୂପ ଖୋଜିବା ତାଂକର ଜୀବନ ଓ ଜୀବିକା ।

pathi3ତାଂକର ଚର୍ଚିତ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟରେ” ରେ ସେ କୁହନ୍ତି- “ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇ ପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର ।‘’

ସେଇ ଡ୍ରଇଂ ମାଷ୍ଟର ଓଡିଶାର ଚିତ୍ରକଳା ରେ ଆଣିଛନ୍ତି ବୈପ୍ଲବିକ ପରିବର୍ତନ । ଶିଳ୍ପୀ ଓ ସାହିତ୍ୟିକ ଭାବରେ ନିଜଲାଗି ତିଆରି କରିଛନ୍ତି ଏକ ନିଆରା ପରିଚୟ । ପ୍ରଥମ ଓଡିଆ ଭାବରେ କେନ୍ଦ୍ର ଲଳିତ କଳା ଏକାଡେମୀ ର ସମ୍ପାଦକ ଦାୟିତ୍ଵ ତୁଲାଇଛନ୍ତି।

ଗଂଜାମୀ ଓଡିଆ କହି ନିଜର ଖାଂଟୀ ଦକ୍ଷିଣୀ ଥାଟ ରେ ପହଂଚି ଯାଇଛନ୍ତି ଜୁରିକ୍ ବା ଲଣ୍ଡନ । ଜୀବନ ତାଂକ ଲାଗି ଏକ ବିରାଟ ଦୁଃସାହସ । ୭୪ ବର୍ଷ ବୟସରେ ଆଜି (୨୯, ଅଗଷ୍ଟ,୨୦୧୬) ଅକସ୍ମାତ୍ ମୃତ୍ୟୁବରଣ କରିଥିବା ଦିନନାଥ ପାଠୀନ୍କ ବିଷୟରେ କେତୋଟି କଥା-

୧. ତାଂକ ନିଜ ଭାଷାରେ ସେ “ଦିଗ ଦିଶୁନାହିଁ ଦିଗ ପହଣ୍ଡି ଦିବସ ଅନ୍ଧାର, ହାଲ ଚାଲ ପଚାର କିସ ଜଂଗଲେ କରିଛି ଘର’’- ସେଇ ଜଂଗଲ ଓ ଅନ୍ଧାର ଘେରା ଦିଗପହଣ୍ଡି ରେ ତାଂକର ଜନ୍ମ ୧୯୪୨ ମସିହାରେ।

ବଡ ଭାଇ ଲୋକନାଥ ପାଠୀ ତାଂକର ଆଦ୍ୟଗୁରୁ। ନାଟକର ପରଦା ଅଂକନ ରୁ ଆରମ୍ଭ ହୁଏ ଚିତ୍ର ଶିକ୍ଷା । ଶିଳ୍ପ କଳା ମନ୍ଦିର- ବଡ ଭାଇ ଲୋକନାଥଂକ ଚିତ୍ରଶାଳାରୁ ଆରମ୍ଭ ହୁଏ ତାଲିମ ।

୨. ଗାଁ ରୁ ଖଲିକୋଟ୍ । ଓଡିଶାର ଏକମାତ୍ର ଚାରୁକଳା ମହାବିଦ୍ୟାଳୟ। ସେ ଅନୁଷ୍ଠାନ ଦିନନାଥଂକୁ ଯେମିତି ଗଢିଛି, ସେ ବି ତାକୁ ଗଢିଛନ୍ତି । ଶରତ କୁମାର ଦେବ, ଅଜିତ କେଶରୀ ରାୟ, ବିପ୍ରଚରଣ ମହାନ୍ତି ଓ ଆହୁରି ଅନେକ ଶିଳ୍ପୀ ଙ୍କ ଛାତ୍ର ହେବାର ସୁଯୋଗ ତାଂକୁ ଖଲିକୋଟ୍ ରେ ମିଳିଥିଲା । ପରେ ସେ ନିଜ ଶିକ୍ଷକଙ୍କ ସହକର୍ମୀ ହେବାର ସୁଯୋଗ ପାଇଛନ୍ତି ।

pathi-1୩. ଶିଳ୍ପୀ ଭାବରେ ତାଂକ ଜୀବନ ବହୁ ଉଠାପକା ଦେଇ ଯାଇଛି। ଅନେକ ଚାକିରୀ ସେ କରିଛନ୍ତି ଓ ଛାଡିଛନ୍ତି । ଅନେକ ଅନୁଷ୍ଠାନ ଗଢିଛନ୍ତି ଓ ତାକୁ ଭାଂଗି ପୁଣି ନୁଆ କିଛି ଗଢିଛନ୍ତି। ଓଡିଶା ସଂଗ୍ରହାଳୟ, ଓଡିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ ..ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଛନ୍ତି ।

