ରାଜନୀତି

ଲୁଲୁ ମହାପାତ୍ର ; ଜୀବନ ଓ ରାଜନୀତିକୁ ନେଇ କିଛି କଥା

1390462_443376125767543_280703817_n

କେଦାର ମିଶ୍ର

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ନାଁ ଟି ସହିତ ଗତ ୩୫ ବର୍ଷର ଓଡିଆ ଜନଜୀବନ ଓ ଗଣମାଧ୍ୟମ ବେଶ୍ ଅଭ୍ୟସ୍ତ। ମାତ୍ର ୫୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଲୁଲୁ (ଲଲାଟେନ୍ଦୁ ଅପେକ୍ଷା ଏ ନାଁ ଟି ସହ ଓଡିଶା ବାସୀ ବେଶୀ ପରିଚିତ) ଓଡିଶାର ଗାଁ ଗାଁ ରେ ଜଣେ ଯୁବ ନେତା ଓ ସଂଗଠକ ଭାବେ ପରିଚିତ ଥିଲେ ।

ଠୋ ଠୋ କଥା ଓ ଅପ୍ରମିତ ସାହସର ପ୍ରତୀକ ଭାବରେ ତାଂକୁ ଓଡିଶା ବାସୀ ଜାଣିଥିଲେ। ୨୦୧୫ ରେ ଓଡିଶା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଆହ୍ବାନ ଦେବାର ସାହସକୁ ନେଇ ଚର୍ଚା ଥମିନଥିବା ବେଳେ ଲୁଲୁ ଆରପାରିକୁ ଚାଲିଗଲେ।

ଅଶୀ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୁଲୁ ଥିଲେ ସବୁଠୁ ଅଲ୍ପବୟସ୍କ କିନ୍ତୁ ସବୁଠୁ ପ୍ରଭାବଶାଳୀ ରାଜନେତା। କଂଗ୍ରେସ ରାଜନୀତିରେ ମହା ମହା ନେତାଂକୁ ବେଖାତିର କରି ଲୁଲୁ ନିଜର ପତିଆରା ତିଆରି କରିଥିଲେ।

ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।

ରାଜନୀତିରେ ସେ ବହୁ ଶତ୍ରୁ ତିଆରି କରିଛନ୍ତି, ବହୁ ଲୋକଂକର ଶତ୍ରୁ ସାଜିଛନ୍ତି , କିନ୍ତୁ ଶତ୍ରୁତା ନିଭାଇବାବେଳେ ରାଜନୈତିକ ଫାଇଦାବାଜିକୁ ସେ ଗୁରୁତ୍ବ ଦେଇ ନାହାନ୍ତି।

ତାଂକ ଆଗରେ ହୁଏତ ଅନ୍ୟ ଦଳକୁ ଯାଇ କ୍ଷମତା ଦଖଲ କରିବାର ଅନେକ ମୌକା ଥିଲା, ସେ କିନ୍ତୁ କଂଗ୍ରେସ ଦଳକୁ ଛାଡ଼ି ନାହାନ୍ତି । ଏହି ଲୋକପ୍ରିୟ ଯୁବ ନେତା ଲୁଲୁ ମହାପାତ୍ର, ତାଂକ ଜୀବନ ଓ ରାଜନୀତିକୁ ନେଇ କିଛି କଥା-

୧. ଲୁଲୁ ମହାପାତ୍ର ଏକ ଐତିହାସିକ ପରିବାରର ଦାୟାଦ। ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ବଂଶର ଉତ୍ତର ପୁରୁଷ ଭାବରେ ବ୍ରହ୍ମଗିରି ର ଗଡ ରାଢନ୍ଗ ଗାଁ ରେ ତାଂକର ଜନ୍ମ ୧୪ ଫେବୃଆରୀ ୧୯୬୪ ମସିହାରେ ।

୨. ବିଜେବି କଲେଜ ରେ ପଢିବା ସମୟରୁ ତାଂକର ରାଜନୈତିକ ଜୀବନ ଆରମ୍ଭ ହୁଏ । ଅଶୀ ଦଶକରେ ଛାତ୍ର କଂଗ୍ରେସ ର ନେତୃତ୍ବ ନେଇ ସେ କଂଗ୍ରେସ ଦଳ ଲାଗି ଏକ ବଡ ସମର୍ଥକ ଗୋଷ୍ଠୀ ତିଆରି କରିଥିଲେ । ଓଡିଶାର ସବୁ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ଲୁଲୁଂକ ସମର୍ଥକ ଓ ଅନୁଗାମୀ ରହିଥିଲେ।

୩. ଲୁଲୁଂକ ପରେ ବହୁ ଛାତ୍ର ନେତା ଆସିଛନ୍ତି ଓ ଯାଇଛନ୍ତି । କିନ୍ତୁ ଲୁଲୁଂକ ପରି ଲୋକପ୍ରିୟ ତଥା ପ୍ରଭାବଶାଳୀ ହେବାରେ ତାଂକ ତୁଳନୀୟ କେହି ନାହାନ୍ତି। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯନ୍ତ ତାଂକ ଆଗରେ ଓ ପଛରେ ହଜାର ହଜାର ଛାତ୍ର ଓ ଯୁବକ ରହିଥିଲେ ।