୪. ଭୁବନେଶ୍ଵର ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ପ୍ରତିଷ୍ଠା ଓ ତାର ପରିଚାଳନା ରେ ସେ ଏକ ବିରାଟ ଭୂମିକା ନେଇଛନ୍ତି। ଓଡିଶାର ବହୁ ପ୍ରତିଭାବାନ୍ ଶିଳ୍ପୀ ଏହି ମହା ବିଦ୍ୟାଳୟରେ ତାଂକରି ହାତରେ ଗଢା ହୋଇ ଜାତୀୟ ଓ ବିଶ୍ଵବ୍ୟାପୀ ନାଁ କରିଛନ୍ତି। ଅଦ୍ଵେତ  ଗଡନାୟକ, ଜଗନ୍ନାଥ ପଣ୍ଡା, ପ୍ରତୁଲ ଦାଶ ଓ ଆହୁରି ଅନେକ ଶିଳ୍ପୀ ତାଂକ ଛାତ୍ର ଭାବେ ଆଜି ବେଶ୍ ପ୍ରତିଷ୍ଠିତ ।

୫. ଚିତ୍ର ଶିଳ୍ପୀ ଭାବେ ତାଂକ ଶୈଳୀ କୁ ସବୁବେଳେ ସେ ଗଂଜାମ ଶୈଳୀ ବୋଲି କହି ଆସିଛନ୍ତି। ତାଂକ ରେଖା ର ଗତି ସେଥିଲାଗି ଅନେକାଂଶରେ ଅଳସ ଓ ତାଂକ ରଂଗ ଟିକେ ଅଧିକ ଗାଢ। ଅମୂର୍ତ୍ତ ତୁଳନାରେ ମୂର୍ତ୍ତି ଗଢିବା ତାଂକ ଶୈଳୀ ର ଏକ ବିଶେଷ ଲକ୍ଷଣ ।

ତାଂକର ଚର୍ଚିତ ଉପନ୍ୟାସ “ପୁନର୍ନବା’’ ରେ ସେ ଲେଖନ୍ତି – “ଚିତ୍ର କଣ ସତରେ ମଣିଷ ଭଳିଆ ଦିଶେ, ନା ମଣିଷଂକ ସ୍ବପ୍ନ ପରି ଲାଗେ ? ଚିତ୍ର କଣ ନିଜେଇ ମଣିଷ ନା ମଣିଷଂକ ଛାଇ? ମଣିଷ ପରି ଦିଶେ ଅଥଚ ମଣିଷ ନୁହେଁ “ ରୂପ ଓ ସ୍ଵରୂପ ଭିତରେ ଏକ ସୂକ୍ଷ୍ମ ଜଗତ ସେ ସୃଜନ କରନ୍ତି ।

୬. ଶିଳ୍ପୀ ଭାବରେ ସେ ଯେତିକି ବଡ, ଠିକ ସେତିକି ବଡ ଲେଖକ ଭାବରେ । କବିତା, ଉପନ୍ୟାସ, ଆତ୍ମଜୀବନୀ, ପ୍ରବନ୍ଧ, ଫିଚର ଓ ଗବେଷଣା ଗ୍ରନ୍ଥ କ୍ଷେତ୍ରରେ ତାଂକର ଅବଦାନ ଅନନ୍ୟ । ସାହିତ୍ୟ, ଚିତ୍ରକଳା ଓ ପ୍ରଦର୍ଶନକାରୀ କଳା ର ସମନ୍ଵୟ ଘଟାଇ ଏକ ବୌଦ୍ଧିକ ଆନ୍ଦୋଳନ ସେ ଓଡିଶାରେ ଆରମ୍ଭ କରିଥିଲେ ।

୭. ତାଂକର ଉପନ୍ୟାସ –ସାୟୋନାରା, ପୁନର୍ନବା, ଗଂଗାବତରଣ, ଗଚ୍ଛ କୋରଡରେ ହୃଦୟ ଇତ୍ୟାଦି ସାହିତ୍ୟ କ୍ଷେତ୍ରରେ ନୁଆ ଭାଷା ଓ ଶୈଳୀ ନିର୍ମାଣ କରିଛି । ଚିତ୍ର ଭାଷା କୁ ସାହିତ୍ୟର ଭାଷାରେ ରୂପାନ୍ତରିତ କଲାବେଳେ ଏକ ଚମତ୍କାର କାବ୍ୟ ର ଛଟା ସେ ତିଆରି କରି ଯାଇଛନ୍ତି।

୮. ନିଜ ଜୀବନ କାହାଣୀ କୁ ସାହିତ୍ୟ ର ମର୍ୟଦା ଦେବା କମ ସଫଳତା ନୁହଁ । ପ୍ରାୟ ୨୦୦୦ ପୃଷ୍ଠାର ଆତ୍ମଜୀବନୀ ସେ ଭିନ୍ନ ଭିନ୍ନ ଖଣ୍ଡରେ ଲେଖିଛନ୍ତି । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର, ପୂଁଜିକୟାଁର ଫକିର, ଚିଲିକା ପାଣିର ଛାଇ, ରୂପଜୀବିର ଡାଏରୀ, କଲେଜ୍ ଗଢିବାର ବେଳ ଓ ଆହୁରି କିଛି ତାଂକ ଆତ୍ନଜୀବନୀ ର ବୟାନ।

ସତ୍ୟ କୁ ସ୍ଵୀକାର କରିବାରେ ସେ ବେଳେ ବେଳେ ଅତି ନିର୍ମମ ।ତାଂକ ଆଖିରେ ବନ୍ଧୁ ଓ ଶତୃର ଭେଦ ନଥାଏ। ତେଣୁ ତାଂକର ଆତ୍ମ ଜୀବନୀ ଅନେକଂକ ଲାଗି ଅସହଜ ।

୯.କଳା ସୃଷ୍ଟି, ତାର ସମୀକ୍ଷା ଓ ତାର ଇତିହାସ ରଚନା – ଏଇ ତିନୋଟି ଯାକ ବିନ୍ଦୁରେ ସେ ଥିଲେ ଅତ୍ୟନ୍ତ ଦକ୍ଷ। ଭାରତର ଅଳ୍ପ କେତେଜଣ କଳା ଐତିହାସିକଂକ ଭିତରୁ ସେ ଅନ୍ୟତମ । ଶହ ଶହ ପ୍ରବନ୍ଧ ସେ ଲେଖିଛନ୍ତି ଓ ସବୁଥିରେ ତାଂକ ବୌଦ୍ଧିକ ପ୍ରୟାସ ବାରୀ ହୋଇପଡେ। ନୃତ୍ୟ କ୍ଷେତ୍ରରେ ତାଂକର ପୁସ୍ତକ Rethinking Odissi ଅନେକ କିଛି ନୂତନତା ର ଆଭାସ ଦେଇଛି ।

୧୦. ସମ୍ପାଦନା, ସଂଗଠନ ଓ ନେତୃତ୍ବ – ଏଇ ତିନୋଟି କ୍ଷେତ୍ରରେ ତାଂକର ବିକଳ୍ପ ନାହିଁ । ଇଂରାଜୀ ରେ ତାଂକ ସମ୍ପାଦିତ “ଅଂଗରାଗ” ଏକ ଅନନ୍ୟ ପତ୍ରିକା । ବହୁ ପତ୍ରିକାର ସମ୍ପାଦନା ଓ ପୁସ୍ତକ ସମ୍ପାଦନାରେ ସେ ନିଜର ଅବଦାନ ଦେଇଛନ୍ତି। ପଚାଶ ବର୍ଷ ଧରି ବହୁ ସଂଗଠନ ର ସେ ନେତୃତ୍ଵ ନେଇଛନ୍ତି । ତାଂକ ସୃଷ୍ଟି ଓ ସମୀକ୍ଷା ର ଦିଗନ୍ତ ଏତେ ବିସ୍ତୃତ ଯେ ଯେତେ କହୁଥିଲେ ସରିବା ନାହିଁ।

ତେବେ ଜର୍ମାନ ଗବେଷକ ଏବର୍ହାର୍ଡ଼ ଫିଶରଙ୍କ ସହ ତାଂକର ସମ୍ପର୍କ ଓଡିଶାର କଳା କୁ ବିଶ୍ଵ  ମାନଚିତ୍ରରେ ବେଶ୍ ପ୍ରତିଷ୍ଠା ଦେଇଛି ।

ଓଡିଶା ଡଟ କମ

Leave a Reply

This site uses Akismet to reduce spam. Learn how your comment data is processed.