୪. ଅଶୀ ଦଶକର ଲୁଲୁ ଥିଲେ ଦୁର୍ଦ୍ଧର୍ଷ ଛାତ୍ରନେତା । ତାଂକର କାହାକୁ ଡର ନଥିଲା ବା ଖାତିର ନଥିଲା । ଜାନକୀ ବାବୁଂକ ଶାସନରେ ସେ ଆଖି ଉଠେଇଲେ ପ୍ରଶାସନ ଥରୁଥିଲା ବୋଲି ଆଜି ବି ବିଶ୍ଵାସ କରାଯାଏ ।

୫. ଅଥଚ କୌଣସି ସମୟରେ ସେ କ୍ଷମତାରେ ନଥିଲେ । ୧୯୯୫ ରୁ ୨୦୦୦ ଜାନକୀ ବାବୁଂକ ତୃତୀୟ ପାଳିରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବ୍ରହ୍ମଗିରି ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲେ । ତେବେ ପ୍ରତିଷ୍ଠା ଓ ପତିଆରା ଲାଗି ତାଂକୁ ପଦ ପଦବୀର ଆବଶ୍ୟକତା ନଥିଲା ।

୬. ୨୦୦୦ ରୁ ୨୦୦୯ ପର୍ଯନ୍ତ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଭାବେ ତାଂକର ଭୂମିକା ଥିଲା ବେଶ୍ ପ୍ରଭାବଶାଳୀ । ବିଜେଡି-ବିଜେପି ମେଣ୍ଟ ସରକାରକୁ ବିଧାନସଭା ଭିତରେ ଓ ବାହାରେ ହଲାପଟା କରିବାରେ ତାଂକର ଭୂମିକା ବେଶ ଅଗ୍ରଣୀ ଥିଲା ।

୭. କଂଗ୍ରେସ ରାଜନୀତିରେ ସେ ଥିଲେ ସବୁଠୁ ପ୍ରଭାବଶାଳୀ ନେତା କିନ୍ତୁ ତାଂକ ନେତୃତ୍ଵ ଉପରେ କଂଗ୍ରେସ ର କେନ୍ଦ୍ରୀୟ ନେତୃତ୍ଵ ଭରସା କରି ପାରିନଥିଲେ।

ଲୁଲୁ ଛାତ୍ର ଓ ଯୁବ କଂଗ୍ରେସ ର ସଭାପତି ରହିବା ସହ ପ୍ରଦେଶ କଂଗ୍ରେସର କାର୍ୟକାରୀ ସଭାପତି ଓ ଉପ ସଭାପତି ରହିଥିଲେ। ହେଲେ ଶେଷ ଯାଏଁ ତାଂକୁ ପିସିସି ସଭାପତି ଦାୟିତ୍ଵ ମିଳି ପାରିଲା ନାହିଁ ।

୮. ଗତ କିଛି ବର୍ଷ ଧରି ବିଜେଡି ସରକାର ବିରୋଧରେ ତୀବ୍ର ସଂଗଠନ ଓ ଜନମତ ତିଆରି କରିବା ଲାଗି ତାଂକର ପ୍ରୟାସକୁ କଂଗ୍ରେସ ସମର୍ଥନ କରୁନଥିଲା । ଅନେକ ସମୟରେ ତାଂକର ଦୃଢ ଓ ଆକ୍ରମକ ରାଜନୀତିକୁ କଂଗ୍ରେସ ନେତୃତ୍ଵ ଡରି ଯାଉଥିଲେ।

୯. କଂଗ୍ରେସ ସମର୍ଥନ କରୁ ବା ନକରୁ ନିଜସ୍ବ ସଂଗଠନ ଜରିଆରେ ସେ ବିଜେଡି ନେତୃତ୍ବକୁ ସବୁବେଳେ ଅସୁବିଧାରେ ପକାଇ ଆସିଛନ୍ତି। ଅଂଡାମାଡ ରାଜନୀତିକୁ ନେଇ ଗତ ବର୍ଷ ଯେଉଁ ହଟ ଚମଟ ସୃଷ୍ଟି ହୋଇଥିଲା, ସେଥିରେ ଏକୁଟିଆ ପଡି ଯାଇଥିଲେ ମଧ୍ୟ ଲୁଲୁ ନିଜ ମତ ବଦଳାଇ ନଥିଲେ।

୧୦. ରାଜନୀତିରେ ବହୁ ନେତା ଆସିବେ ଓ ଯିବେ। ହେଲେ ସବୁ ଦଳ ଭିତରେ ନିଜର ବନ୍ଧୁ ସୃଷ୍ଟି କରି ପାରିଲା ପରି ଓ ଦରକାର ପଡିଲେ ଶତୃକୁ ବି ସାହାଯ୍ୟ କରିପାରିବା ପରି ଲୁଲୁ ମହାପାତ୍ରଂକ ଭଳି ନେତା ବିରଳ ହୋଇ ରହିବେ ।

ଗତ ୬ ନଭେମ୍ବର ସନ୍ଧ୍ୟା ରେ ଦିଲ୍ଲୀରେ ମେଦାନ୍ତ ହସପିଟାଲ୍ ରେ ତାଂକର ପରଲୋକ ଓଡିଶାର ଯୁବ ନେତୃତ୍ଵ କ୍ଷେତ୍ରରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି କରିଛି।

ଓଡିଶା ଡଟ କମ

1 Comment

Leave a Reply

This site uses Akismet to reduce spam. Learn how your comment data is processed.